Unknown

 

 

 

 

 

 

 

 

 

 

ମରୁ ତଟିନୀ

ସୁବାସ ଷଡ଼ଙ୍ଗୀ

 

ଉତ୍ସର୍ଗ

 

ଯାହାଙ୍କର ଅନାବିଳ ସ୍ନେହ, ଶ୍ରଦ୍ଧା, ମମତାରେ ମୁଁ

ମଣିଷ ହୋଇଛି, ସେଇ ମୋର ପରମ ପୂଜ୍ୟ ପିତା

ଶ୍ରୀଯୁକ୍ତ ଭାଷ୍କର ଚନ୍ଦ୍ର ଷଡ଼ଙ୍ଗୀଙ୍କ

ଚରଣ ତଳେ ଭକ୍ତିର

ଅର୍ଘ୍ୟସ୍ଵରୂପ ।

 

-ସୁବାସ-

Image

 

ମୁଖବନ୍ଧ

 

ଓଡ଼ିଆ ଭାଷାରେ ଏକ ଉପନ୍ୟାସ ଲେଖିବା ପାଇଁ ଆଶା ବହୁ ଦିନରୁ ଥିଲା, କିନ୍ତୁ ଲେଖିପାରୁ ନଥିଲି । ଆଜିକୁ ବର୍ଷକ ତଳେ ମୋର ସାହିତ୍ୟ ଜୀବନର ପଥ ପ୍ରଦର୍ଶକ ଶ୍ରୀଯୁକ୍ତ ନରସିଂହ ନନ୍ଦ ଏବଂ ଅନ୍ୟମାନଙ୍କ ସହ ମୁଁ ରାଜଧାନୀର ଏକ ପାର୍କରେ ସାହିତ୍ୟ ଆଲୋଚନାରତ ଥିଲି । ସେଦିନର ଆଲୋଚ୍ୟ ବହୁ କାହାଣୀ ମଧ୍ୟରୁ ଜନ୍ମ ନେଇଛି ଏଇ ଉପନ୍ୟାସ ମରୁ ତଟିନୀ ।

ଏହା ମୋର ପ୍ରଥମ ଉପନ୍ୟାସ । ଓଡ଼ିଆ ସାହିତ୍ୟର ମହାସମୁଦ୍ରକୂଳରେ ପାଦ ଦେଇଛି ମୁଁ । ଭବିଷ୍ୟତର ଆଶା ରଖି ମୁଁ ମୋ ସାଧନାପଥରେ ଅଗ୍ରସର ହେଉଛି । ପ୍ରସ୍ତୁତ ଉପନ୍ୟାସଟିରେ ସନ୍ନିବେଶିତ କରାଯାଇଥିବା ଚରିତ୍ରଗୁଡ଼ିକ ଆଜିର ଏ ସମାଜର ଗୋଟିଏ ଲେଖାଏଁ ଜ୍ଵଳନ୍ତ ଉଦାହରଣ । ମୋର ଆଶା, ମରୁତଟିନୀ ଯଦି ମୋର ପ୍ରିୟ ପାଠକମାନଙ୍କ ଦ୍ଵାରା ଆଦୃତ ହୁଏ, ତାହେଲେ ମୋର ପରିଶ୍ରମ ସାର୍ଥକ ହେବା ସଙ୍ଗେ ସଙ୍ଗେ ମୁଁ ନିଜକୁ ମଧ୍ୟ ଧନ୍ୟ ମନେକରିବି ।

ଓଡ଼ିଆ ଯୁବଲେଖକ ସମ୍ମେଳନର ଉପ-ସଭାପତି ଶ୍ରୀଯୁକ୍ତ ନରସିଂହ ନନ୍ଦ ତାଙ୍କର ବହୁମୂଲ୍ୟ ସମୟ ନଷ୍ଟକରି ଉପନ୍ୟାସର ପାଣ୍ଡୁଲିପିଟି ଆମୂଳଚୂଳ ପାଠ କରି ଆବଶ୍ୟକୀୟ ସଂଶୋଧନ କରିବା ସଙ୍ଗେ ସଙ୍ଗେ ଉପନ୍ୟାସର ଚରିତ୍ର ଗୁଡ଼ିକୁ ବଳିଷ୍ଠ କରିବା ପାଇଁ କେତେକ ପରାମର୍ଶ ଦେଇଥିବାରୁ ତାଙ୍କ ନିକଟରେ ମୁଁ କୃତଜ୍ଞ ।

ତତ୍‌ବ୍ୟତୀତ ଶ୍ରୀଯୁକ୍ତ କୁରାମଣି ପାଠୀଶର୍ମ୍ମା, ଶ୍ରୀ ବସନ୍ତ କୁମାର ନନ୍ଦ ଏବଂ ନୀଳାଚଳ ପ୍ରକାଶନୀର ସତ୍ତ୍ଵାଧୀକାରୀ ଶ୍ରୀଯୁକ୍ତ ସୌରି ପ୍ରସାଦ ସ୍ଵାଇଁଙ୍କ ଅକୁଣ୍ଠିତ ସାହାଯ୍ୟ ଯୋଗୁଁ ମୁଁ ମଧ୍ୟ ସେମାନଙ୍କୁ ଧନ୍ୟବାଦ ଜଣାଉଛି ।

ଏବଂ ଶେଷରେ ଶଙ୍ଖନାଦ ପବ୍ଲିକେଶନ୍‌ସର ପରିଚାଳନାମଣ୍ଡଳୀ ପାଣ୍ଡୁଲିପିଟି ପଢ଼ିସାରିଲା ପରେ, ଏହାର ପ୍ରକାଶନୀ ଭାର ସାଦରେ ଗ୍ରହଣ କରିଥିବାରୁ ସେମାନଙ୍କ ନିକଟରେ ମୁଁ ଋଣୀ । ଇତି ।

 

ବିନୀତ

ଲେଖକ

Image

 

ପ୍ରାଚୀ ଆକାଶରେ କାବ୍ୟ ତାରା..... ।

 

ତାରାଗଣ ଆକାଶରୁ ଲିଭି ଗଲେଣି । ବର୍ତ୍ତମାନ ଆକାଶ ଶାନ୍ତ ତଥା ମନୋରମ । ରାତ୍ରୀ ଘେରା ପୃଥିବୀର କାକ କୃଷ୍ଣ ପଣତ ଉପରେ ଝାପ୍‌ସା ଆଲୋକ ବିଛୁଡ଼େଇ ହୋଇପଡ଼ିଚି ।

 

ହେଲେ ମୁଁ କେବଳ ଦାଉ ଦାଉ ହୋଇ ଜଳୁଛି ।

 

ଚିନିଚମ୍ପା ଗଛର ଲମ୍ବାଛାଇ ମୋ ଦେହରେ ପଡ଼ିଛି । ଚମ୍ପାଗୁଡ଼ିକ ମୃଦୁ ପବନରେ ଦୋଳାୟିତ । ସେମାନଙ୍କର ସେଇ ମିଠା ମିଠା ଗନ୍ଧ ଏକ ଦିଗନ୍ତ ପ୍ରସାରୀ ଅତୀତର ସ୍ମୃତିକୁ ଉସ୍‌କାଉଛି । ଆଉ ସେ ସ୍ମୃତିର ଅତଳ ସାଗର ଭିତରେ ମୁଁ ଯେପରି ଥଳକୂଳ ନପାଇ ଉବୁଟୁବୁ ହେଉଛି ।

 

ଏ ନିସ୍ତବ୍‌ଧ ରାତ୍ରୀର ଶେଷ ପ୍ରହରରେ ସତେ ଯେପରି ଭାସି ବୁଲୁଛି, କେଉଁ ବିଚ୍ଛେଦାତ୍ମକ ରାଗିଣୀ । ସତେ ଯେପରି ତାହା ମୋର ପ୍ରିୟ ସାଗରଙ୍କର କଣ୍ଠସ୍ଵର । ଏ ସ୍ଵରର ଝଙ୍କାର ମୋତେ ମୋ ଅତୀତର ବହୁ ଦୂରକୁ ନେଇଯାଏ । ଚତୁର୍ଦ୍ଦଶୀର ଜହ୍ନପରି ତାଙ୍କର ରୂପ ମୋ ମାନସ ପଟରେ ସାଇତା ହୋଇରହିଛି ।

 

ତାଙ୍କୁ ମୁଁ ମୋର ପ୍ରଥମ ଦେଖାରେ ଭଲପାଇ ବସିଲି । ମୋ ମନ, ମୋ ହୃଦୟ, ଏ ଦେହ ସବୁ ତାଙ୍କୁ ଉତ୍ସର୍ଗ କରି ଦେଇଥିଲି । ତାଙ୍କୁ ମୁଁ ମୋର ହୃଦୟରେ ସ୍ଥାନ ଦେଇଥିଲି । ଆଜି ବି ତାଙ୍କର ସେ ଛବି ଠିକ୍‌ ସେମିତି ମୋ ହୃଦୟରେ ସାଇତା ହୋଇ ରହିଚି । ଆମ ଭଲ ପାଇବାରେ ଘୃଣା, ଦ୍ଵେଷ କିଛି ନ ଥିଲା । ନୀଡ଼ାଭିମୁଖୀ ଦୁଇଟି କପୋତ କପୋତୀ, ଯେତେବେଳେ ନୀଡ଼ ରଚନା କରି ସୁଖର ସ୍ଵପ୍ନ ଦେଖିବାକୁ ପ୍ରୟାସୀ ହେଉଥିଲେ, ଠିକ୍‌ ସେତିକିବେଳେ ଏ ନିଷ୍ଠୁର କାଳ ଝଡ଼ ଆସି ତାଙ୍କୁ ମୋ ଠାରୁ ଛଡ଼େଇ ନେଇଗଲା କାହିଁ କେତେ ଦୂରକୁ ।

 

ମୁଁ ହାରିଗଲି ।

 

ଜୀବନ ଯୁଦ୍ଧରେ ମୁଁ ହାରିଗଲି ।

 

ଏ ଦୁନିଆରେ ଏତେ ଜଟିଳତା, କୁଟିଳତା ଭରି ରହିଛି ବୋଲି ମୁଁ ଜାଣିନଥିଲି । ମୁଁ ଅବା ଜାଣିଥାନ୍ତି କିପରି ? ମୁଁ ନାରୀ, ଜଣକୁ ମନ, ହୃଦୟ, ଦେହ ଦେଇ ଭଲପାଇବା ତ ମୋର କର୍ତ୍ତବ୍ୟ । ଏହା ତ ପ୍ରତ୍ୟେକ ନାରୀର ଧର୍ମ । ମୁଁ ଅବା ସେଥିରୁ ବାଦ ଯାଇଥାନ୍ତି କିପରି । ମୁଁ ନାରୀ, ମୁଁ ଅବଳା, ଏ ଦୁନିଆର ଜଟିଳତା, ଛନ୍ଦ, କପଟକୁ ମୁଁ ବୁଝି ପାରିନଥିଲି । ଆଉ ସେଇଥିପାଇଁ ବୋଧହୁଏ, ମୁଁ ମୋ ଜୀବନରେ ପ୍ରଥମ ଥରପାଇଁ ହାରିଗଲି । ଏବେ ମୁଁ ଠିକ୍‌ ବୁଝି ପାରୁଛି, ଏ ସମାଜର ବାହ୍ୟାଡ଼ମ୍ବରକୁ, ବର୍ତ୍ତମାନର ଚାଲିଚଳଣକୁ, ରୀତିଗତିକୁ । କିନ୍ତୁ ମୁଁ ପାଗଳୀଟିଏ । ଯାହା ମୋର ବହୁ ପୂର୍ବରୁ ଜାଣିବାର ଥିଲା, ତାହା ମୁଁ ବହୁ ପରେ ଜାଣିଲି । ତେଣୁ ମୁଁ ତାଙ୍କୁ ପାଇ ସୁଦ୍ଧା ହରେଇ ବସିଲି ।

 

ମୋ ମନର ପକ୍ଷୀ ଏଥିରେ ଆହତ ହେଲା, ସତେ ଯେପରି, ମୋର ଦୁଇଟା ଡେଣା କାଟି ଦିଆଗଲା । ଧୂ, ଧୂ ସାହାରା ମରୁଭୂମିରେ ମୁଁ ଯେପରି ବର୍ତ୍ତମାନ ପଡ଼ିରହିଛି । ମୋର ଚାରି ପାଖରେ କେବଳ ମରୁପ୍ରାନ୍ତର । ଯେଉଁ ଆଡ଼କୁ ଚାହିଁବ ଖାଲି ବାଲି, ଆଖି ପାଉନାହିଁ ।

 

ମୁଁ କେବଳ ପୂର୍ଣ୍ଣମୀର ଜହ୍ନକୁ ଦେଖିଥିଲି । କିନ୍ତୁ ପୂର୍ଣ୍ଣମୀ ପରେ ଯେ ଅମାବାସ୍ୟା ଆସେ, ଏହା ମୁଁ ଜାଣିନଥିଲି । ଆଲୋକ ପରେ ଅନ୍ଧାର ଭଳି, ସୁଖ ପରେ ଯେ ଦୁଃଖ ପ୍ରତ୍ୟେକଙ୍କ ପାଇଁ ରହିଚି । ଏହା ମୁଁ ଆଜି ଜାଣିଲି ।

 

ପାହାନ୍ତି ପ୍ରହର । ବୋଧହୁଏ ସିନ୍ଦୁରା ଫାଟି ଆସିଲାଣି । ପକ୍ଷୀଗୁଡ଼ିକ ବସା ଛାଡ଼ିବାକୁ ପ୍ରୟାସୀ ହେଲେଣି । ଆଉ କେତୋଟି ମୁହୂର୍ତ୍ତ ପରେ ରାତ୍ରୀର ନିସ୍ତବ୍‌ଧତାକୁ ଭେଦକରି, ମାଡ଼ିଆସିବ କୋଳାହଳ । ରାତ୍ରୀର ଏ ନିସ୍ତବ୍‌ଧତା ଭିତରେ, ମୋ ଆଖି ବୁଜି ହୋଇଯାଏ । ଆଉ ଆଖି ବୁଜିଦେଲେ ମୋର ଅନେକ କଥା ମନେ ପଡ଼େ । ମୋ ଅତୀତ ଜୀବନର ଏକ ସଫଳ ଛବି ମୋ ଆଖି ଆଗରେ ଭାସିଉଠେ । ମୋ ଅବ୍ୟକ୍ତ ହୃଦୟର ବହୁ ଗୋପନ କଥା କାହାକୁ କହିବାକୁ ସାଥୀ ଖୋଜି ବସେ । ମୋ ମନର ବେଦନା, ମୋ ମନ ଭିତରେ କେବଳ ଗୁମୁରି ଗୁମୁରି କାନ୍ଦେ ।

 

ଆଜି ମୁଁ ଜୀବନର ଶେଷ ପାହାଚରେ ବୋଧହୁଏ ମୋ ଜୀବନ ନାଟକର ଆଉ କେତୋଟି ଦିନପରେ ଯବନିକା ପାତ ହେବ । ଏ ଦୁନିଆଁରୁ ଚାଲିଗଲେ, ମୁଁ ହୁଏତ ଶାନ୍ତି ପାଇବି । ଏ ଜନ୍ମରେ ତାଙ୍କୁ ସାଥୀ ନକରି ପାରିଥିଲେ ସୁଦ୍ଧା ପର ଜନ୍ମରେ ତାଙ୍କୁ ପାଇବା ପାଇଁ ଚେଷ୍ଟା କରିବି-। ମୋର ବିଶ୍ୱାସ, ସେ କେବେହେଲେ ମୋତେ ଘୃଣା କରିବେ ନାହିଁ, ଆପଣାର କରିନେବେ-

 

ଏ ଜନ୍ମର ଏ ବିଚ୍ଛେଦ ପାଇଁ, ତାଙ୍କୁ ମୁଁ ଦୋଷ ଦେଇନାହିଁ । ତାଙ୍କୁ କେବଳ କାହିଁକି, କାହାକୁ ମଧ୍ୟ ମୁଁ ଦୋଷ ଦେଇ ନାହିଁ । ଦୋଷ ଦେଇଛି କେବଳ ମୋ ଭାଗ୍ୟକୁ । ମୋ ଭାଗ୍ୟ ମୋ ବିରୁଦ୍ଧରେ ଠିଆ ହେଲା । ମୋ ଭାଗ୍ୟର ସେ ପ୍ରସ୍ତର ପ୍ରାଚୀରକୁ ଭାଙ୍ଗି ଆଗକୁ ଯିବାକୁ ମୋର ବଳ ନଥିଲା । ତେଣୁ ମୁଁ ବାଧ୍ୟ ହେଲି ପଛଘୁଞ୍ଚା ଦେବାକୁ । ଏଥିପାଇଁ ଅନ୍ୟକୁ ଦୋଷ ଦେଇ ଲାଭ କ’ଣ-? ମୋ ଭଲ ପାଇବାରେ କେଉଁଠି ହୁଏତ ତ୍ରୁଟି ରହିଯାଇଥିଲା । ଆମର ପ୍ରେମରେ ହୁଏତ କିଛିଟା ଆବିଳତା ଭରି ରହିଥିଲା । ଯେଉଁଥି ପାଇଁ ଆମେ ଦୁହେଁ ନିକଟରୁ ନିକଟତର ହୋଇ ମଧ୍ୟ ପରସ୍ପରକୁ ଭେଟି ପାରିଲୁ ନାହିଁ ।

ସେଦିନ ଯାଇଁ କେତେ ଦୂରରେ ରହିଲାଣି.... ।

ଏହା କେବଳ ମୋ ମନର ସ୍ମୃତି ହୋଇ ରହିଚି ।

ରାତିର ଏ ଶେଷ ପ୍ରହରଟା ମୋତେ କେମିତି ଖୁବ୍‌ ଅସହାୟ ଜଣାପଡ଼େ । ଏ ବାଉଳା ସମୀରଣରେ, ସେ ମୋର ଖୁବ୍‌ ମନେ ପଡ଼ନ୍ତି । ମୋର ମନେ ହୁଏ, ସତେ ଯେପରି ସେ ମୋ ନିକଟରେ ଅଛନ୍ତି । ତାଙ୍କର ସ୍ପର୍ଶ ମୁଁ ପାଇ ପାରୁଛି । ଏକଥା ମନେ ପଡ଼ିଲେ ଏକ ଅଜଣା ଶିହରଣ ମୋ ଦେହରେ ଖେଳି ଯାଉଛି । ମନଟା ପୁଣି ସେ ଅତୀତର ଚିରା ପୃଷ୍ଠାକୁ ଓଲଟାଇବାକୁ ଚାଲିଯାଉଛି, କାହିଁ କେତେ ଦୂରକୁ ।

ମୁଁ ହୀନ କପାଳୀଟିଏ..... ।

ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼େଇବାକୁ ଚେଷ୍ଟା କରି, ମୁଁ ଆଜି କ୍ଷତ ବିକ୍ଷତ । କାହାକୁ କହିବି । ମୋତେ ତ କେହି ଭଲ ପାଇବାକୁ କହିନଥିଲେ । ମୋର କର୍ତ୍ତବ୍ୟ ଥିଲା କେବଳ ଅଭିନୟ-। ଅଭିନୟ କରିବା, ଛଳନା କରିବା ତ ମୋର ଧର୍ମ । ମୁଁ ସେବିକା । କାହାକୁ ଭଲ ପାଇବାର ଅଧିକାର ବା ମୋର କେଉଁଠୁ ଆସିଲା ? ଆଉ ସେଇଥିପାଇଁ ମୁଁ ହାରିଗଲି । ସାମାନ୍ୟ ମେଣ୍ଟାଲ ହସ୍‌ପିଟାଲର ନର୍ସ ହୋଇ ମୁଁ ଅଜାଣତରେ; ଯାହା କରି ବସିଲି, ତାହା ଯେ ବାସ୍ତବିକ୍ ଅନ୍ୟାୟ ଥିଲା, ତାହା ଆଜି ମୁଁ ଠିକ୍‌ ବୁଝିପାରୁଛି ।

ଦି ବମ୍ବେ ମେଣ୍ଟାଲ ହସ୍‌ପିଟାଲ । କୋଡ଼ିଏ ଏକର ଜମି ଉପରେ, ସମୁଦ୍ର ତଟ ନିକଟରେ ଅବସ୍ଥିତ । ସୁଦୃଶ୍ୟ ଅଟ୍ଟାଳିକା, ନଅ ମହଲା ବିଶିଷ୍ଟ । ଚାରିପଟରେ ସୁଦୃଶ୍ୟ ବଗିଚା । ବିଭିନ୍ନ ଫୁଲର ଏକ ବିରାଟ ସମାହାର । ଗୋଟିଏ ପଟେ ନୀଳ ସମୁଦ୍ର । କୋଠରୀରେ ବସି ନୀଳସମୁଦ୍ରର ମନୋରମ ଦୃଶ୍ୟକୁ ମନଭରି ଆଘ୍ରାଣ କରିନେବାର ବ୍ୟବସ୍ଥା ହୋଇଛି ତନ୍ମଧ୍ୟରେ । ହସ୍‌ପିଟାଲର ପରିଷ୍କାର ପରିଚ୍ଛନ୍ନତା ପ୍ରଥମେ ସବୁରି ଆଖିରେ ପଡ଼େ । ହସ୍‌ପିଟାଲର ବିଭିନ୍ନ ଓ୍ୱାର୍ଡ଼କୁ ଯିବାପାଇଁ ପ୍ରଶସ୍ତ ରାସ୍ତା । ରାସ୍ତାର ଉଭୟ ପାର୍ଶ୍ଵରେ ବାରମାସୀ ଫୁଲର ଅପୂର୍ବ ସମାହାର-

ସ୍ଵର୍ଗର ନନ୍ଦନକାନନ ଭଳି ପରିବେଷ୍ଟନୀରେ ମେଣ୍ଟାଲ ହସ୍‌ପିଟାଲ, ବାସ୍ତବିକ୍‌ ମସ୍ତିଷ୍କ ବିକୃତି ଲୋକମାନଙ୍କ ପାଇଁ ଏକ ଉପଯୁକ୍ତ ଚିକିତ୍ସାଳୟ । ଚିକିତ୍ସା କ୍ଷେତ୍ରରେ ମଧ୍ୟ ଏ ହସ୍‌ପିଟାଲ୍‍ର ସର୍ବଭାରତୀୟ ସ୍ତରରେ ସୁନାମ ରହିଛି । ସର୍ବାପେକ୍ଷା ଏ ହସ୍‌ପିଟାଲର ମହତ୍ତ୍ୱପୂର୍ଣ୍ଣ ସେବା, ସବୁ ରୋଗୀମାନଙ୍କୁ ଆରୋଗ୍ୟ ଦିଗରେ ଯଥେଷ୍ଟ ସାହାଯ୍ୟ କରେ ।

 

ଏ ହସ୍‌ପିଟାଲରେ କେତେ ପ୍ରକାର ମସ୍ତିଷ୍କ ବିକୃତିର ରୋଗୀ ରହିଛନ୍ତି । ସମସ୍ତଙ୍କ ପାଇଁ ଜଣେ ଲେଖାଏଁ ସେବିକା ନିଯୁକ୍ତ । ରୋଗୀର ମନସ୍ତତ୍ତ୍ଵକୁ ବିଚାରକୁ ନିଆଯାଇ ଏଠାରେ ସେବିକା ନିଯୁକ୍ତି ଦିଆଯାଏ । ଯାହା ଫଳରେ ରୋଗୀକୁ ଆରୋଗ୍ୟ ଦିଗରେ, ସେବିକାର ସେବା ଯଥେଷ୍ଟ ସାହାଯ୍ୟ କରେ ।

 

ସେଦିନ ଥିଲା ବୋଧହୁଏ ଆଜିପରି ପାହାନ୍ତା ପ୍ରହର ।

 

ସେ ଦିନର ସେ ପରିବେଶ ଭଳି ଆଜି ମଧ୍ୟ ସେ ପରିବେଶ । ପାହାନ୍ତି ପ୍ରହରରେ ଟ୍ଟିଟ୍ଟିଭିର ଗୁଞ୍ଜନ । ସେଦିନ ଥିଲା ମୋର ରାତ୍ରୀ ଡିଉଟି । ରାତ୍ରୀର ପରିଶ୍ରମରେ ମୁଁ ଯେତେବେଳେ, କ୍ଳାନ୍ତ ହୋଇ ଉଠିଲି, ସେତେବେଳକୁ ବୋଧହୁଏ ସିନ୍ଦୁରା ଫାଟି ଆସିଥିଲା । ଓ୍ୱାର୍ଡ଼ରୁ ସିଧାସଳଖ ମୁଁ ବିଶ୍ରାମ କକ୍ଷକୁ ଫେରି ଆସିଲି । ପଡ଼ିଥିବା ଚଉକି ଉପରେ ନିଜକୁ ହଜାଇ ଦେଲି । ପାହାନ୍ତାର ଶୀତଳ ତଥା ସୁଲୁସୁଲିଆ ପବନରେ ମୋ ଆଖିପତା ମୁଦି ହୋଇ ଆସୁଥିଲା । ରାତ୍ରୀରେ ଅତ୍ୟଧିକ ପରିଶ୍ରମଯୋଗୁଁ ମୁଁ ବିଶେଷଭାବେ କ୍ଳାନ୍ତ ହୋଇ ପଡ଼ିଥିଲି-

 

ହଠାତ୍‌ ମୋ ବିଶ୍ରାମ କକ୍ଷର ଦ୍ଵାର ଖୋଲି ଗଲା । ବୋଧହୁଏ ମୁଁ ବିଶ୍ରାମ କକ୍ଷର କବାଟ ଭିତରୁ ବନ୍ଦ କରିବାକୁ ଭୁଲି ଯାଇଥିଲି । ଭିତରକୁ ପଶି ଆସିଲେ ଜଣେ ସୌମ୍ୟଦର୍ଶନ ଯୁବକ । ହଠାତ୍‌ ଏ ସମୟରେ ଏକ ଯୁବକକୁ, ପୁଣି ମୋ ବିଶ୍ରାମ କକ୍ଷରେ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇ ଉଠିଲି । ଯୁବକ ଜଣକ ଯେ ନିଶ୍ଚିତଭାବେ ଉଚ୍ଚଶିକ୍ଷିତ, ଏହା ସ୍ପଷ୍ଟଭାବେ ବାରି ହୋଇ ପଡ଼ୁଥିଲା । ଦେହରେ ତାଙ୍କର ଦାମୀ ପୋଷାକ, ହାତରେ ଭି: ଆଇ: ପି: ବ୍ରିଫ୍‌ କେଶ୍‌ । ସେ ଯେ ଜଣେ ସମ୍ଭ୍ରାନ୍ତ ବଂଶୀୟ ଯୁବକ ଏହା ତାଙ୍କର ଆଚାର ବ୍ୟବହାରରୁ ଜଣାପଡ଼ୁଥିଲା । ମୁଁ ତାଙ୍କୁ ଦେଖି ଶଙ୍କିତା ହୋଇ ପଡ଼ିଲି ଏବଂ ରାତି ଡିଉଟିରେ ଥିବା ବେହେରାକୁ ଡାକିବାକୁ ଉଦ୍ୟତ ହେଲି ।

 

ସେ ମୋର ମନୋଭାବକୁ ଜାଣିପାରି କହିଲେ–କିଛି ଭାବିବାର ନାହିଁ । ମୁଁ ଆପଣଙ୍କର କିଛି କ୍ଷତି କରିବାକୁ ଏଠାକୁ ଆସିନାହିଁ । ମୁଁ କେବଳ ଗୋଟିଏ ଅନୁରୋଧ ଆପଣଙ୍କୁ ଜଣାଇବାକୁ ଆସିଛି । ମୋର ଆଶା ମୋର ସେ ଅନୁରୋଧ ଆପଣ ରଖିବେ ।

 

ଆପଣଙ୍କର ଯାହା କହିବାର ଯାହା କରିବାର ଅଛି, ତାହା କାଲି ସକାଳେ କ୍‌ଟରଙ୍କୁ ଭେଟି କହିବା ଉଚିତ ହେବ । ମୁଁ ତାଙ୍କୁ ପରାମର୍ଶ ଦେଲାଭଳି କହିଲି ।

 

–ତାହାତ ନିଶ୍ଚିତ ଠିକ୍‌ କଥା, ତଥାପି...... ।

 

–ପୁଣି ତଥାପି କ’ଣ ?

 

ମୁଁ ଆପଣଙ୍କୁ ଅନୁରୋଧ କରୁଛି, ଆପଣ ମୋତେ ଏ ହସ୍‌ପିଟାଲରେ ଆଡ଼୍‍ମିଶନ କରାଇ ଦିଅନ୍ତୁ । ମୁଁ ଆପଣଙ୍କ ନିକଟରେ ଚିରକୃତଜ୍ଞ ରହିବି । ମୁଁ କହି ରଖୁଛି, ମୋର ମସ୍ତିଷ୍କ ବିକୃତି ଘଟିଛି ।

 

ପାହାନ୍ତା ପ୍ରହରରେ ଲାଗି ଆସୁଥିବା ଛାଇ ନିଦ ମୋର ହଠାତ୍‌ ଭାଙ୍ଗିଗଲା । ମୁଁ ଚଉକିରେ ସିଧା ହୋଇ ବସିଲି । ଭଲ କରି ତାଙ୍କୁ ଥରେ ନିରେଖି ଦେଖିଲି । ଆଉ ତା’ ପରେ କହିଲି–ଏ କ’ଣ ଆପଣ କହୁଛନ୍ତି । ଆପଣତ ଜଣେ ଶିକ୍ଷିତ ତଥା ସମ୍ଭ୍ରାନ୍ତ ବଂଶର ଲୋକ ଭଳି ଜଣା ପଡ଼ୁଛନ୍ତି ।

 

ଆପଣଙ୍କ ଅନୁମାନ ଠିକ୍‌ ମହାଶୟା, ମୁଁ ବିଜିନେସ ମ୍ୟାନେଜମେଣ୍ଟର ଛାତ୍ର । ଘର ମୋର ଓଡ଼ିଶାରେ । ଏଇ ହେଲା ମୋର ପରିଚୟ । ଏଇ ନିଅନ୍ତୁ ଏ ଚେକ୍‌ । ମୋର ଚିକିତ୍ସା ପାଇଁ ଦରକାର ହେଉଥିବା ଟଙ୍କା ସେ ଚେକ୍‌ରେ ରହିଛି । ପ୍ଲିଜ୍‌, ମୋଲାଗି ଆପଣ ଟିକିଏ ଚେଷ୍ଟା କରନ୍ତୁ-

 

ଏତକ କହି ସେ ମୋ ଆଡ଼କୁ କୋଡ଼ିଏ ହଜାର ଟଙ୍କାର ଗୋଟିଏ ଚେକ୍‌ ବଢ଼ାଇ ଦେଲେ ।

 

କେଜାଣି କାହିଁକି ତାଙ୍କୁ ପ୍ରଥମେ ସେଦିନ ଦେଖି ମୁଁ ମୋ ନିଜକୁ ଭୁଲି ଯାଇଥିଲି । ମୋର ସବୁ କିଛିକୁ ପଛରେ ପକାଇ ମୁଁ କ୍‌ଟରଙ୍କୁ ଅନୁରୋଧ କରିଥିଲି, ତାଙ୍କୁ ଏଠାରେ ଆଡ଼ମିଶନ କରାଇ ଦେବାପାଇଁ ଏବଂ ତାଙ୍କର ଚିକିତ୍ସା ଭାର ମୋତେ ଦେବାପାଇଁ ।

 

କ୍‌ଟର ସେ ଅନୁରୋଧ ମୋର ରଖିଥିଲେ । ତାଙ୍କର ସମସ୍ତ ଚିକିତ୍ସା ଭାର, ସେ ମୋ ଉପରେ ନ୍ୟସ୍ତ କରିଥିଲେ । ଆଉ ତାଙ୍କରି ସେବାରେ, ମୁଁ ନିୟୋଜିତ କରି ଦେଇଥିଲି, ମୋର ସମସ୍ତ ସମୟକୁ । ସେଇଥିରେ ମୁଁ ପାଉଥିଲି ଅପାର ଆନନ୍ଦ । ତାଙ୍କର ସେବାକରି, ମୁଁ କେବେ କ୍ଳାନ୍ତ ହୋଇ ପଡ଼ୁନଥିଲି । ଯେତେ ପରିଶ୍ରମ କଲେ ମଧ୍ୟ ମୋତେ କ୍ଳାନ୍ତ ଲାଗୁନଥିଲା । ତାଙ୍କୁ ଦେଖିଲା ମାତ୍ରେ ମୁଁ ମୋ ଭିତରେ ଏକ ଅବ୍ୟକ୍ତ ପୁଲକ ଅନୁଭବ କରୁଥିଲି ।

 

ମୃତ୍ୟୁ ମୋର ଆଜି ନିକଟବର୍ତ୍ତୀ ।

 

ସମୟର ସ୍ରୋତରେ ସବୁ ଯେପରି ବଦଳି ଯାଇଛି । ଆଜି ମୋର ନିଜର ବୋଲି କେହି ନାହାଁନ୍ତି । ନାରୀ ଜୀବନରେ ଯିଏ ଜଣେ ଥାଏ, ସିଏ ତ ମୋତେ ଠକିଦେଇ ଚାଲିଗଲେ ।

 

ହୃଦୟଟା କେବଳ ମୋର ହାହାକାର । ନିରୀହ ବାଲିଗରଡ଼ା ଭଳି, ମୁଁ କେବଳ ଗଡ଼ି ଗଡ଼ି ଚାଲିଛି କେତେବେଳେ ଯେ କ୍ଷୟ ହୋଇ ମୁଁ ମାଟିରେ ମିଶିଯିବି, ତାହା ମୁଁ ନିଜେ ବି ଜାଣେନା-। ମୋ ପାଇଁ ଜୀବନଟା ଯେ ନିରର୍ଥକ, ଏହା ମୁଁ ଆଜି ଅନୁଭବ କରିପାରୁଛି ।

 

ମୁଁ ବଞ୍ଚିବାକୁ ଯାଇଁ, ଆଜି ଜୀବନ ହୋଇଯାଇଛି । ଭଲପାଇବାକୁ ଯାଇ, ମୁଁ ନିଜେ ପ୍ରେମ ପାଲଟି ଯାଇଛି । ତେଣୁ ଜୀବନର ଏ ଶେଷ ମୁହୂର୍ତ୍ତରେ ଜୀବନ ଓ ପ୍ରେମ, ଏ ମୋ ପାଇଁ କେବଳ କବିର କବିତା ଭିତରେ ରହିଯାଇଛି । କେବଳ କବିତାକୁ ପାଥେୟ କରି ମୁଁ ବଞ୍ଚିରହି ମୋ ଜୀବନର ଅବଶିଷ୍ଟାଂଶକୁ କଟେଇ ଦେବି ।

 

ବର୍ତ୍ତମାନକୁ ମୁଁ ପାଶୋରି ଦିଏ । ଭବିଷ୍ୟତ ମୋ ପାଇଁ ସ୍ଵପ୍ନ, କିନ୍ତୁ ଅତୀତ.... । ଅତୀତର ସ୍ମୃତିରେ ମୁଁ ନିଜକୁ ହଜାଇ ବସେ । ସେଥିରେ ମୁଁ ବିଲୀନ ହେବାକୁ ଚାହେଁ ।

 

ମୋ ପ୍ରେମ ଦେହର ନଥିଲା । ମୋର ପ୍ରେମ ଆତ୍ମାର ଥିଲା । ଭୁଲର ଗୋଲକ ଧନ୍ଦା ଭିତରେ ପଶି ମୁଁ ପଥଭ୍ରଷ୍ଟ ହୋଇଛି । ସେଥିପାଇଁ ମୋ ଆଗରେ ଆଜି ସବୁ ଝାପ୍‌ସା, କୁହେଳିକାପୂର୍ଣ୍ଣ ।

 

ଏଇ ଟିକକ ଆଗରୁ ପଙ୍କଜିନୀ ଆସି ଚାଲିଗଲା । ସେ ସିନା ଚାଲିଗଲା, କିନ୍ତୁ ମୋତେ ଦେଇଗଲା ଭାବିବାକୁ ଅନେକ କଥା ।

 

ଲୋହିତ ସୂର୍ଯ୍ୟ ପଶ୍ଚିମାକାଶରେ ଅସ୍ତ ପ୍ରାୟ । ଶୀତଳ ସମୀରଣ ଓ ମନଲୋଭା କୁସୁମ ଗନ୍ଧରେ ଧରିତ୍ରୀ ଆମୋଦିତ ହୋଇ ଉଠୁଥିଲା । ସେଇ ବିଦାୟୀ ସୂର୍ଯ୍ୟର ଦୃଶ୍ୟ ଏବଂ ଧରିତ୍ରୀର ସେ ମନଲୋଭା ପରିବେଶରେ ଅତୀତର ସ୍ମୃତି ଗଭୀରଭାବେ ଜଡ଼ିତ ଥିଲା ।

 

ପଙ୍କଜିନୀ ଦିନେ ତା ଅତୀତ ରାଇଜର କଥା ମୋତେ କହିଥିଲା ।

 

ତା’ର ଆଶା ଥିଲା, ଦିନେ ସେ ତା’ର ସେ କଳ୍ପିତ ରାଜ୍ୟକୁ ଫେରିଯିବ । ଯେଉଁଠି ସଂସାରର ଜଞ୍ଜାଳରେ ଛନ୍ଦିହୋଇ ଜୀବନକୁ ଅତିବାହିତ କରିବାକୁ ପଡ଼େନା । ଜୀବନଟା କେବେହେଲେ ନିଜ ଉପରେ ବୋଝ ହୋଇ ଉଠେ ନାହିଁ । ମାନସିକ ଅଶାନ୍ତିର ବଶବର୍ତ୍ତୀ ହୋଇ ଜୀବନଟାକୁ ସେଠାରେ ତିଳ ତିଳ କରି ଦଗ୍‌ଧିଭୂତ କରିବାକୁ ପଡ଼େନାହିଁ । ସୁଖପାଇଁ କେବେହେଲେ କାହା ପଛରେ ଅଣନିଶ୍ୱାସୀ ହୋଇ ଧାଇଁବାକୁ ପଡ଼େ ନାହିଁ ।

 

ପଙ୍କଜିନୀ ସଫଳ ହେଲା । ତା’ର କଳ୍ପିତ ସ୍ଵପ୍ନରାଜ୍ୟକୁ ସେ ଖୁବ୍‌ ଶୀଘ୍ର ଫେରି ପାଇଲା-। ବର୍ତ୍ତମାନ ତା’ମନରେ ନାହିଁ ଗ୍ଳାନି, ଦ୍ଵେଷ । ସେ ବର୍ତ୍ତମାନ ସ୍ଵର୍ଗର ଅମରାବତୀରେ ବାସ କରୁଛି । ସେ ସଂଗ୍ରାମରେ ଜିତିଯାଇଛି । ଦୁଃଖ ପରେ ସୁଖକୁ ବର୍ତ୍ତମାନ ସେ ମନ ଭରି ଉପଭୋଗ କରୁଛି ।

 

କିନ୍ତୁ.........ମୁଁ......... ?

 

ମୁଁ କ’ଣ ଦୁଃଖ ସହିନାହିଁ ?

 

କାହିଁ ମୁଁ ତ ସୁଖ ପାଇଲି ନାହିଁ ।

 

ମୋର ଅନ୍ତରଙ୍ଗ ବାନ୍ଧବୀ, ପଙ୍କଜିନୀ । ବାନ୍ଧବୀ କହିଲେ ସ୍ଵତଃ ଯେଉଁ କେତେଜଣଙ୍କ ନାଁ ମନକୁ ଆସେ ସେଥିମଧ୍ୟରୁ ପଙ୍କଜିନୀ ପ୍ରଥମ । ବନ୍ଧୁତା କେବଳ ଏଇଠୁ ହଁ ଆରମ୍ଭ ହୋଇଥିଲା-। ଦୁହେଁ ଏକ ସଙ୍ଗରେ, ଏଇ ହସ୍‌ପିଟାଲରେ ଜଏନ୍‌ କରିଥିଲୁ ।

 

ପଙ୍କଜିନୀ ତା’ ଜୀବନର, ତା’ ପରିବାରର ସବୁକଥା ମୋତେ କହିଥିଲା । ତା’ର ବାପା ବିଶେଷ ବଡ଼ ଲୋକ ନଥିଲେ ମଧ୍ୟ କେବେହେଲେ ଛୋଟ ନଥିଲେ । ବ୍ୟବସାୟ ଥିଲା ତାଙ୍କର । ଆବଶ୍ୟକୀୟ କଲେଜ ପଢ଼ା ଶେଷ ପରେ ସେ ଜଣେ ସରକାରୀ ଉଚ୍ଚ ପଦସ୍ଥ ଅଫିସରଙ୍କ ସହଧର୍ମିଣୀରୂପେ ସ୍ଥାନ ପାଇଲା ।

 

ଟଙ୍କା, ସୁନା, ରୁପା, କ୍ଷମତା, ସମ୍ମାନ, ଯାହା କିଛି ମଣିଷ ଜୀବନରେ ବଞ୍ଚିବାକୁ ଦରକାର, ତାହା ପଙ୍କଜିନୀ ପାଖରେ ଥିଲା । ତଥାପି ସେ ଅଶାନ୍ତିର ନିଆଁରେ ଜଳୁଥିଲା । ଦିନେ ସେ ମୋତେ କହିଥିଲା–କହ’ତ, ନାରୀ କଣ କେବଳ ଟଙ୍କା, ସୁନା, ରୁପା, କ୍ଷମତା କିମ୍ବା ସମ୍ମାନ ଚାହେଁ ? ତୁ କହ’ତ, ତୁ ତ ଜଣେ ନାରୀ । ଏସବୁ ପାଇଲେ ତୁ କ’ଣ ସୁଖୀ ହୋଇ ପାରିବୁ ?

 

ଏତେ ବଡ଼ ବଂଶର ଝିଅ ହୋଇ ସେ ଭଲପାଇ ଥିଲା, ସାମାନ୍ୟ ଜଣେ ବଂଶୀ ବାଦକ ପୁଲକଙ୍କୁ । ପୁଲକଙ୍କ ସ୍ଵର ଝଙ୍କାରରେ ପଙ୍କଜିନୀ ତନ୍ମୟୀ ହୋଇ ଉଠୁଥିଲା । ପୁଲକଙ୍କର ସ୍ଵରରେ ସେ ଗାଉଥିଲା ତା ହୃଦୟର ଜୀବନ ସଂଗୀତ । ସେଥିରେ ସେ ପାଉଥିଲା ନବ ଜୀବନ । ଆଉ ମଧ୍ୟ ପଙ୍କଜିନୀଠାରୁ ପ୍ରେରଣା ପାଇ ପୁଲକ ତାଙ୍କ ବଂଶୀର ସ୍ଵର ଝଂକାରକୁ ଆଉରି କରୁଣାତ୍ମକ କରି ତୋଳୁଥିଲେ ।

 

ଜଣେ ବିଶିଷ୍ଟ ବଂଶୀବାଦକ ପୁଲକ ହେଲେ ବି ସେ ଗରୀବ । ଜଣେ ବଂଶୀବାଦକ ହିସାବରେ ତାଙ୍କର ସୁନାମ ରହିଛି, କିନ୍ତୁ ଏ ଆଧୁନିକ ସମାଜରେ ବଞ୍ଚିରହିବାକୁ ଯେଉଁ ସାମାନ୍ୟ ଟିକକ ମୂଲ୍ୟବୋଧର ଆବଶ୍ୟକତା ରହିଛି, ତାହା ତାଙ୍କଠାରେ ନଥିଲା । ଏ ସମାଜରେ ବଞ୍ଚିବାକୁ ହେଲେ କେବେହେଲେ ଜଣେ କଳାକାର ହିସାବରେ ବଞ୍ଚି ହେବନି । ସେଥିପାଇଁ ପୁଲକ ଥରେ ପଙ୍କଜିନୀ ପାଖକୁ ଚିଠିରେ ଲେଖିଥିଲେ–“ତୁମେ ବଡ଼ ଭୁଲ କଲ । ଆଭିଜାତ୍ୟ ଭଳି ଜିନିଷକୁ ଖୁବ୍‌ ନିକଟରେ ପାଇ ତୁମେ ତାକୁ ପାଦରେ ଦଳିଦେବାକୁ କେବେହେଲେ ଚେଷ୍ଟା କରନା । ଏ ସମାଜ ଆଜି ପଙ୍ଗୁ । ଏ ପଙ୍ଗୁ ସମାଜରେ ତୁମେ ଚାହୁଁଥିବା ମମତାର ଘୋର ଅଭାବ । ଏଠି ଖାଲି କୃତ୍ରିମତାର ଜାଲ ବିଛାଯାଇଛି । ତୁମେ କୁହତ ପଙ୍କଜିନୀ, ସବୁ ଜାଣି ସୁଦ୍ଧା ମଣିଷ କାହିଁକି ଭୁଲ କରେ ? ଏବେ ବି ସମୟ ଅଛି, ତୁମେ ମୋତେ ଭୁଲିଯାଅ । ତୁମପାଇଁ ତୁମର ସୁଯୋଗ୍ୟ ବରପାତ୍ରର କେବେହେଲେ ଅଭାବ ରହିବନି ।

 

ଯେଉଁଠି କଳାକାରକୁ କେବଳ ଭାଷଣ ମାଧ୍ୟମରେ ପ୍ରଶଂସା କରାଯାଏ, କିନ୍ତୁ ବଞ୍ଚି ରହିବାକୁ ଯେଉଁ ସାମାନ୍ୟ ମୂଲ୍ୟବୋଧ ଟିକକ ଦରକାର, ତାହା ସେ ପାଇପାରେନା ସେଭଳି ଏକ ଅଥର୍ବ ସମାଜରେ ମୋ ଭଳି ଏକ ଦରିଦ୍ର କଳାକାରକୁ ତୁମେ ନିଜେ ବରଣ କରି କ’ଣ ବା ଲାଭ ପାଇବ ? ତୁମକୁ ମୁଁ କ’ଣ ବା ଦେଇ ସୁଖୀ କରିବି ? ମୁଁ ତ ବଞ୍ଚିରହିବାକୁ ଏବେ ବି ସଂଗ୍ରାମରତ । କାହିଁକି ଅବା ଜାଣି ଶୁଣି ତୁମେ ଏ ଦାବାନଳ ଭିତରକୁ ଝାସ ଦେବ । ବରଂ ତୁମେ ସେଇଠାକୁ ଚାଲିଯାଅ, ଯେଉଁଠି ତୁମପାଇଁ ଭରି ରହିଛି, ଅନ୍ୟ ଏକ ସ୍ଵର୍ଗ ।

 

ସେଦିନ ପୁଲକଙ୍କ ଚିଠି ପଢ଼ି, ମନେ ମନେ ଗୁମୁରି ଗୁମୁରି କାନ୍ଦିଥିଲା ପଙ୍କଜିନୀ । ନିଜ ବେଦନାକୁ ନିଜ ବୁକୁ ଭିତରେ ସାଇତି ରଖି ସେ ତାଙ୍କ ଚିଠିର ଉତ୍ତର ଲେଖିଥିଲା– ‘ତୁମେ କ’ଣ ଶେଷରେ ମୋତେ ଏଇଆ ବୁଝିଲ ? ଏ ସମାଜର ଉଗ୍ରାଧୁନିକତା, କୃତ୍ରିମତା କ’ଣ ମୋତେ ସୁଖ ଦେଇପାରିବ ? ତୁମେ କୁହ ପୁଲକ– ତୁମେ ତ ଜଣେ କଳାକାର । ଜଣେ ନାରୀ କଣ ତା’ର ଧନ, କ୍ଷମତା, ପ୍ରତିପତ୍ତିକୁ ନେଇ ସୁଖୀ ହୋଇପାରେ ? ହୋଇପାରେ, କିଏ ହୁଏତ ସୁଖୀ ହୋଇପାରେ-। କିନ୍ତୁ ମୁଁ କେବେହେଲେ ସୁଖୀ ହୋଇପାରିବି ନାହିଁ ।

 

ଯାହାକୁ ପାଇଲେ ମୁଁ ଧନ୍ୟ ହେବି, ମୋର ନାରୀ ଜୀବନ ସାର୍ଥକ ହେବ ତାହା କେବଳ ମୁଁ ତୁମଠାରୁ ପାଇପାରିବି ପୁଲକ, ତୁମେହିଁ କେବଳ ମୋତେ ଦେଇପାରିବ ସ୍ଵର୍ଗର ଅମରାବତୀ । ମୁଁ ଚାହେଁନା ଧନ, ମୁଁ ଚାହେଁନା କ୍ଷମତା, ପ୍ରତିପତ୍ତି । ମୁଁ ଚାହେଁ ସାମାନ୍ୟ ଟିକିଏ ମମତା । ଏ ଉଗ୍ର ଆଧୁନିକ ସମାଜରେ କେବଳ ଏଇ ଗୋଟିଏ ଜିନିଷର ଅଭାବ ପୁଲକ, ତାହା କେବଳ ତୁମେ ହିଁ ମୋତେ ଦେଇପାରିବ ।

 

ଏପରି ଏକ ଚିଠି ହଠାତ୍‌ ତୁମେ କାହିଁକି ଲେଖିଲ, ତାହା ମୁଁ ବୁଝିପାରୁନି । ତଥାପି ମୋର ଆଶା, ତୁମ ପାଦ ସେବା କରିବାର ଅଧିକାରରୁ ମୋତେ କେବେହେଲେ ବଞ୍ଚିତ କରିବନାହିଁ-। ମୁଁ ଯାହା କରିବାକୁ ଯାଉଛି, ତାହା କେବେହେଲେ ଭୁଲ ନୁହେଁ ।

 

ତଥାପି ପଙ୍କଜିନୀ ଓ ପୁଲକଙ୍କର ମିଳନ ଅସମ୍ଭବ ହୋଇପଡ଼ିଥିଲା ।

 

ସେମାନଙ୍କ ମିଳନ ପଥରେ ପଙ୍କଜିନୀର ବାପା ପଥର ପ୍ରାଚୀରପରି ଠିଆହେଲେ । ପୁଲକ ସହ ପଙ୍କଜିନୀର ବିବାହକୁ ସେ ହସରେ ଉଡ଼ାଇ ଦେଲେ । ସେ କହିଲେ– କି ହାସ୍ୟାସ୍ପଦ କଥା । କୁକୁର ବେକରେ ଘଣ୍ଟି ? ମୋ ଝିଅର ଜୀବନକୁ ମୁଁ ଏମିତି ବରବାଦ ହେବାକୁ ଦେବିନି । ପଙ୍କଜିନୀ ପିଲାଲୋକ । ଗୋଟିଏ ସାମୟିକ ଉତ୍ତେଜନାରେ ସେ ସିନା ଭାସିଗଲା । ମୁଁ କିନ୍ତୁ କଣ ପାରିବି ? ସାମାନ୍ୟ ଜଣେ କଳାକାରକୁ ବିବାହ କରି ତୁ ଯେତେବେଳେ ଅନୁତାପ କରିବୁ, ସେତେବେଳକୁ ଆଉ କିଛି ନଥିବ । ତେଣୁ ମୁଁ ତତେ କେବେହେଲେ ସେ ଅନୁତାପରେ ଦଗ୍‌ଧ ହେବାକୁ ଦେବିନାହିଁ ।

 

ପ୍ରକୃତରେ ତାହାହିଁ ହେଲା । ପୁଲକ ପଙ୍କଜିନୀ ମିଳନ ପୂର୍ବରୁ ପରସ୍ପର ପରସ୍ପରଠାରୁ ଭିନ୍ନେ ହୋଇଗଲେ । ପଙ୍କଜିନୀ ବିଦେଶୀ ଡିଗ୍ରୀଧାରୀ ଯୁବକଙ୍କର ହାତ ଧରି ଚାଲିଗଲା । ଆଉ ଏ ସମାଜର, ଏ ଅଥର୍ବ ଚଳଣି ଭିତରେ ବୁଡ଼ିଗଲା ନିସ୍ଵ ଗରୀବ କଳାକାର ପୁଲକ ।

 

ଏମିତି କେତେ ଦିନ କଟିଯାଏ ।

 

ନାରୀ ତା’ର ଦେହ, ମନ କେବଳ ଜଣକୁ ହିଁ ଦେଇପାରେ, ପଙ୍କଜିନୀ ତ ତା’ଦେହ, ତା’ମନ ପୁଲକକୁ ଦେଇସାରିଛି । ସେ ଖୁବ୍‌ କାନ୍ଦେ, ଗୁମୁରି ଗୁମୁରି କାନ୍ଦେ । ବିବାହ କରି ମଧ୍ୟ ବିବାହ ଜୀବନର ସୁଖ ସେ ଆସ୍ଵାଦନ କରିପାରିନି ।

 

ତା ସ୍ଵାମୀ ବିଦେଶୀ ଡିଗ୍ରୀଧାରୀ ଜଣେ ସରକାରୀ ଉଚ୍ଚ ଅଫିସର । ଉଚ୍ଚ ପରମ୍ପରାକୁ ନେଇ ତାଙ୍କ ସମାଜ ଗଠିତ । ପଙ୍କଜିନୀ କହୁଥିଲା–ତୁ କହତ, ଯଦି ନିଜ ସ୍ଵାମୀ ମଦ ପିଇ ଆଧୁନିକତା ନାଁରେ ଅନ୍ୟ ଏକ ନାରୀ ସହ ରାତ୍ରୀ ଯାପନ କରେ, ମୁଁ ତାଙ୍କର ସ୍ତ୍ରୀ ହୋଇ ଏହା କିପରି ସହ୍ୟ କରନ୍ତି, କହିଲୁ ।

 

ଗୋଟିଏ ହେଲେ ବି ଦିନ ନୁହେଁ । ଏଇପରି ସବୁଦିନ, ମୁଁ କେବଳ ନାମକୁ ମାତ୍ର ସ୍ତ୍ରୀ । ଏ ସମାଜରେ ସ୍ତ୍ରୀ ଯାହା ସ୍ଵାମୀଠାରୁ ଆଶାକରେ ମୁଁ କେବେହେଲେ, ତାଙ୍କଠାରୁ ପାଇନି । ତା’ହେଲେ କହତ– ମୁଁ କେଉଁ ଅଧିକାରରେ ତାଙ୍କର ସ୍ତ୍ରୀ ବୋଲି ନିଜକୁ ପରିଚୟ ଦେବି ।

 

ସେଦିନ ତା’ର ସେ କଥା ଶୁଣି ମୁଁ ହତବାକ୍ ହୋଇ ଉଠିଥିଲି । କେଜାଣି କାହିଁକି, ଏ ସାରା ପୁରୁଷ ଜାତିଟା ଉପରେ ମୋର ବିତୃଷ୍ଣା ଆସିଯାଇଥିଲା ।

 

ପଙ୍କଜିନୀ ଆଉ ପାରିନଥିଲା । କେତେଦିନ ଅବା ସେ ଏମିତି ଆଉ କେବଳ ସ୍ଵାମୀ-ସ୍ତ୍ରୀର ଅଭିନୟ କରି ଚାଲିଥାନ୍ତା । ଯେଉଁ ପରିବାରରେ ଶାନ୍ତି ନାହିଁ, ସେ କି ପରିବାର ? ପ୍ରତ୍ୟେକ ଦିନ, ଏକ ସାଧାରଣ ଘଟଣାରୁ କଳି ହୋଇ, ତାହା ବିରାଟ ଆକାର ଧାରଣ କଲା । ଆଉ ସେ କଳିର ଶେଷ ପରିଣାମ ହେଲା– ଡାଇଭୋର୍ସ !!! ପଙ୍କଜିନୀ ଡାଇଭୋର୍ସକୁ ତା ଜୀବନର ଆଶୀର୍ବାଦ ବୋଲି ଗ୍ରହଣ କରି ନେଇଥିଲା ।

 

ସ୍ଵାମୀ ତାଙ୍କୁ ଡାଇଭୋର୍ସ କଲାପରେ ସେ ଖୋଜି ବସିଲା, ତା’ ପ୍ରାଣପ୍ରିୟ ପୁଲକଙ୍କୁ । କିନ୍ତୁ ସେତେବେଳକୁ ପୁଲକ ଏ ଅଗଣିତ ଜନତରଙ୍ଗ ଭିତରେ କେଉଁଠି ଲୁଚି ଯାଇଥିଲେ । ଆହତ ହୋଇଥିଲା ପଙ୍କଜିନୀ ।

 

ଆଉ ଶେଷରେ ସେ ଆରମ୍ଭ କରିଥିଲା ତା’ର ନୂତନ ଜୀବନ, ଏଇ ମେଣ୍ଟାଲ ହସ୍‌ପିଟାଲର ସେବିକା ଭାବରେ । ଗୋଟାଏ ବସାରେ ଆମେ ଦୁହେଁ, ଦୁଇ ଭଉଣୀ ଭଳି ଚଳୁଥିଲୁ-। ସବୁଦିନ ରାତିରେ ସେ ତା ଜୀବନର କାହାଣୀ ତୋତେ ଶୁଣାଏ ।

 

ଦିନେ ସେ ମୋତେ କହିଲା– ପୁରୁଷର ଆଲିଙ୍ଗନରେ, ପ୍ରେମ ନଥିଲେ ବି ଦେହଟା ଧରା ପଡ଼େ । କିନ୍ତୁ ମୁଗ୍‌ଧ ଦୃଷ୍ଟିର ଆବେଗରେ ସିକ୍ତ ହୁଏନା ମନ । ଯେଉଁଠି କେବଳ ଦେହ ମିଶିବାରେ ଆଗ୍ରହ ଥାଏ, ସେଠି କେବେହେଲେ ମନ ମିଶେନା । ଏହା ମୋର ନିଜସ୍ଵ ଅନୁଭୂତି ।

 

ଜୀବନରେ ସେ ଏକ ବାସ୍ତବ ସତ୍ୟକୁ ଉପଭୋଗ କରିଥିଲେ । ମୁଁ ତାଙ୍କୁ ଅନ୍ୟତ୍ର ବିବାହ କରି ସୁଖରେ ରହିବା ପାଇଁ ବହୁବାର କହିଛି । ପ୍ରତିବଦଳରେ ସେ କହେ– ତତେ ତ କହିଛି ଲୋ– ଏ ମନଟା ଯେତେବେଳେ ମୁଁ ତାଙ୍କୁ ଦେଇ ଦେଇଛି, ଆଉ କେଉଁ ପୁରୁଷର ଏ ମନରେ କେବେହେଲେ ଅଧିକାର ନାହିଁ । ସେ ମୋ ହାତ ମୁଠାକୁ ମୁଠେଇ ଧରି କରୁଣ କାତରଭାବେ କହେ–ତଟିନୀ, ଜୀବନରେ ତୁ ମୋର ଗୋଟାଏ ଉପକାର କରିପାରିବୁ । ପୁଲକଙ୍କ ସହ ମୋର ମିଳନ କରାଇ ପାରିବୁ । ଯଦି ତୁ ଏତକ ପାରିବୁ, ମୁଁ ତୋ ପାଖରେ ଚିରଦିନ ଋଣୀ ହୋଇ ରହିବି ।

 

ଏମିତି ଅନେକ ରାତିରେ, ତା ମନରେ ଝଡ଼ର ସୂତ୍ରପାତ ହୁଏ । ସେ ପ୍ରଗଳ୍‌ଭା ହୋଇ ଉଠେ । ଗୁମୁରି ଗୁମୁରି କାନ୍ଦିବା ହିଁ କେବଳ ସାର ହୁଏ । ତା’ ଜୀବନରେ ଯଦି ଏତେ ଦୁଃଖ ଥିଲା ବୋଲି ସେ ଟିକକ ଆଗରୁ ଜାଣିଥାନ୍ତା ତାହାଲେ ସେ ଆତ୍ମହତ୍ୟା କରିଥାନ୍ତା ।

 

ମୁଁ ତାକୁ ଆଶ୍ୱାସନା ଦିଏ, ଭରସା ଦିଏ । ପୁଲକ ଦିନେନା ଦିନେ ନିଶ୍ଚୟ ମିଳିବେ । ତୁ ମନରେ ଦୃଢ଼ତା ଆଣେ । ତୁ ତାଙ୍କୁ ନିବିଡ଼ଭାବେ ଭଲ ପାଉ । ତତେ ସେ ଛାଡ଼ି କେବେହେଲେ କେଉଁଠି ରହି ନ ପାରନ୍ତି । ସାବିତ୍ରୀଙ୍କ ଏକାଗ୍ରତାରେ ତ ପୁଣି ମୃତ ସତ୍ୟବାନ ଜୀଇଁ ଉଠିଥିଲେ । ତା’ହେଲେ ତୁ କିଆଁ ପୁଲକଙ୍କୁ ଫେରି ନ ପାଇବୁ ? ତୋ ମନରେ କଣ ସେଭଳି ପ୍ରେମର ଏକାଗ୍ରତା ନାହିଁ । ଏମିତି ଅନେକ କଥା ତାକୁ କହେ ।

 

ସେ କେବଳ ସେଇ ଶୁଭଦିନକୁ ଅପେକ୍ଷା କରି ରହେ । କେଉଁଦିନ ତା’ଜୀବନରେ ସେଇ ଶୁଭ ମୁହୂର୍ତ୍ତ ଆସିବ ।

 

ଏ ମଧ୍ୟରେ ପଙ୍କଜିନୀ ନିଜକୁ କେବଳ ସେବା ମଧ୍ୟରେ ହଜେଇ ଦେଇଛି । ତା ଜୀବନର ସମସ୍ତ ସୁଖକୁ ସେ ଭବିଷ୍ୟତ ପାଇଁ ସାଇତି ରଖିଛି । ତା’ର ବିଶ୍ଵାସ ଅଛି, ତା ଭଲ ପାଇବା ଯଦି ଅନାବିଳ, ସ୍ଵର୍ଗୀୟ ହୋଇଥାଏ, ତାହାଲେ ପୁଲକ ଦିନେ ନା ଦିନେ ତା’ ନିକଟକୁ ଆସିବେ । ସେଦିନ ତାଙ୍କ ପାଦ ପୂଜା କରିବାର ସୌଭାଗ୍ୟ ପାଇବ ।

 

ତଥାପି ସେ ନାରୀ । ଧୈର୍ଯ୍ୟ ଧରି ରହିପାରେନା ବୋଲି ତ ସେ ଅବଳା, ନାରୀ । କେତେଦିନ ଅବା ସେ ଏମିତି ନିଃସଙ୍ଗ ଜୀବନଟାକୁ ଅତିବାହିତ କରିବ । ବେଳେ ବେଳେ ତା ଜୀବନ ବିଦ୍ରୋହ କରିଉଠେ । ଏ ସଂସାରରେ ବଞ୍ଚି ରହିବାର ଯେଉଁ ମତତା ତାକୁ ସେ ହଜେଇ ବସେ । ପାଗଳିନୀ ପାଲଟି ଯାଏ ।

 

ମତେ କହେ– ତଟିନୀ, ମୋ ଜୀବନଟା କଣ ସତରେ ଧୂ, ଧୂ ମରୁଭୂମି । ଜଳର ଶୀତଳ ସମୀରଣ କଣ ମୋ ଭାଗ୍ୟରେ ନାହିଁ । ମୁଁ କଣ କେବଳ ଏମିତି ଏଇପରି ଅନୁତାପର ଅଗ୍ନିରେ ଜଳୁଥିବି ଜୀବନସାରା ।

 

ହସ୍‍ପିଟାଲ ଘଣ୍ଟାରେ ଢଂ....ଢଂ ହୋଇ ରାତି ଗୋଟାଏ ବାଜିବାର ସୂଚନା ଦେଲା । ମୋ ଚିନ୍ତାଧାରାରେ ବାଧା ପଡ଼ିଲା । ନାଁ...ଏଥର ଟିକେ ଶୋଇବାକୁ ପଡ଼ିବ ।

 

ଏ ଜୀବନରେ ସମସ୍ତଙ୍କର ଦୁଃଖ ପରେ ସୁଖ ଆସିଛି । କିନ୍ତୁ ମୁଁ ! ମୋ ଜୀବନରେ କେବଳ ଏହାର ବ୍ୟତିକ୍ରମ । ମୁଁ ପାଇ ମଧ୍ୟ ପାଇପାରିଲି ନାହିଁ ।

 

ଏ ଦୁନିଆଁ ଆଖିରେ ମୁଁ ଆଜି ପାଗଳିନୀ । ମୋର ସ୍ଥାନ ସେ ସୁସ୍ଥ ସମାଜରେ ଆଉ ନାହିଁ । ମୁଁ ଆଜି ମେଣ୍ଟାଲ ହସ୍‌ପିଟାଲର ରୁମ୍‌ ନମ୍ବର ଚାରିରେ । ମୋର ମସ୍ତିଷ୍କ ବିକୃତି ଘଟିଛି ।

 

ସତରେ କଣ ମୋର ମସ୍ତିଷ୍କ ବିକୃତି ଘଟିଛି, କାହିଁକି ? କାହିଁକି ମୋର ମସ୍ତିଷ୍କ ବିକୃତି ଘଟିଛି !!

 

ସେ ଥିଲା ଚୈତ୍ରର ଏକ ସ୍ନିଗ୍‌ଧ ମଧୁର ଅପରାହ୍ନ । ବାତାୟନ ପଥ ଦେଇ ମଲ୍ଲୀର ଚିତ୍ତହରା ମିଠା ମହକ ଭାସି ଆସୁଥିଲା । ଆରପଟୁ ନୀଳ ସମୁଦ୍ରର ଉତ୍ତାଳ ଲହରୀ ବିଚିମାଳା ଘୁ ଘୁ ଗର୍ଜନ କରି ଆଗକୁ ଆଗକୁ ମାଡ଼ି ଚାଲିଛନ୍ତି ।

 

ସେଇ ସ୍ନିଗ୍‌ଧ ମଧୁର ଅପରାହ୍ନରେ ମୁଁ ଦେଖିଲି, ସାଗର ରୁମ୍‌ ନମ୍ବର ଚାରିରେ ଟ୍ରାଉଜର ଏବଂ ପଞ୍ଜାବୀ ପିନ୍ଧି ବେଡ଼୍‍ ଉପରେ ବସି ରହିଛନ୍ତି । ସତେ ଯେପରି ସେ ଶାନ୍ତ, ସରଳ, ନିଷ୍କପଟର ମଣିଷ । ମୋର ବିବେକ କହୁଥିଲା, ସତେ କ’ଣ ସାଗରଙ୍କର ମସ୍ତିଷ୍କ ବିକୃତି ଘଟିଛି । ଯଦି ଘଟିଛି, କାହିଁକି ?

 

ଭାବନା ଅସମାପ୍ତ ରହିଲା । ମୋତେ ଦେଖୁ ଦେଖୁ ସାଗର କହିଲେ ସମୁଦ୍ର ତଟକୁ ଯିବାପାଇଁ । ଆଜି ସାଗରଙ୍କ ଠାରୁ, ଏପରି ଏକ ଅନୁରୋଧ ଶୁଣି ମୁଁ ଭାରି ଖୁସି ହୋଇଥିଲି । ଯାହା ତାଙ୍କୁ ଖୁସି କରିବା ଲାଗି ଚେଷ୍ଟା କରୁଥିଲି, କିନ୍ତୁ ସେ ରାଜି ହେଉ ନଥିଲେ, ଆଜି ସେ ଆପଣା ଛାଏଁ ଛାଏଁ ମନ କରିଛନ୍ତି ସମୁଦ୍ର ତଟକୁ ଯିବାପାଇଁ । ମୋର ଆପତ୍ତି କରିବାର କିଛି ନଥିଲା । ମୁଁ ତାଙ୍କର ଅନୁଗାମିନୀ ହେଲି ।

 

ସାଗରର ବିସ୍ତୀର୍ଣ୍ଣ ବାଲୁକାରାଶି ଉପରେ ଆମେ ଦୁହେଁ ବସି ରହିଥିଲୁ । ତାଙ୍କ ସହ ଏମିତି ଦିନ ପରେ ଦିନ, ରାତି ପରେ ରାତି ବସି ରହିବାକୁ ମୋର କେବେହେଲେ ଆପତ୍ତି ନଥିଲା-। ବରଂ ଏକ ମଧୁର ଅନୁଭବର ସ୍ଵାଦ ମୋ ଭିତରେ ସଞ୍ଚରି ଯାଉଥିଲା ।

 

ମନେ ହେଉଥିଲା ସଂସାରଟା କେଡ଼େ ମଧୁମୟ !

 

ଜୀବନଟା କେତେ ମଧୁର !!

 

କିନ୍ତୁ ଆଜି... । ସେ ଦିନ କାହିଁ କେତେ ଦୂରକୁ ଚାଲିଯାଇଛି । ଚାହିଁଲେ ବି ଆଖି ପାଉନି-। ଚାହିଁ ଚାହିଁ ଆଖିରୁ ପାଣି ମରିଛି । ଏ ଜୀବନ, ଏ ସଂସାର ସବୁ ଆଜି କେବଳ ମାୟା, ମାୟା ଘେରା ଏ ପୃଥିବୀ ।

 

କିନ୍ତୁ ସେଦିନ..... ।

 

ମୋର ପ୍ରାଣପ୍ରିୟ ସାଗର ସେଦିନ ମୋତେ ସମୁଦ୍ର ତଟକୁ ଡାକି ନେଇଥିଲେ ବୋଧହୁଏ କିଛିଟା କହିବା ପାଇଁ, କିନ୍ତୁ ପାରିଲେ ନାହିଁ କିଛିବି କହିପାରିଲେ ନାହିଁ । ତାଙ୍କର ସମସ୍ତ କଥା, ବୁକୁର ଭାଷା କେବଳ ତାଙ୍କରି–ବୁକୁ ଭିତରେ ହିଁ ଲୁକ୍‌କାୟିତ ହୋଇ ରହିଲା, ସେ କେବଳ କହିବେ କହିବେ ବୋଲି ହୋଇ ମଧ୍ୟ କିଛି ବି କହିପାରିଲେ ନାହିଁ ।

 

କିଛି ସମୟ ସେମିତି ନୀରବରେ କଟିଗଲା.... ।

 

ହଠାତ୍‌ ସେ ମୋ ଡାହାଣ ହାତ ପାପୁଲିକୁ ମୁଠାଇଧରି କହି ଉଠିଲେ–ବଡ଼ ଦୁଃଖରେ ମୁଁ ତୁମକୁ ଏଠାକୁ ଡାକି ଆଣିଥିଲି କିଛି କହିବା ପାଇଁ, କିନ୍ତୁ ପାରିଲିନି, ଏ ନୀଳ ସମୁଦ୍ରର ଉର୍ମିମାଳା ମୋତେ ପାଗଳ କରୁଛି । ତୁମକୁ କେମିତି ଲାଗୁଛି ? ସେ ମୋତେ ଚାହିଁଲେ ।

 

ତାଙ୍କର ଏ ପାଗଳାମୀର ବା ମୁଁ କି ଉତ୍ତର ଦେଇଥାନ୍ତି । ତାଙ୍କ ହାତ ମୁଠାରେ ମୋ ହାତଟି ରହିଥିବାରୁ ମୁଁ ମନରେ ଅପୂର୍ବ ପୁଲକ ଅନୁଭବ କରୁଥାଏ । କହିଲି–ଏତ ସେଇ ପରମ ପ୍ରେମମୟ ଭଗବାନଙ୍କର ସୃଷ୍ଟି । ଈଶ୍ଵରଙ୍କର ଦାନ ଯେ ଅସୀମ–ଏତିକି କେବଳ କହିବାକୁ ହେବ--–କ’ଣ କହିବ ପରା, କୁହନା.....

 

କହିବି ବୋଲି ତ ଏ ନିର୍ଜ୍ଜନ ବେଳା ଭୂମିକୁ ଡାକି ଆଣିଥିଲି । କିନ୍ତୁ ପାରିଲି ନାହିଁ । ଆଜି ମୁଁ ଜାଣିଲି, ମିଳନର ଭାଷା ସବୁବେଳେ ଅସମାପ୍ତ । ସେ ଭାଷାରେ ହୃଦୟର ସବୁକଥା ଜାଣି ହୁଏ ନାହିଁ । କିଛି ଜାଣିହୁଏ, ପୁଣି କିଛି ଅଜଣା ରହିଯାଏ । ଶତ ଶତ ମିଳନ ପରେ ବି ସବୁବେଳେ, ତାହା ନୂଆ ହୋଇ ମନକୁ ଆସେ, ନୁହେଁ, କୁହନା– ଏହା ସତ କି ନା–

 

ମୁଁ କିଛି ଉତ୍ତର ଦେଇ ନଥିଲି । କ’ଣ ବା ଉତ୍ତର ଦେଇଥାନ୍ତି । ସବୁ ପ୍ରଶ୍ନର କଣ ଉତ୍ତର ଦେଇହୁଏ । କେବଳ ମୁରୁକି ମୁରୁକି ହସି ଦେଇଥିଲି ।

 

ସେ ମୋତେ ମନର ଆବେଗରେ ତାଙ୍କ ଛାତି ଉପରକୁ ଆଉଜାଇ ନେଲେ । ମୁଁ ବି ବିନା ଆପତ୍ତିରେ ତାଙ୍କ ଛାତି ଉପରକୁ ଆଉଜି ପଡ଼ିଥିଲି । ସେ ମୋର ସୁକୋମଳ ଚିବୁକ ଉପରେ ଏକ ମଧୁବୋଳା ଚୁମ୍ବନ ଆଙ୍କି ଦେଇ କହିଲେ– ସତ କୁହ ତଟିନୀ ! ଆଜିର ଏ ପରିବେଶ, ଏ ନୀଳସମୁଦ୍ର କିଛି କ’ଣ ତୁମକୁ ଭଲ ଲାଗୁନି ?

 

ସେତେବେଳକୁ ମୁଁ ସାଗରଙ୍କ ଛାତି ଉପରେ ଢଳିପଡ଼ି ଏକ ସ୍ଵପ୍ନ ରାଜ୍ୟର କଳ୍ପନା କରୁଥିଲି । ଯେଉଁଠି କେବଳ ଥିଲେ ସାଗର ଓ ମୁଁ । ମୋ ଜୀବନର ଆନନ୍ଦମୟ ମୁହୂର୍ତ୍ତଗୁଡ଼ିକୁ ମୁଁ ସ୍ମରଣ କରୁଥିଲି ।

 

ଯେପରି ସୂର୍ଯ୍ୟଙ୍କୁ ବାଦ ଦେଇ ଦିନର କଳ୍ପନା କରାଯାଇପାରେନା, ଠିକ୍‌ ସେଇପରି ସାଗରଙ୍କୁ ବାଦ ଦେଲେ ମୋ ଜୀବନର ମାନେ କିଛି ହୁଏନା ।

 

ସେ ପୁଣି ତାଙ୍କ ପ୍ରଶ୍ନର ପୁନରାବୃତ୍ତି କଲେ । ମୁଁ କହିଲି–ଆପଣ ଥିଲେ ମୋର ସବୁ କିଛି ଅଛି । ଆପଣଙ୍କୁ ମୋ ମନରୁ ବାଦ ଦେଲେ, ମୋ ମନକୁ ଅନ୍ୟ କିଛି ଆସେ ନାହିଁ ।

 

ନାରୀ ଜୀବନର ଯେଉଁ ଟିକକ ମହତ୍ତ୍ଵପୂର୍ଣ୍ଣ, ଯେଉଁ ଟିକକ ପାଇଁ ନାରୀ ଏ ସମାଜରେ ଗର୍ବ ଅନୁଭବ କରେ, ତାହା ମୁଁ ତାଙ୍କୁ ଅର୍ପଣ କରିଦେଇଥିଲି । ତାଙ୍କ ବିନା ଏ ଜୀବନର କିଛି ମାନେ ହୁଏନା ବୋଲି ମୁଁ ଜାଣିଥିଲି । ମୁଁ କହିଥିଲି– ମୁଁ ନାରୀ, ଅନ୍ୟକୁ ଆଶ୍ରୟ କରି ବଞ୍ଚିବା ତ ମୋର ଧର୍ମ । ମୁଁ କଣ ସେଥିରୁ ବାଦ ଯିବି ?
 

ସେ ନିରୁତ୍ତର ରହିଥିଲେ ।

 

ବୋଧହୁଏ ସେ ଅନ୍ୟ କିଛି ଭାବୁଥିଲେ ।

 

ସାଗର !

 

ମୋ ହୃଦୟର ସାଗର !!

 

ମୋ ମନର ସାଗର !!!

 

ମୋ ପ୍ରାଣର ସାଗର !!!!

 

ମୋ ମନ ଭିତରେ ଲକ୍ଷେ ପଦ୍ମ ଫୁଲ ଉଦ୍‌ଭାସିତ ହୋଇ ଉଠିଲା । ଶିଥିଳ ଅଙ୍ଗ ପେଶୀରେ ଶିଥିଳ ପ୍ରଭଞ୍ଜନର ସ୍ପର୍ଶ..... । ମୁଁ ଶିହରି ଉଠିଲି । ମୋ ମନ କେଉଁ ଏକ ଅଜଣା ପରୀ ରାଇଜର ଆକାଶରେ ଘୁରି ବୁଲୁଥିଲା ।

 

ଉପରେ ନୀଳ ଆକାଶରେ ଅନେକ ଭସା ବାଦଲର ସମାରୋହ । ତଳେ ନୀଳସମୁଦ୍ରରେ ଅନେକ ଉର୍ମିମାଳା । ଆଉ ମୋ ମନ ଭିତରେ, ମୋର ଅନ୍ତରର ଅନ୍ତରତମ ସାଗର, ଯାହାଙ୍କୁ ନେଇ ଏତେ ଭାବନା !

 

ଚୈତ୍ର ସଂନ୍ଧ୍ୟାର ସେ ଏକ ମନୋରମ ପରିବେଶ । ମୁଁ ଆନନ୍ଦରେ ପୁଲକିତ ହୋଇ ଉଠୁଥିଲି । ମୋ ଯୌବନ ଆନନ୍ଦରେ ଚିତ୍ତହରା ହୋଇ ଉଠୁଥିଲା । ମୋର ଏ ଆନନ୍ଦର ଉତ୍ସବରେ ମୁଁ ଆକାଶକୁ ଏବଂ ଧରିତ୍ରୀକୁ ଆମନ୍ତ୍ରଣ ଜଣାଉଥିଲି ଯୋଗଦେବାକୁ । କଳ୍ପନାର ସାଗର ଭିତରେ ମୁଁ ନିଜକୁ ବୁଡ଼ାଇ ରଖିଥିଲି ।

 

କଳ୍ପନା କେବଳ ହିଁ କଳ୍ପନା… ।

 

ସ୍ଵପ୍ନ କେବଳ ହିଁ ସ୍ଵପ୍ନ.... ।

 

କଳ୍ପନା ଆଉ ସ୍ଵପ୍ନକୁ ନେଇ ତ ମୋର ଜୀବନ । ଏଥିରୁ ଜଣକୁ ବାଦ ଦେଲେ, ମୋ ଜୀବନର ମୂଲ୍ୟ କିଛି ରହେନା । ଜଣେ ଜଣକୁ ବଞ୍ଚିବା ପାଇଁ ଦିଏ ଅନେକ ଆତ୍ମପ୍ରତ୍ୟୟ ।

 

କିନ୍ତୁ ମୁଁ ଯେଉଁ କଳ୍ପନା କରିଛି, ତାହା କଣ ଗୋଟାଏ ହେଲେ ବାସ୍ତବ ହୋଇଛି ?

 

ମୁଁ ଯେଉଁ ସ୍ଵପ୍ନ ଦେଖିଛି, ସେଥିରୁ ଗୋଟାଏ ହେଲେ କ’ଣ ସତ୍ୟ ହୋଇଛି ?

 

ସବୁ କଳ୍ପନା ବାସ୍ତବରେ ପରିଣତ ହୁଏ ନାହିଁ ।

 

ସବୁ ସ୍ଵପ୍ନ ସତ୍ୟରେ ପରିଣତ ହୁଏ ନାହିଁ ।

 

ତେବେ ମୋ ଜୀବନଟା ତ କେବଳ କଳ୍ପନା ଭିତରେ । ମୋର ସମଗ୍ର ଜୀବନଟା ଆଜି ଗୋଟାଏ ବିରାଟ ବାଲିସ୍ତୂପରେ ପରିଣତ ହୋଇଛି ।

 

ମାତ୍ର ବାଲି ଝଡ଼ରେ ମୋର ସେ ବାଲିସ୍ତୂପ ମଧ୍ୟ ଦିନେ ଭାଙ୍ଗିଗଲା । ସେ ବାଲି ସ୍ତୂପର ଚିହ୍ନ ବି ଆଜି ନାହିଁ ।

 

ଆଜି ସେ ସବୁ କେବଳ ବୁଢ଼ିଆଣୀ ଜାଲପରି ମୋର ମନେ ହେଉଚି । କିନ୍ତୁ ସେ ଦିନ...-

 

ସମୁଦ୍ର ତଟର ସେ ସଂଧ୍ୟା ଖୁବ୍‌ ମନୋରମ ଥିଲା । ନୀଳ ଉତ୍ତାଳ ଲହରିମାଳା, ତତ୍‌ ନିକଟସ୍ଥ ପାର୍କର ସୁକୋମଳ ଫୁଲର ସୁବାସ ପବନରେ ପୂରି ରହିଥିଲା । ମୁଁ ଆତ୍ମହରା ହେଲି ।

 

ମୋର ପ୍ରିୟତମ ସାଗରଙ୍କ ଦୁଇ ଆଖି– ସମୁଦ୍ର ଭଳି କେତେ ଗଭୀର । ସେ ଆଖିର ଚାହାଁଣୀରେ ଥିଲା ଗମ୍ଭୀର ଆତ୍ମପ୍ରତ୍ୟୟ । ମୁଁ ଆଶ୍ଵସ୍ତ ହେଲି । ମୋର ମନେ ହେଲା, ମୁଁ ତାଙ୍କ ହୃଦୟରେ ସ୍ଥାନ ପାଇଚି । ଏଣିକି ମୁଁ ଖୁସିରେ ଆଗକୁ ବାଟ କାଟି ଚାଲିପାରିବି ।

 

ସେ ହୁଏତ ମୋ ମନର ଭାଷା ବୁଝିଲେ । ମୋ ଆଡ଼କୁ ଏକ ତୀକ୍ଷ୍‌ଣ ଦୃଷ୍ଟି ନିକ୍ଷେପ କରି ମୁରୁକି ମୁରୁକି ହସିଲେ ।

 

ସତେକି ମୁଁ ନବ-ଜୀବନ ଫେରି ପାଇଲି । ମୋର ଜୀବନ ସମୁଦ୍ର ଏକ ନୂତନ ଆଲୋକରେ ଉଦ୍‌ଭାସିତ ହୋଇ ଉଠିଲା । ମୋର ଅନ୍ତର ନବ ରୂପରେ ରୂପାୟିତ ହୋଇ ଉଠିଲା-

 

ଅନନ୍ତ ଆକାଶ, ବିଶାଳ ପୃଥିବୀ ମୋର ଚିନ୍ତା ସ୍ରୋତକୁ ବିରାଟ କରିଦେଇଥିଲା ।

 

ସ୍ଵଚ୍ଛ ନିର୍ମଳ ବାୟୁ ମୋ ଚତୁଃପାର୍ଶ୍ଵରେ ଘୁରି ବୁଲୁଥିଲେ । ସଂଧ୍ୟାର ସେ ଫୁଲର ଗନ୍ଧରେ କେଉଁ ଏକ ସଂଗୀତର ମୂର୍ଚ୍ଛନା ଭାସି ବୁଲୁଥିଲା । ମୁଁ ସେଥିରେ ଆତ୍ମ ବିହ୍ଵଳିତ ହୋଇ ଉଠିଲି । ମୁଁ ମୋର ପ୍ରିୟ ସାଗରଙ୍କ କୋଳରେ ଆନନ୍ଦର ଆତିଶଯ୍ୟରେ ମଜ୍ଜି ରହି ଘୁମେଇ ପଡ଼ିଲି । ସେ ବୁକୁର ସ୍ପନ୍ଦନରେ ମୋର ସମସ୍ତ ସ୍ନାୟୁ ତନ୍ତ୍ରୀ ଦୋଳାୟିତ ହୋଇ ଉଠିଲେ ।

 

ମୋର ସାରା ତନୁରେ ଏକ ଅପୂର୍ବ ଶିହରଣ, ଏକ ଅପୂର୍ବ ରୋମାଞ୍ଚରେ ମୋର ଦୁଇ ଆଖିପତା ବୁଜି ହୋଇ ଉଠିଲା । ନିଜକୁ ହଜେଇ ଦେବାର ଅଭିଳାଷ ନେଇ ମୁଁ ପ୍ରଗଳ୍‌ଭା ହୋଇ ଉଠିଲି । ସତେକି ଯେପରି ମୁଁ ଫୁଲର ଦୋଳିରେ ଦୋଳାୟିତ ହେଉଛି ।

 

ହୁଏତ ସାଗର ମୋର ଅନ୍ତରର ଭାଷାକୁ ବୁଝିନେଲେ । ତାଙ୍କ ମୁଖ ମଣ୍ଡଳରେ ଭାସି ଉଠିଲା ଏକ ଅପୂର୍ବ ସ୍ମିତ ହାସ୍ୟର ରେଖା । ସେହି ହାସ୍ୟରେଖା ମଧ୍ୟରେ ମୁଁ ଯେପରି ଅନେକ ଆଶ୍ଵାସନା, ବିଶ୍ୱାସକୁ ଖୋଜି ପାଇଲି ।

 

ସେ କହିଲେ–ଯେପରି କୌଣସି ଗୋଟାଏ ଜଟିଳ ପ୍ରଶ୍ନର ଉତ୍ତର ମାତ୍ର ଗୋଟାଏ ଶବ୍ଦ ହୋଇଥାଏ, ସେପରି ଗୋଟିଏ ହୃଦୟର ସ୍ପର୍ଶ, ଅନ୍ୟ ଗୋଟାଏ ହୃଦୟକୁ ସଂସାରର ବହୁ ଉର୍ଦ୍ଧ୍ଵକୁ ନେଇ ଯାଇଥାଏ ।

 

ମୁଁ ଚକିତା ହେଲି । କ’ଣ ତେବେ ଏଇଆ କହିବାକୁ ସାଗର ମୋତେ ଏ ନିର୍ଜନ ସମୁଦ୍ର ତଟକୁ ଡାକି ଆଣିଥିଲେ ? ସେ କ’ଣ ଭାବୁଛନ୍ତି ! ସେ କାହିଁକି ଏତେ ଅନ୍ୟମନସ୍କ ହୋଇ ପଡୁଛନ୍ତି-। କିଛିଟା କହିବେ କହିବେ ହୋଇ ସେ ନିଜ ଭିତରେ ହିଁ ହଜିଯାଉଛନ୍ତି ।

 

ଗୋଧୂଳିର ମ୍ଳାନ ଛାୟା ସମୁଦ୍ରତଟ ଭୂମି ଉପରେ ନଇଁ ଆସୁଥିଲା । ସାଗରର ଗର୍ଜନ କେବଳ ଶ୍ରୁତିଗୋଚର ହେଉଥିଲା । ମୁଁ ଆନନ୍ଦରେ ପୁଲକି ଉଠୁଥିଲି । ନିଜକୁ ନିଃଶେଷ କରି, ମୋର ସମସ୍ତ ଅସ୍ତିତ୍ଵକୁ ସାଗରଙ୍କ ମଧ୍ୟରେ ଅବଲୁପ୍ତ କରି ଦେବାକୁ ମୁଁ ଆଜି ପ୍ରୟାସୀ ହୋଇ ଉଠିଚି । ମୋର ଏ ଅଧର, ମୋର ଏ ଅନନ୍ତ ଯୌବନକୁ ସେ ତିଳ ତିଳ କରି ମୋ ଭିତରୁ ଲୁଣ୍ଠନ କରି ନିଅନ୍ତୁ–ଏହାହିଁ ମୋର କାମନା ।

 

ତଥାପି କେଜାଣି କାହିଁକି ଏକ ଅଜଣା ଆଶଙ୍କାରେ ମୁଁ ଶିହରି ଉଠୁଥିଲି ।

 

ମୁଁ ଯାହା ଭାବୁଥିଲି ଅଥଚ ମୋ ହୃଦୟର ଗୋପନ କଥା ସବୁ ସତେ ଯେପରି ସେ ଜାଣିପାରୁଥିଲେ । ସେ ତାଙ୍କର ଦୁଇ ନୟନ ତୋଳି ଚାହିଁଲେ । ଚଳମାନ ବାଦଲ ପରି ତାଙ୍କ ମୁଖମଣ୍ଡଳରେ ଅପ୍ରତିଭ ହାସ୍ୟରେଖା ଉକୁଟି ଯାଉଥିଲା ।

 

ମୁଁ ଶଙ୍କିତା ହେଲି...... ।

 

ମୋ ମନରେ ପୁଣି ଏକ ଭୟର ସୂତ୍ରପାତ ହେଲା । ମୁଁ ଜୀବନ ଯୁଦ୍ଧରେ ହାରି ଯିବିନିତ-। ମୁଁ ଯାହା ଚାହେଁ ତା ମୁଁ ପାଇ ପାରିବିତ ! ସତେ କଣ ସେ ଭାଗ୍ୟ ମୋର ହେବ ସାଗରଙ୍କ ଛାତିରେ ଶୋଇ ମୁଁ ସୁନେଲି ଭବିଷ୍ୟତ ଗଢ଼ିବି ।

 

ସେ ଉଠି ଠିଆ ହେଲେ । ମୋ ହାତଧରି ତଳୁ ମୋତେ ଉଠାଇ ନେଲେ । କହିଲେ– ଆଜି ଏତିକି ଥାଉ । ଚାଲ ହସ୍‌ପିଟାଲକୁ ଫେରିଯିବା । ମୋର ଔଷଧ ଖାଇବା ବେଳ ହୋଇଗଲାଣି ।

 

ମୁଁ ପ୍ରକୃତିସ୍ଥ ହେଲି । ସାଗର ଠିକ୍‌ କହିଛନ୍ତି । ମୁଁ ତ ହସ୍‌ପିଟାଲର ନର୍ସ । ସାଗରଙ୍କର ମନର ପରିବର୍ତ୍ତନ ପାଇଁ ତାଙ୍କର ଦାୟିତ୍ଵ ମୋତେ ଦିଆଯାଇଛି । ତେବେ ଏ କଣ ମୁଁ କରୁଛି ?

 

ନିଜର ଅନିଚ୍ଛା ସତ୍ତ୍ୱେ ମୁଁ ଯିବାପାଇଁ ଉଠି ଠିଆ ହେଲି । ମୋର ଇଚ୍ଛା ହେଉଥିଲା, ଏମିତି ଦିନ ପରେ ଦିନ ରାତି ପରେ ରାତି ସାଗର କୂଳରେ, ସାଗରଙ୍କ କୋଳରେ ମୁଣ୍ଡ ରଖି ଶାନ୍ତିରେ ଶୋଇ ଯାଆନ୍ତି କି ?

 

ମୋ ପ୍ରିୟତମଙ୍କର କରସ୍ପର୍ଶକୁ ମୁଁ ନିବିଡ଼ ଭାବରେ ଅନୁଭବ କଲି । ମୋ ଦେହରେ ଏକ ଅଜଣା ଶିହରଣ ଖେଳିଗଲା । ଅଜଣା ପୁଲକରେ ମୁଁ ଶିହରି ଉଠିଲା । ମୋ ବକ୍ଷ ସ୍ପନ୍ଦନର ପ୍ରତିଧ୍ୱନି ମୁଁ ଶୁଣିବାକୁ ପାଇଲି । ମୋ ଭିତରେ ଏକ ନୂତନ ଅଭିଳାଷ ପ୍ରବଳ ହୋଇ ଉଠୁଥିଲା ।

 

ସନ୍ଧ୍ୟା ପ୍ରାୟ ସମାଗତ । ହସ୍‌ପିଟାଲର ଉଦ୍ୟାନର ସରୁ ଚଲାପଥ ମଧ୍ୟ ଦେଇ ହସ୍‌ପିଟାଲରେ ପହଞ୍ଚିଲାବେଳକୁ ଆକାଶରେ ଅନେକ ତାରା ଫୁଟି ଉଠିଥିଲେ ।

 

ଏ ସନ୍ଧ୍ୟା ଅନେକ ତାରାର ସନ୍ଧ୍ୟା ।

 

ଏ ସନ୍ଧ୍ୟା ଅନେକ ସମ୍ଭାବିତ ଜ୍ୟୋତ୍ସ୍ନାର ସନ୍ଧ୍ୟା ।

 

ଏ ସନ୍ଧ୍ୟା ଅନେକ ସମ୍ଭାବନାର ସନ୍ଧ୍ୟା ।

 

ମୋ ମନରେ ଆଜି ଅନେକ ସ୍ଵପ୍ନର ସମାହାର !

 

ମୋ ହୃଦ ପଟଳରେ ଆଜି ଅନେକ ଆଶାର ପଦ୍ମ ।

 

ମୁଁ ଚାଲିଲି– ମୁଁ ଏଇ ଧୂସର ପୃଥିବୀରେ ନଥିଲି । ମୁଁ ଥିଲି ଅନ୍ୟ ଏକ ରାଇଜରେ । ଯେଉଁ ରାଜ୍ୟରେ ମଦ ନ ଖାଇଲେ ମଧ୍ୟ ମଣିଷ ମାତାଲ ହୁଏ । ଢେଉ ହୀନ ସମୁଦ୍ରର ଗଭୀର ନୀଳ ଜଳରେ ବିଲୀନ ହୁଅନ୍ତି ।

 

ବମ୍ବେ ସହର ସନ୍ଧ୍ୟାରେ ଆଲୋକ ମାଳାରେ ମଣ୍ଡିତ ହୋଇ ସାରିଲାଣି ।

 

ଔଷଧ ଦେବାର ସମୟ ହୋଇ ଯାଇଥିଲା । ମୁଁ ମୋ କର୍ତ୍ତବ୍ୟରେ ଲାଗିପଡ଼ିଲି । ମୁଁ ସେବିକା । ସେବା ମୋର ଧର୍ମ ।

 

ଓଃ, ଯନ୍ତ୍ରଣା କି ମଧୁର !

 

ଅନ୍ତର କଷ୍ଟ ଖୁବ୍‌ ସୁଖକର !

 

ଯନ୍ତ୍ରଣା ନଥିଲେ ସୁଖ ମିଳେନାହିଁ ।

 

ଚୈତ୍ରର ବିଶାଖା ବୃକ୍ଷ । ମଳିନ ଜ୍ୟୋତ୍ସ୍ନାଲୋକିତ ରାତ୍ରୀ ।

 

ମୁଁ ମେଣ୍ଟାଲ ହସ୍‌ପିଟାଲର ରୁମ୍‌ ନମ୍ବର ଚାରିରେ ।

 

ମୋର ମସ୍ତିଷ୍କ ବିକୃତି ଘଟିଛି ।

 

ଅନେକ ଯନ୍ତ୍ରଣା ମୋ’ଠାରେ ।

 

ଖୋଲା ଝରକା ବାଟେ ଚେନାଏ ମଳିନ ଜହ୍ନ ମୋ କୋଠରୀ ଭିତରେ ପଡ଼ିଛି । ବେଡ୍ ଉପରେ ମୁଁ ଶୋଇ ରହିଛି ନିଶ୍ଚଳ ଭାବରେ । ମୋ ପାଖରେ ଖଣ୍ଡିଏ ଷ୍ଟୁଲ । ତା’ରି ଉପରେ ବସି ରହିଛନ୍ତି ସୁରମା ଦିଦି । ରାତି ଡିଉଟି ତାଙ୍କର ।

 

ରାତ୍ରୀର କୋଳାହଳ ବହୁତ କମି ଆସିଲାଣି । ଆଉ କେତୋଟି ମୁହୂର୍ତ୍ତ ପରେ ଏ ପୃଥବୀ ଶାନ୍ତିରେ କିଛି ସମୟ ପାଇଁ ଶୋଇପଡ଼ିବ ।

 

ମୋର ଔଷଧ ଖାଇବା ସମୟ ବୋଧହୁଏ ହୋଇଗଲା ।

 

ସୁରମା ଦିଦି ଉଠିପଡ଼ି ପାଖ ମେଡ଼ିସିନ୍‌ ଟେବୁଲରୁ ଔଷଧ ଆଣିଦେଲେ । ଭାରି ତିକ୍ତ । ଔଷଧର କଟୁତା ଭୀଷଣ ।

 

ସୁରମା ଦିଦିଙ୍କର ହାତ ଧରିପକାଇ କହିଲି ସୁରମା ଦିଦି, ମୁଁ ଆଉ ବଞ୍ଚିବି ନାହିଁ । ମୋ ଜୀବନ ନାଟକ ଶେଷ ହୋଇ ଆସିଲାଣି ।

 

ମୋ ମଥା ଉପରେ ହାତ ବୁଲାଉ ତୁଲାଉ ସୁରମା ଦିଦି କହିଲେ–ଛିଃ, –ସେପରି କଥା କୁହନ୍ତି । ରାଧାମାଧବ ନିଶ୍ଚୟ ତୁମକୁ ଭଲ କରିଦେବେ ।

 

–ଆଉ ଏ ସଂସାରରେ ବଞ୍ଚିରହି ଲାଭ କ’ଣ ? ସୁରମା ଦିଦି, ମୁଁ ଆଉ ବଞ୍ଚିବାକୁ ଚାହେଁ ନାହିଁ । ମୁଁ ଏ ଅନ୍ତର୍ଜ୍ୱଳନରୁ ମୁକ୍ତି ଚାହେଁ ।

 

ସେ କହିଲେ–ବଞ୍ଚିବାକୁ ନ ଚାହିଁଲେ କିଏ ବା ମରି ଯାଉଛି ? ଆଉ ମରିବାକୁ ନ ଚାହିଁ କିଏ ବା ବଞ୍ଚି ଯାଉଛି ?

 

ମଣିଷ ସମସ୍ତଙ୍କୁ ଠକି ଦେଇ ପାରେ, କିନ୍ତୁ ନିଜକୁ ପାରେ ନାହିଁ ।

 

ନାଁ.... ନାଁ.... ଦିଦି, ଆଉ ଏ ସଂସାରରେ ବଞ୍ଚିରହି ଲଭ କ’ଣ ? କାହାକୁ ପାଥେୟ କରି ବଞ୍ଚିବି ମୁଁ ! କ’ଣ ଆଉ ଏ ଜୀବନରେ ମୋର ଅଛି । ନାରୀ ଯାହାକୁ ପାଥେୟ କରି ବଞ୍ଚି ରହେ, ସେତିକି ତ ମୋ ଭାଗ୍ୟରେ ନାହିଁ । ତେବେ ଆଉ କେଉଁଥି ପାଇଁ ଏ ସମାଜରେ ମୁଁ ବୋଝ ହୋଇ ବଞ୍ଚି ରହିବି । ବରଂ ଏ ଭବସାଗରରୁ ପାର ପାଇଯିବା ଭଲ ।

 

ଛିଃ, ପାଗଳୀ, ସେମିତି କୁହ ନାହିଁ, ଯନ୍ତ୍ରଣା ନଥାଇ ଜୀବନ ନଥାଏ ତଟିନୀ, ପ୍ରତ୍ୟେକଙ୍କ ଭାଗ୍ୟରେ କିଛି ନା’ କିଛି ଯନ୍ତ୍ରଣା ରହିଛି । ଯନ୍ତ୍ରଣା ବିନା ଜୀବନଟା କେମିତି ଖୁବ ନିଃସଙ୍ଗ ହୋଇପଡ଼େ । ତୁମେ ତ ଖୁବ୍‌ ପିଲା । ଜୀବନର ପହିଲି ପରଶ ପାଇଛ । କିନ୍ତୁ ମୁଁ... ।

 

କଥା କହୁ କହୁ ସେ ଅଟକିଗଲେ ।

 

ମୁଁ ଦେଖିଲି ତାଙ୍କ ଦୁଇ ଆଖି କୋଣରେ ଲୁହ ଜକେଇ ଯାଇଛି । ମୁଁ ଜାଣିଛି, ସୁରମା ଦିଦିଙ୍କ ଅତୀତ ଇତିହାସ, ଏକ କଳଙ୍କମୟ ଇତିହାସ । କଥା ଛଳରେ ସେ ମୋତେ ଏ କଥା ଅନେକ ଥର କହିଛନ୍ତି । ଅନେକ ଥର ମଧ୍ୟ ତାଙ୍କ ଜୀବନ ଇତିହାସର ସେ କଳଙ୍କମୟ ଅଧ୍ୟାୟକୁ ମୋ ଆଗରେ କହିବାକୁ ବାହାରିଛନ୍ତି; କିନ୍ତୁ ମୁଁ ମନାକରେ । ସେ ସବୁ ଶୁଣିବାକୁ ସେତେବେଳେ ମୋର ଧୈର୍ଯ୍ୟ ନଥିଲା ।

 

ଆକାଶରେ ପୂର୍ଣ୍ଣମୀର ତୋଫା ଜହ୍ନ । ମେଘମୁକ୍ତ ଆକାଶ, ଜହ୍ନଠାରୁ ବହୁ ଦୂରରେ ବୁଦୁ ବୁଦୁକିଆ ଭାସମାନ ବାଦଲ ଭାସି ଯାଉଛନ୍ତି । ଚୈତ୍ରର ସୁଲୁସୁଲିଆ ଶୀତଳ ବାଆ ବାତାୟନ ପଥଦେଇ ଖୁବ୍‌ ମନ୍ଥର ଗତିରେ, କୋଠରୀ ଭିତରେ ଘୁରି ବୁଲୁଛି । ଜହ୍ନ ଅନେକ ଉପରକୁ ଉଠିଗଲେଣି । ଚନ୍ଦ୍ରାଲୋକରେ ମଧ୍ୟାକାଶ ଖୁବ୍ ଉଜ୍ଵଳ । ମୁଁ ନିଜକୁ ତାରି ଭିତରେ ହଜେଇ ଦେଇଥିଲି । ମୋର ମନେ ହେଉଥିଲା, ମୋର ଅନ୍ତରର ଅନ୍ତରତମ ସାଗର, ଏହାରି ଭିତରେ ମୋତେ ଅପେକ୍ଷା କରିଛନ୍ତି, ତାଙ୍କର କଣ୍ଠସ୍ଵର ମୁଁ ଯେପରି ଶୁଣିପାରୁଛି । ତାଙ୍କର ସେ ମିଳନ ପିୟାସୀ ହୃଦୟ ମୋତେ ଅପେକ୍ଷା କରିଛି ।

 

ମୁଁ ସେ ଅତୀତର ପୃଷ୍ଠାଭିତରେ ନିଜକୁ ହଜେଇ ଦେଇଥିଲି । ମୋ ମନଭିତରେ କେବଳ ସାଗରଙ୍କର ପ୍ରତିଛବି ଉଙ୍କି ମାରୁଥିଲା । ଆଖି ବୁଜିଲେ ତାଙ୍କର କଥାହିଁ କେବଳ ମୋର ମନେ ପଡ଼ୁଥିଲା ।

 

ଏ ନିସ୍ତବ୍‌ଧ ରାତ୍ରୀରେ ଆଜି ବି ମୁଁ ପାଗଳିନୀ ହୋଇଉଠେ ।

 

କାହାପାଇଁ ମୁଁ ଆଜି ପାଗଳୀ.... ?

 

ମେଣ୍ଟାଲ ହସ୍‌ପିଟାଲର ଋଦ୍ଧ ଦୁଆର ଅତିକ୍ରମ କରି ଏବେ ବି ମୋ ଅବୁଝାମନ ସେଇ ସପନ ରାଇଜରେ ଘୁରିବୁଲୁଛି । ଖୋଜୁଛି, ତାଙ୍କୁ ଯିଏ ମୋତେ ଅପଣାର କରିବା ପାଇଁ ଆଶ୍ୱାସନା ଦେଇ, ଆଜି ଠକି ଦେଇ ଚାଲିଗଲେ ।

 

ହଠାତ୍‌ ସୁରମା ଦିଦି କହିଲେ–ତଟିନୀ, ତୁମେ ଏତେ ପ୍ରଗଳ୍‌ଭା ହୋଇ ଉଠୁଛ କାହିଁକି-? ଗଲା କଥା ତ ଗଲାଣି । ସେ କଥା ଆଉ ଭାବି ଲାଭ କଣ ? ପଛ କଥା ଭୁଲିଯାଅ । ନୂତନ ଜୀବନ ଆରମ୍ଭ କର । ଅତୀତ ତ ଗତାୟୁ । ବର୍ତ୍ତମାନ ତ ଦୋଦୁଲ୍ୟ, କିନ୍ତୁ ତୁମ ଭବଷ୍ୟତ...-। ଭବିଷ୍ୟତ ତ ସୁଦୂର ପ୍ରସାରୀ । ତାକୁ ତୁମେ ଏପରି ଜ୍ଵଳନରେ ଜାଳିପୋଡ଼ି ଛାରଖାର ହେବାକୁ ଦିଅନା । ତାକୁ ତୁମେ ଉପଭୋଗ କରିବାକୁ ଦିଅ । ଭବିଷ୍ୟତକୁ ପାଥେୟ କରି ତୁମେ ତା’ରି ଭିତରେ ନିଜକୁ ହଜାଇ ଦିଅ । ତୁମେ ଦେଖିବ ଶାନ୍ତି ପାଇବ । ଜୀବନର ଏ ପହିଲି ଆଘାତରେ ଏମିତି ତୁମେ ଭାଙ୍ଗି ପଡ଼ିଲେ ଚଳିବ ?

 

ତୁମକୁ ତ ମୁଁ ଅନେକଥର କହିଛି ତଟିନୀ, ମୁଁ ଏକ କଳଙ୍କିନୀ । ମୋର ଅତୀତ ଇତିହାସ କଳଙ୍କମୟ । ମୋ ଅତୀତ ଇତିହାସ ତୁମେ ଶୁଣିଲେ ବୋଧହୁଏ, ତୁମେ ମୋତେ ଘୃଣା କରିବ । ତଥାପି ତ ମୁଁ ବଞ୍ଚିଛି । ବଞ୍ଚିବା ପାଇଁ ସଂଗ୍ରାମ କରି ଚାଲିଛି । ତାହାଲେ ତୁମେ କାହିଁକି ଏ ଜୀବନ ସଂଗ୍ରାମରୁ ପଛଘୁଞ୍ଚା ଦେବ ?

 

ନାରୀ ଜୀବନ ଖୁବ୍‌ କାରୁଣ୍ୟମୟ, ସତେ ଯେପରି ଭଗବାନ କେବଳ ଏ ନାରୀ ଜାତି ଉପରେ ହିଁ, ପୃଥିବୀର ସମସ୍ତ ଗଚ୍ଛିତ ଦୁଃଖ ରାଶିକୁ ଅଜାଡ଼ି ଦେଇଛନ୍ତି, ଆଉ ତା’ରି ଭିତରେ ଏ ନାରୀ ଜାତିଟା କେବଳ ଯନ୍ତ୍ରଣାରେ ଉବୁଟୁବୁ ହେଉଛନ୍ତି ।

 

ତଟିନୀ..., ଅନେକ ସମୟରେ ଭଲପାଇ ମରିବାକୁ ହୁଏ ଏବଂ ଭଲ ପାଇବା ଦ୍ଵାରା ମଧ୍ୟ ଅନ୍ୟକୁ ଆପଣାର କରିହୁଏ । ଆଉ ସେଇ ଭଲ ପାଇବା ଦ୍ଵାରା ଜୀବନକୁ ଉପଲବ୍‌ଧ କରିହୁଏ । ଜୀବନଟା କ’ଣ ଏବେ ତ ତୁମେ ବୁଝିପାରିଚ । ତେଣୁ ଏବେ ତୁମେ ଠିକ୍‌ଭାବେ ଚାଲିପାରିବ । ଆଉ କେବେ ପଥ ଭୁଲି ବାଟ ଝୁଣ୍ଟିବ ନାହିଁ । ନ ଠିକିଲେ କିଛି ଶିଖି ହୁଏ ନାହିଁ ।

 

ଏଇ ମୋତେ ଥରେ ଭଲ କରି ଚାହିଁ ଦେଖ, ଏବେ ବି ମୋ ଛାତି ଭିତରେ ଅସଂଖ୍ୟ ଯନ୍ତ୍ରଣା ଦାଉ ଦାଉ ହୋଇ ଜଳୁଛନ୍ତି । ତା’ରି ଭିତରେ ମୁଁ ନିଃଶେଷ ହୋଇ ଯାଉଛି ।

 

କହୁ କହୁ ସୁରମା ଦିଦି ପ୍ରଗଳ୍‌ଭା ହୋଇ ଉଠିଲେ । ସୁରମା ଦିଦିଙ୍କର ଶାନ୍ତ ମନ ତଳେ, ଏକ ଅଶାନ୍ତ ଉଦ୍‌ବେଳିତ ବିସ୍ତୀର୍ଣ୍ଣ ସମୁଦ୍ର । ସେ ସମୁଦ୍ରରେ ଆଜି ଝଡ଼ ଉଠିଚି । ସେ ଝଡ଼ ମନର ବିବେକର ।

 

ବିସ୍ମୟ ମୋ ମନକୁ ଧକ୍‌କ ଦେଲା ।

 

ମୁଁ ଯନ୍ତ୍ରଣାରେ କଡ଼ ଲେଉଟାଇଲି ।

 

ମୋ ଯନ୍ତ୍ରଣା ବୋଧହୁଏ ସୁରମାଦିଦି ବୁଝି ପାରିଲେ । ମୋ ମଥା ଉପରେ ହାତ ବୁଲାଉ ବୁଲାଉ ସେ କହିଲେ– ବଡ଼ କଷ୍ଟ ଲାଗୁଛି ନା ତଟିନୀ, ଟିକେ ଶୋଇପଡ଼ ଆରାମ ଲାଗିବ ।

 

ମୁଁ ଶୋଇବାକୁ ଚାହିଁଲେ ମଧ୍ୟ ଶୋଇ ପାରୁନି ସୁରମା ଦିଦି । ମୁଁ ଶୋଇବାକୁ ଚାହେଁ, ଶାନ୍ତିରେ ଚିରଦିନ ଲାଗି ମୁଁ ଶୋଇଯିବାକୁ ଚାହେଁ । ମୁଁ ଏମିତି ଏକ ରାଇଜକୁ ଚାଲିଯିବାକୁ ଚାହେଁ, ଯେଉଁଠି ନଥିବ ଭଲପାଇବା ମଧ୍ୟରେ ଛଳନା, ପ୍ରବଞ୍ଚନା, ଶଠତା, ସେହିଠାକୁ ମୁଁ ଯିବାପାଇଁ ରାସ୍ତା ଖୋଜୁଛି, କିନ୍ତୁ ପାଉନି ।

 

ଦି ବମ୍ବେ ମେଣ୍ଟାଲ ହସ୍‌ପିଟାଲର ସୁରମା ଦିଦି ହେଉଛନ୍ତି ବଡ଼ ଦିଦି ବା ନର୍ସିଂ ସିଷ୍ଟର । ଆଜିକୁ ଦୀଘବର୍ଷ ଧରି ସେ ନିଜକୁ ଏ ହସ୍‌ପିଟାଲର ରୋଗୀମାନଙ୍କ ସହ ନିଜକୁ ସାମିଲ କରି ଆସିଛନ୍ତି । ସେବା କରିବା ପାଇଁ, ଯେପରି ତାଙ୍କର ଜନ୍ମ, ସବୁବେଳେ ତାଙ୍କ ଅଧରରେ, ଚେନାଏ କୃଷ୍ଣଚୁଡ଼ାର ହସ । କେବେହେଲେ ସେ କ୍ଳାନ୍ତି ଅନୁଭବ କରନ୍ତି ନାହିଁ । ଆଉ ସମସ୍ତଙ୍କ ପାଇଁ ତାଙ୍କ ମନରେ ଅପାର କରୁଣା । କା’ର ଦୁଃଖ ସେ ସହି ପାରନ୍ତି ନାହିଁ । ହସ୍‌ପିଟାଲର ରୋଗୀମାନଙ୍କ ଠାରୁ ଆରମ୍ଭ କରି, ଆମ ଭଳି ସେବିକାମାନେ ସମସ୍ତେ ତାଙ୍କୁ ଭକ୍ତି କରନ୍ତି । ତାଙ୍କର ଉଦାରତା ନିକଟରେ ସମସ୍ତଙ୍କର ମଥା ଆପେ ଆପେ ନଇଁଯାଏ । ସବୁରି ନିକଟରେ ସେ ସେଇ ସୁରମା ଦିଦି ବୋଲି ପରିଚିତ । ଆମ ଭିତରୁ କେହି ଯଦି ଅସୁସ୍ଥ ହୋଇପଡ଼େ, ସେ ଖବର ସୁରମା ଦିଦି ପାଇଲାକ୍ଷଣି ନିଜେ ଛାଏଁ ଛାଏଁ ଯାଇ ଘରେ ପହଞ୍ଚି ଭଲମନ୍ଦ ଖବର ପଚାରି ବସନ୍ତି ।

 

କେତେ ଉଦାର ତାଙ୍କର ହୃଦୟ ସତେ ?

 

ତଥାପି ତାଙ୍କର ଅତୀତ ଇତିହାସ ଏକ ପ୍ରଶ୍ନବାଚୀ ?

 

ଏ ପୃଥିବୀର ସମସ୍ତ ନାରୀ ଜାତିର ଅତୀତ ଇତିହାସ କ’ଣ ଏକ ପ୍ରଶ୍ନବାଚୀ !

 

ଅନେକ ସମୟରେ ମୁଁ ସୁରମା ଦିଦିଙ୍କୁ ନିରେଖି ଚାହେଁ ।

 

ଚୈତ୍ରର ଫୁଟା ମଲ୍ଲୀ ପରି ତାଙ୍କର ଚେହେରା ।

 

ଯୌବନ ବିଦାୟ ନେଇଛି । ପ୍ରୌଢ଼ାତ୍ଵରେ ପାଦ ଥାପିଛନ୍ତି ସେ । ତଥାପି ରୂପର ଏକ ଉଜ୍ଜ୍ୱଳ ଶିଖା ତାଙ୍କ ଅଙ୍ଗରେ ବହ୍ନିପରି ଜଳୁଛି । ଯୌବନରେ ସେ ଯେ ନିଶ୍ଚୟ ଅପରୂପା ସୁନ୍ଦରୀ ଥିବେ, ଏଥିରେ କୌଣସି ସନ୍ଦେହ ନାହିଁ । ଆଖି ଦୁଇଟି ତାଙ୍କର ସୌନ୍ଦର୍ଯ୍ୟର କେନ୍ଦ୍ରବିନ୍ଦୁ । ଆଖି ଉପରେ ତୁଳୀରେ ଆଙ୍କିଲା ପରି ସରୁ ସରୁ ବହଳର ଭ୍ରୂଲତା । ଇସ୍‌, କେତେ ସୁନ୍ଦର ଏଇ ସୁରମା ଦିଦି !

 

କେବେ କେମିତି ତାଙ୍କ ପାଖରେ ମୁଁ ଧରା ପଡ଼ିଯାଏ । ସେ ମୋ ପାଖକୁ ଲାଗି ଆସନ୍ତି, ହାତ ଧରନ୍ତି । କହନ୍ତି, କ’ଣ ଏତେ ନିରେଖି ଦେଖୁଥିଲ ? ହସର ଫୁଆରା ତାଙ୍କ ଗାଲ ଓ ଓଠ ଦେଇ ଝରିପଡ଼େ ।

 

ମୁଁ ଆକଣ୍ଠ ଲଜ୍ଜାରେ ମୁହଁ ତଳକୁ ପୋତେ ।

 

ସେ ତାଙ୍କ ହାତରେ ମୋ ମୁହଁକୁ ଟେକି ଧରନ୍ତି । କହନ୍ତି–ତୁମ ଠାରୁ ମୁଁ ବେଶୀ ସୁନ୍ଦରୀ ନୁହେଁ ମ ! ତମେ ତ ତମ ନିଜ ରୂପକୁ ଦେଖିପାରୁନ । ତେଣୁ ମୋତେ ଦେଖି କହୁଛ ।

 

ତାଙ୍କର ସେ ବ୍ୟଙ୍ଗୋକ୍ତିରେ ମୁଁ ଆହୁରି ଝାଉଁଳି ପଡ଼େ ।

 

ମୁଁ ଅନେକ ସମୟରେ ଲକ୍ଷ୍ୟ କରିଛି, ବହୁ କାର୍ଯ୍ୟବ୍ୟସ୍ତତା ଥାଇ ମଧ୍ୟ ଦିନେ ଦିନେ ସୁରମା ଦିଦି ହଠାତ୍‌ କାହିଁକି ଆନମନା ହୋଇଉଠନ୍ତି ।

 

ଅନାମିକା ମଉନାବତୀ ରାତ୍ରୀର ମଧ୍ୟମ ପ୍ରହରରେ, ସମ୍ମୁଖସ୍ଥ କଦମ୍ବ, ବକୁଳ, ଗଙ୍ଗଶିଉଳି ତଳ ରହସ୍ୟମୟୀ ମାୟାବିନୀ ଚାନ୍ଦିନୀର ଛାଇ ଆଲୁଅକୁ ନିବିଡ଼ ନିରନ୍ଧ୍ର ଅନ୍ଧକାର ମଧ୍ୟରେ ସେ ଏକ ଲୟରେ ଚାହିଁ ରହିଥାନ୍ତି ।

 

ଅନେକ ଥର ଭାବିଛି, ତାଙ୍କୁ ସେ କଥା ପଚାରିବି ବୋଲି । କାହିଁକି ସେ ଏମିତି ଦିନେ ଦିନେ ପ୍ରଗଳ୍‌ଭା ହୋଇ ଉଠନ୍ତି । କିନ୍ତୁ ସାହସ କରି ଦିନେ ପଚାରି ପାରିନି । କାଳେ ସେ ତାଙ୍କ ମନରେ କଷ୍ଟ ପାଇବେ ! ଏକଥା ଭାବି ମୁଁ ଅଟକି ଯାଏ ।

 

ସୁରମା ଦିଦି ନିଜକୁ ଜାଳି ପୋଡ଼ି ନିଃଶେଷ କରି ଦେଇଛନ୍ତି । ଜୀବନରେ ବୋଧହୁଏ ତାଙ୍କ ପାପର ପ୍ରାୟଶ୍ଚିତ ପାଇଁ ସେ ନିଜ ଉପରେ ପ୍ରତିଶୋଧ ନେଇଛନ୍ତି । ନିଜ ପ୍ରତି ସେ କେବେହେଲେ ଯତ୍ନବାନ ହୁଅନ୍ତି ନାହିଁ । କେବଳ ସେ ହସ୍‌ପିଟାଲର ରୋଗୀମାନଙ୍କ ସେବାରେ ନିଜକୁ ନିଯୋଜିତ କରି ରଖିଥାନ୍ତି ।

 

ମୋ କାନ୍ଧରେ ସେ ହାତ ରଖି କହିଲେ– ରାତ୍ରୀ ଅନେକ ହେଲାଣି ତଟିନୀ, ଶୋଇପଡ଼-। କ’ଣ ଏତେ ଭାବୁଛ ? ରାତିଯାକ ଅନିଦ୍ରା ରହିଲେ ବେଶୀ ଦେହ ଖରାପ ହେବ । ମୋ ସୁନାଟା ପରା । ମୋ କଥା ମାନ, ଶୋଇପଡ଼ ।

 

ତାଙ୍କ କଥାରେ ମୁଁ ଚିନ୍ତା ରାଜ୍ୟରୁ ଫେରି ଆସେ । ସେ ମୋ ମଥା ଉପରେ ହାତ ବୁଲାଇ ଆଣନ୍ତି । ତାଙ୍କର ସେ କର ସ୍ପର୍ଶରେ ମୁଁ ପୁଣି ମୋ ଅତୀତକୁ ଫେରିଯାଏ । କିନ୍ତୁ ସେ ମୋତେ ନାନାବାୟା ଗୀତ ବୋଲି ଶୁଆଇ ଦେଲାଭଳି ଶୋଇପକାନ୍ତି । ଅଝଟ ଶିଶୁକୁ ମାଆମାନେ ଯେପରି ଶୁଆଇ ପକାନ୍ତି ।

 

ମୁଁ କିଛି ନ କହି ଚୁପ୍‌ ଚାପ ଶୋଇପଡ଼ିଲି ।

 

ସେଦିନ ଥିଲା ଜ୍ୟୋତ୍ସ୍ନା ପୁଲକିତ ରାତ୍ରୀ । ରାତ୍ରୀର ରଜନୀଗନ୍ଧାର ମହକରେ ମହକି ଉଠୁଥିଲା ଧରଣୀ । ଜ୍ୟୋତ୍ସ୍ନା ରଶ୍ମୀର ଉଜ୍ଜଳତା ମେଘ ମୁକ୍ତ ଆକାଶରେ ପ୍ରତିଫଳିତ ହେଉଥିଲା । ଚନ୍ଦ୍ରାଲୋକ ସମୁଦ୍ରର ନୀଳ ଲହରୀରେ ପ୍ରତିଫଳିତ ହୋଇ ସୁନାଖଣ୍ଡ ପରି ଚକ ଚକ କରୁଥିଲା, ସ୍ପର୍ଣ୍ଣାଭ କିରଣ ହସ୍‌ପିଟାଲ ସଂଲଗ୍ନ ଉଦ୍ୟାନରେ ପଡ଼ି ଏକ ନୂତନ ଅଭିସାର ତିଆରି କରୁଥିଲା ।

 

ସାଗର ଏକ ଲୟରେ ସେ ନୀଳ ସମୁଦ୍ରକୁ ନିରେଖି ଦେଖୁଥିଲେ । ତାଙ୍କର ଦୁଇ ନୟନ ଏକାନ୍ତଭାବେ ସାଗରର ସେ ନୀଳ ଲହରୀ ଉପରେ ଆବଦ୍ଧ ଥିଲା ।

 

ରାଶି ରାଶି ରକ୍ତ ଗୋଲାପର ରଙ୍ଗରେ ତାଙ୍କ ଅନ୍ତରର ଅନ୍ତରତମ ସ୍ତବକଟି ବୋଧହୁଏ ରକ୍ତିମ ହୋଇ ଉଠୁଥିଲା ।

 

ରାତ୍ରୀ ପ୍ରାୟ ବେଶୀ ହୋଇ ନଥାଏ । ସେ ଦିନର ସେ ଚନ୍ଦ୍ରାଲୋକ ତାଙ୍କୁ ବୋଧହୁଏ ବିଭ୍ରାନ୍ତ କରି ତୋଳିଥିଲା । ମଦିରା ଗନ୍ଧ ତାଙ୍କୁ ଅଚେତନ କରିଥିଲା ।

 

ତାଙ୍କ ସମ୍ମୁଖରେ ନୀଳ ସମୁଦ୍ର !

 

ଉପରେ ନୀଳାକାଶ । ସୁନ୍ଦର ପୃଥିବୀ । ପାଖ ଉଦ୍ୟାନ ଭିତରୁ କୋକିଳର ସ୍ଵର ଝଙ୍କାର ତୋଳିଛି । ତାରି ଭିତରେ ହଜି ଯାଇଛନ୍ତି ସାଗର । ହଜିଯାଇ କେଉଁ ଏକ ବିଚ୍ଛେଦାତ୍ମକ ସଙ୍ଗୀତର ମୂର୍ଚ୍ଛନା ସେ ତୋଳିଛନ୍ତି ।

 

ମୁଁ କେବଳ ଦୁଆର ମୁହଁରେ ଠିଆହୋଇ ଦେଖୁଥିଲି ପ୍ରକୃତିର ଏ ଅପୂର୍ବ ରୂପରାଶିକୁ । ଆଉ ଶୁଣୁଥିଲି ସାଗରଙ୍କର ସେ ଅସ୍ପଷ୍ଟ ବିଚ୍ଛେଦାତ୍ମକ ସଙ୍ଗୀତ । ଇସ୍‌ ! କି ଚମତ୍‌କାର ସ୍ଵର ତାଙ୍କର, କି ସୁନ୍ଦରଭାବେ ସେ ଗାଇ ଜାଣନ୍ତି । କାହିଁ କେଉଁଦିନ ତ ହେଲେ ସେ ମୋତେ କହିନାହାଁନ୍ତି ଯେ, ସେ ଗୀତ ଗାଇ ଜାଣନ୍ତି ବୋଲି ।

 

ଧୀର ପଦପାତରେ ଯାଇ ତାଙ୍କ ଆଖି ଦୁଇଟିକୁ ଚାପିଧରିଲି । ଚମକି ପଡ଼ି ସେ ମୋତେ ଚାହିଁ କହିଲେ– ତମେ ! ତେବେ ଆସିଯାଇଛ । ତୁମକୁ ତ ମୁଁ ଖୋଜୁଥିଲି ।

 

ତାଙ୍କ ବେକରେ ହାତ ଗୁଡ଼ାଇ ଅନୁନୟ କଲାଭଳି କହିଲି– ଗାଅନା, ସାଗର, ଆଉଥରେ ଗାଅ । ଗାଅନା, ସେଇ ମଧୁର ସଙ୍ଗୀତ । ସେ ଗୀତ ଶୁଣିବାରୁ ମୋତେ କ’ଣ ବଞ୍ଚିତ କରିବ ?

 

ମୃଦୁ ହସି ସାଗର କହିଲେ– ଓ ଏଇ କଥା । ସତକୁ ସତ ସେ ସଙ୍ଗୀତଟି ଉଚ୍ଚ ସ୍ଵରରେ ଗାଇବାକୁ ଲାଗିଲେ । ଅବଶ୍ୟ ସେ ସଙ୍ଗୀତଟା ଆଜି ମୋର ଠିକ୍‌ ମନେ ପଡୁନାହିଁ । ତେବେ ତା’ର ଅର୍ଥ ଏବେବି ମୋ ମନରେ ସାଇତା ହୋଇ ରହିଛି ।

 

“ମିଳନରେ ବିଚ୍ଛେଦ ନଥିଲେ, ସେ ମିଳନ ସଫଳ ହୁଏ ନାହିଁ । ସମ୍ପଦରୁ ବଳି ଶ୍ରେଷ୍ଠ– ଅଭାବର ଅଶ୍ରୁବିନ୍ଦୁ । ପ୍ରାପ୍ତିଠାରୁ ଖୋଜିବାରେ ଥାଏ ଅପାର ଆନନ୍ଦ ।”

 

ସେ ସଙ୍ଗୀତ ଭିତରେ ମୁଁ ନିଜକୁ ହଜାଇ ଦେଇଥିଲି ।

 

ସେ ସଙ୍ଗୀତର ମୂର୍ଚ୍ଛାନା ଭିତରେ ମୁଁ ଗଢ଼ି ଚାଲିଥିଲି ଏକ ସ୍ଵପ୍ନ ରାଜ୍ୟ । ସେ ସ୍ଵପ୍ନ ରାଜ୍ୟର ରାଜ କୁମାର ଥିଲେ ସାଗର । ଆଉ ମୁଁ ଥିଲି ତାଙ୍କର ଅଲିଅଳ ରାଜଜେମା । ମୋ ମନ, ମନପବନ ଙ୍ଗାରେ ଘୁରି ବୁଲୁଥିଲା ।

 

ହେଲେ ଆଜି ସେ ସ୍ଵପ୍ନର ରାଜ୍ୟ ଆଉ ନାହିଁ । ରାତ୍ରୀର ସ୍ଵପ୍ନ ଭଳି ତାହା ପ୍ରାତଃରେ ବିଦାୟ ନେଇଛି । ଅଛି କେବଳ ସେଇ ଦିନର ସେଇ ଅଭୁଲା ସ୍ମୃତି । ସେ ଦିନର ସେ ମନର ସମସ୍ତ ଆବେଗ ଆଜି କଟିଯାଇଛି ।

 

ଆଜିର ଏ ନୈଶ୍ୟ ସମୀରଣରେ ମୁଁ ଶୁଣିପାରୁଛି ସେଇ ସୁଲଳିତ କଣ୍ଠସ୍ଵର । ସେଇ ସଙ୍ଗୀତର ଝଙ୍କାର । ଆଖିଆଗରେ ଭାସି ଉଠୁଛି, ସାଗରଙ୍କର ସେ ମନ ମୋହନ ରୂପ । ସୁସ୍ଥ ସୌନ୍ଦର୍ଯ୍ୟବାନ୍‌ । ସେ ଦୁର୍ବଳ ନୁହଁନ୍ତି । ନୟନ ଯୁଗଳରେ କେତେ ଦିଗନ୍ତ ପ୍ରସାରି ଭାଷା ।

 

ସେଦିନ ମୁଁ ଆନନ୍ଦର ଆତିଶଯ୍ୟରେ ନିଜକୁ ହଜାଇ ଦେଇଥିଲି । ମୁଁ ଏ ପାର୍ଥୀବ ସଂସାରକୁ ଭୁଲିଯାଇଥିଲି, ତାଙ୍କ ଛାତିରେ ମଥା ରଖି ଯେଉଁଠି ମୁଁ ଶାନ୍ତିରେ ଶୋଇ ଯାଇଥିଲି, ସେଠି ନଥିଲା ଜ୍ଵଳନ, ହିଂସା, ଦ୍ଵେଷ ।

 

କେତେବେଳକେ ସେ କହିଲେ– ତଟିନୀ, ଆଜି ମୋ ମନରେ ଅନେକ କଥା, ଅନେକ ଚିନ୍ତା । ମୋ ବିବେକ ମୋତେ ପ୍ରଶ୍ନ କରୁଛି । ସବୁ ପ୍ରଶ୍ନଗୁଡ଼ାକ ମୋତେ ଏକା ବେଳକେ ଖିନ୍‌ ଭିନ୍‌ କରି ପକାଉଛନ୍ତି । ସବୁ ପ୍ରଶ୍ନ ଗୁଡ଼ାକ ଭିନ୍ନ । ଗୋଟାଏ ସହ ଅନ୍ୟର କିଛି ହେଲେ ସମ୍ପର୍କ ନାହିଁ ।

 

ସାଗର ଉଚ୍ଚ ଶିକ୍ଷିତ । ମନର ଭାଷା ଓ ହୃଦୟର ଭାଷା ବୁଝିବା ଭଳି ଶକ୍ତି ତାଙ୍କର ରହିଛି ବୋଲି ମୋର ବିଶ୍ଵାସ ଥିଲା । ତାଙ୍କ ପ୍ରତି ମୋର କେବେହେଲେ ଅବିଶ୍ଵାସ ନଥିଲା-। ତେବେ ସେ କେଉଁ ପ୍ରଶ୍ନ କଥା କହୁଛନ୍ତି ଆଉ କେଉଁ ଦୁଃଖ ତାଙ୍କ ମନ ଭିତରେ ଏମିତି ଘୁରିବୁଲୁଛି-

 

ସେ ଚୁପ ହୋଇ ସମୁଦ୍ରକୁ ନିରେଖି ଦେଖିବାରେ ଲାଗିଲେ । ମୁଁ ତାଙ୍କ ମନରେ ଉଠୁଥିବା ପ୍ରଶ୍ନ ବିଷୟରେ ଜାଣିବାକୁ ଚାହିଁ ପ୍ରଶ୍ନ କଲି– କ’ଣ ପଚାରିବ ବୋଲି କହୁଥିଲ ପରା !

ସାଗର ସେତେବେଳକୁ ଅନ୍ୟମନସ୍କ ହୋଇପଡ଼ିଥିଲେ । ବୋଧହୁଏ ଗୋଟାଏ କ’ଣକୁ ସେ ଗଭୀରଭାବେ ଚିନ୍ତା କରୁଥିଲେ ।

ମୁଁ ତାଙ୍କ କୋଳକୁ ଆଉଜି ଯାଇ କହିଲି– କ’ଣ ଯେ ଏତେ ଭାବୁଛ ?

ଭାବୁଛି ତୁମରି କଥା ତଟିନୀ । ସେ କହିଲେ, ତୁମେ କେତେ ଉଦାର ସତେ । ନିଜ ଜୀବନକୁ ତିଳ ତିଳ କରି ଜାଳି ପୋଡ଼ି ମୋ ସେବାରେ ତୁମେ ରାତି ଦିନ ଲାଗି ପଡ଼ିଚ । କ’ଣ ତୁମକୁ ଦେଇ ମୁଁ ତୁମଠାରୁ ଋଣ ମୁକ୍ତ ହେବି, ସେଇ କଥାହିଁ ଭାବୁଥିଲି ।

ତାଙ୍କୁ ମୁଁ ସେଦିନ କେମିତି କହିଥାନ୍ତି, ଏସବୁ ତ ମୁଁ ତୁମରି ପାଇଁ କରୁଛି । ମୁଁ ତ ତୁମର-। ତୁମର ସେବା କରିବି ନାହିଁ ତ ଆଉ କାହାର ସେବା କରିବି ? ମୁଁ ସ୍ତ୍ରୀ, ସ୍ୱାମୀର ସେବା କରିବାରେ ଯେଉଁ ଅପାର ଆନନ୍ଦ ଥାଏ, ତାହା ମୁଁ ତୁମଠାରୁ ପାଇଛି । କିନ୍ତୁ ପାରେନା.... । କେଜାଣି କାହିଁକି ଏକଥା ତାଙ୍କୁ କହିବାକୁ ମୋ ପାଟି ଫିଟେନା ।

ଏକଥା କେବଳ ମୋ ମନ ଭିତରେ ରହିଯାଏ ।

ହଠାତ୍‌ ସେ ମୋତେ କହିଲେ–ମୋତେ ଭଲ ପାଇ ତୁମେ ବଡ଼ ଭୁଲ କଲ । ତୁମେ ମୋତେ ଭୁଲିଯାଅ । ନିଜ ଜୀବନକୁ ହା’ ହୁତାଶରେ ଭରି ନଦେଇ, ହର୍ଷମଧୁର କରି ତୋଳ । ମୁଁ ବଡ଼ ହତଭାଗ୍ୟ । ତୁମେ ସେଥିରେ ଭାଗୀଦାର ହେବାକୁ ଚେଷ୍ଟା କରନା ।

କହିଲି– ତୁମେ ତ ପୁରୁଷ । କଳଙ୍କ ଯେ ତୁମକୁ ସ୍ପର୍ଶ କରି ନପାରେ ।

 

ତୁମେ କିଛି ଜାଣନା ତଟିନୀ । କିପରି ମୁଁ ତୁମକୁ ବୁଝାଇବି ମୋ ଅନ୍ତରର ବ୍ୟଥା । ମୁଁ ବି ଦିନେ ବୁଝି ପାରିନଥିଲି । ଆଉ ଯେଉଁ ଦିନ ବୁଝଲି...... ।

 

ଗଛକୁ ଆଘାତ ଦେଲେ ସେଥିରୁ ଝରେ କ୍ଷୀର ।

 

ମନକୁ ଆଘାତ ଦେଲେ ଆଖିରୁ ଯାହା ଝରେ ତାହା ହେଉଛି ଲୋତକ ।

 

କିନ୍ତୁ ଅଜଣା ଆଘାତରେ, ଅଦେଖା ହୃଦୟରୁ ଟୋପା ଟୋପା ହୋଇ ପ୍ରତି ମୁହୂର୍ତ୍ତରେ ଯେଉଁ କ୍ଷରଣ ହୁଏ ତାକୁ କ’ଣ କୁହନ୍ତି । ତୁମେ କହିପାରିବ ?

 

ସେ ବାଚାଳ ହୋଇ ଉଠୁଥିଲେ । ବୋଧହୁଏ ତାଙ୍କ ମନରେ ପୁଣି ଅତୀତର ସେଇ ଆଘାତ ଲାଗିଛି । ଯେଉଁ ଆଘାତ ପାଇଁ ତାଙ୍କର ମସ୍ତିଷ୍କ ବିକୃତି ଘଟିଥିଲା ।

 

ମୁଁ ଆଉ ତାଙ୍କୁ ବ୍ୟସ୍ତ କରିବା ପାଇଁ ମନ ବଳାଇଲି ନାହିଁ । ଭାବିଲି, ସେ କିଛି ସମୟ ପାଇଁ ଆରାମରେ ଶୋଇ ଯାଆନ୍ତୁ । ଏ ସମୟରେ ତାଙ୍କୁ ଆଉ କିଛି ଅଧିକ ପଚାରି ତାଙ୍କ ମନକୁ ଭାରାକ୍ରାନ୍ତ କରିଦେବା ଉଚିତ୍‌ ନୁହେଁ ।

 

ସେଥିପାଇଁ ତାଙ୍କୁ କହିଲି–ତୁମେ ଟିକେ ବିଶ୍ରାମ ନିଅ । ରାତ୍ରୀ ବହୁତ ହେଲାଣି । ତୁମର ଏ ସମୟରେ ରାତ୍ରୀ ଅନିଦ୍ରା ହେବା ବିଲକୁଲ ଭଲ ନୁହେଁ ।

 

ସେ ମୋ କଥା ମାନି ବିଛଣାରେ ଶୋଇପଡ଼ିଲେ ।

 

ମୁଁ ଭାବୁଥିଲି ତାଙ୍କର ସେଇ କେତେ ପଦ କଥା– “ମତେ ଭଲ ପାଇ ତୁମେ ବଡ଼ ଭୁଲ କଲ । ତୁମେ ମୋତେ ଭୁଲିଯାଅ । ନିଜକୁ ହା’ ହୁତାଶରେ ଭରିନଦେଇ ହର୍ଷ-ମଧୁର କରି ନିଜକୁ ତୋଳ ।

 

ମୋ ମନରେ ପଙ୍କଜିନୀ ପଦଚାରଣ କରୁଥିଲା ।

 

ମୋ ଅତୀତର ଦଗ୍‌ଧିଭୂତ ବନରେ ଏଣେ ତେଣେ ବିକ୍ଷିପ୍ତ ଭାବରେ ବିଞ୍ଚି ହୋଇ ପଡ଼ିଥିବା ଅର୍ଦ୍ଧଦଗ୍‌ଧ ସୁମନଗୁଡ଼ିକୁ ମୁଁ ଏକାଠି କରିବାକୁ ଚେଷ୍ଟା କରୁଥିଲି ।

 

ଆଜି ଆଉ ସେ ଫୁଲର ସୁବାସ ନାହିଁ । ସେ ବନରେ ଦଗ୍‍ଧିଭୂତ ହୋଇଯିବା ପରେ ଫୁଲର ସୁରଭି ନଷ୍ଟ ହୋଇଯାଇଛି । ଆଉ ସୁକୋମଳ ପୁଷ୍ପଗୁଡ଼ିକ କି ବିକଳାଙ୍ଗ ହୋଇ ଉଠୁଛନ୍ତି । ତଥାପି ସେମାନେ ବଞ୍ଚିବାକୁ ଚେଷ୍ଟା କରୁଛନ୍ତି ।

 

ପଙ୍କଜିନୀ ଓ ମୁଁ ଏକାଠି ବସିଥିଲୁ ।

 

ଦୁହେଁ ସମଦୁଃଖୀ, ଦୁହିଁଙ୍କ ମନରେ ଅନେକ ଦୁଃଖ, ଅନେକ ଦ୍ୱନ୍ଦ୍ୱ । ପଙ୍କଜିନୀ କହିଲା, ସ୍ତ୍ରୀ ହେବାଠାରୁ ବଳି ଅପରାଧ ବୋଧହୁଏ ସଂସାରରେ ଆଉ କିଛି ନାହିଁ । ସ୍ତ୍ରୀ ମାନଙ୍କର ଅଗଣିତ ସମସ୍ୟା ଯୁଗଯୁଗ ଧରି କେବଳ ଆଖିର ଲୋତକରେ ପରିଣତ ହୋଇ ଝରିଯାଇଛି । କିନ୍ତୁ କେବେହେଲେ ତାର ସମାଧାନ ହୋଇପାରିନି, କି ହୋଇ ପାରିବନି ।

 

ମୁଁ ଜାଣିଥିଲି– ଜୀବନ ସଂଗ୍ରାମରେ ସେ ହାରିଯାଇ ଅନୁତାପର ଅଗ୍ନିରେ ଜଳୁଛି । ସୁଖମୟ ପରିବାର ଗଢ଼ି ତୋଳିବାକୁ ଯାଇ ସେ ହାରିଯାଇଛି ।

 

ତୁ ଜାଣିଛୁ ତଟିନୀ– ମୁଁ ଭାବେ ବିବାହ ମାନେହିଁ ଜ୍ଵଳନ । କେବଳ ଜଳିବାରେ ହିଁ ଥାଏ ବିବାହର ପରିପୂର୍ଣ୍ଣତା । ନାରୀକୁ ଜଳେଇ ପୋଡ଼େଇ ମାରିବା ପାଇଁ ଯେପରି କେବଳ ବିବାହର ସୃଷ୍ଟି । ସାମାଜିକ ବନ୍ଧନ, ବଂଶର ମର୍ଯ୍ୟାଦା, ସମ୍ମାନ ଏ ସବୁର ଭୟରେ ଅନେକ ନାରୀ କେବଳ ଅନୁପାତର ନିଆଁରେ ଦଗ୍‌ଧିଭୂତ ହୋଇଥାନ୍ତି । ପ୍ରତିବାଦର ସ୍ଵର ମନରେ ଉଠୁଥିଲେ ମଧ୍ୟ ସେମାନେ ସଫଳ ହୋଇପାରନ୍ତି ନାହିଁ । ସେମାନଙ୍କର ସେ ପ୍ରତିବାଦର ସ୍ଵର ଏ ସମାଜର ଏଇ ଅନ୍ଧ ନିୟମର କୋଳାହଳ ଭିତରେ ହଜିଯାଏ । ତା ଆଖିର ଲୋତକ କେବଳ ତା’ର ସେ ଦୁର୍ଦ୍ଦିନ ଜୀବନର ସାଥୀ ।

 

ତୁ କହତ– ନାରୀ କାହିଁକି ବିବାହ କରେ ? ନାରୀ କ’ଣ ବିବାହ କରେ କେବଳ ସ୍ଵାମୀ, ଶାଶୂ ଶଶୁରଙ୍କ ବୋଲକରା ପୋଇଲି ଭଳି ଚଳିବାକୁ । ଗଣ୍ଡିଏ ଖାଇ, ଖଣ୍ଡେ ପିନ୍ଧି, ଯୁଗ ଯୁଗ ଧରି ଯନ୍ତ୍ରଣାର ପାହାଡ଼କୁ ନିଜ ବୁକୁ ଭିତରେ ଚାପି ଧରିବାକୁ ।

 

ଯେଉଁ ବିବାହ ବିବାହିତ ଜୀବନରେ ଝରାଏନା ମଳିନର ଫଲ୍‌ଗୁ ଯେଉଁ ବିବାହ ମନ ଭିତରେ ଆଣେନା ଶିହରଣ, ପୁଲକ, ସେ କି ବିବାହ ? ସେ ବିବାହକୁ ତୁ କ’ଣ କେବେହେଲେ ସ୍ଵୀକାର କରିପାରିବୁ, ଆଦରି ନେଇ ପାରିବୁ ? ନାରୀ ଜୀବନର ସବୁଠୁଁ ବଡ଼ ଯନ୍ତ୍ରଣା ହେଲା ବିବାହ । ମୁଁ ଭାବେ ବିବାହଟା ହେଉଛି ସମସ୍ତଙ୍କଠୁଁ ଭୟଙ୍କର ।

 

ପାହାଡ଼ର ଶୀର୍ଷ ଦେଶରୁ ବନ ଝରଣା ଭଳି ଝରି ଆସୁଥିବା କୂଳ କିନ୍ନାରା ନ ପାଉଥିବା ଭଳି ପଙ୍କଜିନୀର ଦୁଇ ଆଖିରୁ ଝରୁଥିଲା ଅବାରିତ ଅଶ୍ରୁ ।

 

ପାଗଳୀଙ୍କ ଭଳି ପଙ୍କଜିନୀ ଗପି ଚାଲିଥିଲା ।

 

ମୋ ଅନ୍ତରର ବେଦନା, ମୋ ଛାତି ଭିତର ଯନ୍ତ୍ରଣା ତୋତେ କେମିତି କହିବି । ଯେଉଁ ପୁରୁଷଙ୍କୁ ସ୍ଵାମୀରୂପେ ପାଇ ନିଜ ଘର ଭିତରେ ବାନ୍ଧି ରଖିହୁଏ ନାହିଁ ଯେଉଁ ପୁରୁଷ ନିଜ ସ୍ତ୍ରୀକୁ ଅନାହୃତଭାବେ ଛାଡ଼ିଦେଇ ଅନ୍ୟ ଏକ ନାରୀ ସହ କ୍ଳବରେ ଡ୍ରିଙ୍କ୍‌ କରନ୍ତି, ବିଦେଶୀ ଢାଞ୍ଚାରେ ତାଳ ପକାଇ ନାଚନ୍ତି, ହୋଟେଲରେ ରାତ୍ରୀ ଯାପନ କରନ୍ତି, ସେ କ’ଣ କେବେ ସ୍ଵାମୀ ହୋଇପାରନ୍ତି-?

 

ସବୁ ପୁରୁଷ ବିବାହ କରନ୍ତି ସତ, କିନ୍ତୁ ସବୁ ପୁରୁଷ ସ୍ଵାମୀ ହୋଇ ପାରନ୍ତିନାହିଁ । ସ୍ଵାମୀ ହେବାର ଯୋଗ୍ୟତା ସମସ୍ତଙ୍କର ନଥାଏ ଲୋ !

 

ଯେଉଁ ନାରୀ ଜୀବନରେ ବିବାହଟା ଗୋଟାଏ ବୋଝ, ଯେଉଁ ପୁରୁଷ ନିକଟରେ ବିବାହଟା ଗୋଟାଏ ଖେୟାଲ, ସେ ସଂସାର କ’ଣ କେବେ ସୁଖୀ ସଂସାର ହୋଇପାରେ !

 

ତୁ ତ ଜଣେ ନାରୀ, ତୁ କହ, ଯେଉଁଠି ସ୍ଵାମୀ ପାଖରେ ସ୍ତ୍ରୀ ଅନାବଶ୍ୟକ ! ଅବହେଳିତ, ସେଠି କ’ଣ କରାଯାଇପାରେ । ତୁ କହତ ନାରୀ କ’ଣ କେବଳ ଯାୟା ଭାବରେ ବଞ୍ଚିବାକୁ ଚାହେଁ-? ସେ କ’ଣ ଚାହେଁନା ମାତୃତ୍ଵ ! ଜନନୀ ହେବାର କ’ଣ ତା’ର ଅଧିକାର ନାହିଁ । ତାହାଲେ ମୁଁ କାହିଁକି ଜନନୀ ହୋଇ ପାରିଲି ନାହିଁ । ମୁଁ କଣ ନାରୀ ନୁହେଁ । ଜନନୀ ହେବାର ଅଧିକାର କ’ଣ ମୋର ନାହିଁ ।

 

ମୁଁ ଚାହିଁଥିଲି ଜନନୀ ହେବାକୁ ତଟିନୀ, ମାତୃତ୍ଵର ସମସ୍ତ ସ୍ନେହ ଦେଇ ମୁଁ ସମସ୍ତ ଗ୍ଳାନିକୁ ଭୁଲି ଯାଇଥାନ୍ତି, କିନ୍ତୁ ପାରିଲି ନାହିଁ । ସେ ଭାଗ୍ୟ ମୋର ନାହିଁ ।

 

ସେ କଇଁ କଇଁ ହୋଇ କାନ୍ଦିଉଠିଲା ।

 

ତଥାପି ତୁ ସବୁ କାମ ବୁଝିସୁଝି କରିବା ଉଚିତ ଥିଲା.... ।

 

ମୋ କଥା ଶୁଣି ସେ କହିଲା– ତୁ କ’ଣ କହୁଛୁ ପ୍ରତିବାଦ କରିବାର ଅଧିକାର ମୋର ନାହିଁ ? ମୁଁ କ’ଣ ଅନ୍ୟ କାହା ପାଖରେ ପ୍ରତିବାଦ କରିଥିଲି । ମୁଁ ତ ମୋ ସ୍ଵାମୀଙ୍କ ନିକଟରେ ପ୍ରତିବାଦ କରିଥିଲି । ପ୍ରତିବାଦ କରିବା କ’ଣ ଅନ୍ୟାୟ ? ସେ ମୋ ସ୍ଵାମୀ, ତାଙ୍କୁ କହିବାର ଅଧିକାର କ’ଣ ମୋର ନାହିଁ । ଯେଉଁ ସ୍ଵାମୀ, ନିଜ ସ୍ତ୍ରୀର ସ୍ତ୍ରୀତ୍ଵକୁ ରକ୍ଷା କରିବାକୁ ଅସମର୍ଥ, ସେ କି ସ୍ଵାମୀ ।

 

ମୁଁ କେବଳ ମାତୃତ୍ଵ ପାଇଁ ପ୍ରତିବାଦ କରିଥିଲି । ତାଙ୍କ ଅଧଃପତନ ପାଇଁ ନୁହଁ, ମୁଁ ଚାହୁଁଥିଲି, ମାତୃତ୍ଵ । ମୋତେ ଯଦି ସେ ସେତକ ଦେଇଥାନ୍ତେ, ତାହାଲେ ମୁଁ ସୁଖୀ ହୋଇ ପାରିଥାନ୍ତି, ସେଦିନ ସେଇଥିପାଇଁ ତାଙ୍କୁ କେତେ ଅନୁନୟ ହୋଇ କହିଥିଲି । କିନ୍ତୁ ପ୍ରତି ବଦଳରେ ପାଇଥିଲି– ଲାଞ୍ଛନା, ଆଉ ମାଡ଼ । ସେଦିନ କଥା ମନେ ପଡ଼ିଲେ ମୋ ରୁମମୂଳ ଶିହରୀ ଉଠୁଛି ।

 

ସବୁଦିନ ଭଳି ସେଦିନ ମଧ୍ୟ ସେ ଖୁବ୍‌ ଡେରିରେ ଫେରିଲେ । ମୁଁ ତାଙ୍କୁ ଅପେକ୍ଷା କରିଥିଲି ଶୟନ କକ୍ଷରେ, ସେ ଟଳି ଟଳି ଶୟନ କକ୍ଷ ଭିତରକୁ ପଶିଆସିଲେ । ବୋଧହୁଏ ସେ ଖୁବ୍‌ ଡ଼୍ରିଙ୍କ୍‌ କରିଥିଲେ । ପଶିଆସି ସେମିତି ବିଛଣାରେ ପଡ଼ିରହିଲେ । ମୁଁ ତାଙ୍କ ଗୋଡ଼ରୁ ଯୋତା କାଢ଼ିଦେଲି । ସାର୍ଟପ୍ୟାଣ୍ଟ ଖୋଲିଦେଲି । ରାତ୍ରୀ ପୋଷାକ ପିନ୍ଧାଇ ଦେଇ ବିଛଣା ଉପରେ ଭଲ କରି ଶୁଆଇ ଦେଲି ।

 

କିଛି ସମୟ ଚୁପ୍‌ଚାପ୍‌ କଟିଗଲା !

 

ପରେ ମୁଁ ତାଙ୍କ ନିକଟରେ ସ୍ତ୍ରୀତ୍ଵର ଅଧିକାର ସାବ୍ୟସ୍ତକରି କହିଲି– ଶୁଣୁଚ ! ଏହା ମଧ୍ୟରେ ତୁମର ସ୍ଵାସ୍ଥ୍ୟ ଖୁବ୍‌ ଭାଙ୍ଗି ପଡ଼ିଚି । ତୁମେ କ୍ଳବ ଯିବା ବନ୍ଦ କରିଦିଅ ।

 

କ୍ଳବ କାହିଁକି ଯିବି, ତୁମ କାନିରେ ସବୁଦିନ ବାନ୍ଧିହୋଇ ରହିବି, ଚାବି ନେନ୍ଥା ଭଳି । ସେ ରୁକ୍ଷ ସ୍ଵରରେ ମୋ ପ୍ରଶ୍ନର ଉତ୍ତର ଦେଲେ ।

 

କହିଲି– ମୁଁ ତ ସେ କଥା କହୁନାହିଁ । ତୁମ ସ୍ଵାସ୍ଥ୍ୟ ଭାଙ୍ଗି ପଡ଼ିଚି, ସେଥିପାଇଁ କହୁଥିଲି ।

 

ଚୁପ୍‌ଚାପ୍‌ ଶୋଇପଡ଼, ସେ କହିଲେ ।

 

କିଛି ସମୟ ପରେ ମୁଁ ପୁଣି କହିଥିଲି– ଆମ ବିବାହ ଆଜିକୁ ଦୁଇବର୍ଷ ହୋଇଗଲା । ଅଥଚ ଆମ ସଂସାର ଏ ପର୍ଯ୍ୟନ୍ତ ହସି ପାରିଲା ନାହିଁ । ମାତୃତ୍ଵର ମମତା ମୁଁ କାହାକୁ ଦେଇ ପାରିଲି ନାହିଁ । ତୁମେ କ’ଣ ବାପା ହେବାକୁ ଚାହଁ ନାହିଁ ?

 

ମୋର ଏକଥା ଶୁଣି ସେ ଖୁବ୍‌ ରାଗି ଗଲେ, କହିଲେ– ବାପା, ହେବାକୁ ଚାହେଁ ? ତୁମ ଭଳି ସ୍ତ୍ରୀ ଯାହାଘରେ ଥିବ, ତା ଜୀବନଟା ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ । କ୍ଳବ ଯିବନି, ନାଚି ପାରିବନି, ପାର୍ଟି ଆଟେଣ୍ଡ କରି ପାରିବନି । ଆଉ କ’ଣ କରି ପାରିବ ? କେବଳ ଘରେ ବସି ରହି ଛୁଆ ଖେଳେଇବ ? କ’ଣ ଏଇଥିପାଇ, ମୁଁ ତୁମକୁ ବିବାହ କରିଥିଲି । ଛି, ଛି, ତୁମକୁ ଲାଜ ଲାଗୁନି ।

 

ତାଙ୍କ ଠୁଁ ଏକଥା ଶୁଣି, କହିଲି– ଯଦି ମୋତେ ବିବାହ କରି ତୁମେ ସୁଖୀ ନୁହଁ, ତାହେଲେ ମୋତେ ବିବାହ କରୁଥିଲ କାହିଁକି ?

 

ହଠାତ୍‌ ସେ କହି ଉଠିଲେ– କେବଳ ଗୋଟାଏ ଫର୍ମାଲିଟ୍‌ ମେଣ୍ଟେନ୍‌ କରିବା ପାଇଁ ।

 

ତାଙ୍କର ଏକଥା ଶୁଣି ମୋ ରାଗ ପଞ୍ଚମକୁ ଉଠିଗଲା । ମୁଁ ସ୍ଥାନ, କାଳ, ଏବଂ ନିଜକୁ ଭୁଲିଗଲି । ତୁ କହ, କେଉଁ ସ୍ତ୍ରୀ ତା’ ସ୍ଵାମୀଠାରୁ ଏପରି କଥା ଶୁଣି ଧୈର୍ଯ୍ୟଧରି ରହିପାରିବ ? ଆଗକୁ ପଛକୁ ବିଚାର ନକରି ମୁଁ କହିଲି– ମୁଁ ତୁମ ସ୍ତ୍ରୀ, ତୁମ ଉପରେ ମୋର ଅଧିକାର ରହିଛି । ତୁମ ମନଇଚ୍ଛା, ତୁମେ କିଛି କରିପାରିବନି । କାଲିଠାରୁ ତୁମେ କ୍ଳବ ଯିବାବନ୍ଦ । କୌଣସି ପାର୍ଟି ଆଟେଣ୍ଡ କରିପାରିବନି ।

 

ସେ ଠାଏ କରି ଗୋଟାଏ ଚଟକଣି ମୋ ଗାଲରେ ବସାଇ ଦେଇ କହିଲେ– ତୁମେ ବନ୍ଦ କରିବ ? ତୁମ ବାପା ଆସିଲେ ବି ମୋ କ୍ଳବ ଯିବା ବନ୍ଦ କରିପାରିବନି । ଇଡ଼ିୟଟ୍‌, ତୁମ ଭଳି ବାରଙ୍ଗନାକୁ, ମୁଁ ସ୍ତ୍ରୀରୂପେ, ଏଇକ୍ଷଣିଠୁଁ ଅସ୍ଵୀକାର କଲି । ଆଜି ଠାରୁ ତୁମେ ମୋର ସ୍ତ୍ରୀ ନୁହଁ ।

 

ମୁଁ ବି କହି ଉଠିଲି– ମୁଁ ବି ତୁମକୁ ଏଇ ମୁହୂର୍ତ୍ତରେ ଡାଇଭୋର୍ସ କଲି । ତୁମଭଳି ନଷ୍ଟ ଚରିତ୍ର, ବେଇମାନ୍ ଅଥର୍ବ ପୁରୁଷ ମୋର ସ୍ଵାମୀ ହେବାକୁ ସମ୍ପୂର୍ଣ୍ଣ ଅଯୋଗ୍ୟ । କେବଳ ମୋର ସ୍ଵାମୀ କାହିଁକି, ତୁମେ କୌଣସି ନାରୀର କେବେହେଲେ ସ୍ଵାମୀ ହୋଇ ପାରିବନି । ତୁମେ ବେଇମାନ୍‌ ।

 

ଲୁହର ସାଗର ଭିତରେ ମୁଁ ଯେପରି ଭାସୁଥିଲି । ଅପର୍ଯ୍ୟାପ୍ତ କୋହରେ ମୋର ସର୍ବାଙ୍ଗ ଖାଲି ଥରୁଥିଲା ।

 

ସେଇଦିନ ସାଙ୍ଗେ ସାଙ୍ଗେ ଓକିଲଙ୍କ ପାଖକୁ ପାଇଁ ଆମର ଡାଇଭୋର୍ସ ଫାଇଲ ଠିକ୍‌ କରାଗଲା, ଆଉ ତା ପରଦିନ ସେ ମୋତେ ଡାଇଭୋର୍ସ କଲେ ।

 

ମୁଁ ଭଲ ପାଇବାକୁ ଚେଷ୍ଟା କରିଥିଲି ତଟିନୀ । ସୁଖରେ ଘର ସଂସାର କରି ରହିବାକୁ ଚାହିଁଥିଲି । ମାଆ ହେବାକୁ ଚାହିଁଥିଲି । ସବୁ ନାରୀଙ୍କ ଭଳି ଏ ଦୁନିଆରେ ବଞ୍ଚିବାକୁ ମୁଁ ଚାହିଁଥିଲି । କିନ୍ତୁ ପାରିଲିନି ।

 

ମୁଁ ଜାଣିଥିଲି ପଙ୍କଜିନୀ ଦୁଃଖର ଅତଳ ସାଗରରେ ଭାସୁଛି ଥଳକୂଳ ନ ପାଇ । କ’ଣ ବା ତାକୁ କହିବି । କ’ଣ କହି ତାକୁ ସାନ୍ତ୍ୱନା ଦେବି । ତାକୁ ବୁଝାଇବା ପାଇଁ, ତାକୁ ସାନ୍ତ୍ୱନା ଦେବାପାଇଁ, ମୋର ଭାଷା ନାହିଁ । ତା’ ପ୍ରଶ୍ନର ଉତ୍ତର ଦେବାପାଇଁ ମୋର ସବୁ ସରଞ୍ଜାମ ଯେପରି ଶେଷ ହୋଇଯାଇଛି ।

 

କିଛି ସମୟ ପରେ ସେ ବାଷ୍ପରୁଦ୍ଧ କଣ୍ଠରେ କହିଲା– ସେ ଆଜି ଅତୀତ । ତାକୁ ମୁଁ ଭୁଲିଯିବାକୁ ଚେଷ୍ଟା କରିଛି । ଭାବିଛି, ଯଦି ମତେ ସେ ପାଇ ସୁଖ ପାଇପାରିଲେ ନାହିଁ, ତାହେଲେ ମୁଁ ଚାଲି ଆସିବାଟା ଭଲ ହୋଇଛି । ସେ ଶାନ୍ତିରେ ସୁଖରେ ରହନ୍ତୁ ।

 

ତୋ ଆଗରେ ମୁଁ ତ ଏକଥା ବହୁବାର କହିଛି । ତଥାପି ମୁଁ କହୁଛି । ତୋ ଆଗରେ ସମସ୍ତ ଦୁଃଖକୁ ଖୋଲି ଦେବାକୁ ଭଲ ଲାଗୁଛି । ତୋତେ ମୁଁ ମୋ ଦୁଃଖ କହିଲେ ମୁଁ ଶାନ୍ତିପାଏ । ମୋ ଦୁଃଖର ଭାର ମୋତେ ଲାଘବ ଲାଗେ ।

 

ତଟିନୀ ଲୋ, ତୋତେ କୌଣସି କଥା ଲୁଚାଇ ଲାଭ କ’ଣ ? ତୁ ବି ସବୁକଥା ଜାଣିବା ଉଚିତ । ତୁ ତ ମୋ ଜୀବନର ଏକାନ୍ତ ସାଥୀ । ଏବେ ମୋର ପୁଲକ କାହିଁକି ଖୁବ୍‌ ମନେପଡ଼ନ୍ତି । ମୁଁ କ’ଣ ତାଙ୍କୁ ମନେ ରଖିବାକୁ ଚାହିଁଥିଲି ? ମୁଁ ତ ତାଙ୍କୁ ଭୁଲିଯିବାକୁ ଚେଷ୍ଟା କରିଥିଲି । କିନ୍ତୁ ପାରିଲି ନାହିଁ । ଏ ମନ ଯାହା ଚାହେଁ, ତାହା ମିଳେନାହିଁ ।

 

ମୋ ଅତୀତ ଆଜି ମୋତେ ଉପହାସ କରୁଛି । ପୁଲକଙ୍କ କଥା ଆଜି ମୋର ଖୁବ୍‌ ମନେ ପଡୁଛି । ଏମିତି ଏକ ମଧୁର ରଜନୀରେ ଆମେ ଦୁହେଁ ବସିଥିଲୁ ଏକ ନଦୀ ତଟରେ । ସେଦିନ ମୁଁ ତାଙ୍କୁ କହିଥିଲି– ଆଉ କେତେଦିନ ଏପରି ହା, ହୁତାଶ ଭିତରେ ଅନ୍ୟର ନୌକା ବିହାର ଦେଖି ଆମେ ନିଜକୁ ଭୁଲାଇବା । ତାଙ୍କ ହାତକୁ ମୁଁ ମୋ ନିଜ ହାତ ମୁଠାରେ ଜାବୁଡ଼ି ଧରିଥିଲି ।

 

ସେ କ’ଣ ଉତ୍ତର ଦେଇଥିଲେ ଜାଣୁ ?

 

କହିଲେ– କାହିଁକି ତୁମେ ମୋତେ ଏତେ ସ୍ନେହ କରୁଛ ? ତମ ହାତ ମୁଠାରେ ମୋ ହାତଟା ଥାଇ ଏକ ଅବ୍ୟକ୍ତ ଯନ୍ତ୍ରଣା ଅନୁଭବ କରୁଛି । ଭାବୁଛି ବର୍ତ୍ତମାନ ଭଳି ଆମର ଏ ହାତ ମୁଠାର ମିଳନ ହୋଇ ପାରିବ ନାହିଁ, କାରଣ ମୁଁ ଗରୀବ ।

 

ତାଙ୍କ ହାତକୁ ଚାପିଧରି ମୁଁ କହିଲି– ଗରୀବର ସିନା ରାଜ୍ୟର ରାଜା ହେବାର ଅଧିକାର ନାହିଁ, କିନ୍ତୁ ମନର ରାଜା ତ ହୋଇ ପାରିବ । ସମୟ ଆସିଲେ ସବୁ ଠିକ୍‌ ହୋଇଯାଏ । ତୁମେ କ’ଣ ଗଳ୍ପ ପଢ଼ିନ ? ହାତୀ ତ ପୁଣି ଗରୀବ ମୁଣ୍ଡରେ ସୁନାକଳସ ଢାଳିଲେ, ସେ ତ ପୁଣି ରାଜା ହୁଏ ।

 

ଯଦି ନହୁଏ ? ସେ ଅନ୍ୟମନସ୍କଭାବେ ପ୍ରଶ୍ନ କଲେ ।

 

ମନରେ ଦମ୍ଭ, ସାହାସ ଥିଲେ ସବୁ ପାରି ହୁଏ । ଅସାଧ୍ୟକୁ ସାଧ୍ୟ କରିହୁଏ । ତୁମ ପାଇଁ ମୁଁ ପାରିବି । ତୁମ ପାଇଁ ମୋର ଏ କଅଁଳ ହାତକୁ ଶକ୍ତ କରିବି, ସଂଗ୍ରାମ କରିବି ।

 

ସେ କହିଲେ– ମଣିଷର ଭାଷା ଯେତେ ଟାଣ, ତା’ର କାର୍ଯ୍ୟ ସେତେ ଟାଣ ନୁହଁ । ସେ ଯାହା କହେ ତାହା କିନ୍ତୁ କରି ପାରେନା, ତୁମକୁ ଆମର ମିଳନ ଯେତିକି ସହଜ ମନେ ହେଉଛି, ମତେ ସେତିକି ଦୁର୍ବୋଧ ମନେ ହେଉଛି ।

 

ତମେ ମୋତେ ଅବିଶ୍ଵାସ କରୁଛ ? ମୁଁ ଅଭିମାନ ଭରା କଣ୍ଠରେ କହିଥିଲି ।

 

ଏକ ମ୍ଳାନ ହସ ହସିଥିଲେ ସେ, ଅବିଶ୍ଵାସ ? ପୁଣି ତୁମକୁ ? ତମ କଥା କେବଳ କଳ୍ପନାର କଥା ପଙ୍କଜିନୀ । କଳ୍ପନାଟା ସୁନ୍ଦର, କିନ୍ତୁ ବାସ୍ତବ..... । ହାତୀ ସୁନା କଳଶ ଢ଼ାଳି ରାଜ୍ୟର ରାଜା ହେବା, କେବଳ ଗାଳ୍ପିକର ଲେଖାର ଶୈଳୀ ହୋଇପାରେ କିନ୍ତୁ ବାସ୍ତବ ନୁହେଁ ।

ସେଦିନ ତାଙ୍କ କଥାରେ ମୁଁ ଭାଙ୍ଗି ପଡ଼ିଥିଲି, ହେଲେ ଆଜି ବୁଝୁଚି, ତାଙ୍କ କଥାର ସତ୍ୟତା ।

ତଟିନୀ ଲୋ– ମୁଁ ନିଜ ସହ ଅନେକ ସଙ୍ଘର୍ଷ କରିଚି । ଆଜି ମୁଁ କ୍ଳାନ୍ତ । ଆତ୍ମ ବିଶ୍ଳେଷଣ କରି ନିଜକୁ ସଂଯତ କରିବା ପାଇଁ ମୁଁ ସକଳ ପ୍ରକାର ଚେଷ୍ଟା କରିବି, ହେଲେ ପାରିନାହିଁ-

କ’ଣ ପାଇବାକୁ ଯାଇ, ମଣିଷ ପାଏ କ’ଣ ? ଆଉ କ’ଣ ପାଇ ସାରିବା ପରେ ବି, ଆଉ କଣ ପାଇବା ପାଇଁ ଚାହିଁ ବସିଥାଏ ସେ ।

ପଙ୍କଜିନୀର ଦୃଷ୍ଟି ଥରହର ।

ତା ଆଖି ଆଗରେ ଅତୀତର ସ୍ମୃତି ସଦାଜାଗ୍ରତ !

ପଙ୍କଜିନୀ ପୁଣି କହିଲା– ଆଜି ମୁଁ କ୍ଳାନ୍ତ । ମୁଁ ଆଜି ଦୁର୍ବଳ । ଜୀବନର ବୋଝ ମୋ ପାଇଁ ଦୁର୍ବିସହ ହୋଇ ପଡ଼ିଲାଣି । ସବୁ କିଛି ପାଇବାକୁ ଚେଷ୍ଟା କରି, ମୁଁ କିଛି ପାଇଲି ନାହିଁ । କିନ୍ତୁ ମୁଁ ପାଇବାକୁ ତ କମ୍‌ ତ୍ୟାଗ ସ୍ଵୀକାର କରିନାହିଁ । ତଥାପି ମୋତେ ମିଳିଲା ନାହିଁ । କାହିଁକି ? କାହିଁକି ??

ପଙ୍କଜିନୀର ମନ ବିଦ୍ରୋହ କରି ଉଠିଥିଲା । ନିଜ ପ୍ରତି ଏବଂ ତା’ ଜୀବନ ପ୍ରତି ତା’ର ସମସ୍ତ ମମତା ତୁଟି ଯାଇଥିଲା । ସେ ବଞ୍ଚିବାକୁ ଚାହୁଁନଥିଲା । ଆଉ ବା ବଞ୍ଚି ରହି ଏ ଦୁନିଆଁରେ ସେ କ’ଣ କରିବ । ଯାହା ପାଇଁ ସେ ବଞ୍ଚି ରହିଥାନ୍ତା, ସେ ତ ଆଜି କାହିଁ କେତେ ଦୂରରେ । ଅପେକ୍ଷାରେ ସେ ଅତିଷ୍ଠ ହୋଇ ଉଠିଲାଣି ।

 

ଦିନେ ତା’ ଜୀବନର ସେଇ ଶୁଭ ମୁହୂର୍ତ୍ତ ଆସିଥିଲା । ହଠାତ୍‌ ଗୋଟାଏ ଆର୍କେଷ୍ଟ୍ରା ପାଟିରେ ପୁଲକକୁ ଦେଖିବାକୁ ମିଳିଥିଲା । ଆନନ୍ଦରେ ବିଭୋର ହୋଇ ପଙ୍କଜିନୀ ସେଦିନ ତାଙ୍କ ପାଖକୁ ମୋତେ ଭିଡ଼ି ନେଇ ଯାଇଥିଲା ।

 

ସେତେବେଳକୁ ପୁଲକ ଆଉ ପୁଲକ ଭଳି ନଥିଲେ । ନିଜକୁ ମଦ ଭିତରେ ହଜାଇ ଦେଇଥିଲେ । କ’ଣ ବା ତାଙ୍କର ଆଉ ଚାରା ଥିଲା । ଯେତେବେଳେ ପଙ୍କଜିନୀ ତାଙ୍କୁ ହତାଶା କରି ଚାଲିଗଲା, ସେତେବେଳେ ସେ ଆଉ ନା କ’ଣ କରି ପାରିଥାନ୍ତେ ।

 

ପଙ୍କଜିନୀ ପାଗଳଙ୍କ ଭଳି ସେଦିନ ତାଙ୍କ ପାଦତଳେ ପଡ଼ିଯାଇ ଭୋ ଭୋ ହୋଇ କାନ୍ଦି ଉଠିଥିଲା । ସେ କରିଥିବା ଭୁଲ ପାଇଁ କ୍ଷମା ଚାହିଁଥିଲା । ଆଉ ତାକୁ ଗ୍ରହଣ କରିବା ପାଇଁ ସେ ପୁଲକଙ୍କୁ ଅନୁରୋଧ କରିଥିଲା ।

 

ବଡ଼ ଉଦାର ହୃଦୟ ପୁଲକଙ୍କର । ମନରେ କିଛି ନଭାବି, ସେଦିନ ସେ ପଙ୍କଜିନୀକୁ ନିଜ ଛାତି ଉପରକୁ ଆଉଜାଇ ନେଇଥିଲେ । ପଙ୍କଜିନୀ ତାଙ୍କୁ ହତାଶା କରି ଚାଲି ଯାଇଥିଲେ ବି ସେ ତାକୁ ପୁଣି ଗ୍ରହଣ କରି ନେଇଥିଲେ । ଆଉ ନିଜେ ଏତେ କଷ୍ଟ ପାଇଥିଲେ ମଧ୍ୟ ସେ ପଙ୍କଜିନୀକୁ କ୍ଷମା ଦେଇଥିଲେ ।

 

ନିକଟସ୍ଥ ଦେବୀ ମନ୍ଦିରରେ ସେ ଦୁହଁଙ୍କର ବିବାହ ହୋଇଯାଇଥିଲା । ସେଦିନ ପଙ୍କଜିନୀ ଖୁବ୍ ପ୍ରଫୁଲ୍ଲ ଦିଶୁଥିଲା । ବୋଧହୁଏ ସେ ଖୁବ୍‌ ଖୁସି ହୋଇଥିଲା । ବହୁଦିନ ଖୋଜିବାପରେ ସେ ତା’ ଆପଣାର ବସ୍ତୁକୁ ପାଇପାରିଥିଲା ।

 

ତା’ ଶ୍ରମ, ତା’ର ସାଧନା, ସବୁ ସେଦିନ ସଫଳ ହୋଇଥିଲା । ତାଙ୍କ ଦୁହିଁଙ୍କ ମିଳନର ଆୟୋଜନ ମୁଁ ନିଜ ହାତରେ କରିଥିଲି । ପୁଲକ ମଧ୍ୟ ଖୁବ୍‌ ଖୁସି ହୋଇଥିଲେ ।

 

ଆଜି ବି ସୁରମା ଦିଦିଙ୍କର ରାତ୍ରୀ ଡିଉଟି । କେଜାଣି କାହିଁକି ସୁରମା ଦିଦିଙ୍କୁ ଦେଖିଲେ ମୋ ମନରେ ଏକ ଅଜଣା ଶିହରଣ ଖେଳିଯାଏ । କିପରି ଏକ ଭିନ୍ନ ସ୍ଵାଦର ନାରୀ ଏଇ ସୁରମା ଦିଦି । ସବୁବେଳେ ନିଜକୁ କାର୍ଯ୍ୟବ୍ୟସ୍ତତା ଭିତରେ ବୁଡ଼ାଇ ରଖିଥାନ୍ତି । କେତେବେଳେ ହେଲେ ବିଶ୍ରାମ ନିଅନ୍ତି ନାହିଁ । ମୁଁ ତାଙ୍କୁ ବେଳେ ବେଳେ କହେ– ବଡ଼ ଦିଦି ! ତୁମେ ଏତେ ପରିଶ୍ରମ କରୁଛ କାହିଁକି ? ତୁମର ବୟସ ବହୁତ ହେଲାଣି । ଏ ବୟସରେ ଏତେ ପରିଶ୍ରମ ଦେହପକ୍ଷେ କେବେହେଲେ ଶୁଭଙ୍କରୀ ନୁହେଁ ।

 

ହସି ହସି ସୁରମା ଦିଦି କହନ୍ତି– ବିଶ୍ରାମ ନେବି ତ ନିଶ୍ଚୟ । ତେବେ ସେଦିନକୁ ମୁଁ ଅପେକ୍ଷା କରିଛି । ଏମିତି ବିଶ୍ରାମ ନେବି ଯେ, ଆଉ କାହାକୁ ବିରକ୍ତ କରିବି ନାହିଁ କି ନିଜକୁ ଜାଳିପୋଡ଼ି କଷ୍ଟ ଦେବି ନାହିଁ, ଶାନ୍ତିରେ ଶୋଇଯିବି ।

 

ରାତ୍ରୀ ବୋଧହୁଏ ଅନେକ ହେଲାଣି । ସୁରମା ଦିଦିଙ୍କୁ ବୋଧହୁଏ ନିଦ ଆସିଲାଣି । ପାଖ ଷ୍ଟୁଲରେ ବସି ସେ ବୋଧହୁଏ ଢୁଳଉଛନ୍ତି । ମୋର ଆଜି କାହିଁକି ଅତୀତ ଇତିହାସ ଖୁବ୍‌ ମନେ ପଡ଼ୁଛି । ଯେତେ ଚେଷ୍ଟା କଲେବି ଆଖିକୁ ନିଦ ଆସୁନି । ଦିଦି ଆଜି ଶୋଇବାକୁ ଚେଷ୍ଟା କରୁଛନ୍ତି । ଦିନଯାକ ଅତିରିକ୍ତ ପରିଶ୍ରମ କରି ବୋଧହୁଏ ସେ କ୍ଳାନ୍ତ ହୋଇ ପଡ଼ିଛନ୍ତି ।

ତାଙ୍କ ହାତ ମୁଠାକୁ ମୁଁ ମୁଠାଇ ଧରି କହିଲି– ଦିଦି, ତୁମର ଅତୀତ ଇତିହାସ ଖୁବ୍‌ ପଙ୍କିଳ ନା, କିନ୍ତୁ ତୁମେ ତ ବର୍ତ୍ତମାନ ପଙ୍କଜ । ତେବେ ପଙ୍କରୁ ପଙ୍କଜ କିପରି ଆବିର୍ଭାବ, ସେ ବିଷୟରେ ଆଜି ଜାଣିବାକୁ ମୋର ଖୁବ୍‌ ଆଗ୍ରହ ଜନ୍ମିଛି, ଶୁଣାଅନା !

ନିଃଶବ୍ଦ କ୍ଷୀଣ ହସରେ ସୁରମା ଦିଦିଙ୍କର ଓଠ ଇଷତ୍‌ ବଙ୍କେଇ ଗଲା । ସେ କହିଲେ, ମୁଁ ଜାଣେ ତଟିନୀ, ଦିନେନା ଦିନେ ତୁମେ ମୋ ବିଷୟରେ ଜାଣିବାକୁ ଚାହିଁବ । ତୁମର ବି ମୋର ଅତୀତ ଇତିହାସ ଜାଣିବା ଉଚିତ । ଏହାଦ୍ଵାରା ତୁମେ ଏ ଶଠ ଦୁନିଆକୁ ଚିହ୍ନି ପାରିବ । ନିଜକୁ ଅନ୍ୟମାନଙ୍କ ଭଳି, ଜଣେ ମଣିଷ କରି ଗଢ଼ି ତୋଳିବ ।

ସେ ଆଖି ବୁଜିଲେ । ସତେକି ନିଜ ମନ ଭିତରେ ସେ ତାଙ୍କ ଅତୀତର ଘଟଣାବଳୀକୁ ଅନୁଭବ କରି ଯାଉଛନ୍ତି ।

ସେ ସେମିତି ଆଖି ବୁଜି କହିଲେ, ତୁମକୁ ସବୁ କଥା କହିବି କହିବି ବୋଲି କେତେ ଥର ଭାବିଛି । ହେଲେ କହି ପାରିନାହିଁ, ଭାଷା ମୋର ସଙ୍କୁଚିତ ହୋଇ ଲେଉଟି ଆସିଚି । ଭାବେ ଆଜି ଥାଉ, ଆଉ ଦିନେ କହିବି । କିନ୍ତୁ ତୁମକୁ ଯଦି ମୁଁ ମୋ କଥା ଆଗରୁ କହିଥାନ୍ତି, ତାହେଲେ ବୋଧହୁଏ ଆଜି ତୁମର ଏ ଦୁର୍ଦ୍ଦଶା ହୋଇ ନଥାନ୍ତା ।

ହସ୍‌ପିଟାଲ ଘଣ୍ଟାରେ ରାତି ଗୋଟାଏ ବାଜିବାର ସୂଚନା ମିଳିଲା ।

ସେ ଉଠି ମୋତେ ଔଷଧ ଆଣି ଦେଲେ ।

ସୁରମା ଦିଦି ମତେ ସ୍ନେହ କରନ୍ତି, ଅନ୍ୟମାନଙ୍କ ଅପେକ୍ଷା ମୋର ଅସୁବିଧା ପ୍ରତି ତୀକ୍ଷ୍‌ଣ ଦୃଷ୍ଟି ରଖିଥାନ୍ତି । ମୁଁ ଆପତ୍ତି କଲେ ହସି ହସି କହନ୍ତି, ବଡ଼ ଭଉଣୀ ଥାଉ ଥାଉ, ସାନ ଭଉଣୀର ଅସୁବିଧା କାହିଁକି ହେବ ଯେ ?

ସେଇଥିପାଇଁ ମୋ ମନ ତାଙ୍କ ପ୍ରତି ସ୍ନେହରେ ଜର୍ଜର ହୋଇ ଉଠେ । ଭକ୍ତିରେ ମଥା ଆପେ ଆପେ ନଇଁଯାଏ ।

ମୁଁ ଶୁଣିବାକୁ ନିଜକୁ ପ୍ରସ୍ତୁତ କରିନେଲି ।

ତଟିନୀ, କେବଳ ଯେ ମୋର ଅତୀତ ଇତିହାସ କଳଙ୍କମୟ ସେ କଥା ନୁହେଁ । ମୋ ବଂଶର ଇତିହାସ ମଧ୍ୟ କଳଙ୍କମୟ । ମୋର ଅଧଃପତନ ପାଇଁ ମୋ ଜନ୍ମଦାତ୍ରୀ ମା’ହିଁ ସମ୍ପୂର୍ଣ୍ଣ ଦାୟୀ । ସେ ସମସ୍ତଙ୍କର କୃତକର୍ମ ହିଁ ମୋତେ ଭୋଗିବାକୁ ପଡୁଛି ।

– ଖାଲି କ’ଣ ମୋ ମା ? ମୋ ମା’ର ମା ମଧ୍ୟ ଏ ବଂଶର ଅଧଃପତନ ପାଇଁ ଦାୟୀ । ଏ କଳଙ୍କିତ ଇତିହାସର ପୂର୍ଣ୍ଣଚ୍ଛେଦ ହେବ ମୋରିଠାରୁ । ବଂଶର ଶେଷ କଳଙ୍କ ମୁଁ ନିଜେ ।

 

ଓଡ଼ିଶାର କଟକ ଜିଲ୍ଲାରେ ଆମ ଘର । ମୋର ଆଈ ମା’ ଥିଲେ କ୍ଷତ୍ରିୟ କନ୍ୟା । ସେତେବେଳେ ପିଲାଟି ଦିନରୁ ଝିଅମାନଙ୍କର ବିବାହ ହୋଇ ଯାଉଥିଲା । ପରେ ସେମାନେ ଘର ଯୋଗ୍ୟା ହେଲା ପରେ ଶାଶୂଘରକୁ ଯାଉଥିଲେ । କିନ୍ତୁ ମୋ ଆଈମା’ଙ୍କ ଭାଗ୍ୟ ଖୁବ୍‌ ମନ୍ଦଥିଲା । ତାଙ୍କର କଳ୍ପିତ ସ୍ଵାମୀ, ସେ ବଡ଼ ହେବା ଆଗରୁ ମରିଯାଇଥିଲେ । ଆଈମା’ ଖୁବ୍ ଆଘାତ ପାଇଥିଲେ ତାଙ୍କ ଘରେ । ଆଉ କ’ଣ ବା କରିପାରିଥାନ୍ତେ । ବାଧ୍ୟ ହୋଇ ମୋ ଆଈମା’ଙ୍କୁ ପୁଣି ଜଣଙ୍କୁ ବିବାହ କରି ଦିଆଗଲା । କିଛି ଦିନ ମୋ ଆଈମା’ ଖୁସିରେ ଘରସଂସାର କଲା । ଆଉ ସେଇଠୁ ହେଉଛି ମୋ ମା’ଙ୍କର ଜନ୍ମ ।

 

ହେଲେ ଦୁଃଖ ଯାହାର ଚିରସାଥୀ, ସେ କ’ଣ କେବେ ଶାନ୍ତିରେ ରହି ପାରିବ । ମୋ ଆଈମା’ ଭାଗ୍ୟ ତ ଦୁଃଖର ଗନ୍ତାଘର । ଅଦୃଷ୍ଟ ଚକ୍ରରୁ କୌଣସି କାରଣ ବଶତଃ ତା ସ୍ଵାମୀ ତାକୁ ଛାଡ଼ି ଏ ଇହଧାମ ତ୍ୟାଗ କଲେ । ସେତେବେଳକୁ ମୋ ମା’ ମାତ୍ର ନଅ ମାସର ଶିଶୁ । ମୋ ଆଇମା’ ଭାରି ଗରୀବ ଥିଲା । ରୋଜଗାର ବୋଲି କେବଳ ତା ସ୍ଵାମୀଙ୍କର ପରିଶ୍ରମ । ମୋ ମା’କୁ ସାମାନ୍ୟ ଟିକିଏ କ୍ଷୀର ଦେବାକୁ ସକ୍ଷମ ହୋଇ ପାରାଲାନି ମୋ ଆଇମା’ । ତା ହୃଦୟ ହା’ ହା’ କାର କରିଉଠିଲା । ନିଜକୁ ବଞ୍ଚାଇବା ପାଇଁ ତା କୂଳ ପ୍ରଦୀପକୁ ବଞ୍ଚାଇବା ପାଇଁ ସେ ପାଗଳୀ ହୋଇ ଉଠିଲା । ଆଉ ସେଇଠୁ ମୋ ବଂଶର ସେ କଳଙ୍କିତ ଜୀବନ ଆରମ୍ଭ ।

 

ମୋ ଆଈମା’ ପାଲଟି ଗଲା ବ୍ୟବସାୟୀ, ତା’ର ରୂପ ଥିଲା । ଏକେତ ପୁଣି ଷୋଡ଼ଶୀ-। ବଡ଼ ଯୁବକ ସେ ଯୌବନର ଅନନ୍ତ ନିଆଁରେ ନିଜକୁ ଝାସ ଦେଲେ । ଆଉ ସେ ବି ଖୁବ୍‌ ପଇସା ରୋଜଗାର କଲା । ମୋ ମା’କୁ ବି ମଣିଷ କଲା । ସେ ନିଜେ ଭଲ ରୋଜଗାର କରି ମଧ୍ୟ ମୋ ମା’କୁ ଭଲ ମଣିଷ କରି ଗଢ଼ି ତୋଳି ପାରିନଥିଲେ ।

 

ମୋ ମା’କୁ ଯେତେବେଳେ ମାତ୍ର ଚଉଦବର୍ଷ ସେଇ ଦିନଠାରୁ ଆଈମା’ ତାକୁ ନେଇ ବ୍ୟବସାୟ ଆରମ୍ଭ କରି ଦେଲା । ଦେହ ବ୍ୟବସାୟ । ମୋ ମା’ର ରୂପ ଥିଲା । ପୁଣି ମାତ୍ର ଚଉଦବର୍ଷ । ତେଣୁ ତା ପାଖରେ ଗ୍ରାହକମାନଙ୍କର ଭିଡ଼ ଜମୁଥିଲା ।

 

ଏମିତି କିଛିଦିନ ଚାଲିଗଲା । ବୋଧହୁଏ ମୋ ମା’ ଏଇ ନର୍କ ସାଗରରୁ ମୁକ୍ତି ଚାହୁଁଥିଲା-। ବମ୍ବେର ଜଣେ ବିଶିଷ୍ଟ ବ୍ୟବସାୟୀ ନିଜ ବ୍ୟବସାୟ ବୁଝାସୁଝା କରିବା ପାଇଁ, ପ୍ରାୟ ପ୍ରତି ମାସରେ କଟକ ଆସିଥାନ୍ତି । ସେ ବ୍ୟବସାୟୀ ଜଣକ ଯେତେବେଳେ କଟକ ଆସନ୍ତି, ସେତେବେଳେ ମା’ଙ୍କ ନିକଟରେ ତାଙ୍କର ଗୋଟିଏ ରାତି ରିଜର୍ଭ ! ଅଜସ୍ର ପଇସା ଦିଅନ୍ତି ସେ । ଆଉ ପ୍ରତି ବଦଳରେ ମା’ ଦେହଟାକୁ ପୈଶାଚିକଭାବେ ଉପଭୋଗ କରିଯାଆନ୍ତି ସେ ।

 

ମୋ ମା’ ଏ ଅନ୍ତର୍ଜ୍ୱଳନରୁ ନିଜକୁ ମୁକ୍ତି ଦେବାକୁ ଚାହୁଁଥିଲା । ତେଣୁ ସେ ଦିନେ ବମ୍ବେର ସେଇ ବିଶିଷ୍ଟ ବ୍ୟବସାୟୀଙ୍କୁ ତାଙ୍କୁ ସାଥୀରେ ନେଇ ଯିବାକୁ ଅନୁରୋଧ କଲା । ମୋ ମା’ ଖୁବ୍‍ ରୂପବତୀ ଥିଲା । ତୁମେ ବିଶ୍ୱାସ କରିପାରିବନି ତଟିନୀ । ଏତେ ରୂପ, ସୌନ୍ଦର୍ଯ୍ୟ ମୁଁ କେବେ ହେଲେ ଦେଖିନି ।

 

ମା’ଙ୍କ ପ୍ରସ୍ତାବରେ ସେ ବ୍ୟବସାୟୀ ଜଣକ ରାଜି ହୋଇଗଲେ । ମୋ ଆଈମା’କୁ ଅଜସ୍ର ପଇସା ଦେଇ, ସେ ମୋ ମା’କୁ କିଣି ନେଇଗଲେ । ଫଳରେ ମୋ ମା’ ଓଡିଶାର ସେ କଟକ ଭୂଇଁ ଛାଡ଼ି, ଏ ବମ୍ବେ ସହରକୁ ଆସିଲା ।

 

ବମ୍ବେରେ ମୋ ମା’ ସେ ବ୍ୟବସାୟୀଙ୍କର ରକ୍ଷିତା । ମୋ ମା’ ପାଇଁ ସେ ବ୍ୟବସାୟୀ ଜଣକ ଖୁବ୍ ଉଦାର ଥିଲେ । ମା’ କିପରି ଭଲ ରହିବ, ସେଥିପାଇଁ ସେ ସବୁ ପ୍ରକାର ବନ୍ଦୋବସ୍ତ କରି ଦେଇଥିଲେ ।

 

ମା’ ଖୁବ୍‌ ସୁନ୍ଦରୀ ଥିଲା । ବ୍ୟବସାୟୀଙ୍କ ରକ୍ଷିତାଭାବେ ତା’ର ଜୀବନ ସୁଖ-ସମ୍ଭୋଗରେ କଟି ଯାଉଥିଲା.... ।

 

ସୁଖ ନୁହେଁ ତ ଆଉ କ’ଣ ? ପଲାଉ ମାଂସ ଖାଇ ନିଜକୁ ତୁଳୀତଳ୍ପ ଶଯ୍ୟାରେ ହଜାଇ ଦେଇ, ଜଣେ ଧନୀକ ଶ୍ରେଣୀର ଲୋକ ଭଳି ମୋ ମା’ ତା ଜୀବନ ବିତାଇବାକୁ ଲାଗିଲା । କାମ ଭିତରେ ଥିଲା, ସପ୍ତାହରେ ଦୁଇ ଦିନ ସେ ବ୍ୟବସାୟୀଙ୍କୁ ଦେହଦାନ । ସେ ବ୍ୟବସାୟୀ ଜଣକ ସେଇ ଏକାନ୍ତ ବାସକୁ ସପ୍ତାହରେ ମାତ୍ର ଦୁଇଦିନ ପାଇଁ ରାତ୍ରୀରେ ଆସନ୍ତି ଏବଂ ପିଶାଚ ଭଳି ମୋ ମା’ଙ୍କୁ କ୍ଷତ ବିକ୍ଷତ କରିଦେଇ ଚାଲିଯାନ୍ତି । ପଇସାର ଅଭାବ ନଥାଏ । ସବୁ ଠିକ୍‌ କରାଯାଇଥାଏ । ସେଥିପାଇଁ ଚାକର ଚାକରାଣୀ ମଧ୍ୟ ରଖା ଯାଇଥାଏ ।

 

ସବୁ ବ୍ୟବସାୟ ଭଳି ରୂପ ବ୍ୟବସାୟ ସବୁଦିନେ ଚାଲେ ନାହିଁ । ରୂପଜିବୀମାନଙ୍କର ସୌନ୍ଦର୍ଯ୍ୟ ନଷ୍ଟ ହେଲେ ସେମାନେ ଅଲୋଡ଼ା ହୁଅନ୍ତି । ସେମାନଙ୍କୁ ଚାକର ବାକରମାନଙ୍କୁ ପୁରସ୍କାରରୂପେ ଦିଆଯାଏ ସେମାନଙ୍କର ଉପଭୋଗ ପାଇଁ । ଆଉ ଏ ଚାକର ଦଳ ସେଇ ହତଭାଗିନୀମାନଙ୍କୁ ପାଇ ନିଜ ଜୀବନକୁ କୃତାର୍ଥ ମନେ କରନ୍ତି ।

 

ମୋ ମା’ ଭାଗ୍ୟରେ ସେଇଆ ହିଁ ଘଟିଥିଲା । ଆସ୍ତେ ଆସ୍ତେ ମା’ ର ରୂପର ତେଜ ମଧ୍ୟ କମି ଆସୁଥିଲା । ତା’ ଦେହର ଉତ୍ତାପ ମଧ୍ୟ ଧୀର ଧୀରେ ପ୍ରଶମିତ ହୋଇ ଆସୁଥିଲା । ସେଇ ସମୟରେ ସେ ବ୍ୟବସାୟୀ ଜଣକ ତାଙ୍କ ଫାର୍ମର ଜନୈକ କର୍ମଚାରୀଙ୍କୁ ମୋ ମା’ ସହ ବିବାହ କରାଇ ଦେଲେ ।

 

ମା’ ସେଦିନ କୃତଜ୍ଞତା ପୁଟରେ ସେ ବ୍ୟବସାୟୀଙ୍କୁ କ’ଣ ଦେବ କିଛି ଠିକ୍‌ କରି ପାରିନଥିଲା-! ମା ଚାହୁଁଥିବା ଭଗ୍ୟ ତାକୁ ମିଳିଗଲା । ତା’ର ଆଶାଥିଲା, ସେ ତୋଳିବ ଗୋଟିଏ ଛୋଟିଆ ସଂସାର.... ।

 

ସ୍ଵାମୀ ସ୍ତ୍ରୀଙ୍କର ଅନାବିଳ ପ୍ରେମରେ ସେ ଘର ବୈକୁଣ୍ଠ ହେବ.... । ସେହି ଘରର ଅଙ୍ଗନ’ଶିଶୁର କଳରୋଳରେ ମୁଖରିତ ହେବ..... ।

 

ଅନାଗତ ଭବିଷ୍ୟତ ଆଶାରେ ମା’ ପୁଲକିତ ହୋଇ ଉଠୁଥିଲା । ତା’ ନାରୀ ଜୀବନ ସାର୍ଥକ ହୋଇଛି ।

 

ମୁଁ ଭାବୁଥିଲି– ସବୁ ନାରୀଙ୍କ ଜୀବନ କ’ଣ ଗୋଟାଏ ଲେଖାଏଁ ମହାସାଗର । ତା ଭିତରେ ପଶିବା କଷ୍ଟ ।

 

ଭଲ ପାଇବା, ମଣିଷକୁ ମରିବାକୁ ଶିଖାଇଛି, ନୁହେଁ ? ସେ କହିଲେ, ଭଲ ପାଇବା ବା ପ୍ରେମ କରିବା ଏସବୁ ପାଇଁ କିଏ ଜୀବନ ଦିଏ ପୁଣି କିଏ ଜୀବନ ପାଏ । ମୋ ମା’ ଭଲପାଇ ବୋଧହୁଏ ଜୀବନ ପାଇଥିଲା ।

 

ଏଇଠି ଆମ କଳଙ୍କିତ ବଂଶର ଶେଷ ଦାୟାଦ ତୋର ଏଇ ସୁରମା ଦିଦିଙ୍କର ଜନ୍ମ । ମା’ ବାପା, ମୋତେ ଖୁବ୍‌ ଭଲପାଉଥିଲେ । ମୁଁ ଥିଲି ଗରୀବର ଧନ, ଦୁଃଖିର ସଙ୍ଖାଳୀ, ମୋ ବାପା ମା’ଙ୍କର । ଖୁବ୍‌ ଗେହ୍ଲାରେ ସେମାନେ ମୋତେ ବଢ଼େଇ ଆଣିଥିଲେ ।

 

ଦୁଃଖ ବୋଲି ମୋ ଜୀବନରେ କିଛି ନଥିଲା । ଆମେ ଗରୀବ ଥିଲୁ । କିନ୍ତୁ ମୁଁ କେବେ ଦାରିଦ୍ର୍ୟତାକୁ ଅନୁଭବ କରିନଥିଲି । ମୋର ଯେତେବେଳେ ଯାହା ଦରକାର, ବାପା ଆଣି ଦେଉଥିଲେ । ସୁଖରେ ମୋର ଦିନଗୁଡ଼ାକ କଟିଯାଉଥିଲା ।

 

ମୋତେ ଯେତେବେଳେ ବାର ବର୍ଷ, ସେତିକି ବେଳଠୁଁ ମୋ ଜୀବନର ବସନ୍ତ ବତାଶ ଆରମ୍ଭ ହେଲା । ବୟସ ଅନୁପାତରେ ମୋ ଶାରିରୀକ ଗଠନ ଖୁବ୍‌ ହୃଷ୍ଟପୁଷ୍ଟ ଥିଲା । ଅନେକ ଯାଗାରେ ଆମ ଗାଁର ସାହି ଟୋକାମାନେ ମୋତେ ଏକୁଟିଆ ଦେଖିଲେ ଗେଲ କରନ୍ତି, ସେମାନଙ୍କ ଛାତିରେ ଚାପି ଧରନ୍ତି । ମତେ ଭଲ ଲାଗେ ।

 

ଦିନକର କଥା । ବେଳ ରତରତ । ତରତର ହୋଇ ମୁଁ ଝରଣା କୂଳକୁ ପାଣିପାଇଁ ଯାଉଛି । ପଛରୁ ମୋ କାନ୍ଧ ଉପରେ କିଏ ହାତ ରଖିଲା । ଚମକି ପଡ଼ି ବୁଲି ଦେଖେ ତ ଆମ ଘରର ଦୁଇଟା ଘର ଛାଡ଼ି ସୁର ଦାଦାଙ୍କ ପୁଅ କାଳିଆ । ବସ୍ତିରେ ସମସ୍ତେ ତାକୁ ରନ୍ତି । ତା’ ପାଖରେ କୁଆଡ଼େ ସବୁବେଳେ ଛୁରୀ ଥାଏ । ସେ କାହାକୁ ମାନେନା । ପିନ୍ଧିଥିବା ଫୁଲ୍‌ପ୍ୟାଣ୍ଟ ଆଉ ଛାପି ଛାପିକା ଜାମା ତାକୁ ଖୁବ୍‌ମାନେ । ମୁଁ ତାକୁ କାଳିଆଇ ବୋଲି ଡାକେ । ମୋ କାନ୍ଧରେ ହାତ ରଖି ସେ ନିର୍ଲଜଙ୍କ ଭଳି ହସୁଛନ୍ତି । ମୋ ହାତଟାକୁ ଧରି ପକାଇ କହିଲେ–ଇସ୍‌, ତୁ କେଡ଼େ ସୁନ୍ଦର-। ତୁ ଆମ ବସ୍ତିର ଜୁଏଲ । କେତେ ଫଗୁଣର ମଳୟ ପୁଣି ତୋ ଛାତିରେ ଭରି ନ ରହିଛି ।

 

ତାକୁ ମୁଁ କିଛି ନ କହିବା ପୂର୍ବରୁ, ତା’ ହାତ ପାପୁଲିର ସ୍ପର୍ଶ ମୋର ବକ୍ଷ ଦେଶରେ ଅନୁଭବ କଲି । ଆଉ ତା’ର ସେହି ମୃଦୁସ୍ପର୍ଶର ମଧୁର ପୀଡ଼ନ ଯେତେବେଳେ ଆରମ୍ଭ ହୋଇଗଲା ମୋର ଉନ୍ନତ ବକ୍ଷୋଜ ଉପରେ, ମୁଁ କେବଳ ଶିହରୀ ଉଠୁଥିଲି । ସେ କେବଳ ସେ ସମୟକୁ ଅପେକ୍ଷା କରିଥିଲା ।

 

ଆଶାର ଅସଂଖ୍ୟ ତାରା ତା’ ମନ ଆକାଶରେ ଫୁଟି ଉଠିଲା ।

 

ସେ ପାଶବ କାମନାରେ ଅଧୀର ହୋଇ ଉଠିଲା । ସେ ଉଗ୍ର, ଅତିଷ୍ଠ ହୋଇଗଲା । କାମନାର ବହ୍ନିରେ ଉତ୍ତେଜିତ ହୋଇଉଠି ସେ ସବୁ କିଛିକୁ ଭୁଲିଗଲା ।

ତା’ ବୁକୁ ଉପରେ ମୋତେ ଖୁବ୍‌ ଯୋରରେ ଚାପିଧାରି ଘନଘନ ଚୁମ୍ବନରେ ମୋର କୋମଳ ଗଣ୍ଡକୁ ଖିନ୍‌ଭିନ୍ କରି ପକାଇଲା ।

ମୋର ଶରୀର ଅବଶ ହୋଇ ଆସୁଥିଲା.... ।

ସଂପୂର୍ଣ୍ଣ ଏକ ନୂତନ ସ୍ଵାଦର ଅନୁଭୂତିରେ ମୁଁ ଚେତନାଲୁପ୍ତ ହୋଇ ଯାଇଥିଲି ।

ନିଜର ଭାରସାମ୍ୟ ରକ୍ଷା ନକରି ପାରି ମୁଁ ସେଇଠି ସେଇ ଭୂମି ଉପରେ ଢ଼ଳି ପଡ଼ିଲି । ଆଉ ମୋ ଉପରେ କାଳିଆର ସେଇ ହିଂସ୍ର ଦାନବ ମୂର୍ତ୍ତୀ ମୋତେ ଗ୍ରାସ କରି, ତା’ କାମନାର ବହ୍ନିକୁ ପ୍ରଶମିତ କରିନେଲା ।

ସେଦିନ ସେ କ୍ଷଣିକ ଆନନ୍ଦର ଫଳ ମିଳିବାକୁ ଡ଼େରି ହେଲାନାହିଁ । ମୋ ଦେହରେ ମାତୃତ୍ଵର ଚିହ୍ନ ବିକଶି ଉଠିଲା । ପ୍ରଥମେ ପ୍ରଥମେ ମା’ ମୋତେ ଏକ ଅବୋଧ ଚାହାଣୀରେ ନିରେଖି ଚାହାଁନ୍ତି । ଅଜସ୍ର ବିସ୍ମୟରେ ଫାଟି ପଡ଼ନ୍ତି । କ’ଣ କହିବେ ବୋଲି ହୁଅନ୍ତି ଅଥଚ କହି ପାରନ୍ତି ନାହିଁ । ମୁଁ ମଧ୍ୟ ତାଙ୍କ ନିକଟରେ ଖୁବ୍‍ ଛୋଟ ହୋଇଯାଏ ।

ଏ ବିସ୍ମୟ ଭାବ ବେଶୀ ଦିନ ରହିଲା ନାହିଁ । ଜନନୀ ସେ, ସବୁ ବୁଝିଗଲେ । କିନ୍ତୁ ସେତେବେଳକୁ ସବୁ ସରିଯାଇଥିଲା । ମୋର ଏ ପ୍ରକାର ଅଧଃପତନ ପାଇଁ ସେ ଦୁଃଖ କଲେ, କାନ୍ଦିଲେ । ଶେଷରେ ବେଶ୍‌ କିଛି ପଇସା ଖର୍ଚ୍ଚକରି ସେ ଟୋକାର ସେଇ ଅବାଂଛିତ ରକ୍ତ କଣିକାକୁ ମୋ ଭିତରୁ ଦୂରକୁ କାଢିନେଲେ ।

ଏ କଥା କହିଲା ବେଳକୁ କେତେବେଳେ ସୁରମା ଦିଦି ଉତ୍ତେଜିତ ତ କେତେବେଳେ କାନ୍ଦି ପକାଉଥାନ୍ତି ।

ସେତେବେଳକୁ ସିନ୍ଦୁରା ଫାଟି ଆସିଲାଣି । ଏହା ଭିତରେ ଆମ କଥାବାର୍ତ୍ତାରେ ଏତେ ସମୟ କଟି ଯାଇଛି ବୋଲି ଆମେ କେହି ଭାବି ପାରିନଥିଲୁ । ଦୁହେଁ କଥାରେ ଏପରି ମଜ୍ଜି ଯାଇଥିଲୁ ଯେ, ଯେତେବେଳେ ହସ୍‌ପିଟାଲର ବେହେରା ଘର ସଫା କରିବା ପାଇଁ ଧଡ଼ ଧଡ଼ କରି କବାଟ ବାଡ଼େଇଲା, ସେତେବେଳେ ଯାଇଁ ଆମେ ସଂବିତ୍‌ ଫେରି ପାଇଲୁ ।

ମୁଁ କହିଥିଲି, ଥାଉ ଦିଦି ଆଜି ଏତିକି ଥାଉ, ରାତି ପାହିଗଲାଣି । ତୁମେ ଏବେ ବିଶ୍ରାମ କରିବ ଯାଅ । ଆଉ କେବେ ସମୟ ପଡ଼ିଲେ ମୁଁ ଅବଶିଷ୍ଟ କଥା ଶୁଣିନେବି ।

ସୁରମା ଦିଦି ଚାଲିଯାଇଥିଲେ । ମୁଁ ଖାଲି ଭାବୁଥିଲି । ଭାବନାର ଅତଳ ସାଗରରେ ନିଜକୁ ହଜାଇ ଦେଇଥିଲି ।

ଆଜି ବି ସାଗରଙ୍କର କଥା ମୋର ଖୁବ୍‌ ମନେ ପଡ଼ୁଛି । ତାଙ୍କର ସ୍ପର୍ଶ ମୁଁ ଯେପରି ଅନୁଭବ କରୁଛି । ତାଙ୍କୁ ଯେପରି ମୁଁ ଦେଖିପାରୁଛି ।

ଭାବେ, ସବୁ ନାରୀର ଜୀବନ କ’ଣ କଳଙ୍କମୟ ! ନାରୀ କ’ଣ କେବଳ କଳଙ୍କିତ ହେବାକୁ ଜନ୍ମ ?

ଆଜି ବି ସୁରମା ଦିଦିଙ୍କର ରାତ୍ରୀ ଡିଉଟି । ସୁରମା ଦିଦି ମୋ ପାଖକୁ ଆସୁଛନ୍ତି । ହାତରେ ତାଙ୍କର କ୍ଷୀର ଗ୍ଲାସ । ସେ ସିଧା ଆସି ତାଙ୍କ କୋଳରେ ମୋ ମୁଣ୍ଡ ରଖି ମାତୃତ୍ଵର ସ୍ନେହରେ ମୋତେ କ୍ଷୀର ତକ ପିଆଇ ଦେବେ । ଯେତେ ମନାକଲେ ବି ମାନିବେ ନାହିଁ । ବରଂ ଓଲଟା କହିବେ– ମା’ ହେବାର ଯୋଗ୍ୟତା ମୋର ନାହିଁ ବୋଲି କ’ଣ ମୁଁ ପିଲାଙ୍କ ମନ ବୁଝିବାକୁ ଅକ୍ଷମ । ତୁମେମାନେ ଯେତେ ବଡ଼ ହେଲେବି ମୋ ପାଖରେ ଛୋଟ । ମୁଁ ତୁମମାନଙ୍କୁ ଶାସନ କରିବି, ମଣିଷ କରିବି ।

କିପରି ଏକ ଭିନ୍ନ ସ୍ଵାଦର ମଣିଷ ଏ ସୁରମା ଦିଦି । ମୋତେ କ୍ଷୀର ପିଆଇ ଦେଲେ, ଔଷଧ ଖୁଆଇ ଦେଲେ ।

ମୋ ବେଡ୍‌ ପାଖରେ ଷ୍ଟୁଲଟି ପକାଇ ଦେଇ ସେଥିରେ ବସି ପଡ଼ିଲେ ଏବଂ କହିଲେ– କାଲିର କଥା ଅଧା ରଖିଥିଲି ନା । ତାକୁ ପୁରା ନକଲେ ମୁଁ ଶାନ୍ତି ପାଇବି ନାହିଁ ।

ମୋର ମନେ ପଡ଼ିଗଲା, କାଲି ମୋ ଅନୁରୋଧରେ ସେ ତାଙ୍କ ଜୀବନ ଇତିହାସ କହୁ କହୁ ରାତି ପାହି ଯାଇଥିଲା । ସେ କଥା ଅଧା ଅଛି । ମୁଁ କହିଲି– କୁହନା ।

ସୁରମା ଦିଦି ଆରମ୍ଭ କଲେ– ‘ତମେ କେବେ ପୁରୁଷର ଅଙ୍ଗ-ସଙ୍ଗ ଲଭିଛ ତଟିନୀ ?

ମୁଁ ଚମକି ପଡ଼ିଲି– ଏ କ’ଣ କହୁଛନ୍ତି ସୁରମା ଦିଦି ?

ମୁଁ ନୀରବ ରହିଲି ।

ନାରୀର ସବୁଠୁ ବଳି ବଡ଼ ଶତ୍ରୁ, ହେଲା ତା’ ରୂପ, ତା ସୌନ୍ଦର୍ଯ୍ୟ, କେବଳ ରୂପ, ଦେହ ପାଇଁ ତାର ଆଦର । ସତେ ଯେପରି ନାରୀ କେବଳ, ପୁରୁଷର ଉପଭୋଗର ସାମଗ୍ରୀ । ତୁମେ ଦେଖିବ ତଟିନୀ, ଯଦି ନାରୀ ତା ସୌନ୍ଦର୍ଯ୍ୟକୁ ଏସିଡ୍‌ ଢାଳି ନଷ୍ଟ କରିଦିଏ, ତାକୁ କେହି ପଚାରିବେ ନାହିଁ । ସେ ହେବ ଘୃଣ୍ୟା ଅବହେଳିତା ।

ମୋ ରୂପ ମୋ ପାଇଁ କାଳ ହେଲା । ଏତେ ପରେବି ସେ ଟୋକା ମୋ ପିଛା ଛାଡ଼ିଲାନି-। ମୋ ପଛରେ ସବୁବେଳେ ଲାଗି ରହିଲା । ସେ ଘଟଣା ପରେ ମା’ ମୋତେ ଆଉ ବାହାରକୁ ଛାଡ଼ିବାକୁ ଦେଲାନି । ସେହି ଦିନଠାରୁ ମୁଁ ମା’କୁ ରନ୍ଧାବଢ଼ାରେ ସାହାଯ୍ୟ କରେ । ସବୁଯାକ ଘର କାମ କରେ ।

ହେଲେ କାମନାର ବହ୍ନିରେ ଜଳୁଥିବା ଲୋକ ସବୁ କିଛି କରିପାରେ । ଦିନେ ବାପା ମୋର କୌଣସି କାମରେ ବାହାରକୁ ଚାଲି ଯାଇଥିଲେ । ଘରେ ମୁଁ ଏବଂ ମା’ ଦୁଇଜଣ ଥିଲୁ । ମା’ ଦେହ ଭଲ ନଥିଲା । ସେ ଶୋଇ ଯାଇଥିଲା ।

ହଠାତ୍‌ କେତେକ ଗୁଣ୍ଡା ଆମ ଘରେ ପଶିଗଲେ ଏବଂ ମା ପାଟିରେ କନାର ବିଣ୍ଡା ପୁରାଇ ତା ପାଟିକୁ ବନ୍ଦ କରିଦେଲେ ଏବଂ ଖୁଣ୍ଟରେ ବାନ୍ଧି ପକାଇଲେ । ଆଉ ମୋତେ ଟେକି ନେଇଗଲେ ।

ସେମାନେ ମୋତେ କାହିଁ କେତେ ଦୂରକୁ ନେଇଗଲେ । ତାହା ମୁଁ ଜାଣି ପାରିଲି ନାହିଁ । କେବଳ ଗୋଟିଏ ନଦୀ ତୀରରେ ସେମାନଙ୍କର ଟ୍ୟାକ୍‌ସି ଅଟକିଲା ଏବଂ ସେଥିରୁ କେତେ ଜଣ ଲୋକ ଓହ୍ଲାଇ ପଡ଼ି ମୋତେ ସେଥିରୁ କାଢ଼ି ନେଲେ ।

 

ଆଉ ତା’ପରେ...... ।

 

ଓଃ, ଅରଣ୍ୟରେ ହୁଏତ ଏତେ ହିଂସ୍ର ଜନ୍ତୁ ନଥିବେ– ନରକରେ ମଧ୍ୟ ଏତେ ଅନ୍ଧକାର ନଥିବ– ପୃଥିବୀରେ ଅନ୍ୟ କେଉଁଠି ବି ଏତେ ଅତ୍ୟାଚାର, ଏତେ କଷ୍ଟ, ଏତେ ଭୟ ନଥିବ ! ସେମାନେ କେତେ ଜଣ ମୁଁ ଜାଣେ ନାହିଁ.... । କି ପୈଶାଚିକ ସେମାନଙ୍କର ହସ । କି ଜ୍ଵାଳାମୟୀ ସେମାନଙ୍କର ସ୍ପର୍ଶ...... । ସେମାନେ ଗୋଟାକ ପରେ ଗୋଟାଏ ମୋ ଉପରକୁ ଝାମ୍ପ ଦେଲେ । ମୁଁ ଅଜ୍ଞାନ ହୋଇ ପଡ଼ିଲି ।

 

ସୁରମା ଦିଦି କହୁ କହୁ ଅଟକି ଗଲେ । ଦେହଟା ପରିଶ୍ରମ ଯୋଗୁଁ କ୍ଳାନ୍ତ ଥିଲା । ମନଟା ଏଥର ବି କ୍ଳାନ୍ତ ହୋଇଗଲା । ମୁ” ଅବାକ୍‌ ହୋଇ ତାଙ୍କୁ ଚାହିଁ ରହିଥାଏ । ଗୋଟିଏ ଝିଅ ଜୀବନରେ ଏସବୁ କ’ଣ ସମ୍ଭବ ! ମୁଁ ଅସ୍ଵସ୍ତିରେ ଅସ୍ଥିର ହୋଇ ଉଠିଲି । ଆଉ ଆଗକୁ ଶୁଣିବାକୁ ମୋର ଧୈର୍ଯ୍ୟ ନଥିଲା, କିନ୍ତୁ ସୁରମା ଦିଦି ତ ମନା ମାନିବେ ନାହିଁ । ସେ ତାଙ୍କ ଜୀବନର କାହାଣୀ ଆରମ୍ଭ କରିବେ ।

 

ସେ ପୁଣି ଆରମ୍ଭ କଲେ– ମୋର ଯେତେବେଳେ ଜ୍ଞାନ ଫେରିଲା, ସେତେବେଳେ ମୁଁ ହସ୍‍ପିଟାଲରେ । ଶୁଣିଲି, ପୋଲିସ ମୋତେ ଗୋଟିଏ ନଦୀକୂଳରୁ ଅଜ୍ଞାନ ଅବସ୍ଥାରେ ଉଦ୍ଧାର କରି ଏଠାକୁ ଆଣିଥିଲେ । ବାପାଙ୍କ ପାଖକୁ ଟେଲିଗ୍ରାମ ହେଲା । ସେ ଆସି ମୋତେ ନେଇଗଲେ-

 

ମା’ କେବଳ ମୋତେ ଚାହିଁଥିଲା । ପଦେ ମାତ୍ର କଥା କହି ନଥିଲା ତଟିନୀ । ଭଗବାନ ମୋ ଭାଗ୍ୟକୁ ଏତେ ଛୋଟ କରି ଗଢ଼ି ତୋଳିଥିଲେ କାହିଁକି ?

 

ତା’ପରେ ଉଠିଲା ମୋ ବିବାହର ପ୍ରଶ୍ନ.... ।

 

ମୋ କଳଙ୍କିତ ଜୀବନ ଉପରେ ଦୃଷ୍ଟି ରଖି ଯେତେ ଚଞ୍ଚଳ ମୋର ବିବାହ ସାରି ଦେବାକୁ ମା’ ଚେଷ୍ଟା କଲେ । ହେଲେ କିଏ ବା ମୋତେ ବିବାହ କରିବ ।

 

ବହୁ ଚେଷ୍ଟାରେ ଗୋଟାଏ ସହର ତଳି ଅଞ୍ଚଳରେ ମୋର ବାହାଘର ହୋଇଗଲା । ବାପା-ମା ସ୍ଵସ୍ତିରେ ନିଃଶ୍ୱାସ ମାରିଲେ । ମୁଁ ବି ଅନ୍ୟମାନଙ୍କ ଭଳି ଘର ସଂସାର କରିବାକୁ ମନଦେଲି । ହେଲେ ଯାହା ଭାଗ୍ୟରେ ଅଶ୍ରୁ ଲେଖା ରହିଛି, ସେ ବା କେଉଁଠୁ ସୁଖୀ ହେବ ?

 

ତୁମେ କହିପାରିବ ତଟିନୀ– ଗୋଟାଏ ଷୋଡ଼ଶୀ ଯୁବତୀ ତା’ ବିବାହ ଜୀବନର ପହିଲି ସ୍ପର୍ଶରେ ତା’ସ୍ଵାମୀ ଠାରୁ କଣ ଆଶା କରେ ?

 

ଏପରି ଏକ ପ୍ରଶ୍ନର କ’ଣ ବା ମୁଁ ଉତ୍ତର ଦେଇଥାନ୍ତି । ମୁଁ ନୀରବ ରହିଲି ।

 

ନାରୀ ଜୀବନର ଅନେକ ଆଶାର ସ୍ଵପ୍ନ ବାସର ରାତିଟା ମୋର ହା, ହୁତାଶରେ କଟିଗଲା । ବାସର ରାତିରେ ମୁଁ ଓ ମୋ ସ୍ଵାମୀ ଗୋଟିଏ ବିଛଣାରେ ଶୋଇଥିଲୁ । କିନ୍ତୁ ସେ ମୋ ଗୋଲାପି ଅଧରରେ ଆଙ୍କି ଦେଇ ନଥିଲେ ଚୁମ୍ବନ । ମୋତେ ତାଙ୍କ କୋଳକୁ ଆଉଯାଇ ନେଇ ନଥିଲେ । ସେ ଚୁପ ଚାପ୍‌ ଶୋଇ ପଡ଼ିଲେ ମୋ ପାଖରେ ।

 

ମୁଁ କିଛି ଜାଣି ପାରି ନଥିଲି । ମୋତେ ଖୁବ୍‌ କାନ୍ଦ ଲାଗିଲା । ସେଦିନ କାନ୍ଦି କାନ୍ଦି ତକିଆକୁ ମୁଁ ଭିଜାଇ ଦେଇଥିଲି । ପରେ ମନକୁ ସାନ୍ତ୍ୱନା ଦେଇଥିଲି– ମୋ ବିବାହ ଜୀବନର ତ ବହୁତ ରାସ୍ତା ରହିଛି । ଏମିତି ଅଧୈର୍ଯ୍ୟ ହେଲେ ଚଳିବ ! ଆଜି କୌଣସି କାରଣରୁ ସେ ବୋଧହୁଏ ଶୋଇ ଯାଇଛନ୍ତି । କିନ୍ତୁ ସମୟ ଆସିବ, ସେ ମୋ ପାଇଁ ପାଗଳ ହୋଇ ଉଠିବେ ।

 

ହେଲେ ମୋ ଆଶା, ଆଶାରେ ହିଁ ରହିଗଲା । କେବେହେଲେ ସେ ମୋତେ ଚାହିଁଲେ ନାହିଁ । କାମନାର ବହ୍ନିରେ ମୁଁ ଅନେକ ସମୟରେ ଅଜ୍ଞାନ ହୋଇପଡ଼େ । ପ୍ରତ୍ୟେକ ରାତିରେ ଆମେ ଦୁହେଁ ଗୋଟିଏ ବିଛଣାରେ ଶୋଉ, ଅଥଚ ସେ ମୋତେ ଚାହାଁନ୍ତି ନାହିଁ । ମୁଁ ତାଙ୍କୁ ମୋ ଦେହକୁ ଉପଭୋଗ କରିବା ପାଇଁ ଆହ୍ଵାନ ଦିଏ । ତାଙ୍କୁ ଉତ୍ତେଜିତ କରିବା ପାଇଁ ତାଙ୍କ ଉପରେ ଗୋଡ଼ ଲଦେ । ମୋ ହାତ ତାଙ୍କ ଛାତିରେ ଚାପିଧରେ ।

 

ସେ ଉତ୍ତେଜିତ ହୁଅନ୍ତି । ମୋତେ ତାଙ୍କ କୋଳକୁ ଟାଣି ନିଅନ୍ତି । ମୋ ଗାଲରେ ଆଙ୍କି ଦିଅନ୍ତି ଚୁମ୍ବନ । ମୋତେ କାମନାର ନିଆଁରେ ଉତ୍ତେଜିତ କରି ପକାନ୍ତି । ହେଲେ କାମନାର ନିଆଁକୁ ପ୍ରଶମିତ କରିପାରନ୍ତି ନାହିଁ । ଶୋଇ ପଡ଼ନ୍ତି । ମୁଁ ସେଥିରେ ଜଳିପୋଡ଼ି ମରେ ।

 

ଏପରି ଏକ ପରିସ୍ଥିତିର ସୁଯୋଗ ନେଲା ଆମ ଲେଖା ଯୋଖାରେ ତାଙ୍କ କକେଇ ପୁଅ ପ୍ରମୋଦ । ସେ ସ୍ଵାସ୍ଥ୍ୟବାନ୍‌ । ଦେଖିବାକୁ ମଧ୍ୟ ସୁନ୍ଦର, କଲେଜରେ ପଢ଼େ, ମୋର ସେ ଦିଅର ହେବେ ।

 

ସେ ସବୁଦିନେ ଆମ ଘରକୁ ଆସନ୍ତି । ମୋ ସ୍ଵାମୀ ଏକ କାରଖାନାରେ କାମ କରନ୍ତି । ଫେରୁ ଫେରୁ ରାତି ଦଶଟା ହୁଏ । ସେପର୍ଯ୍ୟନ୍ତ ସେ ମୋ ପାଖରେ ବସନ୍ତି । ଅନେକ କଥା ଗପନ୍ତି-

 

ମୋ ପାଖକୁ ଆସିଲାବେଳେ ସେ ସବୁଦିନେ ମୋ ପାଇଁ ପାନ ଆଣିଥାନ୍ତି । ମୁଁ ତାଙ୍କଠୁଁ ପାନ ନେଇ ଖାଏ । ଅନେକ ଦିନ ସେ ଗୋଟିଏ ଲେଖାଏଁ ନୂଆ ଖବର ଶୁଣାନ୍ତି । କେଉଁଦିନ ତାଙ୍କ କଲେଜର କେଉଁ ଝିଅକୁ କେଉଁ ପୁଅ ନେଇଗଲା, କିଏ କାହାକୁ ଲଭ୍‌ମ୍ୟାରେଜ କଲା, ଏଇ କଥା ହିଁ ସେ ସବୁବେଳେ ମୋ ଆଗରେ ଗପନ୍ତି ।

 

ଅନେକ ସମୟରେ ସେ ମୋ ଆଡ଼କୁ ନିରେଖି ଚାହିଁ କହନ୍ତି– ଭାଉଜ, ତୁମେ କେତେ ସୁନ୍ଦର, ବାସ୍ତବିକ୍‌ ଭାଇ, ତୁମକୁ ପାଇ ଖୁସି ।

 

କେମିତି ତାଙ୍କୁ ସେଦିନ ମୁଁ କହିଥାନ୍ତି, ମୁଁ କିମ୍ବା ସେ ସୁଖୀ ନୋହୁଁ, କେବଳ ଜଳୁଛୁ ।

 

ଦିନକର କଥା । ହାଠାତ୍‌ ଦିନେ ସଞ୍ଜବେଳେ ମୁଁ କାହିଁକି କେଜାଣି କାମନାର ବହ୍ନିରେ ଜଳି ଉଠିଲି । ମୋ ସ୍ଵାମୀ ଡିଉଟିକୁ ଯିବା ପୂର୍ବରୁ ବିଶ୍ରାମ ନେଇଥାନ୍ତି । ତାଙ୍କ ପାଖକୁ ଛୁଟିଗଲି । ତାଙ୍କ ପାଖରେ ଶୋଇ, ତାଙ୍କୁ ମୁଁ କୁଣ୍ଢାଇ ଧରିଲି ।

 

ସେ ବି ମୋତେ ତାଙ୍କ କୋଳକୁ ଟାଣିନେଲେ । ମୋ ଗାଲରେ ମୋ ଓଠରେ ଚୁମ୍ବନ ଦେଇ ମୋତେ ଆହୁରି ଅଧୀରା କରିଦେଲେ । ମୁଁ ଉତ୍ତେଜିତ ହୋଇ ମୋ ଶାଢ଼ୀକୁ ଖୋଲି ଦେଇ ସମ୍ପୂର୍ଣ୍ଣ ବିବସ୍ତ୍ରା ହୋଇଗଲି । ମାତ୍ର ହାଏ ! ସେ ହଠାତ୍‌ ଅବଶ ହୋଇଗଲେ । କ୍ଳାନ୍ତ ହୋଇ ସେ ବିଛଣାରେ ଶୋଇ ପଡ଼ିଲେ ।

 

ମୁଁ ଉନ୍ମାଦରେ ପାଗଳୀ ହୋଇଯାଇଥିଲି । ରାଗି ଉଠି କହିଲି– କ’ଣ ଏଇଥିପାଇଁ ମୋତେ ତୁମେ ବିବାହ କରିଥିଲ ? ଯଦି ଦାମ୍ପତ୍ୟ ଜୀବନରେ ସୁଖ ମୋତେ ଦେଇ ପାରିବାର କ୍ଷମତା ତୁମର ନଥିଲା । ତା’ହେଲେ ତୁମେ ମୋତେ କାହିଁକି ବିବାହ କରୁଥିଲ ? କାହିଁକି ମୋ ଜୀବନଟାକୁ ଏମିତି ଜାଳି ପୋଡ଼ି ଛାରଖାର କରିଦେଲ ?

 

ମୁଁ କଇଁ କଇଁ ହୋଇ କାନ୍ଦି ଉଠିଲି ।

 

ସେ ମନରେ ବୋଧହୁଏ ଆଘାତ ପାଇଲେ । ଅନୁତାପ କଲେ । ହଠାତ୍ ସେ ଉଠିପଡ଼ି ଡିଉଟିକୁ ଚାଲିଗଲେ ।

 

ତଟିନୀ ! – ଜଣେ ଷୋଡ଼ଶୀ ନବବିବାହିତା ରୂପବତୀ ଯୁବତୀ ଯାହା ଚାହେଁ, ତାହା ଦେବାକୁ ସେ ଅସମର୍ଥ ଥିଲେ । ମୋ ଭାଗ୍ୟ ଖରାପ । ସେ ନପୁଂସକ । ପୌରୁଷତ୍ଵ ତାଙ୍କର ନଥିଲା ।

 

ମୁଁ ସେହିପରି ବିଛଣାରେ ଶୋଇ କାନ୍ଦି ଉଠିଲି । ଠିକ୍ ଏଇ ସମୟରେ ପ୍ରମୋଦ ମୋ ଶୟନ କକ୍ଷକୁ ପଶି ଆସିଲେ । ସେତେବେଳକୁ ମୁଁ ସେମିତି ବିବସ୍ତ୍ରା ହୋଇ କାନ୍ଦୁଥାଏ । ସେ କହିଲେ, ଭାଉଜ– ଏମିତି କାନ୍ଦୁଛ କାହିଁକି ?

 

ସେତେବେଳକୁ ମୁଁ କାମନାର ନିଆଁରେ ଜଳୁଥିଲି । କିଛି ଭାବିପାରିଲି ନାହିଁ । ହଠାତ୍‌ ପ୍ରମୋଦକୁ ଯାଇଁ କୁଣ୍ଢାଇ ଧରିଲି । ପ୍ରମୋଦ ମୋ ମନର କଥା ବୁଝିନେଲା । ମୋ ଆଖିର ଭାଷାକୁ ସେ ଜାଣିନେଲା । ସେ ମୋତେ ତା’ ନିବିଡ଼ ଆଲିଙ୍ଗନରେ ଆବଦ୍ଧ କରି, ମୋ ମନରେ ଜଳୁଥିବା କାମନାର ବହ୍ନିକୁ ପ୍ରଶମିତ କଲା ।

 

ସେଇ ଦିନଠୁଁ ମୋର ପ୍ରମୋଦ ପ୍ରତି ଦୁର୍ବଳତା ରହିଗଲା । ମୋ ଜୀବନରେ ଅନେକ ଘଟଣା ଘଟି ସାରିବା ପରେ ବି ମୁଁ ପୁଣି ଭୁଲ କରି ବସିଲି । ପ୍ରମୋଦ ସବୁଦିନ ଆମ ଘରକୁ ଆସେ-। ମୋ ପାଖରେ ବସେ । ମୋ ଓଠରେ ଆଙ୍ଗୁଳି ଟିପା ମାରି କହେ– ତୁମର ଏ ଲାଲ ଓଠ ଦିଓଟି ମୋତେ ପାଗଳ କରି ଦେଉଛି । ଆଉ ତା’ପରେ ସେ ତା’ର ନିବିଡ଼ ବାହୁ ବନ୍ଧନ ଭିତରେ ମୋତେ ଚାପି ଧରି ମୋ ଓଠକୁ ତା ଓଠରେ ଜଡ଼ାଇ ଧରେ ।

 

ପ୍ରମୋଦର ଦୀର୍ଘ ଚୁମ୍ବନରେ ମୁଁ ଅନେକ ସମୟ ଯାଏ ଅବଶ ହୋଇପଡ଼େ । ଆଖିବୁଜି ତା’ର ସୋହାଗକୁ ଉପଭୋଗ କରେ । ଦୀର୍ଘ ସମୟ ପର୍ଯ୍ୟନ୍ତ ତା’ର ନିବିଡ଼ ଆଲିଙ୍ଗନ ଶିଥିଳ ହୁଏ ନାହିଁ । ମୁଁ ଅବରୁଦ୍ଧ ଗଳାରେ କହେ– ଏ କ’ଣ ହେଉଛି ? ଛାଡ଼, ମୋର ନିଃଶ୍ଵାସ ଯେ ବନ୍ଦ ହୋଇଯାଉଛି । ମୁଁ ନିଜ ଓଠରେ ଜିଭଟାକୁ ବୁଲାଇ ନିଏ । ମୋ ଓଠ ଫୁଲି ଯାଇଥାଏ ।

 

ସେ କହେ– କ’ଣ କରିବି କୁହ ତ ? ତୁମ ରୂପ ଆଉ ଯୌବନ ତ ମୋତେ ପାଗଳ କରି ଦେଉଛି ।

 

ଅନ୍ୟ ଜଣଙ୍କଠୁଁ ମୁଁ ମୋ ରୂପର ପ୍ରଶସ୍ତି ଶୁଣି ଗର୍ବରେ ଫାଟି ପଡ଼େ ।

 

ଗୋଟାଏ ଛୋଟ ଶିଶୁପରି ସେ ମୋତେ ଶୂନ୍ୟେ ଶୂନ୍ୟେ ତା’ର ଦୁଇ ବଳିଷ୍ଠ ବାହୁରେ ଟେକି ନେଇ ତା’ ଛାତିରେ ଚାପିଧରେ । ମୋର ସାରା ଅଙ୍ଗକୁ ଚୁମ୍ବନ କରିଯାଏ । ଓଃ, ସେ କି ସିତ୍କାର । ମୋ ସାରା ଶାରୀରରେ ଉନ୍ମାଦନାର ଢେଉ ଖେଳିଯାଏ । ସେଥିରେ ଭିଜି ଭିଜି ମୁଁ ହୋଇ ଉଠେ ଉନ୍ମାଦିନୀ ।

 

ସେ କି ପ୍ରେମ ! ସେ କି ସୋହାଗ ! ମୁଁ ଭାବି ପାରେନାହିଁ । ପ୍ରମୋଦ ଭିତରେ ଏତେ ଛଳନା ଭରି ରହିଥିଲା କେମିତି ? ତା ଭଲପାଇବାଟା ଯେ କେବଳ ମାଂସର ଲୋଭ, ଏହା ମୁଁ ପରେ ଜାଣିପାରିଲି ।

 

ଦିନେ ପ୍ରମୋଦକୁ କହିଲି– ପ୍ରମୋଦ ! ତୁମ ଭାଇ ଜଣେ ନଂପୁସକ । ମୋ ଭଳି ଜଣେ ନାରୀର ସ୍ଵାମୀ ହେବାର ଅଧିକାର ତାଙ୍କର ନାହିଁ । ତୁମେ କ’ଣ ମୋତେ ସ୍ତ୍ରୀର ଅଧିକାର ଦେବ ନାହିଁ ?

 

ହସି ହସି ପ୍ରମୋଦ ସେଦିନ କହିଥିଲା– ‘ତୁମକୁ ନିଜର ସ୍ତ୍ରୀ କରି ପାରିଲେ ମୁଁ ନିଜକୁ ଧନ୍ୟ ମନେ କରିବି । ତେବେ ଏତେ ଚଞ୍ଚଳ କାହିଁକି ? ମୋ କଲେଜ ପଢ଼ା ସରିଯାଉ ।

 

ମୁଁ ପ୍ରମୋଦକୁ ନିଜର କରିବା ପାଇଁ ପାଗଳୀ ହୋଇ ଉଠୁଥିଲି । ସେତେବେଳେ ମନେ ହେଉଥିଲା, ତାଙ୍କୁ ଜୀବନରେ ପାଇବାକୁ ହିଁ ହେବ, ନପାଇଲେ ବଞ୍ଚିରହି ଲାଭ କ’ଣ ?

 

ସ୍ଵାମୀ ମୋର ଖଟି ଖଟି କ୍ଳାନ୍ତ ହୋଇ ପଡ଼ିଥାନ୍ତି । ବିଛଣା ଧରିବା ମାତ୍ରେ ସେ ସାଙ୍ଗେ ସଙ୍ଗେ ଶୋଇ ପଡ଼ନ୍ତି । ମୁଁ ସେଇ ସମୟକୁ ଅପେକ୍ଷା କରିଥାଏ । ସେ ଶୋଇ ପଡ଼ିବାମାତ୍ରେ ମୁଁ ଦ୍ଵାର ଖୋଲି ଧୀରେ ଧୀରେ ବାହାରିଯାଏ ବାହାରକୁ । ପ୍ରମୋଦ ମୋତେ ଅପେକ୍ଷା କରିଥାଏ । ଆମେ ନିତି ରାତିରେ ପରସ୍ପର ପରସ୍ପରର ଦେହର ଉଷ୍ମତା ଅନୁଭବ କରୁ । ତେଣୁ ମନଭରି ଉପଭୋଗ କରୁ ରାତିର ନିଥର ନୀରବତାକୁ ଏକାନ୍ତ ଭାବରେ । ତା’ର ଆଲିଙ୍ଗନ ମୋତେ ଅବଶ କରେ......ଆଉ ପ୍ରେମ କାଙ୍ଗାଳୁଣୀରେ ମଧ୍ୟ ପରିଣତ କରେ ।

 

ଦିନକର କଥା । ଗୋଟିଏ ଝିଅ ସହ ମୁଁ ନଦୀକୁ ପାଣି ପାଇଁ ଯାଇଥିଲି । ମୁହଁ ସଞ୍ଜବେଳ । ଚାରିଆଡ଼େ ନିର୍ଜନତା । ଆମେ ଦୁହେଁ ଗଛ ମୂଳେ ଠିଆହୋଇ ଗପ କରୁଛୁ, ଖଡ଼ ଖଡ଼ ଶବ୍ଦ ଶୁଭିଲା । ଶୁଖିଲା ପତ୍ରର ଖଡ଼ ଖଡ଼ ଶବ୍ଦ । ତାହା ସହ କାହାର ଚାପା କଣ୍ଠ ସ୍ତର । ଆମେ ଚମକି ପଡ଼ିଲୁ । ଚାରିଆଡ଼କୁ ଚାହିଁଲୁ । ପାଦ ଚିପି ଚିପି କିଛି ବାଟ ଯାଇଁ ଆମେ ଯାହା ଦେଖିଲୁ– ଦେହରୁ ଝାଳ ବୋହିଗଲା । ସେ ମତେ ଚାହିଁଲା– ମୁଁ ତାକୁ ଚାହିଁଲି । ଯେମିତି ଯାଇଥିଲୁ, ସେମିତି ଫେରିଆସିଲୁ । ନଈରୁ ପାଣି ଆଣି କେମିତି ଯେ ଆସି ଘରେ ପହଞ୍ଚିଲୁ କହି ପାରିବି ନାହିଁ । ଆଉ ସେ ଝିଅର କ’ଣ ହେଲା ମୁଁ ଜାଣେ ନାହିଁ ହେଲେ ସେହି ଦେଖିଥିବା ଦୃଶ୍ୟକୁ ମୁଁ କେବେହେଲେ ଭୁଲି ପାରିଲି ନାହିଁ । ଯେତେଥର ଭାବିଛି, ମୋ ଦେହ ଶୀତେଇ ଯାଏ ।

 

ସେ ଦୃଶ୍ୟ– କାମ ଅଧୀରା ଦୁଇଟି ଯୁବକ-ଯୁବତୀଙ୍କର ଗୁପ୍ତ ପ୍ରଣୟର ଦୃଶ୍ୟ ।

 

ପ୍ରମୋଦର ଦୃଢ଼ ବାହୁବନ୍ଧନରେ ମୋ ଅଙ୍ଗ ଯେତେବେଳେ ପେଶି ହୋଇଯାଏ, ଯେତେବେଳେ ମୁଁ ଅଣନିଃଶ୍ଵାସୀ ହୋଇଯାଏ, ସେତେବେଳେ ସେହି ମିଳନ ଦୃଶ୍ୟ ମୋତେ ଆହୁରି ଅତିଷ୍ଠ କରିତୋଳେ । ଏକ ନୂତନ ଉନ୍ମାଦନାରେ ମୁଁ ଉନ୍ମାଦିନୀ ହୋଇଉଠେ । ମନ ଭାବେ, ପ୍ରମୋଦ ମୋତେ ଆଉରି ଜୋରରେ ଚାପି ଧରନ୍ତେ କି ?

 

ସୁରମା ଦିଦିଙ୍କଠୁଁ ତାଙ୍କର ଏ ନଗ୍ନ ଯୌବନ ଇତିହାସ ଶୁଣୁ ଶୁଣୁ ମୁଁ ମୁହଁ ତଳକୁ ପୋତିଲି । ସେ ମତେ ଚାହିଁ ହସିଲେ– ହସୁ ହସୁ କହିଲେ– ଏକଥା ଶୁଣି ତୁମକୁ ଲାଜ ଲାଗୁଛି, ନାଁ-

 

ମୁଁ ଆଉରି ଲାଜେଇ ଗଲି ।

 

ହସି ହସି ପ୍ରମୋଦର ଚରଣ ତଳେ ଅକୁଣ୍ଠିତଭାବେ ମୋର ନାରୀତ୍ଵକୁ ବିସର୍ଜନ ଦେଲି-। ସେ ତା’ର ଇଚ୍ଛାମତେ ମୋତେ ଲୁଣ୍ଠନକଲା । ହେଲେ ଏହାର ପରିଣତି ବି ମିଳିବା ପାଇଁ ମୋତେ ବେଶୀ ଦିନ ଲାଗିଲା ନାହିଁ ।

 

ମୋ ଭିତରେ ମାତୃତ୍ଵର ବିକାଶ ହେଲା ।

 

ସବୁକଥା ପ୍ରମୋଦକୁ କହିଲି । ତାକୁ ଶୀଘ୍ର ବିବାହ କରିବା ପାଇଁ କହିଲି । ହେଲେ ସେ ଶୁଣିଲା ନାହିଁ । ତା ଜିଦ୍‌ରେ ସେ ଅଟଳ ରହିଲା । କହିଲା– ତା’ ଭଉଣୀର ବିବାହ ଏବଂ ତା କଲେଜ ପଢ଼ା ନ ସରିଲେ ସେ ବିବାହ କରି ପାରିବନି । ସେ ମୋତେ ଆଶ୍ଵାସନା ଦେଲା, ଆସନ୍ତାବର୍ଷ ତା’ର କଲେଜ ପଢ଼ା ଶେଷ ହେବ ଏବଂ ସେଇ ବର୍ଷ ମଧ୍ୟ ତା ଭଉଣୀର ବିବାହ ହେବ, ବେଶ୍‌ ତା’ପରେ ଆମର ବିବାହ । ତେଣୁ ବର୍ତ୍ତମାନ ଏ ଲଜ୍ଜାରୁ ରକ୍ଷା ପାଇବାକୁ ହେଲେ ଏକମାତ୍ର ଉପାୟ ଭ୍ରୁଣଟିକୁ ନଷ୍ଟ କରିଦେବା । ତୁମେ କ’ଣ ଆମ ଉଭୟଙ୍କ ସମ୍ମାନ ଦୃଷ୍ଟିରୁ ଏତକ କରିପାରିବନି ?

 

ପ୍ରମୋଦ ଉପରେ ମୋର ଭରସା ଥିଲା । ତା’ର ଏ ସାମାନ୍ୟ ଅନୁରୋଧକୁ ମୁଁ ଏଡ଼େଇ ପାରିଲିନି ।

 

କେତୋଟି ଦିନପରେ ମୋ ଦେହରୁ ସେ ଅବାଞ୍ଛିତ କଳଙ୍କ ବୋଝ ଅପସରି ଗଲା । ପୁଣି ଆମେ ଦୁହେଁ ମାତି ଉଠିଲୁ ନୂତନ ଉନ୍ମାଦନାରେ; କିନ୍ତୁ ସବୁଦିନ ସମାନ ଯାଏନା ।

 

ସେଦିନ ସଞ୍ଜ ପ୍ରହର । ମୁଁ ଶୋଇବା ଘରେ ବସି ଗପ ବହି ପଢୁଥାଏ । ପ୍ରମୋଦ ଆସିଲେ, ମୋ ପାଖରେ ବସିଲେ, ସେତେବେଳେ ସ୍ଵାମୀ ମୋର ଡିଉଟିକୁ ଯାଇଥାନ୍ତି । ଘରେ କେହି ନଥାନ୍ତି । କେବଳ ପ୍ରମୋଦ ଓ ମୁଁ । ପ୍ରମୋଦ ଏପରି ଏକ ସୁଯୋଗ ହାତ ଛଡ଼ା ହେବାକୁ ଦେଲାନି, ସେ ମୋତେ ଜାବୁଡ଼ି ଧରିଲା । ମୋ ଗାଲରେ, ଓଠରେ ଅଜସ୍ର ଚୁମ୍ବନ ଆଙ୍କିଦେଲା । ମୁଁ ଉତ୍ତେଜିତ ହୋଇ ପଡ଼ିଲି । ଶୂନ୍ୟେ ଶୂନ୍ୟେ ଟେକିନେଇ ମୋତେ ଖଟ ଉପରେ ଶୁଆଇ ଦେଲା । ଆଉ ମୋ ଦେହରୁ ଖୋଲିଦେଲା ସମସ୍ତ ଆବରଣ । ମୁଁ ସମ୍ପୂର୍ଣ୍ଣ ଉଲଗ୍ନ ହୋଇଗଲି । ଆଉ ତା ପରେ ପ୍ରମୋଦର ଆରମ୍ଭ ହୋଇଗଲା ପାଶବିକ ଅତ୍ୟାଚାର ।

 

ହଠାତ୍‌ ଏକ ଅଘଟଣ ଘଟିଲା । ସ୍ଵାମୀ ମୋର ଡିଉଟିକୁ ଯାଇଥିଲେ, ମାତ୍ର କାହିଁକି କେଜାଣି ଫେରି ଆସିଲେ । ସେତେବେଳକୁ ପ୍ରମୋଦ ଓ ମୁଁ ଏକ ଅଜଣା ରାଜ୍ୟରେ ଘୁରି ବୁଲୁଥିଲୁ-। ସ୍ଵାମୀ ହଠାତ୍‌ ଶୋଇବା ଘରକୁ ପଶି ଆସିଲେ ଏବଂ ଦେଖିଲେ ଦୁଇଟି ଉଲଗ୍ନ ମୂର୍ତ୍ତି ବିଛଣା ଉପରେ ହଲଚଲ ହେଉଛନ୍ତି । ମୋ ସ୍ଵାମୀଙ୍କୁ ଦେଖି ପ୍ରମୋଦ କୌଣସି ମତେ ଖସି ଚାଲିଗଲା । ଖଟ ଉପରେ ମୁଁ ଶୋଇରହି ଶଙ୍କିତା ହୋଇ ପଡ଼ିଲି । ଏକ ଅଜଣା ଭୟରେ ମୁଁ ଶିହରି ଉଠୁଥିଲି ।

 

ମୋର ଏ ଅବସ୍ଥା ଦେଖି ସ୍ଵାମୀ ଖୁବ୍‌ ହିଂସ୍ର ହୋଇଉଠିଲେ । ଆଉ ପ୍ରତିବଦଳରେ ମୋତେ ଖୁବ୍‌ ମାରିଲେ ଏବଂ ମୋତେ ବେଶ୍ୟା, କୂଳଟା, ହତଲକ୍ଷ୍ମୀ କହି ଘରୁ ତଡ଼ିଦେଲେ ।

 

ସେତେବେଳେ ମୁଁ ଖୁବ୍‌ ଆଗ୍ରହରେ ପ୍ରମୋଦ ପାଖକୁ ଦୌଡ଼ି ଯାଇଥିଲି । ଭାବିଥିଲି ପ୍ରମୋଦ ମୋତେ ଗ୍ରହଣ କରିବ । ତାରି ଯୋଗୁଁ ତ ମୋର ଏ ଅବସ୍ଥା !

 

ସେଦିନ ପ୍ରଥମ କରି ପ୍ରମୋଦ ମୋର ଅନୁରାଗର ମହାଦ୍ରୁମ ମୂଳରେ କୁଠାରଘାତ କଲା– ମୋତେ ବିବାହ କରିପାରିବ ନାହିଁ ବୋଲି ସ୍ପଷ୍ଟ ମନା କରିଦେଲା ।

 

ଆମ ଦୁହିଁଙ୍କ ବିବାହରେ ପ୍ରତିବନ୍ଧକରୂପେ ଛିଡ଼ା ହେଲା ଏ ସମାଜ ! ପ୍ରମୋଦର ବାପା ମା’ ମୋତେ ବୋହୂ କରି ନେବାପାଇଁ ସ୍ପଷ୍ଟ ମନା କରିଦେଲେ । ସେମାନଙ୍କ ଆଖିରେ ମୁଁ ବେଶ୍ୟା, କୂଳଟା, ପରକୀୟା । ମୋତେ ବୋହୂ କରି ନେଲେ ତାଙ୍କ ଘରୁ ଲକ୍ଷ୍ମୀ ଚାଲିଯିବେ ।

 

ଏ ଦୁର୍ଦ୍ଦିନରେ କାନ୍ଦିବା ପାଇଁ ମୋ ଆଖିରେ ଆଉ ଲୁହ ନଥିଲା । ସବୁ ଝରି ଶୁଖି ଯାଇଥିଲା ।

 

..ଭଗବାନ ସୁଖର । ତାଙ୍କ ବ୍ୟତୀତ ଆଉ କେଉଁଠି ସୁଖର ଲେଶମାତ୍ର ନାହିଁ । ପୁରୁଷକୁ ଭଲ ପାଇ ସୁଖ ଖୋଜିଲେ ଅଶାନ୍ତି ହିଁ କେବଳ ସାର ହୋଇଥାଏ ।

 

ମୋ ମା’ ମୋର ଏ ଅଧଃ ପତନକୁ ସହ୍ୟ କରିପାରିଲାନି । ସେ ଆଉ ପାରି ନଥିଲା । ବେଶ୍ୟା ବୃତ୍ତିକୁ ଛାଡ଼ି, ରକ୍ଷିତାରୁ ନିଜକୁ ବଞ୍ଚିତ କରି ସେ ଯେଉଁଥିପାଇଁ ଏଠିକି ଆସିଥିଲା, ସେଥିରୁ ସେ କ’ଣ ପାଇଲା ।

 

ଆଉ ବାପା...... ।

 

ତାଙ୍କ କଥା ନ କହିବା ଭଲ । ସେତ ସେଇଦିନଠୁଁ ପାଗଳ ହୋଇଗଲେ । ସେଠାରୁ ମୋତେ ସେ ଘରକୁ ନେଇ ଆସିଲେ । ମୁଁ ଓ ସେ ଦୁହେଁ ଆମ ଘରେ ଥାଉ ।

 

ଦିନେ ସକାଳେ’ ଦେଖିଲାବେଳକୁ ସେ ଆଉ ନଥିଲେ, ଥିଲା ଖଣ୍ଡେ ଚିଠି । ବାପାଙ୍କ ନିଜ ହାତଲେଖା ।

 

ଲେଖିଥିଲେ–ମା’ରେ, ମୁଁ ଯାଉଛି । କୁଆଡ଼େ ଯାଉଛି ଠିକ୍‌ ନାହିଁ । ଯାଉ ଯାଉ ଯୁଆଡ଼େ ଚାଲିଯିବି । ତୋର ବାପା ହୋଇ ପୁଣି ତୋର ଏ ଅବସ୍ଥା ଦେଖିବାକୁ ମୋ ଭାଗ୍ୟରେ ଥିଲା ! ତୋ ପାଇଁ ମୁଁ କିଛି କରି ପାରିଲିନାହିଁ । ଏଇ ଅବଶୋଷ ନେଇ ମୁଁ ଘର ଛାଡୁଛି । ପାରିବୁ ଯଦି ମୋତେ କ୍ଷମା ଦେବୁ ।

 

ସେଦିନ ମୁଁ ନିର୍ବେଦ ହୋଇ ଯାଇଥିଲି । ସବୁଆଡ଼ ଖାଲି ମୋତେ ଅନ୍ଧାର ଦିଶୁଥିଲା । ଆଉ କାନ୍ଦିବାକୁ ମୋ ଆଖିରେ ଲୁହ ନଥିଲା ।

 

ସେଇ ମୁହୂର୍ତ୍ତରୁ ମୁଁ ହେଲି ବନ୍ଧନ ମୁକ୍ତ ।

 

ମୁକ୍ତ ବିହଙ୍ଗୀ ।

 

ମୁଁ ନିଜେ ନିଜକୁ ଶାନ୍ତ୍ୱାନା ଦେଲି । ବଞ୍ଚି ରହିବାକୁ ସଂଗ୍ରାମ କରିବା ପାଇଁ ଠିକ୍‌ କଲି । ଘରେ କିଛି ପଇସା ଥିଲା । ସବୁକୁ ନେଇ ମୁଁ ସହରକୁ ଚାଲି ଆସିଲି ।

 

ଏଇଠି ମୋର ସେ କଳଙ୍କମୟ ଇତିହାସର ପରିସମାପ୍ତି, ତଟିନୀ ।

 

ତା’ପରେ ମୁଁ ନର୍ସିଂ ଟ୍ରେନିଂ ଗଲି ଏବଂ ଏଇଠି ଆରମ୍ଭରୁ ରହି ଆସିଛି ।

 

ସୁରମା ଦିଦିଙ୍କର ଅତୀତ ଜୀବନ କାହାଣୀ ସମାପ୍ତ ହୋଇଛି ।

 

ସେ ମୋର ମତାମତ ଲୋଡୁଛନ୍ତି ।

 

କି ମତାମତ ମୁଁ ତାଙ୍କୁ ଦେବି । ତାଙ୍କୁ ପ୍ରବୋଧନା ଦେଲାଭଳି ଭାଷା ମୋର କ’ଣ ଅଛି-

 

ଏଠାରେ ରୋଗୀମାନଙ୍କର ସେବାରେ ନିଜକୁ ନିୟୋଜିତ କରି ମୋ ମନର ସେ ମଇଳାକୁ ଧୋଇ ସଫା କରିଦେବା ପାଇଁ ଚେଷ୍ଟା କରିଛି । ହେଲେ ପାରିନି ! ସାରା ଦିନ ନିଜକୁ ସେବା ଭିତରେ ବୁଡ଼ାଇ ରଖି ସିନା ଭୁଲିଯାଏ । ହେଲେ ନିଃଶବ୍ଦ ରାତ୍ରୀରେ ମୋର ସବୁ କଥା ମନେପଡ଼େ । ବ୍ୟର୍ଥତାର ଏକ ମର୍ମନ୍ତୁଦ ହା, ହାକାର ଘେନି ଅତୀତ ଅପକର୍ମର ଦୈତ୍ୟ ଯେପରି ବିକଟାଳ ମୂର୍ତ୍ତୀ ଧାରଣ କରି ମୋତେ ଗ୍ରାସ କରିବାକୁ ଧାଇଁ ଆସେ । ମୁଁ ଶ୍ଵାସରୁଦ୍ଧ ହୋଇଉଠେ । ଅନୁତାପର ଯନ୍ତ୍ରଣାରେ ମୋର ଧମନୀ ଭିତରେ ଶତ ବୃଶ୍ଚିକ ଦଂଶନର ଜ୍ଵାଳା ଭରି ଯାଉଥିଲା । ଓଃ ସେ କି କଷ୍ଟ ।

 

ଆଜି ଆଉ ସେ ଯନ୍ତ୍ରଣା ନାହିଁ । ମୁଁ ଶାନ୍ତିରେ ଟିକେ ନିଃଶ୍ଵାସ ମାରୁଛି । ନିଜ ଅତୀତ ଦୁର୍ବଳତା ପାଇଁ ଭଗବାନଙ୍କ ନିକଟରେ ଅକପଟ ଚିତ୍ତରେ ପ୍ରାର୍ଥନା କରିଛି । ବୋଧହୁଏ ସେ ମୋତେ କ୍ଷମା ଦେଇଛନ୍ତି ।

 

ବୋଧହୁଏ ରାତ୍ରୀର ଅବସାନ ଘଟିଲାଣି ।

 

ମୋର ଆଖିପତା ମୁଦିହୋଇ ଆସୁଥିଲା ।

 

ମୋର ବିଶ୍ରାମ ଦରକାର ।

 

କିନ୍ତୁ ସୁରମା ଦିଦିଙ୍କର ବ୍ୟଥା-ବତୁରା ଅତୀତର ପ୍ରଭାବ ଏବେ ବି ମୋ ଭିତରେ ଜଡ଼ିରହି ମୋ ମନକୁ ଭାରାକ୍ରାନ୍ତ କରୁଥିଲା । ଆଜି କାହିଁକି ମୋର ମନୋରମା କଥା ମନେ ପଡୁଛି-

 

ମନୋରମା ମୋତେ ଦେଖିବାକୁ ଆସିଛି ।

 

ମନୋରମା ମୋ ବାଲ୍ୟ ସାଥୀ । ଦୁହେଁ ଏକ ସଙ୍ଗରେ ପିଲାଟି ଦିନରୁ ବଢ଼ି ଆସିଛୁ । ଦୁହେଁ ସାଥୀ ହୋଇ ପଢ଼ିଛୁ । ତା’ର ଅତୀତ ସହ ମୁଁ ପୂର୍ବରୁ ପରିଚିତ । କିନ୍ତୁ ଏତେ ଦିନ ପରେ ଏଇ ଆକସ୍ମିକ ସାକ୍ଷାତରେ ମୁଁ ନିଜ ଆଖିକୁ ବିଶ୍ଵାସ କରି ପାରିଲିନି । ଖୁବ୍‌ ଝଡ଼ି ଯାଇଥିଲା ସେ । ଯୌବନର ମଧ୍ୟାହ୍ନରେ ସେ ଏବେ ପାଦ ଦେଇଛି । ତଥାପି ତାକୁ ବାର୍ଦ୍ଧକ୍ୟ ଗ୍ରାସ କରିଛି । ଅତୀବ ସୁନ୍ଦର ଗୌର ବର୍ଣ୍ଣର ସେଇ ଝିଅଟିର ମୁହଁ ପାଣ୍ଡୁର, ଶୁଷ୍କ, ଅର୍ଥହୀନ ହୋଇଯାଇଛି । ମଥାର କେଶରାଶି, ଯାହାକୁ ସେ ନିତି ନୂତନ ପ୍ରକାରରେ ସଜାଡ଼ି ରଖୁଥିଲା, ଯାହା ଗଭାରେ ସଦା ମଲ୍ଲୀ ଫୁଲର ବାସ୍ନା ଚହଟୁଥିଲା, ସେ ଆଜି ଅସଞ୍ଜତ, ଅବିନ୍ୟସ୍ତ ଆଲୁଳାୟିତ । ଖୁବ୍‌ ହାଲ୍‌କା ତାର ପରିଧାନ, ସତେ ଯେପରି କୌଣସି ଆଶ୍ରମ ବାସିନୀ !

 

କିନ୍ତୁ କାହିଁକି ?

 

କେଉଁଥି ପାଇଁ ତା’ର ଏ ବେଶ ?

 

ଏକଦା ତା’ର ରୂପ ଥିଲା । ପ୍ରଚୁର ରୂପ । ରୂପର ସେ ଯେପରି ଗନ୍ତାଘର । ବିହି ତାକୁ ଦୁନିଆର ସକଳ ରୂପ ଦେଇ ଗଢ଼ିଥିଲା । ସେ ରୂପରେ ବିଜୁଳିର ଝଟକ ଥିଲା । ଝରଣାର ଛନ୍ଦ ଥିଲା । ମହୁର ମଦକତା ଭରି ରହିଥିଲା ।

 

ମନୋରମାର ମଥାରେ ଶୋଭା ପାଉଥିଲା ଘନକୃଷ୍ଣ କେଶରାଶିର ଝରଣା । ସେ ଝରଣା କଟୀ, ନିତମ୍ବ ଅତିକ୍ରମ କରି ଝରିଯାଉଥିଲା ଆହୁରି ତଳକୁ । ପୁଣି ତା’ର ଆକର୍ଣ୍ଣ ବିସ୍ତୃତ ଧନୁଭଙ୍ଗୀର ଜଜ୍ଜଳ ଭୂରୁ ଦୁଇଟି ମୃଗୁଣୀ ନୟନକୁ ଏପରି ଆକର୍ଷି ଧରିଥାଏ ଯେ, ମନେହୁଏ ପଲକମାତ୍ରେ ସତେ ଅବା ତା’ଭିତରୁ ବାହାରି ଆସୁଛି ସହସ୍ର କାମବାଣ ସମଗ୍ର ବିଶ୍ଵକୁ ମୋହ ଜର୍ଜର କରିବା ପାଇଁ ।

 

ତା’ର ସେ ଶୁକ ଚଞ୍ଚୁର ନାସିକା, ଫୁଟନ୍ତା ଗୋଲାପର ଗଣ୍ଡ, ଚଟୁଳ ଆରକ୍ତ ଅଧର, ଆଉ ଦେହର ଅପୂର୍ବ କାନ୍ତି ମୁହୂର୍ତ୍ତେ ଦେଖିଲେ, ଦିନ ଦିନ, ମାସ ମାସ ଧରି ଦେଖିବାକୁ ଇଚ୍ଛା ହୁଏ-। ତା’ ରୂପରେ ଝାସ ଦେବାକୁ ଇଚ୍ଛାହୁଏ ।

 

ଏକ ମଧ୍ୟବିତ୍ତ ପରିବାରରେ ତା’ର ଜନ୍ମ । ବାପା ତା’ର ହାଇସ୍କୁଲର ପ୍ରଧାନ ଶିକ୍ଷକ । ପିଲାଟି ଦିନରୁ ମନୋରମା ମାଆଙ୍କୁ ହରାଇ ଥିଲା । ତା’ ବାପା ଥିଲେ, ବାପ ଏବଂ ମା’ ଉଭୟେ । ମା’ର ଅଭାବ ବୋଧ ନ କରିବା ପାଇଁ ସେ ତାକୁ ଖୁବ୍‌ ଭଲ ପାଉଥିଲେ । ସେ କେବେହେଲେ ମା’ର ଅଭାବ ଅନୁଭବ କରୁନଥିଲା ।

 

ମନୋରମା ଏବଂ ତା ଭାଇ ଓ ତା’ର ବାପା । ତାଙ୍କର ପରିବାର ବୋଇଲେ ମାତ୍ର ଏଇ ତିନି ଜଣ । ଖୁବ୍‌ ଖୁସିରେ ଚଳି ଯାଉଥିଲେ ସେମାନେ । ତା’ ଭାଇ ମଧ୍ୟ ତାକୁ ଖୁବ୍‌ ଭଲପାଉଥିଲେ-

 

ଦିନ ପରେ ଦିନ ଗଡ଼ି ଚାଲେ ।

 

ବାଲ୍ୟ ଯାଇଁ ଯୌବନରେ ପଦାର୍ପଣ କରେ ମନୋରମା ।

 

ବୟସର କାଉଁରୀ ସ୍ପର୍ଶରେ ତା ଦେହ ପୁଷ୍ପର ମୁଦ୍ରିତ କଳିକା ଧୀରେ ଧୀରେ ମୁକୁଳି ଯାଇଁ ସୁରଭି ବିଞ୍ଚି ଦିଏ ସମୀର ରେଣୁରେ । ରୂପର ବନ୍ୟା ତା’ ଦେହରେ ହସି ଉଠେ ।

 

ଏ ମଧ୍ୟରେ ତା’ ବାପା ଶିକ୍ଷକତାରୁ ଅବସର ନେଇଛନ୍ତି । ବାର୍ଦ୍ଧକ୍ୟ ତାଙ୍କୁ ଗ୍ରାସ କରିଛି । ପୁଅକୁ ବିବାହ ଦେଇ ଘରକୁ ବୋହୂ ଆଣିଛନ୍ତି । ଏବେ ଘରର ଦାୟିତ୍ଵ ପୁଅ ବୋହୂଙ୍କ ଉପରେ ଛାଡ଼ି ସେ ବିଶ୍ରାମ ଚାହାଁନ୍ତି ।

 

ତେବେ ଆଜିକାଲିର ପୁଅ ବୋହୂଙ୍କୁ ବିଶ୍ଵାସ କରିପାରନ୍ତି ନାହିଁ ମନୋରମାର ବାପା । ସେଥିପାଇଁ ସେ ମନୋରମାକୁ ବିବାହ ଦେଇ ଜଞ୍ଜାଳରୁ ମୁକ୍ତି ପାଇବା ପାଇଁ ଚେଷ୍ଟା କଲେ । ଗୋଟିଏ ମାତ୍ର ଝିଅ । ଖୁବ୍‌ ଅଲିଅଳରେ ବଢ଼ି ଆସିଛି ।

 

ସେ ଭାବିଥିଲେ ପୁଅକୁ ବିବାହ କରିଦେଲେ, ବୋହୂ ସବୁ କଥା ବୁଝିବ । ମନୋରମାର ଚିନ୍ତା ଆଉ ତାଙ୍କୁ ବାଧିବନି । କିନ୍ତୁ ଫଳ ହେଲା ଓଲଟା । ବଡ଼ଘର ଦେଖି ସେ ତାଙ୍କ ପୁଅକୁ ବିବାହ ଦେଇଥିଲେ । ଭାବିଥିଲେ, ଆଭିଜାତ୍ୟ ବଂଶର ଝିଅ ଯେତେବେଳେ, ଶାଳୀନତା, ଶିଷ୍ଟାଚାର ଜାଣିଥିବ । କିନ୍ତୁ ସବୁକିଛି...... ।

 

ସେ ଦିନର କଥା ତାଙ୍କର ମନେ ଅଛି । ଏବଂ ମନେ ମଧ୍ୟ ତାଙ୍କର ସବୁଦିନ ଥିବ । ପେନ୍‌ସନ ଟଙ୍କା ମିଳିବାର ଥାଏ । ଦେହଟା କୌଣସି କାରଣରୁ ଭଲ ଲାଗୁ ନଥାଏ । ବାପାଙ୍କର ଏ ଅସୁସ୍ଥତାକୁ ଉପଲବ୍‌ଧି କରିପାରି ମନୋରମା କହିଥିଲା– ବାପା ! ପେନ୍‌ସନ ଟଙ୍କା ଆଣିବାକୁ ଯିବପରା, ରିକ୍‌ସାରେ ଯାଅ, ତୁମ ଦେହ ଭଲ ନାହିଁ ପରା ।

 

ସୁଦର୍ଶନ ବାବୁ (ମନୋରମାର ବାପା) ଭାବିଥିଲେ, ମନୋରମା ଠିକ୍‌ କହିଛି । ଦେହଟା ଯେତେବେଳେ ଅବଶ ଲାଗୁଛି, ଚାଲି ଚାଲି ନଯାଇ ରିକ୍‌ସାରେ ଯିବା ଠିକ୍‌ ହେବ । କିନ୍ତୁ ରିକ୍‌ସା ଭଡ଼ା... ! ଗୋଟିଏ ହେଲେ ତ ପଇସା ତାଙ୍କ ପାଖରେ ନାହିଁ । ଯାହା ସେ ପେନ୍‌ସନ୍‌ ପାଆନ୍ତି, ସବୁତ ବୋହୂକୁ ଦେଇ ଦିଅନ୍ତି । ବୋହୂଠାରୁ ରିକ୍‌ସା ଭଡ଼ାଟା ନେଇଯିବା ପାଇଁ ଠିକ୍‌ କରି ସୁଦର୍ଶନ ବାରୁ ବୋହୂଙ୍କ ପାଖକୁ ଯାଇ ମାଗିଥିଲେ ।

 

ଅତି ଆଦରରେ ସେ ବୋହୂ ପାଖକୁ ଯାଇଥିଲେ ଏବଂ ଡାକିଥିଲେ ବୋହୂ, ବୋହୂ । ସେତେବେଳକୁ ବୋଧହୁଏ ବୋହୂ ସୁଖରେ ନିଦ୍ରା ଯିବାପାଇଁ ପ୍ରୟାସୀ ହେଉଥିଲେ । ନିଦରେ ବ୍ୟାଘାତ ଜନ୍ମିବାରୁ ସେ ରାଗିଗଲେ ଏବଂ ରାଗ ଜର୍ଜର ହୋଇ କହିଲେ ଏମାନେ ମଣିଷକୁ ଟିକେ ଶାନ୍ତିରେ ରହିବାକୁ ଦେବେନି !

 

ଚମକି ପଡ଼ିଲେ ସୁଦର୍ଶନ ବାବୁ ! ଏ କ’ଣ କହୁଛି ବୋହୂ । ମୋ ପାଇଁ ସେ ଶାନ୍ତିରେ ରହିପାରୁନି । କାହିଁ କେଉଁଦିନ ହେଲେ ତ ମୁଁ ତାକୁ ବିରକ୍ତ କରିନି । ବୋହୂର ଆଜି କ’ଣ ହେଲା । ତାଙ୍କୁ ଏପରି କହିବାର ଅର୍ଥ କ’ଣ ? ସେ ଭାବି ପାରିଲେନି, ତେବେ ତାଙ୍କର ସେ ମନୋଭାବକୁ ଗୋପନ ରଖି କହିଲେ– କ’ଣ କି ବୋହୂ ! ଆଜି ହେଉଛି ମୋ ପେନ୍‌ସନ୍‌ ମିଳିବାର ଦିନ ।

 

ହଠାତ୍‌ ବୋହୂ ଗର୍ଜି ଉଠି କହିଲେ– ପେନ୍‌ସନ୍‌ ମିଳିବା କଥାତ ମୁଁ କ’ଣ କରିବି । ପେନ୍‌ସନ୍‌ ଟଙ୍କା ମିଳିଲେ କ’ଣ ମୋ ପାଇଁ ସୁନାହାର ଗଢ଼ିଦେବ । କାନ ପାଇଁ ରିଙ୍ଗ୍‌ ଦୁଇହଳ ବଜାରରୁ ନେଇ ଆସିବ ?

 

ଏ କ’ଣ କହୁଛି ବୋହୂ ! ସେ କ’ଣ ତା’ପାଇଁ ହାର ଗଢ଼ି ଦେଇ ନାହାଁନ୍ତି । ରିଙ୍ଗ୍‌ ଦେଇ ନାହାଁନ୍ତି, ସବୁ ଦେଇଛନ୍ତି । ବିବାହ ବେଳେ ନିଜର ଗୋଟିଏ ବୋଲି ବୋହୂ ପାଇଁ ସେ ତ ସବୁ କରି ଦେଇଥିଲେ । ସେତେବେଳେ ସେ ରୋଜଗାର କରୁଥିଲେ, ଦେହରେ ତାଙ୍କର ବଳ ଥିଲା । ଯାହା ଚାହୁଁଥିଲେ କରିପାରୁଥିଲେ । କିନ୍ତୁ ଆଜି ! ସେ ଆଜି ପେନ୍‌ସନ୍‌ ନେଲେଣି । ଏ ବୟସରେ ଖଟିବାକୁ ଆଉ ଦେହରେ ବଳନାହିଁ । ଏଣିକି ସେ ଏ ପରିବାରର ବୋଝ ହୋଇ ରହିଛନ୍ତି । ତାଙ୍କର ମନେ ପଡ଼ୁଥିଲା– ଗତ ଥର ପେନ୍‌ସନ୍‌ ପାଇଥିଲାବେଳେ ମନୋରମା ତାଙ୍କୁ ମିନତି କରି କହିଥିଲା– ବାପା, ମୋ ପାଇଁ ଗୋଟାଏ ଚେନ୍‌ । କଲେଜକୁ ସମସ୍ତେ ଚେନ୍‌ ପକାଇ ଆସୁଛନ୍ତି, ଆଉ ମୁଁ.... । ସୁଦର୍ଶନ ବାବୁ ଝିଅର ସେ ଅଳିକୁ ଭାଙ୍ଗି ଦେଇ ପାରି ନଥିଲେ । ନିଜର ଗୋଟିଏ ବୋଲି କୋଡ଼ପୋଛା ଝିଅ । ପିଲାଟି ଦିନରୁ ମା’କୁ ହରାଇଛି । କେବେହେଲେ ସେ ତାକୁ କୌଣସି ଜିନିଷ ପାଇଁ ମନା କରିନାହାଁନ୍ତି । ଆଉ ଆଜି ତାଙ୍କର ରୋଜଗାର ନାହିଁ ବୋଲି ସେ ମନୋରମାର ଏ ସାମାନ୍ୟ ଅନୁରୋଧକୁ ରକ୍ଷାକରି ପାରିବେନି ।

 

ଗତଥର ପେନ୍‌ସନ୍‌ ପାଇସାରିଲା ପରେ ସୁଦର୍ଶନବାବୁ ମନୋରମା ପାଇଁ ଗୋଟାଏ ସୁନାଚେନ୍‌ କଣି ଆଣିଥିଲେ । ଆଜି ବୋଧହୁଏ ବୋହୂ ସେଥିପାଇଁ ତାଙ୍କୁ ଖୁଣ୍ଟା ଦେଉଛି । ଭୀଷଣ ବାଧିଲା ସୁଦର୍ଶନବାବୁଙ୍କୁ । ତଥାପି ସେ କହିଲେ– ନାହିଁ ବୋହୂ, ଆଜି ଦେହଟା ଖୁବ୍‌ ଅବଶ ଲାଗୁଛି-। ତେଣୁ ଭାବୁଥିଲି ରିକ୍‌ସାରେ ଯିବି ।

ବୋହୂ ପୁଣି କହି ଉଠିଲେ– ଓଃ, ପେନ୍‌ସନ୍‌ ଟଙ୍କାରେ ରିକ୍‌ସା ଚଢ଼ି ବୁଲିବାକୁ ଇଚ୍ଛା ହେଉଛି । ବୁଲୁନା, କିଏ ମନା କରୁଛି । ମତେ ଏ ସବୁ କାହିଁକି କହୁଛ ? ଏତକ କହି ସେ ଘର ଭିତରକୁ ପଶିଗଲେ ।

ସୁଦର୍ଶନ ବାବୁ କହିଲେ– ନାହିଁ ବୋହୂ, ରିକ୍‌ସା ଭଡ଼ା ପାଇଁ କିଛି ପଇସା ଦରକାର ଥିଲା, ସେଇଥିପାଇଁ କହୁଥିଲି ।

– ପଇସା ! ଏଠି ମୋ ପାଖରେ ପଇସାର ଖଣି ପଡ଼ିଛି । ଯିଏ ଯେତେବେଳେ ମାଗିବ, ମୁଁ ଦେଇଦେବି । କେତେଟା ଟଙ୍କା ଦରମା ପାଇବେ ସେ ଯେ ସେଥିରେ ସମସ୍ତେ ଚଳିଵେ-। ପୁଣି କଲେଜ ପଢ଼ା, ଆଉ ପୁଣି ତୁମର ରିକ୍‌ସା ଖରଚ ! ଯଦି ରିକ୍‌ସାରେ ଚଢ଼ି ବୁଲିବାକୁ ଇଚ୍ଛା ହେଉଛି, ତାହେଲେ ରୋଜଗାର କରୁନା ।

କଥାଟା ଭାରି ବାଧିଥିଲା ସୁଦର୍ଶନ ବାବୁଙ୍କୁ । ସତେ ଯେପରି ତାଙ୍କ ଛାତିରେ କିଏ ଛୁରୀ ମାରି ଦେଲା । ସେ କହିଲେ– ତୋ ପାଖରେ ଯଦି ପଇସା ନାହିଁ, ତାହେଲେ ମନା କରିଦେବୁ ମୁଁ ଚାଲିଯିବି । ଏତେ କଥା କହି ଲାଭ କ’ଣ ?

ସାଙ୍ଗେ ସାଙ୍ଗେ ବୋହୂ କହିଲା– ଓ, ମରମ କଥା, ମରମରେ ବାଜିଗଲା ପରା !

ଏ କଥା ତାଙ୍କୁ କଟା ଘା’ରେ ଚୂନ ଦେଲାପରି ଲାଗିଲା । ସେ ଭାବୁଥିଲେ କହିଥାନ୍ତେ, ସେ ରୋଜଗାର କରିନାହାଁନ୍ତି ? ଏତେ ବର୍ଷ ଧରି କିଏ ଘର ଚଳଉଥିଲା ? ପିଲାମାନଙ୍କୁ କିଏ ମଣିଷ କରିଛି ? ଆଜି ତାଙ୍କର ଶକ୍ତି କମିଗଲା ବୋଲି; କିନ୍ତୁ ତାଙ୍କ ପାଟି ଖୋଲିଲା ନାହିଁ । ଫେରି ଆସିଲେ ସେ ।

ଚାଲି ଚାଲି ସେ ପେନ୍‌ସନ୍‌ ଆଣିବାକୁ ଯାଇଥିଲେ । ଫେରି ଆସିଲା ମାତ୍ରେ ମନୋରମା ତାଙ୍କ ଜୀବନର ଏକ ଦାରୁଣ ସମ୍ବାଦ ଦେଇଥିଲା । ପୁଅ ବୋହୂ ଘର ଛାଡ଼ି ଚାଲିଯାଇଛନ୍ତି । ହତବାକ୍‌ ହୋଇଉଠିଲେ ସୁଦର୍ଶନ ବାବୁ ! ପୁଅ ବୋହୂ ଘର ଛାଡ଼ି ଚାଲିଯାଇଛନ୍ତି-? କ’ଣ ଦୋଷ ହେଲା । ସେ ତ ବୋହୂକୁ କିଛି କହି ନାହାଁନ୍ତି ।

 

ମନୋରମା କହିଥିଲା– ଭାଉଜ, ଭାଇ ଆସିବା ମାତ୍ରେ, ଏ ଘର ଛାଡ଼ି ଚାଲିଯିବା ପାଇଁ କହିଥିଲେ । ଭାଉଜ କହିଥିଲେ– ‘ଆପଣ କୁଆଡ଼େ ଭାଉଜଙ୍କୁ ଅପମାନ ଦେଲେ, ଆପଣଙ୍କ ସହ ଚଳି ସେ ଅଣନିଃଶ୍ଵାସୀ ହୋଇ ଯାଉଛନ୍ତି । ଏମିତି ଛୋଟଭାବେ ସେ ଏ ଘରେ ଚଳି ପାରିବେ ନାହିଁ-। ଯେଉଁ ଘରେ ଶାନ୍ତି ନାହିଁ, ସେ ଘରେ ତାଙ୍କ ଭଳି ବୋହୂ ଚଳି ପାରିବନି । ଆଉ ଭାଇ ମଧ୍ୟ ତାଙ୍କ କଥାରେ ରାଜି ହୋଇ ଚାଲିଗଲେ ।

 

ହତବାକ୍‌ ହୋଇ ସୁଦର୍ଶନ ବାବୁ ମନୋରମାର କଥା ଶୁଣୁଥିଲେ । ଏ କ’ଣ ହେଲା ! ସାମାନ୍ୟ କଥାରୁ ପୁଅ-ବୋହୂ ତାଙ୍କୁ ଏ ବୟସରେ ଏକାକୀ ଛାଡ଼ି ଚାଲିଗଲେ । ଶ୍ୱଶୁର ହିସାବରେ ତାଙ୍କର କ’ଣ ବୋହୂକୁ କିଛି କହିବାକୁ ଅଧିକାର ନାହିଁ । ସେ କ’ଣ ଏ ଘରର ତୃତୀୟ ପୁରୁଷ !

 

ଆଉ ତାଙ୍କ ପୁଅ ! ଯାହାକୁ ସେ ନିଜ ପେଟରୁ କାଟି ଆଜି ପର୍ଯ୍ୟନ୍ତ ବଢ଼େଇ ଆଣିଥିଲେ, ପାଠ ପଢ଼େଇ ଏ ସମାଜରେ ପ୍ରତିଷ୍ଠିତ କରିଥିଲେ, ସେ କ’ଣ କଲା ? କିଛି ନ ବୁଝି ନ ସୁଝି ସେ କ’ଣ ସୁଖର ସଂସାର ଗଢ଼ିବାକୁ ଚାଲିଗଲା । ସେ କେତେ ଅଝଟ ଶିଶୁକୁ ମଣିଷ କରି ଗଢ଼ିଛନ୍ତି, ଏଇ ହାତରେ କିନ୍ତୁ ତାଙ୍କ ରକ୍ତର ପୁଅକୁ ସେ ମଣିଷ କରିପାରିଲେ ନାହିଁ, ହାରିଗଲେ । ତାଙ୍କ ଶିକ୍ଷକ ଜୀବନ ବ୍ୟର୍ଥ ହୋଇଗଲା । ଲୋକେ ତାଙ୍କୁ କ’ଣ କହିବେ ? “ସୁଦର୍ଶନ ପଟ୍ଟନାୟକ ଅନ୍ୟକୁ ନୀତିବାଣୀ ଶୁଣାଏ ଅଥଚ ନିଜ ପୁଅ-ବୋହୂଙ୍କୁ ମଣିଷ କରି ପାରିଲା ନାହିଁ ଯେ ସେମାନେ ତାକୁ ଛାଡ଼ି ଚାଲିଗଲେ ।

 

ହତାଶାରେ ଫାଟି ପଡୁଥିଲେ ସୁଦର୍ଶନ ପଟ୍ଟନାୟକ । ତାଙ୍କ ମନରେ ଅନୁତାପ ଆସିଲା, ତଥାପି ସେ କାନ୍ଦି ପାରିଲେ ନାହିଁ । ମନରେ ଧୈର୍ଯ୍ୟ ଧରିଲେ । ଭାବିଲେ, ସେ ଯାଉ, ତାକୁ ଯିବାକୁ ଦିଅ । ସିଏତ ଆଉ ମା’ କୋଳର ଅଝଟ ଶିଶୁ ନୁହେଁ ଯେ, ତାକୁ ପିଞ୍ଜରା ଭିତରେ ଆବଦ୍ଧ କରି ରଖିହେବ । ସିଏ ଆଜି ନିଜ ଗୋଡ଼ରେ ଠିଆ ହୋଇଛି । ନିଜକୁ ପ୍ରତିଷ୍ଠିତ କରି ପାରିଛି । ସିଏ ଯାଉ । ସିଏ ଏକାକୀ ଚଳିଯାଇ ପାରିବେ ।

 

ହେଲେ ମନୋରମା.... ।

 

ତା ଅବସ୍ଥା କ’ଣ ହେବ..... !

 

ମନୋରମାକୁ ବିବାହ ଦେଇ ସେ ଶାନ୍ତିରେ ନିଶ୍ୱାସ ମାରିବାକୁ ସ୍ଥିର କଲେ । ସେ ମନୋରମାର ମତାମତ ଲୋଡ଼ିଥିଲେ । କିନ୍ତୁ ମନୋରମା ରାଜି ହୋଇ ନଥିଲା । ଜୀବନରେ ଏତେ ଶୀଘ୍ର ସେ ବିବାହ ବନ୍ଧନରେ ଛନ୍ଦି ହୋଇ ତା ସ୍ଵପ୍ନିଳ ଭବିଷ୍ୟତକୁ ନଷ୍ଟ କରି ଦେବାକୁ ଚାହୁଁ ନଥିଲେ-। ଉତ୍ତରରେ ସେ ବାପାଙ୍କୁ କହିଥିଲା– ବାପା, ପଢ଼ାଟା ସରିଯାଉ । ‘ତୁମେ କ’ଣ ଚାହଁ ମୁଁ ନପଢ଼େ ।’ ତୁମେ ପରା ଜଣେ ଶିକ୍ଷକ । ତୁମେ କ’ଣ ଚାହଁ ନା ଯେ ତୁମ ଝିଅ ଉଚ୍ଚ ଶିକ୍ଷିତ ହେଉ । ସମାଜରେ ପ୍ରତିଷ୍ଠିତ ହେଉ ।

 

Unknown

ମନୋରମା କଥା ସୁଦର୍ଶନ ବାବୁଙ୍କୁ ଆଘାତ ଦେଇଥିଲା । ଝିଅ ତାଙ୍କର ମରମର କଥା କହିଛି । ସେ ତ ଶିକ୍ଷକ । ଅନ୍ୟକୁ ପଢ଼େଇ ମଣିଷ କରିବା ଥିଲା ତାଙ୍କ କର୍ତ୍ତବ୍ୟ । କିନ୍ତୁ ଆଜି ତାଙ୍କ ନିଜ ଝିଅକୁ ସେ ପଢ଼ାଇ ନପାରି ବିବାହ ଦେବାକୁ ଚାହୁଁଛନ୍ତି । ଭାଗ୍ୟର କି ବିଡ଼ମ୍ବନା ! ଆଖିରେ ତାଙ୍କର ଲୁହ ଭରିଗଲା ।

 

ବାପାଙ୍କର ଏ ବିଷର୍ଣ୍ଣତାକୁ ଠିକ୍‌ଭାବେ ଲକ୍ଷ୍ୟ କରିଥିଲା ମନୋରମା । ସିଦ୍ଧାନ୍ତ କରିଥିଲା, ଭାଇଙ୍କୁ ସେ ଫେରିଆସିବାକୁ ଅନୁରୋଧ କରିବ । ଭାଇ ଫେରି ଆସିଲେ ତାଙ୍କ ସଂସାର ପୁଣି ହସି ଉଠିବ ।

 

ଭାଇଙ୍କୁ ଲେଉଟାଇ ଆଣିବା ପାଇଁ ମନୋରମା ଯାଇଥିଲା । ଘରେ ତା’ର ଭାଇ ନଥିଲେ । ଭାଉଜ ତା’ର ଜଣେ ଯୁବକ ବନ୍ଧୁ ସହ ଇଂରେଜୀ ବାଦ୍ୟର ତାଳରେ ଟୁଇଷ୍ଟ ନାଚୁଥିଲେ-। ଏହା ଦେଖି, ମନୋରମା ଅସହ୍ୟ ହୋଇ ଉଠିଥିଲା । ପଚାରିଥିଲା– ଭାଉଜ ! ଭାଇ ନାହାଁନ୍ତି ? ଭାଉଜ କହିଥିଲେ– ତୁମକୁ ଲାଜ ଲାଗୁନି, ମୋତେ ଭାଉଜ ବୋଲି ସମ୍ବୋଧନ କରିବାକୁ ? ଛୋଟ ଲୋକ ।

 

ଭାଉଜଙ୍କଠୁଁ ଏପରି ବ୍ୟବହାର ପାଇବାକୁ ମନୋରମା ଆଶା କରି ନଥିଲା । ସେ ସେଠାରୁ ପଳେଇ ଆସିଥିଲା । ବାଟରେ ତା’ର ଭାଇଙ୍କ ସହ ଦେଖା ହୋଇଥିଲା । ଭାଇ ତାହାର ଗାଡ଼ି ଅଟକାଇ ଭଲ, ମନ୍ଦ ତଥା ପରିବାରର କଥା ପଚାରିଥିଲେ ଏବଂ ଚଳିବା ପାଇଁ କିଛି ଟଙ୍କା ଯାଚିଥିଲେ ।

 

ସେତେବେଳକୁ ଭାଇ-ଭାଉଜଙ୍କ ପ୍ରତି ତା’ର ଘୃଣା ଆସିଯାଇଥାଏ । ଭାଉଜ ତା’ର ପରପୁରୁଷ ସହ ବିଦେଶୀ ଢାଞ୍ଚାରେ ଟୁଇଷ୍ଟ ନାଚୁଛନ୍ତି । ପଚାରିଥିଲା ସେ ଭାଇଙ୍କୁ, କହିଥିଲା– ମୁଁ ଟଙ୍କାପାଇଁ ଆସିନାହିଁ । ମୁଁ ଆଜି ଆସିଛି ତୁମ ପାଖକୁ ଇଜ୍ଜତ, ସମ୍ମାନ ପାଇଁ । ଦେଇ ପାରିବ ମୋତେ, ମୋତେ ତୁମେ ଦେଇ ପାରିବ ଭାଇ ପଟ୍ଟନାୟକ ବଂଶର ଇଜ୍ଜତ । ପୁରଷ୍କାର ପ୍ରାପ୍ତ ଶିକ୍ଷକ ସୁଦର୍ଶନ ପଟ୍ଟନାୟକଙ୍କର ସମ୍ମାନ ।

 

ତୁମେ କୁହ ଭାଇ ! ବିବାହ କରି ପରପୁରୁଷ ସହ ବିଦେଶୀ ପାନୀୟ ଓ ସଂଗୀତରେ ଟୁଇଷ୍ଟ ନାଚି ନିଜକୁ ହଜାଇ ଦେବା କ’ଣ ଆମ ବଂଶର ଆଭିଜାତ୍ୟ, ଆମ ବଂଶର ସମ୍ମାନ । କୁହ ଭାଇ, ଏଇଥି ପାଇଁ କ’ଣ ବାପା ତୁମକୁ ପାଠ ପଢ଼େଇ ମଣିଷ ଭଳି ମଣିଷ କରିଥିଲେ । ଆଜି କାହାକୁ ନେଇ ବାପା ଗର୍ବ କରିବେ । ତୁମେ ଏଡ଼େ ଛୋଟ, ଏଡ଼େ ଇତର ! ତୁମେ ପାଠ ପଢ଼ିଥିଲ କ’ଣ ଏଇଥି ପାଇଁ ? କ’ଣ ତୁମର ହୋଇଗଲା, ଏତେ ଛୋଟ ତୁମେ କେମିତି ହୋଇଗଲ । ଆଜି ତୁମକୁ ଭାଇ ବୋଲି ସମ୍ବୋଧନ କରିବାକୁ ମୁଁ ଘୃଣା କରୁଛି । ତୁମେ କେବେହେଲେ ସୁଦର୍ଶନ ପଟ୍ଟନାୟକଙ୍କର ପୁଅ ହୋଇ ପାରନା, ତା ପୁଅ ମରିଯାଇଛି ।

 

ମନୋରମାକୁ ହଲେଇ ଦେଇ ତା’ ଭାଇ ତାକୁ ପଚାରିଥିଲେ– ଏ କ’ଣ ତୁ କହିଯାଉଛୁ-? ତୋ ମୁଣ୍ଡ କ’ଣ ଖରାପ ହୋଇ ଯାଇଛି ।

 

ମୁଁ ପାଗଳ ହୋଇ ଯାଇନାହିଁ ଭାଇ ! ମୁଁ ଠିକ୍‌ ଅଛି । ହେଲେ ବଦଳି ଯାଇଛ ତୁମେ । ଯାଅ ଦେଖିବ, ପଟ୍ଟନାୟକ ବଂଶର କୂଳବୋହୂ ଆଜି ଅନ୍ୟ ପୁରୁଷର ଅଣ୍ଟାରେ ହାତ ରଖି ଟୁଇଷ୍ଟ ନାଚୁଛି । ଏତକ କହିଦେଇ ସେ ଚାଲି ଆସିଥିଲା ।

 

ସେଠୁ ଫେରି ବାପାଙ୍କ କଥାରେ ରାଜି ହୋଇ ଯାଇଥିଲା । ଆଉ ଉପାୟ ମଧ୍ୟ ନଥିଲା-। କାରଣ ପଢ଼ିବାକୁ ତାଙ୍କ ପାଖରେ ଆଉ ସମ୍ବଳ ନଥିଲା । କେତେଟା ବା ପେନ୍‌ସନ୍‌ ଟଙ୍କା ପାଇବେ ତା ବାପା । ସେଥିରେ ସେମାନେ ଚଳିବେ ଏବଂ ସେ ପଢ଼ିବ । ବାଧ୍ୟହୋଇ ବିବାହ କରିଥିଲା ମନୋରମା ।

 

ଗୋଟିଏ ଭଲ ଯାଗାରେ ମନୋରମାର ବିବାହ ହୋଇଥିଲା । ସ୍ଵାମୀ ତା’ର ଏୟାର ପାଇଲଟ୍‌ ସ୍ଵର୍ଣ୍ଣ ପଦକ ପ୍ରାପ୍ତ । ଖୁସି ମଧ୍ୟ ହୋଇଥିଲା ମନୋରମା । ଶାଶୂ, ଶଶୁରଙ୍କର ଅନାବିଳ ସ୍ନେହ ଓ ସ୍ଵାମୀଙ୍କ ପ୍ରେମରେ ନିଜକୁ ସେ ଧନ୍ୟ ମନେ କରିଥିଲା ।

 

ତା’ର ସେ ଖୁସିରେ ସୁଦର୍ଶନ ବାବୁ ମଧ୍ୟ ଖୁସି ହୋଇଥିଲେ, କାରଣ ସେ ଯାହା ଆଶା କରିଥିଲେ, ତାହା ସେ କରିପାରିଛନ୍ତି । ଏଣିକି ଆଉ ତାଙ୍କର କିଛି ଚିନ୍ତା ନାହିଁ, ଏକୁଟିଆ ସେ ଚଳିଯାଇ ପାରିବେ ।

 

ହେଲେ ଭଗବାନ କା’ର ସୁଖ ସହିପାରନ୍ତି ନାହିଁ । ବିବାହର ଏକବର୍ଷ ନ ପୁରୁଣୁ ମନୋରମାର ସ୍ଵାମୀ ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ମନୋରମା ଜୀବନର ପ୍ରାତଃରେ ହିଁ ଝଡ଼ ବହିଥିଲା ।

 

ମନୋରମାର ଏ ବିପର୍ଯ୍ୟୟରେ ଭାଙ୍ଗି ପଡ଼ିଥିଲେ ସୁଦର୍ଶନ ବାବୁ । ଏ କ’ଣ ହେଲା ! ସେଦିନ ସେ ମନୋରମାକୁ କହିଥିଲେ– ତୋର ଏ ଅବସ୍ଥା ଦେଖିବା ଆଗରୁ ମୋର ମୃତ୍ୟୁ କାହିଁକି ନହେଲା । ତୋର ଏ ଅବସ୍ଥା ଦେଖିବାକୁ ପୁଣି ମୋ ଭାଗ୍ୟରେ ଥିଲା । ଦୁଃଖରେ ସେ ଆଉ ବିଛଣାରୁ ଉଠି ନଥିଲେ । ରୋଗ ତାଙ୍କୁ ଗ୍ରାସ କରିଥିଲା ।

 

ମନୋରମା ଭାଙ୍ଗି ପଡ଼ି ନଥିଲା । ପୁଣି ଏ ସଂସାରରେ ବଞ୍ଚିବାକୁ ସଂଗ୍ରାମ କରିଥିଲା । ବାପାଙ୍କ ସେବା କରିଥିଲା । ବାପାଙ୍କ ଏ ଦୁର୍ଦ୍ଦିନରେ ସେ କୁଆଡ଼େ ଯାଇ ନଥିଲା ।

 

ଏ ହେଲା ଅନେକ ଦିନ ତଳର ଘଟଣା । ତା’ପରେ ମୋର ମନୋରମା ସହ ଦେଖା ହୋଇ ନଥିଲା । ଦୁହେଁ ଦୁହିଁଙ୍କ ଠାରୁ ଘଟଣା ପ୍ରବାହରେ ଦୂରେଇ ଯାଇଥିଲୁ । ପୁଣି ବହୁ ବର୍ଷ ପରେ ସେ ଆସିଛି ମୋତେ ଦେଖିବାକୁ.... ।

 

ମୁଁ ମନୋରମାକୁ ଏକ ପ୍ରଶ୍ନିଳ ଦୃଷ୍ଟିରେ ଚାହିଁଲି । ବହୁତ ଝଡ଼ି ଯାଇଥିଲା ସେ । ପଚାରିଲି, ତୋ ବାପା କିପରି ଅଛନ୍ତି । ତୁ ବର୍ତ୍ତମାନ କ’ଣ କରୁଛୁ ?

 

ମନୋରମାର ଦୁଇ ଆଖିରୁ ଲୁହଧାର ଗଡ଼ିଆସିଲା ।

 

– ବାପା, ଆଉ ଏ ସଂସାରରେ ନାହାଁନ୍ତି ଲୋ ! ଅନେକ ଦିନ ହେବ ସେ ମୋତେ ଏକାକୀ କରି ଚାଲିଯାଇଛନ୍ତି ।

 

ଆଉ ତୁ……… ?

 

– କେମିତି ଅଛି, ଆଉ ଚଳୁଛି ! ଏଇ କଥା– ମୋ ପାଟିରୁ କଥା ଛଡ଼ାଇ ନେଇ ପଚାରି ବସିଥିଲା ମନୋରମା, ବାପା ମୋତେ ଛାଡ଼ି ଚାଲିଯିବା ପରେ ମୁଁ କେମିତି ଚଳୁଥିବି ବୋଲି ତୁ ଭାବୁଛୁ କହିଲୁ ? ତୁ ତ ସବୁ ଜାଣିଛୁ । ନିକଟସ୍ଥ ସ୍କୁଲରେ ଚାକିରି କରିଛି । ଶିକ୍ଷୟିତ୍ରୀ ।

 

ଆଗ ଅପେକ୍ଷା ବହୁତ ଝଡ଼ି ଯାଇଛୁ ତ ? କ’ଣ ଦେହ ଭଲ ନଥିଲା– ମୁଁ ପଚାରିଲି ।

 

– ଦେହ ଭଲ ଥିଲା କିନ୍ତୁ ମନ ଭଲ ନଥିଲା ।

 

ମୁଁ ଚୁପ୍‌ ରହିଲି ।

 

ସଙ୍ଗେ ସଙ୍ଗେ ସେ କହିଲା– ଜୀବନଟାକୁ ତୁ କେବେ ବିଶ୍ଳେଷଣ କରିଛୁ ? ସତ୍ୟ ବୋଲି ଯାହା ଧାରଣା ହୋଇଥାଏ, ତାହା ପୁଣି କେମିତି ଖୁବ୍‌ ଶୀଘ୍ର ମିଥ୍ୟା ହୋଇଯାଏ । ଜୀବନଟା ଗୋଟାଏ ଖେଳଘର ଲୋ ତଟିନୀ, ଧୂଳି ଝଡ଼ ଆସିଲେ ଭାଙ୍ଗିଯାଏ, ପୁଣି ଗଢ଼ିଲେ ବି ଗଢ଼ି ହୋଇଯାଏ ।

 

ମୁଁ କିନ୍ତୁ କେବେ ଏ କଥାରେ ଏକମତ ନୁହେଁ । ଜୀବନଟାକୁ ଗୋଟାଏ ଏକ୍‌ସିଡେଣ୍ଟ ବୋଲି ମୁଁ ଭାବି ପାରିଲି ନାହିଁ । ଜୀବନ ହିଁ ସତ୍ୟ-ଶିବ-ସୁନ୍ଦର । ଆଉ ମଧ୍ୟ ଜୀବନର ପ୍ରତ୍ୟେକ ଆଘାତ, ପ୍ରତିଘାତ, ସୁଖ ଦୁଃଖକୁ ମୁଁ କେବେହେଲେ ଖେଳଘର ବୋଲି ଭାବିନାହିଁ ।

 

ସେ ମୋ ହାତ ପାପୁଲିକୁ ଧରି କହିଲା– ସୁରେଶ ମଧ୍ୟ ଠିକ୍‌ ଏଇ କଥା କହନ୍ତି ଲୋ ତଟିନୀ !

 

ସୁରେଶ ?

 

ବାପାଙ୍କର ଜଣେ ଅନୁରକ୍ତ ମେଧାବୀ ଛାତ୍ର ।

 

କ’ଣ କୁହନ୍ତି ?

 

ସେ ଠିକ୍‌ ଏମିତି କୁହନ୍ତି । ତୁ ବୋଧହୁଏ ତାଙ୍କୁ ଦେଖିନାହୁଁ । ବଡ଼ଭାଇଙ୍କର କ୍ଲାସ୍‌ମେଟ୍‌-। ଖୁବ୍‌ ମେଧାବୀ ଛାତ୍ର । ବାପା ତାଙ୍କୁ ଖୁବ୍‌ ଭଲ ପାଉଥିଲେ । ଆଇ. ଏ. ଏସ୍‌. ପରୀକ୍ଷା ଦେବାପାଇଁ ଆମ ଘର ପାଖରେ ରହି ପଢ଼ାପଢ଼ି କରୁଥିଲେ । ବାପାଙ୍କ ପାଖକୁ ସେ ନିୟମିତ ଆସନ୍ତି ।

 

ସବୁଦିନ ଆସନ୍ତି । ବାପାଙ୍କ ଖବର ବୁଝନ୍ତି । ଅନେକ ଦିନ ମୋ ସହ ଗପ କରନ୍ତି । ମୁଁ ବି ତାଙ୍କୁ କଫି କରି ଖୁଆଏ । ଏମିତି କିଛିଦିନ ଗଡ଼ିଚାଲେ ।

 

ସୁରେଶ ଏପରି ସବୁଦିନ ଆମ ଘରକୁ ଆସିବାଟା ଅନ୍ୟ ଲୋକଙ୍କ ଆଖିରେ ପଡ଼େ । ସେମାନେ ଏହାକୁ ଭଲରୂପେ ଗ୍ରହଣ କରିପାରନ୍ତି ନାହିଁ । ଅନେକ ଲୋକ, ଦେଖେଇ ଶିଖେଇ ଅନେକ କଥା କହନ୍ତି । କିନ୍ତୁ ପ୍ରଥମେ ପ୍ରଥମେ ମୁଁ ସେ ସବୁ କଥାରେ କାନ ଦେଉ ନଥିଲି । ଭାବୁଥିଲି, ମୁଁ ତ ଠିକ୍‌, ଯିଏ ଯାହା କହୁ ମୋର ସେଥିରେ କ’ଣ ଅଛି ?

 

ସବୁଦିନ ସେ ଆସି ବାପାଙ୍କ ଭଲମନ୍ଦ ଖବର ବୁଝନ୍ତି । ଦରକାର ବେଳେ ଡାକ୍ତରଙ୍କୁ ଡାକିବା କିମ୍ବା ଔଷଧ ମଧ୍ୟ ଆଣି ଦିଅନ୍ତି । ବହୁ ସମୟ ପର୍ଯ୍ୟନ୍ତ ବସି ଗପ କରନ୍ତି । ତାଙ୍କ ସହ ଗପିବାକୁ ମୋତେ ଖୁବ୍‌ ଭଲ ଲାଗେ ।

 

ବାପା ମଧ୍ୟ ସୁରେଶଙ୍କୁ ଖୁବ୍‌ ସ୍ନେହ କରୁଥିଲେ । ମୋର ମନେ ଅଛି ଲୋ, ବାପା ମୋତେ ଥରେ କହିଥିଲେ– ‘‘ସୁରେଶ ଉପରେ ତୁ ଭରସା ରଖ ମାମି ! ଦିନେନା ଦିନେ ସେ ତୋତେ ନିଶ୍ଚୟ ସୁଖୀ କରାଇବ ।

 

ବାପାଙ୍କଠୁଁ ଏକଥା ଶୁଣି ସାରିବା ପରେ କାହିଁକି କେଜାଣି ସୁରେଶ ପ୍ରତି ଏକ ଅଜଣା ମାୟା ବିସ୍ତାର କରିବାକୁ ଲାଗିଲା ।

 

ହଠାତ୍‌ ଦିନେ ବାପା ମୋତେ ଦୁଃଖର ଅତଳ ସାଗରରେ ଭସାଇ ଦେଇ ଚାଲିଗଲେ ।

 

ମନୋରମାର ଦୁଇ ଆଖିରୁ ବନ୍ୟ ଝରଣା ଭଳି ଲୋତକ ଝରି ଆସୁଥିଲା ।

 

ଟିକିଏ ଢୋକ ଗିଳି ସେ ପୁଣି ଆରମ୍ଭ କଲା ।

 

ବାପାଙ୍କୁ ହରାଇ ମୁଁ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଲି । ଏତେ ବଡ଼ ଦୁନିଆଁରେ ମୋର କେହିହେଲେ ନାହାଁନ୍ତି । ଭାଇ ତ କେଉଁଦିନଠାରୁ ମୋତେ ଛାଡ଼ି ଚାଲିଯାଇଛନ୍ତି । ଏ ସମୟରେ ସୁରେଶ ମୋତେ ସାହାସ ଦେଲେ, ମୋ ମନରେ ପୁଣି ନୂତନ ଆଶା ଭରିଦେଲେ ।

 

ସବୁଦିନ ପୂର୍ବପରି ସେ ଆମ ଘରକୁ ଆସନ୍ତି, ବସି ଗପ କରନ୍ତି, ମୁଁ ରୋଷେଇ କଲାବେଳେ ଚୁଲି ମୁଣ୍ଡରେ ବସି ମୋ ସାଥୀରେ ଗପ କରନ୍ତି । ଅନେକ ସମୟରେ ବହୁତ କିଛି ଦର୍ଶନର କଥା ସେ କହନ୍ତି ।

 

ହେଲେ ସବୁଦିନ ସମାନ ଯାଏ ନାହିଁ । ସୁରେଶ ଆମ ଘରକୁ ଆସିବାଟା ଅନେକ ପସନ୍ଦ କରୁନଥିଲେ । ସେତେବେଳେ ବାପା ଥିଲେ, କଥାଟା କୌଣସି ପ୍ରକାରେ ଚଳି ଯାଉଥିଲା । ମାତ୍ର ବର୍ତ୍ତମାନ କଥାଟା ଅନ୍ୟ ପ୍ରକାର ଧାରଣ କଲା ।

 

ମୁଁ ଆହାତ ହେଲି । ଦୁଃଖରେ ପୁଣି ଭାଙ୍ଗିପଡ଼ିଲି । ତାଙ୍କୁ ଥରେ ମୁଁ କହିଥିଲି– ସୁରେଶ-! କାହିଁକ ଏମିତି ଅଶାନ୍ତି ମୋ ଭିତରେ ସୃଷ୍ଟି କରାଉଛ ? କାହିଁକି ମୋତେ ଏପରି ବଦନାମ କରାଉଛ ? ତୁମେ ଆଉ ଏଣିକି ଏଠାକୁ ଆସନା । ଅନ୍ୟମାନେ ଖରାପ ଭାବୁଛନ୍ତି ।

 

ମୋ ପ୍ରଶ୍ନର ଉତ୍ତରରେ ବିଶେଷ କିଛି ନକହି କେବଳ ପଦିଏ ମାତ୍ର କହିଲେ– ମୁଁ ନଆସିଲେ ତୁମ ମନରେ କଷ୍ଟ ହେବନି ମାମି ? (ସେ ମୋତେ ସ୍ନେହରେ ମାମି ବୋଲି ଡାକନ୍ତି) ମୋ ରାଣ ପକାଇ କହିଲ ?

 

ତାଙ୍କ କଥା ମୋତେ ଅମୃତ ପରି ଲାଗିଲା । ସଂସାରରେ ମୁଁ ଦୁଃଖ, କଷ୍ଟ, ଅଶାନ୍ତି ଅନେକ ପାଇଛି । ଅକାରଣରେ ଅନେକ ଗଞ୍ଜଣା ପାଇଛି । କିନ୍ତୁ ଏତିକି ବୁଝିଛି, ଶତ ଦୁଃଖ ମଧ୍ୟରେ ଯଦି ସୁଖ ଦେବାପାଇଁ ଜଣେ କେହି ନିଜର ଲୋକ ଥାଏ, ତେବେ ଦୁଃଖର ଭୟଙ୍କରତା ଅନେକ ପରିମାଣରେ ହାଲୁକା ହୋଇଯାଏ । ସୁରେଶଙ୍କ ପ୍ରତି ମୋର ଯଥେଷ୍ଟ ବିଶ୍ଵାସ ଥିଲା ।

 

ତାଙ୍କର ଏପରି କଥା ଶୁଣି ମୋ ଆଖିରେ ଲୁହ ଭରିଗଲା । ଆନନ୍ଦରେ ମୁଁ କାନ୍ଦି ପକାଇଲି । ପ୍ରକୃତରେ କ’ଣ ମୁଁ ତାଙ୍କ ଆସିବାକୁ ପସନ୍ଦ କରୁନଥିଲି । ହେଲେ.... । କହିଲି– ତୁମ ଆଗରେ ବିରାଟ ଭବିଷ୍ୟତ । ତୁମେ ସୁଖୀ ହେଲେ ମୁଁ ଖୁସି ହେବି ।

 

ତଟିନୀ ଲୋ ପରନିନ୍ଦା, ପରଚର୍ଚ୍ଚା କରି ଅନେକ ଲୋକ କ’ଣ ଲାଭପାଆନ୍ତି ତୁ କହି ପାରିବୁ ? ତାଙ୍କୁ ସେଦିନ ଅନୁରୋଧ କରିଥିଲି ଖୁବ ଦୂର ସ୍ଥାନରେ ଖଣ୍ଡେ ଭଲ– ଚାକିରୀ ବୁଝିଦେବା ପାଇଁ ।

 

ସେ ମୋତେ ଏକ ଅବୁଝା ଦୃଷ୍ଟିରେ ଚାହିଁଲେ, କହିଲେ–ଚାକିରୀ ତୁମେ କରିବ ?

 

ତା ବ୍ୟତୀତ ଆଉ ଉପାୟ କାହିଁ ? ଘରେ ବସି ବସି ସମୟ ବିତୁନାହିଁ । ଆଉ ବା କେତେଦିନ ଏମିତି ବସିରହିବି ?

 

ସୁରେଶ କ’ଣ ଭାବିଲେ କେଜାଣି, ଏକ ଦୀର୍ଘଶ୍ଵାସ ପକାଇ କହିଲେ– ବେଶ୍‌ ତୁମପାଇଁ ଖଣ୍ଡେ ଚାକିରୀର ଯୋଗାଡ଼ କରିସାରେ, ତା’ପରେ........ ।

 

– ତା’ପରେ କ’ଣ ହେବ ? ମୁଁ ପଚାରିଲି ।

 

– ସେଦିନ କହିବି, ଆଜି ନୁହେଁ ।

 

ସେ ଆଇ:ଏ:ଏସ୍‍: ପରୀକ୍ଷା ଦେଇଥିଲେ । ଆଇ:ଏ:ଏସ୍‌: ପାଇଲେ ମଧ୍ୟ । ଖୁବ୍‌ ଏକ ଉଚ୍ଚ ସରକାରୀ ଚାକିରୀ ତାଙ୍କୁ ମିଳିଲା । ଚାକିରୀରେ ଜଏନ କଲାଦିନ, ସେ ମୋତେ ଆସି କହିଥିଲେ– ‘ଏଣିକି ଅଶାନ୍ତିର ଅବସାନ ହେଲା ମାମି । ତୁମପାଇଁ କିଛି କରିବାର ଅଧିକାର ମୋର ଏଥର ଆସିଗଲା ।”

 

ତାଙ୍କ କଥା ଶୁଣି ମୁଁ ଚମକି ଉଠିଲି । ମୋ ପାଇଁ କିଛି କରିବାର ସାମର୍ଥ୍ୟ, ସେ ଚାକିରି କଲାପରେ ପାଇଲେ ? କ’ଣ ଏହାର ଅର୍ଥ । ମୁଁ ଏକ ଅବୋଧ୍ୟ ଚାହାଣୀରେ ତାଙ୍କୁ ଚାହିଁଲି ।

 

ମତେ ଚାହିଁ ସେ କହିଲେ ମୋ କଥାର ଅର୍ଥ ବୁଝି ପାରିଲନି ? ଏହା ତ ସଫା କଥା । ମୁଁ ତ ଏଇ ସୁଦିନକୁ ଅପେକ୍ଷା କରିଥିଲି । କେଉଁ ଦିନ ଏଇ ବନ୍ଦ କୋଠରୀରୁ ତୁମକୁ ମୁକାଳି ନେଇ ଖୋଲା ଆକାଶ ତଳେ, ବିସ୍ତୀର୍ଣ୍ଣ ପ୍ରାନ୍ତରର ସବୁଜ ଘାସ ଉପରେ ଠିଆ କରାଇ, ତୁମର ସେହି ହସ ହସ ମୁହଁର ଶୋଭା–ଶ୍ରୀକୁ ଥରେ ଭଲକରି ଦେଖିବି– ଏହାରି ପ୍ରତୀକ୍ଷାରେ ମୁଁ ଏ ପର୍ଯ୍ୟନ୍ତ ଥିଲି ।

 

– ଆସ ମନୋରମା, ମୋ ସହ ଆସ, ଏଇ ଆକାଶ ନୀଳିମାରେ ଆଉ ଏଇ ଧରଣୀର ସବୁଜ କ୍ଷେତରେ ଆମେ ଦୁହେଁ ପକ୍ଷୀ ଓ ପକ୍ଷୀଣୀ ପରି ପକ୍ଷ ବିଞ୍ଚି ଉଡ଼ିଯିବା । ଆମେ ହସି ଏ ଦୁନିଆଁକୁ ହସାଇବା । ସେ ମୋ ଆଡ଼କୁ ହାତ ବଢ଼େଇଲେ ।

 

ତାଙ୍କର ଏ କଥା ଶୁଣି ମୋ ମନ ଭିତରେ ଏକ ପ୍ରଚଣ୍ଡ ବିସ୍ଫୋରଣ ହେଲା । ଆଉ ଠିଆ ହୋଇ ପାରିଲିନାହିଁ । ସେଠି ବସିପଡ଼ିଲି ।

 

.....ତେବେ ଏଇ ଆଶା, ଏଇ କାମନାକୁ ମନରେ ପୋଷଣ କରି ସୁରେଶ ଆଜିଯାଏ ପଥ ଚାଲି ଆସିଛନ୍ତି । ମୋ ମନରେ ତାଙ୍କ ପ୍ରତି ଗଢ଼ି ଉଠିଥିବା ସେଇ ପବିତ୍ର ମନ୍ଦିରଟି ଭାଙ୍ଗି ପଡ଼ିଲା ।

 

ସେ ରାଗରେ ଥରୁଥିଲା ।

 

ମୁଁ ପଚାରିଲି– ତା’ପରେ କ’ଣ ହେଲା ?

 

ନାରୀକୁ ପୁରୁଷ ସ୍ନେହକରି ବନ୍ଧୁ ଭାବରେ ଗ୍ରହଣ କରିନେଇ ପାରେନାହିଁ ବୋଲି ସେଦିନ ମୁଁ ପ୍ରଥମ କରି ଅନୁଭବ କଲି ଓ ବୁଝିଲି ।

 

ତାଙ୍କୁ ମୁଁ ପଚାରିଲି “ସୁରେଶ”, ମୁଁ କ’ଣ ତୁମର ଭଉଣୀ ହୋଇ ରହିପାରିବି ନାହିଁ ?

 

ମୋ କଥା ଶୁଣି ତାଙ୍କ ମୁହଁ ଧଳା କାଗଜ ପରି ଶେତା ପଡ଼ିଗଲା । କିଛି କ୍ଷଣ ସେ ଚୁପ୍‌ ହୋଇଗଲେ । ତା’ପରେ କହିଲେ– ମୋର ଏ ନିବେଦନକୁ ତୁମେ ସ୍ଵାଗତ କରିବ ନାହିଁ ମନୋରମା-?

 

ମୁଁ ସେମିତି ଅବିଚଳିତଭାବେ କହିଲି– ତୁମ ମନ ଭିତରେ ଏପରି ଏକ କୁଚ୍ଛ୍ର ବାସନା ଯେ ଅଙ୍କୁରିତ ହୋଇଛି, ମୁଁ ଜାଣି ନଥିଲି ସୁରେଶ ।

 

ସେ ଆହୁରି ବିଚଳିତ ହୋଇ ଉଠିଲେ, କହିଲେ– ଏତେ ଦିନର ମିଳାମିଶା, ଏତେ ହସ ଖୁସି, ଆଉ ନିନ୍ଦା ଅପମାନ ଭିତରେ ବି ତୁମ ମନ ଭିତରେ ମୋ ପାଇଁ କଣିକାଏ ଆନ୍ତରିକତା ନାହିଁ, ଏହା ମୁଁ କେବେହେଲେ ଚିନ୍ତା କରି ପାରୁନଥିଲି ମାମି ! ତୁମେ କଣ ମୋତେ ଭଲ ପାଅନା ! ଏତେ ଟିକିଏ ଅନୁରାଗ, ଶ୍ରଦ୍ଧା ବା ସ୍ନେହ ତୁମର ମୋ ପାଇଁ ନାହିଁ ?

 

–କିଏ କହିଲା ନାହିଁ ? ତାଙ୍କଠୁଁ କଥା ଛଡାଇ ନେଇ ମୁଁ କହିଲି, ମୁଁ ପଥର ନୁହେଁ, ସୁରେଶ ! ମୁଁ ମଣିଷ । ଶ୍ରଦ୍ଧା, ସ୍ନେହ ମୋ ଭିତରେ ତୁମପାଇଁ ପୂରି ରହିଛି । ମୁଁ ତୁମକୁ ଅନ୍ତର ଦେଇ ଭଲ ପାଏ । ହେଲେ ସେ ଭଲପାଇବା ପଛରେ ମୋର କୌଣସି କାମନା ବା ବାସନା ନାହିଁ-। ମୁଁ ତୁମକୁ ଅନାବିଳ, ଅନାସକ୍ତ ଭାବରେ ଭଲପାଏ, ଶ୍ରଦ୍ଧା କରେ ସତ କହୁଛି ସୁରେଶ, ମୋର ଭାଇ ବ୍ୟତୀତ ମୁଁ କେବେ ତୁମକୁ ଅନ୍ୟ ଦୃଷ୍ଟିରେ ଦେଖିନାହିଁ କି ଦେଖିବାର ଅଧିକାର ମୋର ନାହିଁ-। ମୋର ଭାଇ ମୋତେ ଛାଡ଼ି ଚାଲିଯାଇଛନ୍ତି । ସେଥିପାଇଁ ତୁମକୁ ମୁଁ ଭାଇ ବୋଲି ଗ୍ରହଣ କରିନେଇଥିଲି । ତୁମେ କ’ଣ ମୋତେ ଭାଇର ସ୍ନେହରେ ସିକ୍ତ କରିବନି ?

 

ତୁମକୁ ବିବାହ କରିବାର ଅଧିକାର ମୋର ନାହିଁ ସୁରେଶ । ସେ ଅଧିକାର ଭଗବାନ ମୋଠାରୁ କାଢ଼ି ନେଇଛନ୍ତି, ବହୁ ଦିନରୁ । ତୁମେ ଭୁଲିଯାଅନା ଯେ, ମୁଁ ଜଣେ ବିବାହିତା ହିନ୍ଦୁ ନାରୀ ଏବଂ ବିଧବା । ତୁମ ପରି ଏକ ଅବିବାହିତ ଯୁବକକୁ ପଥଭ୍ରଷ୍ଟ କରି ତୁମ ଉଜ୍ଜଳ ଭବିଷ୍ୟତର ସମ୍ଭାବନାକୁ ପୋଡ଼ି ଜାଳି ଦେବାର ଅଧିକାର ମୋର ନାହିଁ ।

 

କିନ୍ତୁ ତୁମେ..... ?

 

ମୁଁ ଜାଣେ ସୁରେଶ ! ମୁଁ ସିନା ବିଧବା । ତଥାପି ମୁଁ ବିବାହିତା । ଦିନେ ମୁଁ ଅନ୍ୟର କୂଳବଧୂ ଥିଲି । ମଥାରେ ସିନ୍ଦୂର ପିନ୍ଧି ଜଣକ ଘରକୁ ହସାଇଥିଲି, କିନ୍ତୁ ପାରିଲିନି ସିନା.... । ଆଉ କାହିଁକି ସୁଖୀ ଜୀବନର ସ୍ଵପ୍ନ ଦେଖି ଅନ୍ୟ ରକ୍ତ ଶୋଷଣ କରିବି । ମୋର ପରକାଳକୁ ମୁଁ ଅଳୀକ ଜୀବନର ସ୍ଵାଦ ଆଶାରେ ନଷ୍ଟ କରି ଦେଇ ପାରିବି ନାହିଁ । ନାଁ.....ମୁଁ ପାରିବି ନାହିଁ ।

 

ମୋଠାରୁ ଏପରି ଉତ୍ତର ବୋଧହୁଏ ସୁରେଶ ଆଶା କରି ନଥିଲେ । ନିରାଶାରେ ତାଙ୍କ ମୁହଁ କଳାକାଠ ପଡ଼ିଗଲା । ଦୁଇ ଆଖିରୁ ବେଦନାର ଗଙ୍ଗା-ଯମୁନା ଭଳି ଦୁଇ ଧାର ଗଳି ପଡ଼ିଲା ।

 

ସମ୍ବେଦନାରେ ମୋର ଅନ୍ତର କ୍ଷଣକ ପାଇଁ ଦ୍ରବିଭୂତ ହୋଇ ଆସିଲା । ସାନ୍ତ୍ୱନା ଦେବାକୁ ଯାଇ କହିଲି– ତୁମେ ମୋତେ ଭୁଲ ବୁଝନା ସୁରେଶ ! ମୁଁ ପରକୀୟା ହୋଇ ପାରିବି ନାହିଁ-। ତୁମର ସ୍ତ୍ରୀ ହେଲା ଭଳି ଯୋଗ୍ୟତା ମୋର ନାହିଁ । ମୋତେ ପାଇବା ପାଇଁ ଆଜି ତୁମର ଯେଉଁ ବ୍ୟାକୁଳତା, ତା’ର ଭବିଷ୍ୟତକୁ ତୁମେ ଚିନ୍ତା କରିଛ ? ଏ ବ୍ୟାକୁଳତା ତୁମର ସବୁଦିନେ ରହିବ ନାହିଁ, ଏ ସ୍ଵପ୍ନ ତୁମର ସବୁଦିନ ପାଇଁ ନଥିବ । ଦିନେନା ଦିନେ ତୁମେ ବାସ୍ତବ ଜଗତକୁ ଫେରି ଆସିବ ।

 

ସେଦିନ ଆଉ ମୋର ଏ ଛଳନା, ଅଭିନୟ ତୁମକୁ ଭଲ ଲାଗିବନି । ମୋର ପରକୀୟା ପ୍ରୀତି ତୁମକୁ ଶାନ୍ତିଦେଇ ପାରିବନି । ହା’ ହୁତାଶରେ ତୁମେ ଜଳିଯିବ । ଘୃଣାରେ ମୋ ପାଇଁ ତୁମ ଅନ୍ତର ଭରିଯିବ । ଆଉ ମୁଁ ଯେ ତୁମକୁ ଦିଗହଜା, ପଥଭ୍ରଷ୍ଟ କରାଇଛି, ତୁମେ ସେଦିନ ବୁଝିବ ।

 

କ୍ଷଣିକ ଉତ୍ତେଜନାକୁ ମନରୁ ପୋଛିଦିଅ ସୁରେଶ । ସ୍ଵାମୀ କେବେ ହେଲେ ମନକୁ ଭଲପାଏ ନାହିଁ, କେବଳ ଭଲପାଏ ଦେହକୁ । ତୁମେ ଯଦି ଭଲ ପାଅ, ତେବେ ଭଲ ପାଅ ମୋ ମନକୁ-। ମୋ ପାଇଁ କ’ଣ ତୁମେ ଏତକ କରି ପାରିବନି ?

 

ଏକ ନବୀନ ସୂର୍ଯ୍ୟୋଦୟ ତୁମକୁ ସ୍ଵାଗତ କରୁଛି ସୁରେଶ ! ତୁମ ଭବିଷ୍ୟତ ଖୁବ୍‌ ଉଜ୍ଜଳମୟ ।

 

ମୋ କଥା ଶୁଣି ସୁରେଶ ପିଲାଙ୍କଭଳି କଇଁ କଇଁ ହୋଇ କାନ୍ଦି ଉଠିଲେ ।

 

ମୁଁ ଆଉ କ’ଣ କରିପାରିଥାନ୍ତି, ତୁ କହ ତ ତଟିନୀ । ମୋର ଅତୀତଟା ତ ନଷ୍ଟ ହୋଇଯାଇଛି । ପୁଣି ଭବିଷ୍ୟତଟାକୁ ତାଙ୍କ ସହ ଏକହୋଇ ନଷ୍ଟ କରିଦେବା ପାଇଁ ମୋ ମନ ମୋତେ ବାଧାଦେଲା । ମୁଁ ହିନ୍ଦୁ ନାରୀ କାହିଁକି କ୍ଷଣିକ ଉତ୍ତେଜନା ପାଇଁ କାଳ କାଳକୁ ଅପବାଦର ପସରା ମଥାରେ ବୋହିବି ? ପାତିବ୍ରତ୍ୟ ମୋର ଧର୍ମ । ସତୀ ସାଧ୍ଵୀର ସ୍ଵାକ୍ଷର ବହନ କରି ସାରା ଜୀବନ ମୁଁ ବେଶ୍‌ ଏକାକା ବଞ୍ଚି ରହି ପାରିବି ।

 

ମୋ କଥାରେ ସେ ଖୁବ୍‌ ଜୋରରେ କାନ୍ଦିବାକୁ ଆରମ୍ଭ କରିଦେଲ । ତାଙ୍କର ସେ କାନ୍ଦଣା ଦେଖି ମୁଁ ଧୈର୍ଯ୍ୟଧରି ରହିପାରିଲି ନାହିଁ । ମୁଁ ତାଙ୍କ ହାତ ଦୁଇଟାକୁ ମୋ ହାତରେ ଚାପିଧରି କାନ୍ଦି ଉଠିଲି, କହିଲି– ଛି, ଏଇ ସାମାନ୍ୟ କଥାରେ ପିଲାଙ୍କ ଭଳି କାନ୍ଦୁଛ ? ତୁମକୁ ମୋ ରାଣ ! ମୋତେ ବୁଝିବାକୁ ଚେଷ୍ଟା କର । ଭଲ ପାଇବା ଭଳି ପବିତ୍ର ବନ୍ଧନକୁ ବିବାହ ବା ପାଶବ ମିଳନ ପରି ଏକ ସଂକୀର୍ଣ୍ଣ ବେଷ୍ଟନୀ ଭିତରେ ସୀମାବଦ୍ଧ କରିଦିଅନା । ତୁମେ ଯଦି ପ୍ରକୃତ ମନ ଦେଇ ମୋତେ ପ୍ରେମ କରୁଥାଅ ତେବେ ସେ ପ୍ରେମକୁ ଭାଇ ଭାବରେ ବଞ୍ଚାଇ ରଖ । ପ୍ରେମକୁ କାମ କଳଙ୍କିତ କରି ସ୍ଵାମୀତ୍ଵର କାମନା କୁଣ୍ଡ ଭିତରେ ଆହୁତି ଦିଅନା । ଅଳୀକ ବସ୍ତୁକୁ ଛାଡ଼ି ସତ୍ୟ ପଥର ସଂଧାନ ନିଅ । ‘ମାଟିର ଦେହ ଭିତରେ ଯେଉଁ ନରକ ଅଛି, ତାହା ଆମର କାମ୍ୟ ନୁହେଁ, ଆମେ ଚାହୁଁ ସ୍ଵର୍ଗ ।

 

ତୁମେ ମୋତେ ବିଶ୍ଵାସ କର ସୁରେଶ ! ମୁଁ ତୁମକୁ ଭଲ ପାଏ.... । ଖୁବ ଭଲ ପାଏ କିନ୍ତୁ ତୁମ ପ୍ରତି ମୋର ଭଲ ପାଇବା ଚିର ଶାଶ୍ୱତ, ଭାସ୍ଵର । ତୁମେ ମୋତେ ଅପବିତ୍ର କରନା, କଳଙ୍କିତ କରନା । ଭାଇ ଭଉଣୀର ସେ ଚିରନ୍ତନ ଶାଶ୍ଵତ ସ୍ନେହକୁ ତୁମେ ପାଦରେ ଦଳି ଦିଅନା । ମୋତେ କ୍ଷମା କର । ତୁମେ ମୋତେ କ୍ଷମା କରିଦିଅ ।

 

ସୁରେଶ ତାଙ୍କ ଆଖିରୁ ଲୁହ ପୋଛିଦେଲେ । ମୋତେ ଏକ ଅବୋଧ୍ୟ ଚାହଁଣୀରେ ଚାହିଁଲେ ।

 

ଚୁପ୍‌ଚାପ୍‌ ଭାବରେ ବେଶ୍‌ କିଛି ସମସ୍ତ କଟିଗଲା ।

 

ବୋଧହୁଏ ସୁରେଶ, ଭାଙ୍ଗି ପଡ଼ିଥିବା ମନକୁ ପୁଣି ଯୋଡ଼ୁଥିଲେ ।

 

ମୋ ହାତ ଭିତରୁ ତାଙ୍କ ହାତ ପାପୁଲିକୁ ଧୀରେ କାଢ଼ିନେଇ ବସିବା ଯାଗାରୁ ଉଠି ପଡ଼ିଲେ ସେ । ମୋ ମଥାକୁ ସାଉଁଳାଇ କହିଲେ– ଏତେ ଦିନ ପରେ ଆଜି ମୋର ସ୍ଵପ୍ନ ତୁଟି ଯାଇଛି । ମୁଁ ତୁମର ଏକାଗ୍ରତାକୁ ବୁଝି ପାରିଛି । ତୁମେ ମାନବୀ ନୁହଁ ମାମି ! ତୁମେ ଦେବୀ । ଏଣିକି ତୁମେ ନିଶ୍ଚିନ୍ତ ଥାଅ । ତୁମେ ମୋଠାରୁ ଯାହା ଆଶା କର, ତାହା ନିଶ୍ଚିତ ପାଇବ ।

 

ଝଡ଼ ବେଗରେ ସେ ଉଠି ଚାଲିଗଲେ । ଥରୁଟିଏ ହେଲେ ପଛକୁ ଫେରିଚାହିଁଲେ ନାହିଁ-

 

ମନୋରମା ନୀରବ ରହିଲା..... ।

 

ତା’ପରେ...... । ମୁଁ ପଚାରିଲି !

 

ସେ କହିଲା– ତା’ପରର ଘଟଣା ଅତି ସଂକ୍ଷିପ୍ତ । ମୁଁ ଯାହା ଚାହିଁଥିଲି, ତାହା ସେ ମୋତେ ଦେଇଛନ୍ତି । ମୋତେ ସେ ଅକପଟ ହୃଦୟରେ ଭଉଣୀର ସ୍ଥାନ ଦେଇ ଆସିଛନ୍ତି । କୌଣସି କାମନା ବା ପାଇବାର ଆଶା ରଖି ସେ ମୋତେ ଭଲପାଇ ନାହାଁନ୍ତି । ବର୍ତ୍ତମାନ ମୋ ଭଲ ମନ୍ଦର ଦାୟିତ୍ଵ ତାଙ୍କ ଉପରେ । ଆଉ ଏ ଯେଉଁ ଚାକିରି କରିଛି, ତାହା ତାଙ୍କରି ଉଦ୍ୟମରୁ ସମ୍ଭବ ହୋଇଛି ।

 

ହେଲେ ମୋ ପାଇଁ ଏତେ କଥା କରୁଥିଲେ ମଧ୍ୟ ସେ ନିଜ ଉପରେ ଖୁବ୍‌ ପ୍ରତିଶୋଧ ନେଲେ । ବିବାହର ବୟସ ଉତ୍ତୀର୍ଣ୍ଣ ହୋଇଯାଇଥିଲେ ବି ସେଥିପାଇଁ ତାଙ୍କର କୌଣସି ଆଗ୍ରହ ବା ଶ୍ରଦ୍ଧା ନାହିଁ । ବିବାହ କରି ସୁଖରେ ଘର ସଂସାର କରିବା ପାଇଁ ମୁଁ ତାଙ୍କୁ ବହୁତ ଥର କହିଛି । ମୋ କଥାରେ ସେ ଟିକେ ହସିଦେଇ କହନ୍ତି– “ମାଟିର ଘଟ ଭିତରେ ନରକ ଅଛି । ସେ ନରକ ଆମର କାମ୍ୟ ନୁହେଁ । ଆମେ ସ୍ଵର୍ଗ ଚାହୁଁ” । ଏକଥା ପରା ତୁମେ ମୋତେ କହିଛ ।

 

ଲୁହ ପୋଛିଲା ଆଖିରୁ ମନୋରମା ।

 

ମୁଁ ଭାବୁଥିଲି ସୁରେଶ, ମନୋରମା ପାଇଁ କେତେ ବଡ଼ ତ୍ୟାଗ ସ୍ଵୀକାର ନକରିଛି । ମନୋରମା ମଧ୍ୟ କ’ଣ ଏ ସମାଜକୁ ସମ୍ମାନ ଦେଇନାହିଁ । ବାସ୍ତବିକ୍‌ ନିଷ୍ଠା ଓ ଆତ୍ମବିଶ୍ଵାସରେ ମନୋରମା ଅତୁଳନୀୟ ! !

 

ସବୁ ନାରୀର ଜୀବନ କ’ଣ କଳଙ୍କମୟ ? ସବୁ ନାରୀ କ’ଣ କେବଳ ଏ ସଂସାରରେ ଜଳିବା ପାଇଁ ଜନ୍ମ ହୋଇଛନ୍ତି ?

 

ପଙ୍କଜିନୀ, ସୁରମା ଦିଦି, ମନୋରମା ଏମାନେ ସମସ୍ତେ ଗୋଟିଏ ଲେଖାଏଁ ଇତିହାସ । ଏମାନଙ୍କର ଇତିହାସ ଭିନ୍ନ ଭିନ୍ନ ।

 

ମୋ ମନରେ ମନୋରମାର କଥା ଅନୁରଣିତ ହେଉଥିଲା ।

 

“ସ୍ଵାମୀ କେବେହେଲେ ମନକୁ ଭଲ ପାଆନ୍ତି ନାହିଁ । ଭଲ ପାଆନ୍ତି ଦେହକୁ” ।

 

ସତେତ ! ସ୍ଵାମୀ କେବେହେଲେ ମନକୁ ଭଲପାଏ ନାହିଁ । କେବଳ ଦେହହିଁ ସ୍ଵାମୀର ଏକ ମାତ୍ର କାମ୍ୟ । ତଥାପି ଏଇ ସରଳ କଥାକୁ କେହି ବୁଝି ପାରନ୍ତି ନାହିଁ । ବିବାହିତ ଜୀବନ ମଧ୍ୟରେ ଆନ୍ତରିକତାକୁ ଖୋଜି ଖୋଜି ନିରାଶ ହୁଅନ୍ତି, ରାଗ ଜର୍ଜର ହୋଇ ଉଠନ୍ତି; ତଥାପି ପାଆନ୍ତି ନାହିଁ । ଏ ସରଳ କଥାଟିକୁ କେହିହେଲେ ଜଣେ ଉପଲବ୍‌ଧି କରି ପାରନ୍ତି ନାହିଁ ।

 

ହେଲେ ମନୋରମା ! ମନୋରମା ବିବାହର ପ୍ରକୃତ ଅର୍ଥକୁ ବୁଝିଥିଲା, ଉପଲବ୍‌ଧି ମଧ୍ୟ କରିଥିଲା । ତା’ଠାରୁ ଏପରି ଏକ ତଥ୍ୟ ଶୁଣି ମୁଁ ଚମତ୍କୃତ ହୋଇଥିଲି । ସତେ ତ ବିବାହ ମାନେ କ’ଣ ? ବିବାହର ମାନେ ତ ଭଲପାଇବାର ବନ୍ଧନ ନୁହେଁ ? କେବଳ ଗୋଟିଏ ସଂସ୍କାର, ବହୁ ପୁରୁଷ ଧରି ଚଳି ଆସିଥିବା ଚଳଣି ।

 

ତଥାପି ସବୁ ପୁରୁଷ ନାରୀ ବିବାହ କରନ୍ତି କିନ୍ତୁ କାହିଁକି ? କେଉଁ ଆଶାରେ ? ବିବାହର ଲୌକିକତା ଭିତରେ ମନର ଖୋରାକ କଣ କେହି ଖୋଜି ପାଏ ? କିଏ ବାପା ମା’ଙ୍କ ଚାପରେ, କିଏ ନିଜ ଇଚ୍ଛାରେ, କିଏ ସାମୟିକ ଉତ୍ତେଜନାରେ ଅବା ଅନ୍ୟ କୌଣସି କାରଣରୁ କେହିହେଲେ ଜଣେ ବିବାହର ପ୍ରକୃତ ସଜ୍ଞାକୁ ଦୁଃଖ ନାହିଁ । ପ୍ରକୃତ ସତ୍ୟକୁ ଉପଲବ୍‌ଧି କରନ୍ତି ନାହିଁ ।

 

କିନ୍ତୁ ମନୋରମା ! ମନୋରମା ସମାଜର ଏ ଧରାବନ୍ଧା ନୀତି ନୀୟମକୁ ଦୋହଲାଇ ଦେଇଥିଲା । ବିବାହ ବନ୍ଧନ ଭିତରେ ପଶି ଅଶାନ୍ତିରେ ଜଳିବା ଅପେକ୍ଷା ଚୁପ୍‌ ଚାପ ରହିଯିବା ବରଂ ଖୁବ୍‌ ଭଲ । କାହିଁକି କେବଳ ଦୈହିକ ସମ୍ବନ୍ଧ ଭିତରେ ଟାଣି ଓଟାରୀ ନିଜ ବନ୍ଧନ ନିଜେ ସୃଷ୍ଟି କରିବା । ମାନବ ଜନ୍ମକୁ କେବଳ କାମନା ବାସନା ଭିତରେ ବୁଡ଼ାଇ ରଖି କଳୁଷିତ କରିବା ।

 

“ବିବାହର ଅର୍ଥ ଜଣେ ପୁରୁଷ– ଜଣେ ନାରୀଙ୍କର ଦୈହିକ ମିଳନର ସାମାଜିକ ସ୍ଵୀକୃତି” – ଏକଥା କ୍‌ଟର ନିରଞ୍ଜନ ପଟ୍ଟନାୟକ ବହୁବାର କହି ଆସିଛନ୍ତି ।

 

କ୍‌ଟର ନିରଞ୍ଜନ ପଟ୍ଟନାୟକ ।

 

ଦି ବମ୍ବେ ମେଣ୍ଟାଲ୍‌ ହସପିଟାଲର ମୁଖ୍ୟ ଅଧ୍ୟାପକ ।

 

ସବୁବେଳେ ଗମ୍ଭୀର । ନିଜକୁ ଜଗି ସେ ଖୁବ୍‌ କମ କଥାବର୍ତ୍ତା କରନ୍ତି । ଅନାବଶ୍ୟକ କଥା ସେ କେବେହେଲେ କହନ୍ତି ନାହିଁ । ସ୍ଵାସ୍ଥ୍ୟବାନ୍‌; ସୁନ୍ଦର । ପ୍ରୌଢ଼ରେ ପାଦ ଥାପିଛନ୍ତି ସେ । ତଥାପି ଦେହରେ ତାଙ୍କର ପୂରା ସୌନ୍ଦର୍ଯ୍ୟ ଭରି ରହିଛି ।

 

ସମସ୍ତେ ରନ୍ତି କ୍‌ଟର ନିରଞ୍ଜନ ପଟ୍ଟନାୟକଙ୍କୁ । ହସପିଟାଲର ଅନ୍ୟମାନଙ୍କ ସହ କେବେହେଲେ ପ୍ରୟୋଜନୀୟ ଠୁଁ ଅଧିକ ମିଶନ୍ତି ନାହିଁ । ଏ ଯାବତ୍‌ ବିବାହ କରିନାହାଁନ୍ତି । ପଚାରିଲେ– ଉପରୋକ୍ତ କଥାକହନ୍ତି । କେବଳ ସେ ଜଣେ କ୍‌ଟର ନୁହଁନ୍ତି । ଜଣେ ଦାର୍ଶନିକ ମଧ୍ୟ-

 

ମୋତେ ସେ ଖୁବ୍‌ ସ୍ନେହ କରନ୍ତି । ଆଗେ ଯେତେ ସ୍ନେହ କରୁଥିଲେ, ଏ ହସ୍‌ପିଟାଲରେ ଚିକିତ୍ସିତ ହେଲାଦିନଠାରୁ ଅଧିକ ସ୍ନେହ କରନ୍ତି । ସେ କହନ୍ତି– ତଟିନୀ, ତମେ ଜିତିଯାଇଛ ! ଏ ସମାଜକୁ ତୁମେ ଏକ ନୂତନ ଦିଗର ସନ୍ଧାନ ଦେଇଛ ।

 

ମୁଁ କହେ– ସାର୍‌, ଜଣକୁ ଭଲପାଇ କ’ଣ କେବେହେଲେ ଭୁଲିଯାଇ ହୁଏ ? ଆପଣ ସିନା ବିବାହ କରିନାହାଁନ୍ତି କିନ୍ତୁ ଏହାକୁ କ’ଣ ଅସ୍ଵୀକାର କରିବେ ?

 

ମୋର ଏ କଥା ଶୁଣି ହଠାତ୍‌ ଅନ୍ୟମନସ୍କ ହୋଇ ପଡ଼ନ୍ତି କ୍‌ଟର ନିରଞ୍ଜନ ପଟ୍ଟନାୟକ, ତା’ପରେ କହନ୍ତି– ସେ ବି ଠିକ୍‌ ଏଇ କଥା କହିଥିଲା, ତଟିନୀ.... ।

 

– କିଏ ? ମୁଁ ପଚାରି ବସେ ।

 

ସେ କହନ୍ତି, ଶୁଣିବ– ଶୁଣିବ ମୋର ଏଇ ଅତୀତ ଇତିହାସକୁ । ତେବେ ଶୁଣ !

 

ଆରମ୍ଭ କରନ୍ତି ନିରଞ୍ଜନ ପଟ୍ଟନାୟକ ତାଙ୍କ ଜୀବନ କାହାଣୀ ।

 

ମୁଁ ସେତେବେଳକୁ ଶେଷ ବର୍ଷ ଡାକ୍ତରୀ ଛାତ୍ର । ମାମୁଁଙ୍କ ଘରେ ରହି ଡାକ୍ତରୀ ପଢ଼ୁଥାଏ-। ପିଲାଟି ଦିନରୁ ବାପ ଓ ମା’ ଉଭୟଙ୍କୁ ହରାଇଛି । ବହୁ କଷ୍ଟରେ ଗଢ଼ା ମୋର ଏଇ ଜୀବନ । ଡାକ୍ତରୀ ପଢ଼ିବା ସମୟରେ ମୋ ଜୀବନରେ ଆସେ ବୀଣା ! ବୀଣା ଖୁବ୍‌ ସୁନ୍ଦର । ତା’ର ସୁଗୋଲ ମୁହଁ ଘନ କେଶରାଜି ମୋତେ ଆକୃଷ୍ଟ କରିଥିଲା । ମୁଁ ତାକୁ ଭଲପାଇ ବସିଥିଲି । ସେ ମୋତେ ମଧ୍ୟ ଖୁବ୍‌ ଭଲ ପାଇଥିଲା । ଦିନେ ସେ ମୋତେ କହିଥିଲା– ନୀରଭାଇ, ଯଦି ତୁମକୁ ମୁଁ ବିବାହ ନକରେ ତାହେଲେ ମୁଁ ଆତ୍ମହତ୍ୟା କରିଦେବି ।

 

ତାକୁ ସେଦିନ ମୁଁ ବୁଝାଇ କହିଥିଲି– ଛିଃ, ଆତ୍ମହତ୍ୟାଠାରୁ ବଳି ପାପ ବୋଧହୁଏ ଏ ଦୁନିଆଁରେ କିଛି ନାହିଁ । ମୋ ଦେହ ଛୁଇଁ କୁହ ବୀଣା, ଜୀବନରେ କେବେହେଲେ ଆତ୍ମହତ୍ୟା କରିବ ନାହିଁ । ସେ ମୋ ଦେହ ଛୁଇଁ ଶପଥ କରିଥିଲା ।

 

ହେଲେ ସବୁକିଛି ଓଲଟ ପାଲଟ ହୋଇଗଲା । ମୋ ସହ ବୀଣାର ବିବାହକୁ, ବୀଣାର ବାପା ମା’ ସ୍ଵୀକୃତି ଦେଲେନି । ପ୍ରତିବଦଳରେ କହିଥିଲେ– ଗୋଟିଏ ଅଜ୍ଞାତ କୁଳଶୀଳ ଯୁବକ ହାତରେ ମୁଁ ମୋ ଝିଅକୁ ବିବାହ ଦେଇ ପାରିବିନି । ସେଦିନ ତାଙ୍କ ବାପାଙ୍କ କଥାରେ ମର୍ମାହତ ହୋଇଥିଲି ମୁଁ । ହେଲେ ଉପାୟ ନଥିଲା । ବୀଣାକୁ ଏକଥା ମୁଁ କହିଥିଲି । ବୀଣାର ବାପା ମା’ ତାର ବିବାହ ମୋର ବନ୍ଧୁ ସମୀର ଚୌଧୁରୀ ସହ ଠିକ୍‌ କରିଥିଲେ ।

 

ବିବାହ ଉତ୍ସବ ଦିନ ମୁଁ ଏକାନ୍ତରେ ବୀଣାକୁ ଭେଟିଥିଲି । ବୀଣା ମୋତେ ପଚାରିଥିଲା– ‘ଏସବୁ କଣ ହୋଇଗଲା ନୀରଭାଇ ?”

 

ସବୁ କିଛି ସେଇ ଈଶ୍ୱରଙ୍କ ବରାଦ– ମୁଁ ଉତ୍ତର ଦେଇଥିଲି ।

 

– କିନ୍ତୁ ମୁଁ ତ ଏଇଆ ଚାହିଁନଥିଲି । ମୁଁ କ’ଣ ଚାହିଁଥିଲି, ତା କ’ଣ ତୁମେ ଜାଣନା ନୀରଭାଇ ? ସେ କହିଥିଲା ।

 

ଜାଣିଲେ ବି ନାଚାର ମୁଁ । ଯେଉଁଟାକୁ ତୁମ ବାପା ମା’ ନ ଚାହାଁନ୍ତି, ତୁମେ କ’ଣ ତାହା କରିପାରିବ ? ତୁମ ବାପାମା’ ତୁମର ବିବାହ ମୋ ସହ ନଦେଇ ସମୀର ସହ ଠିକ୍‌ କରିଛନ୍ତି ।

 

କିନ୍ତୁ ମୁଁ ଯେ ତୁମକୁ.......... । ସେ କଥା ଅଧା ରଖିଲା । ମୁଁ ଜାଣେ ବୀଣା–ହେଲେ ଗୁରୁଜନମାନଙ୍କ କଥା ଅମାନ୍ୟ କରି ଆଗେଇଲେ, ଆମେ କ’ଣ ସୁଖୀ ହୋଇ ପାରିବା ?

 

ଆଉ କିଛି ଉପାୟ ନାହିଁ । ଗୋଟିଏ ମାତ୍ର ଉପାୟ ଥିଲା ଆତ୍ମହତ୍ୟା । କିନ୍ତୁ ଆତ୍ମହତ୍ୟା କରିବିନାହିଁ ବୋଲି ତ ତୁମ ଦେହ ଛୁଇଁ ଶପଥ କରିଛି । ନୀରଭାଇ, ତୁମେ ପରା ପୁରୁଷ ! ତୁମର କ’ଣ ଏତିକି ବଳ ସାହସ ନାହିଁ ମୋତେ ଏଠାରୁ...... ।

 

କିଏ କହିଲା ନାହିଁ ? ଅଛି କିନ୍ତୁ ପାରୁନି । ତୁ ମୋତେ ଭୁଲିଯା । ସମୀର ଖୁବ୍‌ ଭଲ ପିଲା, ସେ ତୋତେ ପାଇଲେ ଖୁବ୍‌ ଖୁସୀ ହେବ । ତୁମ ଦୁହିଁଙ୍କ ସଂସାର ସୁଖୀ ସଂସାର ହେବ ।

 

କିନ୍ତୁ– ସେ କଥା ଅଧା ରଖିଲା !

ମୋତେ ଚାଲିଯିବାକୁ ଚେଷ୍ଟା କର । ମୋ ଦେହ ଛୁଇଁ କୁହ ବୀଣା, ତୁମେ ମୋତେ ଭୁଲିଯିବ, ଆଉ ସମୀରକୁ ନେଇ ଏକ ନୂତନ ସଂସାର ଗଠନ କରିବ । ଦେଖିବ, ତୁମେ ଖୁବ୍‌ ଖୁସି ହେବ ।

ଏତକ କହି ମୁଁ ସେଠାରେ ଆଉ ରହିପାରିନଥିଲି । ଚାଲି ଆସିଥିଲି । ସେ ମଧ୍ୟ ମୋ କଥା ରଖିଥିଲା । ସମୀରକୁ ବିବାହ କରିଥିଲା ।

ବହୁତ ଦିନ ବିତି ଯାଇଥିଲା । ବୋଧହୁଏ ଦୁଇ ବର୍ଷ । ମୁଁ ମଧ୍ୟ ତାକୁ ଭୁଲିଯିବାକୁ ଚେଷ୍ଟା କରିଥିଲି । ନିଜକୁ କାର୍ଯ୍ୟ ଭିତରେ ବୁଡ଼ାଇ ରଖିଥିଲି । ଭାବିଥିଲି ସେ ସୁଖୀ ହେଉ । ତା’ ନୂଆ ସଂସାର ସୁଖମୟ ହେଉ, ଏହାହିଁ ଥିଲା ମୋର ଏକାନ୍ତ କାମନା ।

କିନ୍ତୁ ହଠାତ୍‌ ଗୋଟାଏ ଅଘଟଣା ଘଟିଲା । ଏ ଦୁଇ ବର୍ଷ ମଧ୍ୟରେ ମୁଁ ମୋର ଡାକ୍ତରୀ ପଢ଼ା ଶେଷ କରି, କ୍ଲିନିକ୍‌ ସେ ସହରରେ ଖୋଲି ଡାକ୍ତରୀ ବ୍ୟବସାୟ ଆରମ୍ଭ କରିଥାଏ ।

ଅନେକ ସମୟରେ ମଣିଷ ଆଶା କରିନଥିବା ଅନେକ ଘଟଣା ଘଟିଯାଏ ତଟିନୀ, ଏମିତି ଏକ ଘଟଣା ମୋ ଜୀବନରେ ଘଟିଗଲା ।

ସେଦିନ ବୋଧହୁଏ ଥାଏ ରବିବାର । ଅପରାହ୍ନ, ବେଶ୍‌ କିଛି ରୋଗୀମାନଙ୍କ ଭିଡ଼ ମୋ କ୍ଲିନିକ୍‌ରେ ଜମିଥାଏ । ରୋଗୀମାନଙ୍କୁ ପରୀକ୍ଷାନୀରିକ୍ଷା କରିବାରେ ମୁଁ ପ୍ରାୟ ବ୍ୟସ୍ତ ଥାଏ ।

 

ଏହା ମଧ୍ୟରେ ମୁଁ କେବେହେଲେ ବୀଣାର ସ୍ମୃତିକୁ ମନ ଭିତରକୁ ଆଣି ନଥିଲି । ସେ ମଧ୍ୟ ମୋ ନିକଟକୁ ଗୋଟିଏ ହେଲେ ଚିଠି ଦେଇ ନଥିଲା । ଭାବିଥିଲି– ବୋଧହୁଏ, ତା’ର କୌଣସି ଅସୁବିଧା ହୋଇନାହିଁ । ସେ ସମୀର ଚୌଧୁରୀକୁ ବିବାହ କରି ଖୁବ୍‌ ଖୁସିରେ ରହିଛି ।

 

ସେତିକି ବେଳେ ଠିକ୍‌ ମୋରି କ୍ଳିନିକ୍‌ ସାମ୍ନାରେ ଗୋଟାଏ ଦୁର୍ଘଟଣା ଘଟିଲା । କାର୍‌ ଦୁର୍ଘଟଣା । କାରରେ ଥିଲେ ଜଣେ ପୁରୁଷ ଏବଂ ଅନ୍ୟଟି ସ୍ତ୍ରୀ, ମାତ୍ର ଦୁଇ ଜଣ । ସିଏ ଆଉ କେହି ନଥିଲେ ତଟିନୀ, ସେମାନେ ଥିଲେ ସମୀର ଓ ବୀଣା ।

 

ହଠାତ୍‌ ସେମାନଙ୍କର ଏ ଅବସ୍ଥା ଦେଖିବାକୁ ଦୌଡ଼ି ଯାଇଥିଲି । ବୀଣା ସଂଜ୍ଞାହୀନ ହୋଇ ପଡ଼ିଥିଲା । କିନ୍ତୁ ବିଶେଷ କିଛି କ୍ଷତି ହୋଇନଥିଲା । କିନ୍ତୁ ସମୀରର ମୁଣ୍ଡରେ ଖୁବ୍‌ ଆଘାତ ଲାଗିଥିଲା । ସେ ଦୁହିଁଙ୍କୁ ମୁଁ ମୋ କ୍ଳିନିକ୍‌କୁ ଘେନି ଆସିଥିଲି ।

 

ଖୁବ୍‌ ଏକ ବଡ଼ ଧରଣର ଅସ୍ତ୍ରୋପଚାର ଦରକାର ହୋଇଥିଲା ସମୀର ମୁଁଣ୍ଡରେ । ସେଥିପାଇଁ ମୁଁ ତାକୁ ଅପରେସନ୍‌ ଥିଏଟରକୁ ନେଇ ଯାଇଥିଲି । ଆରଘରେ ବୀଣାକୁ ମୋର ସହକର୍ମୀମାନେ ଚିକିତ୍ସା କରୁଥାନ୍ତି । ସମୀର ମୁଣ୍ଡର ଦୁଇଟି ନର୍ଭ କଟି ଯାଇଥିଲା । ତୁମେ ବିଶ୍ଵାସ କରିପାରିବନି ତଟିନୀ, ଇସ୍‍, କେତେ ଯେ ବ୍ଲିଡ଼ିଂ । ମୁଁ ନିଜେ ଧୈର୍ଯ୍ୟ ହରାଇ ବସିଥିଲି । ଅପରେସନ କରିବାକୁ ସାହାସ ପାଇନଥିଲା ମୋର ।

 

ତଥାପି ସମୀର ମୋର ବନ୍ଧୁ ଏବଂ ବୀଣାର ସ୍ଵାମୀ । ଏଇ ମନୋଭାବ ପୋଷଣ କରି ଧୈର୍ଯ୍ୟର ସହ ମୁଁ ସମୀର ମୁଣ୍ଡରେ ଅସ୍ତ୍ରୋପଚାର କରିଥିଲି । ଅପରେସନ ମଧ୍ୟ ସକସେସ୍‌ଫୁଲ୍‌ ହୋଇଥିଲା । ମୋ ମୁହଁରେ ଧାରେ ହସର ଫୁଆରା ଖେଳିଯାଇଥିଲା ।

 

କିନ୍ତୁ ମୁଁ ବଡ଼ ଭାଗ୍ୟହୀନ ତଟିନୀ, ବ୍ଲିଡିଂ କେବେହେଲେ ଚେକ୍‌ଅପ୍‌ ହେଲା ନାହିଁ । ବରଂ ଅଧିକରୁ ଅଧିକତର ହେବାକୁ ଲାଗିଲା । ଆଉ ଶେଷରେ ସମୀର ମୋତେ ନରକ ଭିତରକୁ ଠେଲିଦେଇ ସାରା ଜୀବନ ପାଇଁ ଆଖି ବୁଜିଦେଲା ।

 

ଖୁବ୍‌ ଭାଙ୍ଗି ପଡ଼ିଥିଲି ମୁଁ ।

 

ଆଉ ଉପାୟ ନଥିଲା.....ତଟିନୀ ।

 

ମନରେ ଅବଶୋଷ ନେଇ ମୁଁ ରେଷ୍ଟରୁମ୍‌କୁ ଫେରିଆସିଲି । ମୁଁ କ୍ଳାନ୍ତ ହୋଇ ପଡ଼ିଥିଲି-। ଏତେ ଚେଷ୍ଟା ଏତେ ପରିଶ୍ରମ ସତ୍ତ୍ୱେ ମୁଁ ସମୀରକୁ ବଞ୍ଚାଇ ପାରିଲିନି । କ’ଣ କହି ମୁଁ ବୀଣାକୁ ସାନ୍ତ୍ୱନା ଦେବି ?

 

ଅବଶ ଏବଂ କ୍ଳାନ୍ତିରେ ମୋ ଆଖିପତା ବୁଜି ହୋଇ ଯାଉଥିଲା । ହଠାତ୍‌ ଏକ ଦୁଃସ୍ଵପ୍ନ ମୁଁ ଦେଖିଥିଲି, ତଟିନୀ..... ।

 

ସମୀର ମୋ ନିକଟରେ ଠିଆହୋଇ କହୁଥିଲା– ନିରଞ୍ଜନ ! ତୁ ମୋତେ ବଞ୍ଚାଇ ପାରିଲୁ ନାହିଁ । କେତେ ବଡ଼ ବଡ଼ ରୋଗୀମାନଙ୍କୁ ତୁ ଭଲ କରିଛୁ ଅଥଚ ମୋତେ ପାରିଲୁ ନାହିଁ ? ମୁଁ ଜାଣେ ନିରଞ୍ଜନ ! ତୁ କେବେହେଲେ ପାରିବୁ ନାହିଁ । ତୁ ଜାଣି ଶୁଣି.... । ତୁ ଚାହୁଁ ବୀଣାକୁ । ସେଇଥି ପାଇଁ ମୋ ଉପରେ ପ୍ରତିଶୋଧ ନେବାକୁ ତୋ’ର ଏ ଉପଯୁକ୍ତ ବୋଲି ବାଛିନେଲୁ । ଠିକ୍‌ ଅଛି ନିରଞ୍ଜନ.... । ତୁମମାନଙ୍କ ନିକଟରୁ ମୁଁ ଆଜି ବହୁତ ଦୂରକୁ ଚାଲି ଆସିଛି, ଆଉରି ମଧ୍ୟ ଦୂରକୁ ଚାଲିଯିବି ।

 

ନାଁ.... ନାଁ…. ନାଁ ସମୀର.... । ମୁଁ ଚିତ୍କାର କରି ଉଠିଲି । ଆଖି ଖୋଲି ଚାହିଁଲା ବେଳକୁ ଦ୍ଵାର ମୁହଁରେ ଠିଆ ହୋଇଥିଲା ବୀଣା ।

 

ମୋର ସର୍ବାଙ୍ଗ ଥରୁଥାଏ । କିଛି ସମୟ ପର୍ଯ୍ୟନ୍ତ ମୁଁ କେବଳ ବୀଣାକୁ ଚାହିଁ ରହିଲି, କିଛି କହି ପାରିନଥିଲି ।

 

ସେ ଧୀରେ ଧୀରେ ମୋ କୋଠରୀ ମଧ୍ୟକୁ ଆସିଲା । କହିଲା– ନୀରଭାଇ– ସମୀର କାହିଁ ? କେଉଁଠି ସେ ? କିପରି ଅଛି ?

 

ମୁଁ ବା ଆଉ କ’ଣ କହିଥାନ୍ତି । ଚୁପ୍‌ ରହିଲି ।

 

ସେ ପୁଣି ମୋତେ ପଚାରିଲା–କୁହ ନୀରଭାଇ; ସମୀର କାହିଁ ? କେଉଁଠି ଅଛି ? କିପରି ?

 

ମୁଁ ଡାକ୍ତର ! ଏପରି ଭାଙ୍ଗି ପଡ଼ିବା ମୋ ପକ୍ଷରେ କେବେହେଲେ ଉଚିତ ନୁହଁ । ମନରେ ଦୃଢ଼ତା ଆଣିଲି––କହିଲି, ତୁମେ ବ୍ୟସ୍ତ ହୁଅନା ବୀଣା, ସମୀର ଖୁବ୍‌ ଭଲ ଅଛି । ତୁମେ ଖୁବ୍‌ ଆଘାତ ପାଇଛ । ଟିକିଏ ବିଶ୍ରାମ ନିଅ । ଯାଅ ବୀଣା, ଶୋଇପଡ଼ ।

 

ନାଁ.... ନାଁ ମୋର କିଛି ହୋଇନି । ମୁଁ ଠିକ୍‌ ଅଛି । ସମୀର କିପରି ଅଛନ୍ତି ନୀରଭାଇ ! ତାଙ୍କ ମୁଣ୍ଡରେ କୁଆଡ଼େ ଆଘାତ ଲାଗିଛି । ଅପରେସନ ଦରକାର ହୋଇଥିଲା । କୁହନାଁ, କଣ ହେଲା ?

 

ମୁଁ କହିଲି– ନାଁ ଅପରେସନ ଦରକାର ହୋଇନଥିଲା ।

 

ମିଛ କୁହନା ନୀରଭାଇ । ସେମାନେ ମୋତେ କହୁଥିଲେ । ତୁମେ ଅପରେସନ୍‌ କରିଛ, ଖୁବ୍‌ ବଡ଼ ଧରଣର ଅପରେସନ୍‌ । ଚାଲନା ନୀରଭାଇ, ପିଜ୍‌– ମୋତେ ଟିକେ ସମୀର ପାଖକୁ ନେଇଯାଅ ।

 

ନାଁ ବୀଣା, ସବୁ ଠିକ୍‌ ଅଛି । ଅପରେସନ୍‌ ମୋର ସକ୍‌ସେସ୍‌ଫୁଲ ହୋଇଛି । ଏଇତ ବର୍ତ୍ତମାନ ମୁଁ ଅପରେସନ୍‌ ଥିଏଟରରୁ ଆସୁଛି । ବର୍ତ୍ତମାନ କିଛି ସମୟ ବିଶ୍ରାମ ଦରକାର ।

 

–ନାଁ, ନାଁ.... ନୀରଭାଇ, ତୁମେ ମୋତେ ମନା କରନା, ମୁଁ ତାଙ୍କୁ ଥରେ ଦେଖିବି ।

 

ଏହା କହି ସେ ଝଡ଼ ବେଗରେ ରେଷ୍ଟରୁମ୍‌ରୁ ବାହାରିଯାଇ ଅପରେସନ୍‌ ଥିଏଟରକୁ ଗଲା । ମୁଁ ମଧ୍ୟ ଉପାୟ କିଛି ନ ପାଇ ତା’ ପଛେ ପଛେ ଗଲି ।

 

ସେତେବେଳକୁ ସମୀର ଚୌଧୁରୀ ନିଶ୍ଚିନ୍ତରେ ଶୋଇଯାଇଥିଲା । ମହାନିଦ୍ରା, ସ୍ଥିର, ନିଶ୍ଚଳ । ବେହେରା ଗୋଟାଏ ଧଳା ଚାଦର ତା’ ଉପରେ ଘୋଡ଼େଇ ଦେଇଥିଲା ।

 

ସମୀରର ମୁହଁ ଉପରୁ ଚାଦରଟା କାଢ଼ିଦେଲା ବୀଣା । ହଠାତ୍‌ ଚିତ୍କାର କରି ଉଠିଲା….ସମୀର........ । ତା’ପରେ ସେ ବେହୋସ ହୋଇ ଯାଇଥିଲା ।

 

ମୁଁ ଆଉ ପାରିନଥିଲି । ତାକୁ ଦୁଇବାହୁରେ ଟେକି ନେଇଆସିଲି ରେଷ୍ଟରୁମ୍‌କୁ । କିଛି ସମୟ ପରେ ତା’ର ଚେତା ଫେରିଥିଲା । ଆଖିମେଲି ସେ ଚାରିଆଡ଼କୁ ଚାହିଁଲା ।

 

–ଏ ତୁମର କ’ଣ ହୋଇଗଲା ସମୀର ! ମୋତେ ଏମିତି ଏକୁଟିଆ ଛାଡ଼ିଦେଇ ଚାଲିଗଲ ! ମୁଁ ତୁମର କି ଦୋଷ କରିଥିଲି । ମୋତେ ଛାଡ଼ି ତୁମେ କ’ଣ ରହିପାରିବ ? ନାଁ.... ନାଁ ସମୀର ମୁଁ ତୁମ ପାଖକୁ ଯିବି ।

 

ତା ମଥା ଉପରେ ହାତ ବୁଲାଇ ଆଣୁ ଆଣୁ କହିଲି, ଛି ବୀଣା, ତୁମେ ଏମିତି ହେଲେ ଚଳିବ ! ଏତେ ଭାଙ୍ଗି ପଡ଼ିଲେ କ’ଣ ହେବ ? ତୁମେ ଶିକ୍ଷିତ, ବୁଝିଲା ଭଳି ଶକ୍ତି ତୁମର ରହିଛି ।

 

–ନାଁ ନୀରଭାଇ, ସମୀର କେବେହେଲେ ମୋତେ ଏକାକୀ ଛାଡ଼ି, ଏକା ଏକା ଚାଲିଯାଇପାରିବନି । ସେ ମୋ ବିନା କେବେହେଲେ ରହିପାରିବନି, ସେ ମୋତେ ଖୁବ୍‌ ଭଲପାଅନ୍ତି ।

 

–ଛାଡ଼୍‍ ବୀଣା, ଯାହା ହେବାର ହୋଇଯାଇଛି । ଯେତେଦିନ ପାଇଁ ସେ ଏ ସଂସାରକୁ ଆସିଥିଲା, ସେତେଦିନ ତା’ର ପୂରଣ ହୋଇଯାଇଛି । ତେଣୁ ସେ ଚାଲିଗଲା ।

 

ହେଲେ ମୁଁ ସମୀରକୁ ଛାଡ଼ି ବଞ୍ଚି ପାରିବିନି ନୀରଭାଇ, କେମିତି ବଞ୍ଚିବି କୁହ ! କାହାକୁ ନେଇ ବଞ୍ଚିବି ?

 

ବୀଣାକୁ ମୁଁ ମୋ ପାଖରେ ରଖି ତା’ର ଚିକିତ୍ସା କଲି । କ୍ରମେ କ୍ରମେ ସେ ସୁସ୍ଥ ହେଲା । ତା’ ମନର ପରିବର୍ତ୍ତନ ପାଇଁ ତାକୁ ବହୁଯାଗା ମଧ୍ୟ ବୁଲାଇ ଆଣିଲି । ପ୍ରକୃତରେ ମଧ୍ୟ ସେ ସମୀର ସ୍ମୃତିକୁ କିଛିଟା ଭୁଲିଯାଇଥିଲା ।

 

ଦିନେ ସନ୍ଧ୍ୟାରେ ମୋ ବଗିଚାରେ ଆମେ ଦୁହେଁ ପାଖା ପାଖି ଦୁଇଟି ଚେୟାରରେ ବସିଥାଉ । ବହୁ ଦିନରୁ ତା’ବିଷୟରେ ଭାବିଥିବା କେତୋଟି କଥା ତାକୁ ପଚାରିବାକୁ ମୁଁ ସ୍ଥିରକଲି ।

 

–ବୀଣା, ତୁମେ ଏମିତି କେତେଦିନ ଏଠାରେ ରହିବ ? ନିଜ ବିଷୟରେ କ’ଣ କିଛି ସ୍ଥିର କଲ ?

 

–ଆଶ୍ଚର୍ଯ୍ୟ ହୋଇ ଉଠିଲା ସେ, ମୋ କଥା ଶୁଣି । କହିଲା–କ’ଣ ଯେ ଠିକ୍‌ କରିବି ? ଆଉ ମୋର କ’ଣ ଅଛି ?

 

–ନାହିଁ କ’ଣ ବୀଣା ! ଦାମ୍ପତ୍ୟ ଜୀବନ ତୁମେ ମାତ୍ର ଦୁଇଟି ବର୍ଷ ବିତାଇଛ । ତୁମ ନିକଟରେ ଆହୁରି ଅନେକ ଭବିଷ୍ୟତ ରହିଛି । ଭବିଷ୍ୟତର ସୁନେଲି ସ୍ଵପ୍ନ ଏବେବି ତୁମକୁ ଅପେକ୍ଷା କରିରହିଛନ୍ତି । ତୁମେ ତାଙ୍କୁ ସ୍ଵାଗତ କର ।

 

–ଏ ତୁମେ କ’ଣ କହୁଛ ନୀରଭାଇ ? ମୋ ଜୀବନର ପ୍ରଥମ ବସନ୍ତର ଫୁଲ ଏକ ଅଜଣା ଆଘାତରେ ମଉଳି ଗଲା । ମଉଳା ଫୁଲର କ’ଣ ବାସ୍ନା ଥାଏ, ସେ ଅନ୍ୟକୁ ସୁରଭିତ କରିବ ?

 

ଏପରି ଅବସ୍ଥାରେ ଆଉ ମୁଁ ଶଶୁର ଘରକୁ କିପରି ଯିବି ? ବାପାମା’ଙ୍କ ନିକଟକୁ ଫେରିଯିବାକୁ ମଧ୍ୟ ମୋ ବିବେକ ମୋତେ ବାଧା ଦେଉଛି । ତେଣୁ କେଉଁଠିକି..... । ସେ କଥା ଅଧା ରଖିଲା ।

 

ତୁମେ ଆଉ କେଉଁଠିକି ଯିବା ଦରକାର ନାହିଁ ବୀଣା, ମୁଁ ଅଛି, ତୁମ ନୀରଭାଇ । ବୀଣା, ଆଜି ସେ ସମୟ ସମାଗତ । ଇଚ୍ଛାକରି ଦିନେ ଆମେ ଯାହା ପାଇପାରିନଥିଲେ, ତାହା ଆଜି ଆପଣ ଛାଏଁ ଛାଏଁ ଆମ ନିକଟକୁ ଆସିଛି । ତୁମେ ତାକୁ ସ୍ଵାଗତ କର ବୀଣା ।

 

କିପରି ଏକ ଭାବାନ୍ତର ତା ମୁହଁରେ ସୃଷ୍ଟି ହେଲା । ଏକ ଅବୋଧ୍ୟ ଚାହାଣୀରେ ସେ ମୋ ମୁହଁକୁ ଚାହିଁଲା ।

 

ମୁଁ କହିଲି– ବୀଣା, ଆମର ଏ ଭଲପାଇବା ଚିରଶାଶ୍ଵତ, ଅମର । ଏ ବନ୍ଧନ କେବେହେଲେ ତୁଟି ପାରେନା, ତୁମପାଇଁ ମୋ ହୃଦୟର ଦ୍ଵାର ସଦାସର୍ବଦା ଉନ୍ମୁକ୍ତ । ଆସ, ଆସ ବୀଣା, ମୋ ହୃଦୟ ସିଂହାସନରେ ରାଣୀ ହୋଇବସ । ପୁଣି ତୁମ ମୁହଁରେ ମୁଁ ହସର ଫୁଆରା ଖେଳେଇ ଦେବି ।

 

ଅତୀତର ସେଇ ମାଧୁରିମାରେ ଆମେ ଦୁହେଁ ପୁଣି ନିଜକୁ ହଜେଇ ଦେବା, ଆସ, ମୋ ହାତଧରି ଉଠିଆସ । ଆଜିର ଏଇ ମନୋରମ ସାୟାହ୍ନ ହିଁ ହେବ ଆମ ମିଳନର ମୂକ ସାକ୍ଷୀ । ମୋ ହାତ ଧରିବା ପାଇଁ ମୁଁ ତା ଆଡ଼କୁ ହାତ ବଢ଼ାଇଲି ।

 

ହଠାତ୍‌ ସେ ବସିଥିବା ଚେୟାରରୁ ଉଠି ପଡ଼ିଲା ଏବଂ ଆହାତ ନାଗୁଣୀ ଭଳି ଗର୍ଜି ଉଠିଲା–– ‘ଏଇ ଆଶା ପୋଷଣ କରି ଆଜିଯାକେ ମୋତେ ତୁମେ ତମ ଘରେ ଆଶ୍ରୟ ଦେଇ ଆସିଛ କ୍‌ଟର ନିରଞ୍ଜନ ପଟ୍ଟନାୟକ । ଏଇ କ’ଣ ତମର ଶେଷ ସିଦ୍ଧାନ୍ତ ?’

 

ଆଜି ତୁମର ସବୁକଥା ଜଣାପଡ଼ିଯାଇଛି କ୍‌ଟର ପଟ୍ଟନାୟକ । ତୁମର ସେ କୁଚ୍ଛ୍ର ବାସନା, ଆଉ ତୁମର ଏଇ ବେଇମାନ ଅଭିଳାଷର ମୁଖା ଆଜି ଖୋଲିଯାଇଛି । ତୁମେ ଏତେ ଇତର, ନୀଚ, ବେଇମାନ୍‌ । ତୁମେ ଏ କ’ଣ କଲ ନୀରଭାଇ, ନିଜର ସ୍ଵାର୍ଥପାଇଁ ତୁମେ ଅନ୍ୟର ଗୋଟିଏ ହର୍ଷଣ ମୁଖର ପରିବାରରେ ଅଗ୍ନି ସଂଯୋଗ କରିପାରିଲ । ତୁମକୁ ଭଲ ପାଇବାର ପ୍ରତିଦାନ କ’ଣ ଏଇଆ ? ସେ ଭେଁ ଭେଁ ହୋଇ କାନ୍ଦି ଉଠିଲା ।

 

ମୁଁ ତାକୁ ସାନ୍ତ୍ୱନା ଦେବାକୁ ଯାଇଁ କହିଲି– ଛି ବୀଣା, ତୁମେ ମୋତେ ଭୁଲ ବୁଝନା ! ତୁମମାନଙ୍କ ପ୍ରତି ମୁଁ ମୋର କର୍ତ୍ତବ୍ୟ ହିଁ କେବଳ କରିଛି ।

 

–କର୍ତ୍ତବ୍ୟ ? ସେ ପୁଣି ଗର୍ଜି ଉଠିଲା, କ’ଣ କର୍ତ୍ତବ୍ୟ ? ଦିନେ ତୁମେ, ତୁମ ଦେହ ମୋତେ ଛୁଆଇଁ ଶପଥ କରାଇ ଥିଲନା, ତୁମକୁ ଭୁଲିଯିବା ପାଇଁ ? ସମୀରକୁ ନେଇ ସୁଖରେ ଘର ସଂସାର କରିବା ପାଇଁ । ଯଦି ତୁମର ମୋ ପ୍ରତି ଏଇ ସ୍ନେହ ମମତା ଥିଲା, ସେତେବେଳେ କାହିଁକି ମୋତେ ସମୀର ଠାରୁ ଛଡ଼େଇ ନେଲନାହିଁ ?

 

ଆଜି ତୁମେ କା’ପୁରୁଷ ଭଳି ସମୀରର ଏ ଦୁର୍ଦ୍ଦିନରେ ତା’ଉପରେ ପ୍ରତିଶୋଧ ନେଲ ? ତୁମ ହାତ ଗଲା, ତୁମେ ଏତେ ଛୋଟ ହୋଇପାରିଲ ! ମୁଁ ଭାବିଥିଲି ତୁମେ ମହତ, ତୁମେ ବିରାଟ କିନ୍ତୁ ଆଜି ତୁମର ମୁଖା ଖୋଲିଯାଇଛି କ୍‌ଟର ପଟ୍ଟନାୟକ । ସମୀର ଚୌଧୁରୀକୁ ଅପରେସନ୍‌ ଥିଏଟରରେ ତୁମେ ହତ୍ୟା କରିଛ ! କେବଳ ମୋତେ ପାଇବାକୁ । ଏକଥା ତୁମେ ଅସ୍ଵୀକାର କରିପାରିବ ?

 

ବୀଣା– ମୁଁ ଗର୍ଜି ଉଠିଲି । ଏକଥା ତୁ କହିପାରୁଛୁ ?

 

–କାହିଁକି କହିପାରିବି ନାହିଁ, ନୀରଭାଇ । ମୋ ରୂପ ତୁମକୁ ପାଗଳ କରିଦେଇଛି, ନୁହେଁ-? କିନ୍ତୁ ତୁମେ କ’ଣ ପାରିବ ? ମୋର ଏଇ ଲଙ୍ଗଳା ହାତ, ଫୁଙ୍ଗୁଳା ମଥା....କ’ଣ ତୁମକୁ ସୁଖ ଦେଇପାରିବ ? କେବେହେଲେ ତୁମେ ସୁଖୀ ହୋଇପାରିବନି । କେବଳ ଅନୁତାପର ନିଆଁରେ ଜଳିବାକୁ ଲାଗିବ ।

 

ମୁଁ ଚାଲିଯାଉଛି କ୍‌ଟର ନିରଞ୍ଜନ ପଟ୍ଟନାୟକ, ତୁମ ଭଳି ଗୋଟାଏ ଭୀରୁ ନାରୀ ମାଂସ ଲୋଭୀ ପୁରୁଷ ନିକଟରେ ମୁଁ ଗୋଟାଏ ହେଲେ ମୁହୂର୍ତ୍ତ ରହିବାକୁ ଚାହେଁନି ।

 

ସେ ଏତକ କହି ଝଡ଼ ବେଗରେ ମୋ ବଗିଚାରୁ ବାହାରି ଯାଇଁ ରାଜରାସ୍ତାର ଲୋକ ଗହଳି ମଧ୍ୟରେ ହଜିଗଲା । ଇଚ୍ଛାକରି ମଧ୍ୟ ମୁଁ ତାକୁ ଅଟକାଇ ପାରିଲିନାହିଁ ।

 

ସେ ଚାଲି ଯାଇଥିଲା ଯେ ଯାଇଥିଲା । ଏହା ଭିତରେ ବହୁତ କିଛି ବର୍ଷ ବିତି ଯାଇଥିଲା-। ମୁଁ ମଧ୍ୟ ଏ ମେଣ୍ଟାଲ ହସ୍‌ପିଟାଲର ପ୍ରଫେସରରୂପେ ମୋର କାର୍ଯ୍ୟ ଆରମ୍ଭ କରିଥିଲି-। ରୋଗୀମାନଙ୍କ ସେବାରେ ବ୍ୟସ୍ତ ରହି ବୀଣାକୁ ସମ୍ପୂର୍ଣ୍ଣ ଭୁଲିଯାଇଥିଲି ।

 

ତଥାପି କେଜାଣି କାହିଁକି ମୁଁ ଏକ ଅଜଣା ଆତଙ୍କରେ ଶିହରି ଉଠେ । ଏକ କୋକୁଆ ଭୟ ମୋ ମନରେ ଜାଗି ଉଠେ । ମନେହୁଏ, ସମୀର ଚୌଧୁରୀର ଆତ୍ମା ମୋ ଉପରେ ପ୍ରତିଶୋଧ ନେବା ପାଇଁ ମୋ ଚାରିପଟେ ଘୁରି ବୁଲୁଛି । ଭାବେ, ପ୍ରକୃତରେ କ’ଣ ମୁଁ ସମୀର ଚୌଧୁରୀକୁ ହତ୍ୟା କରିଛି, ବୀଣାକୁ ନିଜର କରିବା ପାଇଁ ?

 

ଏମିତି କେତେ କ’ଣ ? ମୋ ଭାବନାର ଅନ୍ତ ନଥାଏ । ବୀଣାର କଥା ମୋ ହୃଦୟକୁ ଦୋହଲାଇ ଦେଇଥାଏ । ବୀଣା ବି ଶେଷରେ ମୋତେ ଅବିଶ୍ୱାସ କଲା । ପ୍ରକୃତରେ ନାରୀ ଜାତି ଭାରି ଅବିଶ୍ଵାସୀ ! ସେମାନେ ଯାହା ଥରେ ବୁଝିଥାନ୍ତି, ସେଇଆ ! ଠିକ୍‌ଟା ସେମାନେ କେବେହେଲେ ବୁଝନ୍ତି ନାହିଁ ।

 

ହଠାତ୍‌ ଦିନେ ବୀଣା ମୋ ଘରେ ଆସି ପହଞ୍ଚିଲା । ତା’ର ସବୁ ସଞ୍ଚିତ ରୂପ ସେତେବେଳକୁ ମଳିନ ପଡ଼ି ଆସିଥାଏ । କେଶବିନ୍ୟାସ ବିପର୍ଯ୍ୟସ୍ତ । ସେ ବୀଣା ବୋଲି ତାକୁ ଚିହ୍ନି ହେଉ ନଥାଏ । ମୋତେ ଦେଖି ସେ ମୋ ପାଦତଳେ ନମସ୍କାର କରି କହିଲା– ନୀରଭାଇ !

 

ତା’ର ସେ ଡାକ ଶୁଣି ତାକୁ ମୁଁ ଠିକ୍‌ ଭାବେ ଚିହ୍ନି ପାରିଥିଲି । ପାଦତଳୁ ତାକୁ ଉଠାଇ ନେଇଥିଲି, ପଚାରିଥିଲି– ବୀଣା, ବର୍ତ୍ତମାନ ତୁ କେଉଁଠି ? କ’ଣ କରୁଛୁ । କିପରି ଅଛୁ ?

 

ସେ ମୋ ପ୍ରଶ୍ନର ଗୋଟିଏ ଛୋଟ ଉତ୍ତର ଦେଇଥିଲା– ‘ମୁଁ ଠିକ୍‌ ଅଛି ନୀରଭାଇ, ହେଲେ ତୁମେ ଏ କ’ଣ କଲ ? ଶେଷକୁ ତୁମେ ନିଜ ଉପରେ ପ୍ରତିଶୋଧ ନେଲ ।

 

ସେ କଥା ଛାଡ଼ ବୀଣା ! ପ୍ରଥମେ କହ, ତୁ କିପରି ଅଛୁ । ଏତେଦିନ ପର୍ଯ୍ୟନ୍ତ ତୁ କେଉଁଠାରେ ଥିଲୁ, କ’ଣ କରୁଥିଲୁ ? ମୁଁ ପଚାରିଲି ।

 

ଏତେଦିନ ଧରି ମୁଁ କେବଳ ଶାନ୍ତି ଖୋଜି ଆସୁଛି ନୀରଭାଇ, ହେଲେ କେଉଁଠି ଶାନ୍ତି ପାଇନି । ଏଠାରୁ ଚାଲିଯିବା ପରେ ମୁଁ ଗୋପିବଲ୍ଲଭ ମଠରେ ମାତାଜୀରୂପେ ରହି ମୋର ଅବଶିଷ୍ଟ ଜୀବନକୁ ଶ୍ରୀକୃଷ୍ଣଙ୍କ ଚରଣାବିନ୍ଦରେ ସମର୍ପି ଦେବାକୁ ସ୍ଥିର କରିଥିଲି ।

 

ଆଉ ମୋର କିଛି ଉପାୟ ନଥିଲା ନୀରଭାଇ, ଯେତେବେଳେ ମୋ ଜୀବନର ପହିଲି ସକାଳରେ ଝଡ଼ର ସୂତ୍ରପାତ ହେଲା । ନାରୀର ସକଳ ଶକ୍ତିର ଆଧାର, ତା ସ୍ୱମୀକୁ ତା’ଠାରୁ ଛଡ଼ାଇ ନିଆଗଲା, ସେତେବେଳେ ଆଉ ମୁଁ ବା କ’ଣ କହିଥାନ୍ତି ? ତୁମ ଦେହ ଛୁଇଁ ଶପଥ କରିଥିଲି– ଜୀବନରେ କେବେହେଲେ ଆତ୍ମହତ୍ୟା କରିବି ନାହିଁ ଏବଂ ଦ୍ଵିତୀୟ ଥର ମଧ୍ୟ ତୁମରି ଦେହ ଛୁଇଁ ତୁମେ ମୋତେ ଶପଥ କରାଇ ଦେଇଥିଲ ଯେ– ସମୀରକୁ ନେଇ ମୁଁ ମୋର ସୁଖର ସଂସାର ଗଠନ କରିବି ଏବଂ ତୁମକୁ ଭୁଲିଯିବି । ଏହାପରେ ମୋର ଆଉ କ’ଣ ଉପାୟ ଥିଲା ? ତୁମେ କୁହ ନୀରଭାଇ । ତେଣୁ ଭାବିଲି ଜୀବନର ଅବଶିଷ୍ଟାଂଶକୁ ଶ୍ରୀକୃଷ୍ଣଙ୍କ ପାଦତଳେ ସମର୍ପି ଦେଇ ଶାନ୍ତି ପାଇବି । ହେଲେ.... ।

 

ବୀଣା... ।

 

ହଁ, ନୀରଭାଇ, କିନ୍ତୁ ପାରିଲିନି, ଶ୍ରୀକୃଷ୍ଣଙ୍କୁ ଯେତେଥର ହୃଦୟରେ ଭାବି ସ୍ତବ କରିବାକୁ ବାହାରେ, ସେତେବେଳେ ଶ୍ରୀକୃଷ୍ଣଙ୍କ ଛବି ମନ ଭିତରକୁ ନଆସି ଆସେ ସମୀରର ପ୍ରତିଛବି କିମ୍ବା ତୁମର । ଯେତେ ଚେଷ୍ଟା କଲେ ବି ମୁଁ ପାରିଲିନି । ଶ୍ରୀକୃଷ୍ଣଙ୍କ ନାମ ଉଚ୍ଚାରଣ କଲାବେଳକୁ ତା ପ୍ରତିବଦଳରେ ସମୀର କିମ୍ବା ତୁମର ନାମ ଉଚ୍ଚାରିତ ହୋଇଯାଏ । ଶେଷରେ ଅନ୍ୟମାନଙ୍କ ନିକଟରେ ମୁଁ ଅପଦସ୍ତ ହୁଏ ।

 

ତୁମେ କହିପାରିବ ନୀରଭାଇ, –ନାରୀ କ’ଣ କେବଳ ଜଳିବାକୁ ଏ ସଂସାରରେ ଜନ୍ମ ନେଇଥାଏ ? ସୁଖରେ କ’ଣ ରହିବାକୁ ତା ଭାଗ୍ୟରେ ନଥାଏ ? ଯଦି କେହି ପାପ କରିଥାଏ, ତାହେଲେ ତା’ପର ଜନ୍ମ ହେଉଛି ନାରୀ । ନାରୀ ଜୀବନ ହେଉଛି ଅଭିଶପ୍ତ । ତା’ର ଜ୍ଵଳନ୍ତ ଉଦାହରଣ ହେଉଛି, ମୁଁ…ନୁହେଁ ?

 

ମୁଁ ଜାଣି ପାରୁଥିଲି, ତା ମନଭିତରେ ଅଦମ୍ୟ ବେଦନା ଗୁଞ୍ଜରିତ ହେଉଛି । ତଥାପି ତାକୁ ପଚାରିଥିଲି– ଆପାତତଃ ତୁ ବର୍ତ୍ତମାନ କେଉଁଠି ?

 

ପାରିଲିନି ନୀରଭାଇ, ସେ କହିଲା । ଗୋପିବଲ୍ଲଭ ମଠରେ ରହିବା ମୋ ପକ୍ଷରେ ଅସମ୍ଭବ ହୋଇ ଉଠିଲା । କେଉଁଠାକୁ ଯାଇ ମୁଁ ଶାନ୍ତିରେ ରହିପାରିବି, ମୋ ଅତୀତକୁ ଭୁଲିଯାଇ ପାରିବି, ସେ କଥା ଭାବିବାକୁ ଲାଗିଲି ।

 

ହଠାତ୍‌ ସେ କାଶି ଉଠିଲା । ଇସ୍‌ ! କି ଭୟଙ୍କର ସେ କାଶ ! ଆରେ ଏ କଣ ? ରକ୍ତ ! ବୀଣା, କାଶି କାଶି ରକ୍ତ ବାନ୍ତି କରୁଛି ? ତାକୁ ଯକ୍ଷ୍ମା..... ? ସେ କାଶି କାଶି ଅବଶ ହୋଇପଡ଼ିଲା ।

 

ମୁଁ ଚିତ୍କାର କରି ଉଠିଲି । ଏ ତୋର କ’ଣ ହେଲା ବୀଣା ? ସେ କିନ୍ତୁ ସେଇ ପରି ନିର୍ବିକାରଭାବେ କହିଲା– ମୋର କିଛି ହୋଇନି ନୀରଭାଇ । ମୁଁ ଠିକ୍‌ ଅଛି । ଏସବୁ ମୋ କୃତକର୍ମର ଫଳ ।

ନାଁ, ନାଁ ତୋର କିଛି ହୋଇନି ବୀଣା, ତୁ ଭଲ ହୋଇଯିବୁ । ମୁଁ ତୋତେ ଭଲ କରିଦେବି । ମୁଁ କହି ଉଠିଲି ।

ମୁଁ ଜାଣେ ନୀରଭାଇ, ତୁମେ ଡାକ୍ତର । ରୋଗୀମାନଙ୍କୁ ଭଲକରିବା ପାଇଁ ତୁମେ ଡାକ୍ତର ହୋଇଛ; କିନ୍ତୁ ଅସଲ ରୋଗଟା ମୋର ଏଯାଏଁ ଭଲ ହୋଇନି । ତାକୁ ତୁମେ ଭଲ ମଧ୍ୟ କରିପାରିବନି ନୀରଭାଇ ।

କିନ୍ତୁ ଏ ତୋର କେମିତି ହେଲା ?

ନୀରଭାଇ, ଯେତେବେଳେ ଗୋପିବଲ୍ଲଭ ମଠରେ ରହିବା ମୋ ପକ୍ଷେ ଅସମ୍ଭବ ହୋଇ ଉଠିଲା । ସେତେବେଳେ ମୁଁ ମୋର ଆଶ୍ରୟ ସ୍ଥଳ ଖୋଜି ବସିଲି କିନ୍ତୁ କେଉଁଠି ହେଲେ ମୋ ମନ ମୁତାବକ ଆଶ୍ରୟ ପାଇପାରିଲି ନାହିଁ । ଶେଷରେ ମୁଁ ସାଜିଲି ହିପ୍‌ପି । ଗଞ୍ଜା, ସେସ, ଭାଙ୍ଗ ଓ ମଦ ଭିତରେ ବୁଡ଼ି ରହି ମୁଁ ଠିକ୍‌ ଶାନ୍ତିରେ ରହିପାରିଲି । ମୁଁ ବହୁତ ବୁଲିଛି ନୀରଭାଇ । ଯେତେବେଳେ ମୋ ନିଶା କମିଯାଏ, ସେତେବେଳେ ମୋର ସବୁକଥା ମନେ ପଡ଼େ । ମୁଁ ଗଞ୍ଜା, ମଦ ଭିତରେ ନିଜକୁ ବୁଡ଼ାଇ ରଖେ, ତମ ଦେହ ଛୁଇଁ ସତ କହୁଛି ନୀରଭାଇ, ହିପ୍‌ପି ଜୀବନ ପ୍ରକୃତରେ ଖୁବ୍‌ ଶାନ୍ତି ଜୀବନ । ଆଉ ଆଜି ଯେଉଁ ରୋଗଟା ତୁମେ କହୁଛ, ଏସବୁ ହେଉଛି ତାରି ପ୍ରତିଫଳ ।

ନୀରଭାଇ ମୁଁ ଆଜି ଛୁଟି ଆସିଛି, ତୁମରି ପାଖକୁ । ତୁମେ କ’ଣ ମୋତେ ଆଶ୍ରୟ ଦେବନି ? ମୋତେ କ’ଣ ଗୋଡ଼ରେ ଦୂରକୁ ଠେଲି ଦେବ ?

କିଏ କହିଲା ମୁଁ କହି ଉଠିଲି । ତୁ ତ ସବୁବେଳେ ମୋର, ବୀଣା । ତୋ ପାଇଁ ମୋ ଘରର ଦ୍ଵାର ଏବେବି ଉନ୍ମୁକ୍ତ । ତୋର ଯେତେ ଦିନ ଇଚ୍ଛା ରହିପାରୁ ।

ମୋତେ ଗିଲାସେ ପାଣି ଆଣି ଦେଇ ପାରିବ ନୀରଭାଇ– ସେ ମୋତେ ମାଗିଥିଲା ।

ଘର ଭିତରକୁ ଦୌଡ଼ିଯାଇ ଗିଲାସେ ପାଣି ଧରି ଆସିଲା ବେଳକୁ ପୁଣି ତା’ର କାଶ ଆରମ୍ଭ ହୋଇ ଯାଇଥାଏ । ପୂର୍ବାପେକ୍ଷା ଏ କାଶ ଆହୁରି ଭୟଙ୍କର । ସତେ ଯେପରି ତା’ ଜୀବନର ଶେଷତ୍ଵକ ଟିକକ ଏଇଠି ଲିଭିଯିବ । କାଶି କାଶି ସେ ବେହୋସ ହୋଇଯାଇଥିଲା ।

ତାକୁ ମୋ କୋଳକୁ ଘେନି ଆସିଥିଲି । କିଛି ସମୟ ପରେ ସେ ଆଖି ଖୋଲିଥିଲା । କହିଥିଲା– ନୀରଭାଇ, ତୁମ ନିକଟରେ ମୋର ଗୋଟାଏ ଅନୁରୋଧ ! ରଖିବ ?

କହ ବୀଣା, କ’ଣ ତୋର ଅନୁରୋଧ– ମୁଁ ଉତ୍କଣ୍ଠିତ ହୋଇ ପଚାରିଲି ।

ତୁମ ନିଜ ଉପରେ ତୁମେ ପ୍ରତିଶୋଧ ନିଅନା ନୀରଭାଇ । ତୁମେ ବିବାହ କର । ଦେଖିବ, ତୁମ ସଂସାର ନିଶ୍ଚୟ ହସିବ । ମୋ ଦେହ ଛୁଇଁ କୁହ, ମୋର ଏଇ ଟିକକ ଅନୁରୋଧ ରଖିବ । ଏତକ କହି ସେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲା ।

ଡାକ୍ତର ନିରଞ୍ଜନ ପଟ୍ଟନାୟକଙ୍କର ଦୁଇ ଆଖିରୁ ଦୁଇଟି ନଦୀର ବନ୍ୟା ପରି ଲୋତକ ଗଡ଼ି ଆସୁଥିଲା ।

ମୁଁ ପଚାରିଲି ତା’ପରେ ?

ସେଇ ଦିନଠୁଁ ମୁଁ ତା’ରି ସ୍ମୃତିକୁ ନେଇ ବଞ୍ଚି ରହିଛି ତଟିନୀ । ଜଣକୁ ଭଲ ପାଇ କ’ଣ ତାକୁ କେବେ ଭୁଲି ହୁଏ ?

ମୋର ଔଷଧ ଖାଇବା ସମୟ ବୋଧହୁଏ ହୋଇ ଯାଇଥିଲା । ସୁରମା ଦିଦି, ଔଷଧ ନେଇ ମୋ ନିକଟକୁ ଚାଲି ଆସିଲେ ଏବଂ ଡଃ ନିରଞ୍ଜନ ପଟ୍ଟନାୟକ ମୋ ରୁମ୍‌ରୁ ବାହାରି ଚାଲିଗଲେ । ସୁରମା ଦିଦିଙ୍କ ହାତରେ ନିଦ ଔଷଧ । ଏହାକୁ ପିଇଦେଲେ ଅନ୍ତତଃ ବାରଘଣ୍ଟା ପର୍ଯ୍ୟନ୍ତ ମୁଁ ଶାନ୍ତିରେ ଶୋଇପଡ଼ିବି ।

ହଁ, ହଁ, ମୁଁ ଶାନ୍ତିରେ ଶୋଇବାକୁ ଚାହେଁ । ତେଣୁ ମୁଁ ସେ ଔଷଧ ପିଇବାକୁ ଚାହେଁ । ଦିଅ ଦିଦି, ମୋତେ ସେ ଔଷଧ ପିଇବାକୁ ଦିଅ । ମୁଁ ଶୋଇଯିବି, ମୁଁ ନିଶ୍ଚିନ୍ତ ହେବି !

ଆଜି ଖୁବ୍‌ ବର୍ଷା । ଅଦିନ ବର୍ଷା । ଚୈତ୍ରର ରୌଦ୍ରତାପକୁ ପ୍ରଶମିତ କରିବାକୁ ଏ ବର୍ଷାର ହଠାତ୍‌ ଆବିର୍ଭାବ ।

ଏ ଭିତରେ ଅନେକ କିଛି ବଦଳି ଯାଇଛି । ବଦଳିବା ତ ଧର୍ମ । କିନ୍ତୁ ମୁଁ…. । ମୁଁ କିନ୍ତୁ ବଦଳି ପାରିଲି ନାହିଁ । ସେଇମିତି ରହିଗଲି । ଜୀବନଟା ବୋଧହୁଏ ମୋର ଏଇ ମେଣ୍ଟାଲ ହସ୍‌ପିଟାଲର ଚାରି ନମ୍ବର ବେଡ଼ରେ କଟିଯିବ । ଅଭିଶପ୍ତ ଏ ଚାରିନମ୍ବର ବେଡ୍‍ । ଏ ବେଡରେ ମୁଁ ସାଗରଙ୍କୁ ଭଲ କରିଥିଲି, କିନ୍ତୁ ଶେଷରେ ମୁଁ ମଧ୍ୟ ଏଇ... ।

ମେଣ୍ଟାଲ ହସ୍‌ପିଟାଲର ନର୍ସ ଥିଲି ମୁଁ । ମସ୍ତିଷ୍କ ବିକ୍ତୃତ ରୋଗୀମାନଙ୍କର ସେବା କରିବା ଥିଲା ମୋର କର୍ତ୍ତବ୍ୟ । ମୋରି ଅଦମ୍ୟ ସେବା ଶୁଶ୍ରୂଷାରେ ବହୁ ମସ୍ତିଷ୍କ ବିକୃତି ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । କିନ୍ତୁ ମୁଁ... । ଶେଷରେ ମୋର ମସ୍ତିଷ୍କ ବିକୃତି ଘଟିଲା । କି ଚମତ୍କାର । କିଏ ଜବାବ ଦେବ ମୋ ପ୍ରଶ୍ନର ? ମୋର କାହିଁକି ମସ୍ତିଷ୍କ ବିକୃତି ଘଟିଲା । କାହିଁକି ? କିଏ ଜବାବ ଦେବ ?

ନାଁ କେହି ଦେଇ ପାରିବେ ନାହିଁ । ମୋ ପ୍ରଶ୍ନର ଉତ୍ତର ଦେଲାଭଳି ଶକ୍ତି ଏଠାରେ କା’ର ନାହିଁ । ପ୍ରକୃତରେ କ’ଣ ମୁଁ ପାଗଳୀ ? ନାହିଁ ମୋର ତ କିଛି ହୋଇନାହିଁ । ମୁଁ ଠିକ୍‌ ଅଛି । ଗୋଟି ଗୋଟି ହୋଇ ମୋର ସବୁ ମନେ ଅଛି । ତାହେଲେ ମୁଁ ପାଗଳୀ ହେଲି କିପରି ?

ଏମାନେ ଖୁବ୍‌ ଆଶ୍ଚର୍ଯ୍ୟ । ଏମାନେ ଯାହା ବୁଝିଥାନ୍ତି, ସେଇଟାହିଁ ଠିକ୍‍; କିନ୍ତୁ ପ୍ରକୃତରେ ଏମାନେ କିଛି ବୁଝି ନଥାନ୍ତି । ମଣିଷ ପାଗଳ, ତାକୁ ଚିକିତ୍ସା କରାଯିବ ! ଔଷଧ ଦିଆଯିବ, ଇଞ୍ଜେକ୍‌ସନ ଦିଆଯିବ । ବିଦ୍ୟୁତ୍‌ ସକ୍‌ ଦିଆଯିବ । ନିଶା ଔଷଧ ଦିଆଯାଇ ଶୋଇବାକୁ ଦିଆଯିବ; କିନ୍ତୁ.... ଜଣେ କାହିଁକି ପାଗଳ ହେଲା ସେ କଥା କେହି ଭାବନ୍ତି ନାହିଁ ? କେଉଁ କାରଣରୁ ଜଣେ ପାଗଳ ହେଲା, ସେ ବିଷୟରେ କେହି ଅନୁସନ୍ଧାନ କରନ୍ତି ନାହିଁ । ଅନ୍ଧ ବୁଝାମଣା !

ଆଜିର ଏ ବର୍ଷଣ ମୁଖର ଦିନରେ ମୋର ସବୁକଥା ମନେ ପଡ଼ୁଛି । ଗୋଟି ଗୋଟି ହୋଇ ସବୁ କଥା । ପଙ୍କଜିନୀ, ସୁରମା ଦିଦି, ମନୋରମା, ନିରଞ୍ଜନ ପଟ୍ଟନାୟକ ଆଉ ମୁଁ....ସବୁ କଥା ।

ଡଃ ନିରଞ୍ଜନ ପଟ୍ଟନାୟକ ମାନବିକତାର ଅବତାର ।

ସୁରମା ଦିଦିଙ୍କର ଅତୀତ ଇତିହାସ ଖୁବ୍‌ ପଙ୍କିଳ । ଯାହାକୁ ପର୍ଯ୍ୟାଲୋଚନା କଲେ ଏ ସମଗ୍ର ପୁରୁଷ ଜାତିଟା ଉପରେ ପ୍ରତିଶୋଧ ନେବାକୁ ଇଚ୍ଛା ହୁଏ । ନିଜ ଜୀବନର ଶେଷ ପର୍ଯ୍ୟନ୍ତ ସେ କେବଳ ଉତ୍ସର୍ଗ କରି ଆସିଛନ୍ତି । ତାଙ୍କ କଥା ଭାବିଲେ ତାଙ୍କର ଏ ଉତ୍ସର୍ଗୀକୃତ ଜୀବନ ପ୍ରତି ସ୍ଵତଃ ମଥା ନଇଁଆସେ ।

ପଙ୍କଜିନୀ.... । ସେ କିନ୍ତୁ ପାରିଥିଲା । ସେ ଏ ଅଥର୍ବ ସମାଜର ଅନ୍ଧ ନିୟମକୁ ପାଦରେ ଦଳିଦେଇ ଗଢ଼ିଛି ଏକ ନୂତନ ସମାଜ । ସେ ସମାଜରେ ନାହିଁ ସଠତା, ଭୀରୁତା, ମାଂସର ଲୋଭ-? ସେଠି ଅଛି ଦୁଇଟି ହୃଦୟର ମିଳନ, ଶାନ୍ତି । ଏ ସମାଜର ପଙ୍କ ଭିତରୁ ସେ ଜନ୍ମ ନେଇଛି ପଙ୍କଜିନୀ ।

ମନୋରମା ଏ ସମାଜରେ ଆଣିଥିଲା ଏକ ବିପ୍ଳବ । ନାରୀ କେବଳ ଯାୟା ଭାବରେ ବଞ୍ଚି ରହିବାକୁ ଆସିନି । ଏ କଥା ସେ ପ୍ରମାଣ କରିଦେଲା ।

 

ମୁଁ କିନ୍ତୁ ସମସ୍ତଙ୍କୁ ଛାଡ଼ି ରହିଗଲି ଏକାକୀ । ସମସ୍ତେ ଆଜି ନିଜ ନିଜର ସୁଖରେ ମଜି ରହିଛନ୍ତି । ମୁଁ କିନ୍ତୁ ରହିଗଲି ଏ ମେଣ୍ଟାଲ ହସ୍‌ପିଟାଲରେ । କିଏ ଜାଣେ କେତେ ଦିନ ଏମିତି ଏ ଜେଲ ଭିତରେ ମୋତେ ରହିବାକୁ ପଡ଼ିବ । ମୋ ନିକଟରେ ଆଜି କେହିହେଲେ ଜଣେ ଆପଣାର ନାହାଁନ୍ତି । କେବଳ ସ୍ମୃତି…. । ଯାହାକୁ ନେଇ ମୁଁ ଏଯାଏଁ ବଞ୍ଚି ରହିଛି ।

 

ସାଗର ।

 

ମୋର ପ୍ରଥମ ପ୍ରେମର ସାଗର !

 

ମୋର ଆଦ୍ୟ ଯୌବନର ସାଗର !!

 

ମୋର ପ୍ରଥମ ଫଗୁଣର ପହିଲି ସ୍ଵପ୍ନ ସାଗର !!

 

ଯାହାଙ୍କର ଅସ୍ତିତ୍ଵକୁ ମନରୁ ବାଦ ଦେଇ ହୁଏନାହିଁ । ଯାହାଙ୍କୁ ବାଦ ଦେଇ ଅନ୍ୟକୁ ଭାବି ହୁଏ ନାହିଁ । ସେଇ ମୋର ପ୍ରିୟ ସାଗର ।

 

ଦୀର୍ଘ ଦୁଇ ବର୍ଷର ହୃଦୟ ବିନିମୟ ଭିତରେ ସ୍ଵପ୍ନଟିଏ ପରି ମୁଁ ପ୍ରେମର ବୃତ୍ତ ରଚନା କରିଥିଲି । ସେଇ ପ୍ରେମର ବୃତ୍ତ ଏକ ବିଶାଳ ପଦ୍ମ କୋରକରେ ପରିଣତ ହୋଇଥିଲା; କିନ୍ତୁ ଏବେ ସେଇ ପଦ୍ମ କୋରକଟି ପାଖୁଡ଼ା ମେଲି ବିକଶି ଉଠିଲା ବେଳକୁ ହଠାତ୍‌ ଗୋଟାଏ ଅଦିନ ବର୍ଷା ଆସି ତାକୁ ଛେଚି ନଷ୍ଟ କରିଦେଲା ।

 

ମୋ ଜୀବନରେ ଏଭଳି ନାଟକୀୟ ପରିସମାପ୍ତି ସତରେ କ’ଣ ସତ୍ୟ ?

 

ସୁରମା ଦିଦିଙ୍କର କାହାଣୀ ଅନେକ ଆଶା ଓ ଅନେକ ଯାତନା କ୍ଳିଷ୍ଟରେ ଜର୍ଜରିତ ।

 

ପଙ୍କଜିନୀର ହା’ହୁତାଶମୟ କାହାଣୀ ଚଳନ୍ତି ଜୀବନର ବାସ୍ତବ ଚିତ୍ର ।

 

ମନୋରମା ଜୀବନର ଛକା ପଞ୍ଝା ଖେଳ ଅତି ବାସ୍ତବ ।

 

କିନ୍ତୁ ମୋର.... ।

 

ମୋର ପ୍ରେମ କାହାଣୀ ଅତୀବ ରୋମାଞ୍ଚକର ! ଅଭୂତପୂର୍ବ !

 

ଆଜି ଏସବୁ ଗୋଟି ଗୋଟି ହୋଇ ଜଳଜଳଭାବେ ଦେଖା ଯାଉଛି । ସ୍ମୃତି ସବୁ ପାଖୁଡ଼ା ମେଲି ମୋ ଅଖି ଆଗରେ ନାଚି ଉଠୁଛନ୍ତି ।

 

ମୋର ପ୍ରଥମ ଯୌବନକୁ ତରଙ୍ଗାୟିତ କରିଥିଲେ ସାଗର । ବାସ୍ତବିକ ମାନବିକତାର ସକଳ ଗୁଣରେ ସେ ଥିଲେ ସାଗର । ତାଙ୍କ ହୃଦୟରେ ନଥିଲା ଅହଙ୍କାର, ଛନ୍ଦ, କପଟ ।

 

ସେ ଜଣେ ଉଚ୍ଚ ଶିକ୍ଷିତ ଏବଂ ଧନୀର ଦୁଲାଳଭାବେ ତାଙ୍କର ଟିକିଏ ହେଲେ ଅହଙ୍କାର ନଥିଲା । ଅନ୍ୟମାନଙ୍କ ଅପେକ୍ଷା ସେ କିପରି ଏକ ଭିନ୍ନ ପ୍ରକୃତିର ପୁରୁଷ ।

 

ପୁରୁଷତ୍ଵର ସମସ୍ତ ବାସ୍ତବ ଲକ୍ଷଣ ତାଙ୍କ ଦେହରେ ପ୍ରସ୍ଫୁଟିତ ହୋଇଥିଲା । ତାଙ୍କ ମୁଁହଁରେ ଏକ ପ୍ରକାର ଅଲୌକିକ ଶକ୍ତି ଥିଲା ବୋଧହୁଏ । କାରଣ ଯେଉଁ ଦିନ ପ୍ରଥମ କରି ସେ ଏ ହସ୍‌ପିଟାଲକୁ ଚିକିତ୍ସିତ ହେବାପାଇଁ ଆସିଥିଲେ, ସେଦିନ କେଜାଣି କାହିଁକି ମୋର ମନ ତାଙ୍କ ପ୍ରତି ଅଜାଣତରେ ଅର୍ପିତ ହୋଇ ଯାଇଥିଲା । ପ୍ରଥମ ଦେଖାରେ ସେ ମୋ ହୃଦୟକୁ କିଣି ନେଇଥିଲେ ।

 

ମେଣ୍ଟାଲ ହସ୍‌ପିଟାଲର ସାମାନ୍ୟ ଜଣେ ନର୍ସ ହୋଇ ମୁଁ ଯେଉଁ ଯେଉଁ ସୁଖର ସ୍ଵପ୍ନ ଦେଖି ଆସୁଥିଲି ବାସ୍ତବିକ୍‌ ତାହା ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବା ସଦୃଶ । ସେଥିପାଇଁ ମୁଁ ହାରିଗଲି ।

 

ସାଗର ଉଚ୍ଚ ଶିକ୍ଷିତ । ବାପା ତାଙ୍କର ଓଡ଼ିଶା ସରକାରଙ୍କର ଜଣେ ଉଚ୍ଚ ପଦସ୍ଥ ଅଫିସର । ଜୀବନରେ ସେ କେବେହେଲେ ଅଭାବକୁ ଉପଲବ୍‌ଧି କରିନାହାଁନ୍ତି । ନିଜକୁ ଏ ସମାଜରେ ଭଲଭାବେ ପ୍ରତିଷ୍ଠା କରିପାରିଛନ୍ତି ମଧ୍ୟ । ନିଜେ ମଧ୍ୟ ବିଜିନେସ୍‌ ମ୍ୟାନେଜ୍‌ମେଣ୍ଟର ଛାତ୍ର-

 

କିନ୍ତୁ କେଜାଣି କାହିଁକି ହଠାତ୍‌ ତାଙ୍କର ମସ୍ତିଷ୍କ ବିକୃତି ଘଟିଲା, ତାହା ମୁଁ ଜାଣି ପାରି ନଥିଲି । ଜାଣିବାକୁ ଅନେକ ଥର ଚେଷ୍ଟା କରିଛି । ପଚାରିଲେ– ସେ କିପରି ଗମ୍ଭୀର ହୋଇ ଯାଆନ୍ତି, କିଛି ସମୟ ଭାବି କହନ୍ତି– ତଟିନୀ, ଏ ନାରୀ ଜାତି ପାଇଁ ସବୁ ପ୍ରକାର ଭଙ୍ଗା ଗଢ଼ାର ସୃଷ୍ଟି । ପୁରାଣଠାରୁ ଆରମ୍ଭ କରି ବିଂଶ ଶତାବ୍ଦୀର ଏ ସାମାଜିକ ବ୍ୟବସ୍ଥାକୁ ଲକ୍ଷ୍ୟ କର । ତୁମେ ଦେଖିବ, ସବୁରି ନିକଟରେ ସେଇ ନାରୀ । କେତେବେଳେ ଏଇ ନାରୀ ଅନ୍ୟର ପ୍ରେରଣାର ଉତ୍ସ ହୋଇଛି ତ ଆଉ କେତେବେଳେ ବିଲୟର ସଙ୍କେତ ହୋଇଛି ।

 

ରାମାୟଣର ସୀତା, ଯାହାଙ୍କ ଯୋଗୁଁ ଏତେ ବଡ଼ ଗୋଟାଏ ଯୁଦ୍ଧର ଆକଶ୍ୟକ ହୋଇଥିଲା । କ’ଣ ବା ଦରକାର ଥିଲା ଏ ଯୁଦ୍ଧ । ଯଦି ରାମାୟଣରୁ ସୀତାଙ୍କୁ ବାଦ ଦିଆଯାଏ, ତାହେଲେ ତାହା ରାମାୟଣ ହୋଇ ପାରିବ କି ?

 

ତାଙ୍କର ଏପରି ପ୍ରଶ୍ନରେ ମୁଁ ହତଚକିତ ହୋଇ ଉଠେ । ମୋ ମନ ଏକ ଅଜଣା ଆଶଙ୍କାରେ ଶିହରି ଉଠେ । ଭାବେ, କାଳେ ତାଙ୍କୁ ହରାଇ ବସିବି । ଏଇ ଭୟରେ ମୁଁ ଆଉ କିଛି ପଚାରିବାକୁ ସାହାସ କରିପାରେନା । କଥାର ମୋଡ଼ ବଦଳାଇବାକୁ ଅନ୍ୟ କଥା ପଚାରି ବସେ ।

 

ସେ ପୁଣି କହନ୍ତି– ନାରୀର ରୂପ; ସୌନ୍ଦର୍ଯ୍ୟ ଓ ଯୌବନ ଅନେକ ସମୟରେ ଏ ସମାଜରେ ପ୍ରଳୟକୁ ଆହ୍ଵାନ କରିଛି । ସୀତାଙ୍କ ରୂପରେ ଯଦି ରାବଣ ଆତ୍ମ ବିମୋହିତ ହୋଇ ସୀତାଙ୍କୁ ହରଣ କରି ନଥାନ୍ତା, ତାହେଲେ କ’ଣ ରାବଣର ବିନାଶ ଘଟିଥାନ୍ତା ?

 

ଏହାର ଆହୁରି ଟିକିଏ ପଛକୁ ଫେରି ଚାହଁ ତଟିନୀ । ମହିଷାମର୍ଦ୍ଦିନୀ ମା ଦୁର୍ଗା । ଦୁର୍ଦ୍ଧର୍ଶାଅସୁର ମହିଷା ଜନନୀଙ୍କ ରୂପରେ ବିମୁଗ୍‌ଧ ହୋଇ ନିଜତ୍ଵକୁ ହରାଇ ବସିଲା । ଶେଷରେ ତା’ର ଫଳ କ’ଣ ହେଲା ଜାଣିଛ ତ ?

 

ଯୁଗ ଯୁଗ ଧରି ନାରୀର ରୂପ, ସୌନ୍ଦର୍ଯ୍ୟ, ଏ ସମାଜରେ ଆଣିଛି ପ୍ରଳୟଙ୍କରୀ ବିପ୍ଳବ ।

 

ତଟିନୀ–ନାରୀ ଜାତିକୁ ବାଦଦେଇ ଏ ସମାଜକୁ ଗଢ଼ିହୁଏ ନାହିଁ ।

 

ତାଙ୍କର ଏ ପ୍ରକାର ପ୍ରଶ୍ନର ବା ମୁଁ କ’ଣ ଉତ୍ତର ଦିଅନ୍ତି । ନୀରବ ରୁହେ ମୁଁ.... ।

 

ଆଖି ବୁଜି ଦେଲେ ଅନେକ କଥା ମନେ ପଡ଼େ । ଅତୀତର ସ୍ମୃତି ସବୁ ମୋ ମାନସ ପଟରେ ନାଚି ଉଠନ୍ତି । ଭାବିବାକୁ ଭଲ ଲାଗେ । ଅତୀତ ଜୀବନର ଘଟଣା ସବୁ ରାତ୍ରୀର ସ୍ଵପ୍ନ ପରି ମୋ ଆଖି ଆଗରେ ନାଚି ଉଠି ସକାଳେ ଉଭେଇ ଯାଆନ୍ତି ।

 

ଅତୀତର ସେ ସବୁ ମଧୁର ସ୍ମୃତି ମୋର ମନେ ପଡ଼ିଲେ ମୁଁ ନିଜକୁ ଖୁବ୍‌ ଅସହାୟ ମନେକରେ ।

 

ସେଦିନ ତାଙ୍କର ସେ ଇଙ୍ଗିତକୁ ମୁଁ ବୋଧହୁଏ ଭୁଲ ବୁଝିଥିଲି । ଭାବିଥିଲି, ସେ ବୋଧହୁଏ ସାମୟିକ ଆନନ୍ଦରେ ବିମୁଗ୍‌ଧ ହୋଇ କିମ୍ବା ମୋର ଭଲ ପାଇବାକୁ ପରୀକ୍ଷା କରିବା ପାଇଁ ମୋ ନିକଟରେ ଏ ପ୍ରକାର ଛଳନା କରୁଛନ୍ତି । କିନ୍ତୁ ଆଜି ବୁଝୁଚି, ସେ ଦିନର ସେଇ ଇଙ୍ଗିତ ଏକ ନିର୍ମମ ସତ୍ୟ ।

 

ସ୍ମୃତି.....ସିନା ଦୁଇଟା ଅକ୍ଷର । କିନ୍ତୁ ତା’ର ପରିଧି ଖୁବ୍‌ ବ୍ୟାପ୍ତ । ସ୍ମୃତିର ଅତଳ ସାଗରରେ ହଜି ଯିବାକୁ ଖୁବ୍‌ ଭଲ ଲାଗେ ।

 

ଆକାଶର ଭସାବାଦଲ ଯେପରି ସୂର୍ଯ୍ୟଙ୍କୁ ଗ୍ରାସକରେ, ସେଇପରି ଅତୀତର ସ୍ମୃତି ସବୁ ମୋତେ ଗ୍ରାସ କରିଛି । ସେ ଦିନର ସେ ହସ-କାନ୍ଦର କଥା ଆଜି ମୋ ମାନସ ପଟରେ ଉଙ୍କିମାରି ମୋତେ ଅସ୍ତବ୍ୟସ୍ତ କରିପକାଉଛନ୍ତି । ମୁଁ ଏବେ କ’ଣ କରିବି । କିପରି ସେ ଅତୀତର ସ୍ମୃତିରୁ ନିଜକୁ ଦୂରେଇ ନେବି ।

 

ମୋ ପରିବାର କହିଲେ ପ୍ରାୟ ମୁଁ କେବଳ ଏକା । ଆଦ୍ୟ କୈଶୋରରେ ମୋର ମା’ ଯିଏ ମୋତେ ତା’ର ସମସ୍ତ ରକ୍ତକୁ ପାଣିକରି ଗଢ଼ିଥିଲା, ସିଏ ଛାଡ଼ି ଚାଲିଗଲା । ପିଲାଟି ଦିନରୁ ତ ବାପାଙ୍କୁ ହରାଇଥିଲି ।

 

କୈଶୋରରେ ମାଆଙ୍କର ଅନାବିଳ ସ୍ନେହ ମୋ ମନକୁ ସିକ୍ତ କରିଥିଲା । ଆଦ୍ୟ ଯୌବନରେ ସାଗରଙ୍କର ପ୍ରେମ ମୋତେ ପାଗଳ କରିଥିଲା । ହେଲେ ମୁଁ ପାରିଲିନି । ସେ ଭଲ ପାଇବାରେ ବୋଧହୁଏ କିଛି ଭୁଲ ରହିଯାଇଥିଲା । ସେଇଥିପାଇଁ ମୁଁ ତାଙ୍କୁ ହରାଇ ବସିଥିଲି ।

ଜୀବନର ପ୍ରଥମ ଦେଖାରେ ମୁଁ ତାଙ୍କୁ ବରଣ କରି ନେଇଥିଲି । ସେଇଥିପାଇଁ ସେଦିନ ମୁଁ ତାଙ୍କୁ ରାତ୍ରୀର ଶେଷ ପ୍ରହରରେ ଏ ମେଡ଼ିକାଲରେ ଆଡ଼୍‍ମିଶନ କରିବା ପାଇଁ ଏବଂ ଏ କେଶ୍‌ର ଦାୟିତ୍ଵ ମୋତେ ଦେବାପାଇଁ କ୍‌ଟରଙ୍କୁ ଅନୁରୋଧ କରିଥିଲି ।

ମୋର ଏ ପ୍ରକାର ବ୍ୟବହାର ଦେଖି କ୍‌ଟର ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ବୋଧହୁଏ ସେ ମୋ ମନର କଥାକୁ ଠିକ୍‌ଭାବେ ବୁଝି ପାରିଥିଲେ । ଆଉ ସେଇଥିପାଇଁ ଏ କେଶ୍‌ର ଦାୟିତ୍ଵ ସେ ମୋ ଉପରେ ନ୍ୟସ୍ତ କରିଥିଲେ ।

ତାଙ୍କରି ସେବାରେ ମୁଁ ନିଜକୁ ସମ୍ପୂର୍ଣ୍ଣ ନିୟୋଜିତ କରି ଦେଇଥିଲି । ଦିନ-ରାତି ସବୁବେଳେ ତାଙ୍କରି ନିକଟରେ ବସି ରହିଥାଏ । ତାଙ୍କପାଇଁ ମୁଁ କେବେହେଲେ କ୍ଳାନ୍ତି ଅନୁଭବ କରିନାହିଁ । ତାଙ୍କ ପାଖରେ ଥିଲାବେଳେ ତାଙ୍କର ସାନ୍ନିଧ୍ୟ ମୋତେ ନିଜକୁ ନିଃଶେଷି ଦେବାର ଆକୁଳତାରେ ଅଧୀର କରି ତୋଳୁଥିଲା ।

ମୋର ଆସିବା ଡେରି ହୋଇଗଲେ ସେ ଯେପରି ଅସ୍ଥିର ହୋଇ ପଡୁଥିଲେ । ମୋର ଆଗମନକୁ ସେ ନିର୍ନିମେଷ ନୟନରେ ଚାହିଁରହିଥାନ୍ତି । ଅଭିମାନରେ ଭାଙ୍ଗି ପଡ଼ନ୍ତି ସେ । ତାଙ୍କର ସେଇ ଅଭିମାନକୁ ଉପଭୋଗ କରିବାକୁ ମୋର ପୂରା ଆନନ୍ଦ ନିହିତ ଥିଲା । ମୋର ହୃଦବୋଧ ହେଉଥିଲା, ତାଙ୍କର ଏଇ ଅଭିମାନ ମୋତେ ଆହୁରି ନିଃଶେଷି ନେଉଛି ।

ବେଳେବେଳେ ମୁଁ ତାଙ୍କୁ କଥା ଛଳରେ ପରିହାସ କରେ– “ଆପଣ ତ ଧନୀ, ଉଚ୍ଚ ଶିକ୍ଷିତ, ଆପଣଙ୍କ ପାଇଁ କେତେ ରାଜଜେମା ଫୁଲମାଳା ଗୁନ୍ଥି ଅପେକ୍ଷା କରିଥିବେ । ମୋ କଥା....-

 

ଏକଥା ଶୁଣି ସେ ଝାଉଁଳି ପଡ଼ନ୍ତି । କହନ୍ତି– ତଟିନୀ, କେବେହେଲେ ମୋତେ ଧନୀ, ଉଚ୍ଚ ଶିକ୍ଷିତ କହି ଅପମାନ ଦିଅନି । ମୁଁ ଯାହାହେଲେ ବି ମାନବିକତା ନିକଟରେ ଖୁବ୍‌ ଛୋଟ ।

 

ସାଗର ଖୁବ୍‌ ସ୍ଵଳ୍ପଭାଷୀ ଥିଲେ । ଦରକାରୀ ଭିନ୍ନ ଅନ୍ୟ ବେଶୀ ବାଜେ କଥା ସେ କେବେହେଲେ କହନ୍ତି ନାହିଁ ।

 

ବେଳେବେଳେ ଭାବେ, ତାଙ୍କୁ କହନ୍ତି– ମୋର ଏ ମନ, ଏ ହୃଦୟ ମୁଁ ଆପଣଙ୍କୁ ସମର୍ପଣ କରି ଦେଇଛି । ମୋ ମନ ସାମ୍ରାଜ୍ୟର ରାଜକୁମାର ତ ଆପଣ..... ।

 

କିନ୍ତୁ ଏତେ କଥା କହିପାରେନା । ମନକଥା ମନରେ ରହିଯାଏ ।

 

ମୁଁ ସାଗରଙ୍କୁ ଯେ ଭଲ ପାଏ ଏବଂ ଆମର ସମ୍ପର୍କ କଥା ହସପିଟାଲର ଅଧିକାଂଶ ଜାଣିଥିଲେ ।

 

ସେଦିନ ସେଇଥିପାଇଁ ପଙ୍କଜିନୀ କହିଥିଲା– ‘‘ଭଲକରି ଧରିଥା ଲୋ,” ନହେଲେ କେବଳ ଝୁରିଝୁରି ମରିବୁ, ଅନ୍ତତଃ ମୋ ପରି ଦଶା ଯେପରି ତୋର ନହୁଏ । ନେଡ଼ିଗୁଡ଼ କହୁଣୀକୁ ଯେପରି ବୋହିବାକୁ ଦେବୁନି । ମନର ମଣିଷକୁ ନିଜର କରି ନପାରିଲେ ଜୀବନଟା ହା, ହୁତାଶରେ ଭରିଯାଏ । ଅନ୍ତତଃ ସେପରି ଯେପରି ନହୁଏ ।

 

ପଙ୍କଜିନୀର କଥା ଶୁଣି ମୁଁ ମନେ ମନେ ଆନନ୍ଦିତ ହୋଇଥିଲି, ଭାବେ, ସତରେ କ’ଣ ମୋର ପଙ୍କଜିନୀ ଭଳି ଦଶା ହେବ ? ପୁଣି ଭାବେ, କାଳେ ପଙ୍କଜିନୀ ଭଳି ଦଶା ମୋର ହେବ । ତେଣୁ ବେଳହୁଁ ସାବଧାନ ଭଳି, ବ୍ୟବସ୍ଥା କରିବାକୁ ପଡ଼ିବ । ସବୁକଥା ସାଗରଙ୍କୁ କହି ଦେଇ ତାଙ୍କର ମତାମତ ଲୋଡ଼ିବାକୁ ମୋର ଖୁବ୍‌ ଇଚ୍ଛାହେଲା ।

 

ଦିନକର ସନ୍ଧ୍ୟା ।

 

ସାଗର ଏବଂ ମୁଁ ସାଗରର ବେଳାଭୂମି ଉପରେ ବସିରହି ସମୁଦ୍ରର ସନ୍ଧ୍ୟାକାଳୀନ ଦୃଶ୍ୟକୁ ଉପଭୋଗ କରୁଛୁ । ସାଗରଙ୍କ କୋଳରେ ମୁଣ୍ଡରଖି ମୁଁ ସମ୍ପୂର୍ଣ୍ଣରୂପେ ହଜିଯାଇଥିଲି ତାଙ୍କ ନିକଟରେ । ମୋର ନିଜତ୍ଵକୁ ସମର୍ପି ଦେଇଥିଲି । ସେ ବି ମୋତେ କେମିତି ଏକ ଅବୁଝା ଚାହାଣୀରେ ଚାହିଁଲେ ଏବଂ ପଚାରିଲେ– କୁହତ, ତୁମେ କ’ଣ ଚାହଁ ?

 

–ତାଙ୍କର ସେ କଥା ମୋ କାନକୁ ଖୁବ୍‌ ପିଲାଳିଆ ଶୁଭିଲା । ମୁଁ ଫିକ୍‌ କିନା ହସି ଦେଲି-। ତାଙ୍କ ଆଖିରେ ଆଖି ମିଳାଇ କହିଲି–“ତୁମେ ନିଜେ ଯାହା ଚାହଁ”..... ।

 

–ହଠାତ୍‌ ସେ ଅନ୍ୟମନସ୍କ ହୋଇ ପଡ଼ିଲେ । କିଛି ସମୟ ପରେ କହିଲେ–ମୁଁ ଯାହା ଚାହେଁ, ତୁମେ କ’ଣ ସେଇଆ ଚାହଁ ?

 

–ନିଶ୍ଚୟ, ମୁଁ କହିଲି ।

 

–ମୋ ଇଚ୍ଛା ଯଦି ଭୟଙ୍କର ହୁଏ ? ତା ହେଲେ.... ।

 

–ଭୟଙ୍କର........ । ମୁଁ ହସିଲି, କହିଲି– ତୁମ ଇଚ୍ଛା ଯେତେ ଭୟଙ୍କର ଏବଂ କଷ୍ଟ ସାଧ୍ୟ ହେଲେ ବି, ତା ମୋ ପାଇଁ ଖୁବ୍‌ ସରଳ ।

 

ସେ ହଠାତ୍‌ ଗମ୍ଭୀର ହୋଇ ଉଠିଲେ । ଅତି ଧୀର କଣ୍ଠରେ କହିଲେ– ମୋ ଉପରେ ତୁମର ଏତେ ଭରଷା ?

 

ତୁମ ଉପରେ ଯଦି ଭରଷା ନ କରିବି, ତା’ ହେଲେ ଆଉ ଭରଷା କରିବି କାହାକୁ ?

 

କିନ୍ତୁ ତୁମର ଏଇ ସରଳତାର ସୁଯୋଗ ନେଇ ମୁଁ ଯଦି ବିଶ୍ଵାସ ଘାତକତା କରେ ?

 

ମୁଁ ଜାଣେ, ତାହା ତୁମେ କେବେହେଲେ କରିପାରିବ ନାହିଁ ।

 

ଏତେଟା ଭରଷା କରିବା ତୁମର ବଡ଼ ଭୁଲ ତଟିନୀ– ଆଗରୁ ତୁମେ ଦିନେ ମୋତେ କହୁଥିଲନା– ମୁଁ ଧନୀ, ଉଚ୍ଚ ଶିକ୍ଷିତ, ଯଦି ମୁଁ ତୁମକୁ.... ।

 

ତାଙ୍କର ସେ କଥା ମୋତେ ଖୁବ୍‌ ଆଘାତ ଦେଲା, ଏକ ପ୍ରଶ୍ନିଳ ଦୃଷ୍ଟିରେ ତାଙ୍କୁ ଚାହିଁଲି, ଏବଂ କହିଲି– ସମସ୍ତଙ୍କଠୁଁ ତୁମେ କିନ୍ତୁ ଭିନ୍ନ, ମୁଁ ଠିକ୍‌ ସୁନା ଚିହ୍ନି ପାରିଛି । ଠକି ଯିବାର ନୁହେଁ ।

 

କିନ୍ତୁ ବେଳେବେଳେ ସୁନା ଭଳି ଅନେକ ଜିନିଷ ମଧ୍ୟ ଚିକ୍‌ ଚିକ୍‌ କରେ । ସେ କହିଲେ ।

 

–ହେଲେ, ଚିକ୍‌ ଚିକ୍‌ କରୁଥିବା ସବୁ ଜିନିଷ ସୁନା ନୁହେଁ । ମୁଁ କହିଲି ଠିକ୍‌ ସୁନାକୁ ମୁଁ ଚିହ୍ନିଛି, ଏବଂ ପାଇଛି ମଧ୍ୟ ।

 

ତା’ପରେ ସେ ନୀଳ ସମୁଦ୍ର ଆଡ଼କୁ କେମିତି ଏକ ନିଃଶବ୍ଦ ଚାହାଁଣିରେ ଚାହିଁଲେ । ଶାନ୍ତ ସରଳ ମୁଖ ମଣ୍ଡଳରେ ତାଙ୍କର ଭାବନାର ରେଖା ଫୁଟି ଉଠିଲା ।

 

ହଠାତ୍‌ ସେ ଉଠି ପଡ଼ିଲେ ଏବଂ ଉଠିବା ପାଇଁ ମୋ ଆଡ଼କୁ ହାତ ବଢ଼ାଇଲେ । ମୁଁ ମଧ୍ୟ ବିନା ବାକ୍ୟବ୍ୟୟରେ ଉଠି ପଡ଼ିଲି । କାରଣ ସବୁବେଳେ ସେ ଏମିତି । ହଠାତ୍‌ ତାଙ୍କର କ’ଣ ଯେ ହୋଇଯାଏ.... ?

 

ପରେ ପରେ ସେ କେମିତି ଗମ୍ଭୀର ହୋଇ ଉଠିଲେ । ଅବଶ୍ୟ ସେ ସବୁଦିନେ ମୋ ପାଇଁ ଅପେକ୍ଷା କରିଥାନ୍ତି । ମୋ ବ୍ୟତୀତ ଅନ୍ୟ କେହି ନର୍ସ ଯଦି ତାଙ୍କ ଶେଯ ଝାଡ଼ିଦିଏ, କିମ୍ବା ଔଷଧ ଦିଏ, ସେ ତାକୁ ଖାଆନ୍ତି ନାହିଁ । ସବୁଦିନେ ସେ ମୋତେ ହିଁ ଅପେକ୍ଷା କରିଥାନ୍ତି ବେଳେବେଳେ କହନ୍ତି, ‘‘ତଟିନୀ, ତୁମକୁ ଦିନେ ନ ଦେଖିଲେ ମୁଁ ଅନୁଭବ କରେ ମୋ ଜୀବନର ଗୋଟାଏ ବିରାଟ ପ୍ରୋଗ୍ରାମ ମୁଁ ମିସ୍‌ କରିଯାଇଛି ।

 

ଆମ ଦୁହିଁଙ୍କର ସମ୍ପର୍କ ହସ୍‌ପିଟାଲରେ ସମସ୍ତେ ଜାଣିଥିଲେ । ଅନେକ ମତେ ଏଥିପାଇଁ ଥଟ୍ଟାକରି କୁହନ୍ତି––ତୁ ଜିତିଗଲୁ ଲୋ ତଟିନୀ, ଅଭିନୟକୁ ତୁ ବାସ୍ତବରେ ପରିଣତ କଲୁ । ତୁ ବଡ଼ ଭାବ୍ୟବତୀ, ନ ହେଲେ ଏମିତିକା ପୁରୁଷ କ’ଣ ସମସ୍ତଙ୍କ ଭାଗ୍ୟରେ ଜୁଟେ ।

 

ସାଙ୍ଗସାଥୀମାନଙ୍କର ଥଟ୍ଟା ମୋତେ ଖୁବ୍‌ ଭଲ ଲାଗେ । ସେମାନଙ୍କର ସେ ରହସ୍ୟରେ ମୁଁ ପୁଲକିତ ହୋଇଉଠେ । ମୁଁ ନିଜକୁ ମଧ୍ୟ ଭଗ୍ୟବାନ୍‌ ମନେକରେ ।

 

ଦିନେ ମୋତେ ସୁରମାଦିଦି କହିଲେ– ତଟିନୀ, ସେମାନେ ଖୁବ୍‌ ବଡ଼ ଲୋକ । ବଡ଼ ଲୋକଙ୍କ କଥା ପାଣିର ଗାର । ତେଣୁ ଭଲଭାବେ ଧରିଥିବୁ । ଥରେ ଖାପଛଡ଼ା ହେଲାମାନେ ପୁଣି ଫେରି ପାଇବାକୁ ଭାରି କଷ୍ଟ । ଏସବୁ ମୋ ଜୀବନର ଅଙ୍ଗେ ନିଭାଇବା କଥା । ତେଣୁ ତୁ ଆଣ୍ଟ କରି ଧରିଥିବୁ ।

 

ସତେ କ’ଣ ନାରୀ ପୁରୁଷକୁ ଧରି ରଖିଥାଏ ? ବାନ୍ଧି ରଖିପାରେ ? ଏ ଧାରଣା ଠିକ୍‌ ନୁହେଁ । ପୁରୁଷ ନିଜର ସ୍ଵକୀୟ ଗୁଣ ନେଇ ହିଁ ନାରୀ ପାଖେ ସମ୍ମାନିତ ହୋଇଥାଏ । ଏହି ସମ୍ମାନ ସୂଚକ ଆନ୍ତରିକତା ଦ୍ଵାରା ନାରୀ ପୁରୁଷ ନିକଟରେ ଆପେ ଆପେ ଧରାଦିଏ । ହେଲେ ମୋର କ’ଣ ଅଛି ! କ’ଣ ଦେଇ ମୁଁ’ ତାଙ୍କୁ ସୁଖୀ ରଖିପାରିବି ?
 

ବେଳେବେଳେ ମୁଁ ଇତସ୍ତତଃ ହୋଇ ଉଠେ । ମୋ ଭିତରେ କିଏ ଯେମିତି ଆର୍ତ୍ତନାଦ କରି ଉଠେ । ମତେ ଯେମିତି କେହି ଜଣେ କହି ଦଉଛି– ତୁ ହାରିଯିବୁ ତଟିନୀ, ତାଙ୍କୁ ପାଇଲା ଭଳି ଭାଗ୍ୟ ତୋର ନାହିଁ ।

 

ତହିଁ ପରଦିନ ସଂଧ୍ୟା.... ।

 

ଦୁଇ ଜଣଯାକ ସେଇ ସାଗରର ବେଳାଭୂମି ଉପରେ ବସିଥାଉ । ମୁଁ ତାଙ୍କ ମୁହଁକୁ ଚାହିଁଲି । ଆଗ ଅପେକ୍ଷା ସିଏ କାହିଁକି ଖୁବ୍‌ ଗମ୍ଭୀର ଦିଶୁଥିଲେ ।

 

ମୁଁ ପଚାରିଲି– କ’ଣ ଏତେ ଭାବୁଛ ?

 

ଅତି ଧୀର ତଥା ନମ୍ରଭାବେ ମୋ ଆଡ଼କୁ ଚାହିଁ ସେ ଟିକେ ମୁରୁକି ହସିଲେ ଏବଂ କହିଲେ– ତୁମ କଥା ।

 

ମୋ କଥା ? ମୋ କଥା ତୁମେ କ’ଣ ଏତେ ଭାବୁଛ ?

 

ହଁ, ତୁମେ ମୋ ପାଇଁ କେତେ କଷ୍ଟ ନ ସହିଛ ? ରାତି ରାତି ଅନିଦ୍ରା ହୋଇ, ମୋ ପାଖରେ ବସିଛ । ମୋ ମୁହଁରେ ହସ ଫୁଟାଇବା ପାଇଁ, ମୁଁ ଯେତେବେଳେ ଯାହା ଚାହିଁଛି, ତୁମେ କେବେହେଲେ କୌଣସି କଥାରେ ପ୍ରତିବାଦ କରିନାହିଁ ।

 

କ’ଣ ଦେଇ ତୁମର ଏ ଋଣକୁ ମୁଁ ସୁଝିବି । କେବଳ ସେଇ କଥାହିଁ ଭାବୁଛି । ସତରେ ତଟିନୀ, ତୁମେ କେତେ ମହାନ, ତୁମଭଳି…. । ସେ କ’ଣ କହୁ କହୁ ଅଟକିଗଲେ ।

 

ମୁଁ ତାଙ୍କ ମୁହଁକୁ ଚାହିଁଲି ।

 

ସେ ମଧ୍ୟ ମୋ ମୁହଁକୁ ଚାହିଁଲେ ।

 

ଅନେକ ସମୟ ନୀରବରେ ବିତିଗଲା ।

 

ମୋ ମନରେ ଅନେକ ଛୋଟ ଛୋଟ ଭାବନାର ଢେଉ ମଥା ପିଟୁଥିଲା ।

 

ପୁଣି ମୁଁ ତାଙ୍କୁ ଚାହିଁଲି । ଭାବିଲି, କଣ ଏତେ ଭାବୁଛନ୍ତି ? ହଠାତ୍‌ ପଚାରି ଦେଲି– ତଟିନୀ, କ’ଣ ସାଗର ସହ ମିଶି ପାରିବନି ?

 

ମୋଠାରୁ ଏ ପ୍ରଶ୍ନ ଶୁଣି ସେ କିଛି ସମୟ ମୋ ମୁହଁକୁ ଚାହିଁଲେ ଏବଂ କହିଲେ– କିଏ କହିଲା ନାହିଁ ? ତଟିନୀ ଜୀବନର ସାର୍ଥକତା ସେଇଠି, ଯେତେବେଳେ ସେ ସାଗର ସହ ମିଶିଯାଏ-। କେତେ ଝଡ଼, ଝଞ୍ଜା, ଘାତ, ପ୍ରତିଘାତ, ଅନୁକୂଳ, ପ୍ରତିକୂଳ ବାତାବରଣ ସହି ଅନବରତଭାବେ ସେ ଆଗେଇ ଥାଏ ନିଜର ସବୁକିଛିକୁ ସମର୍ପି ଦେବା ପାଇଁ ସାଗର ନିକଟରେ ।

 

–କିନ୍ତୁ, ବେଳେବେଳେ ଏହାର ବ୍ୟତିକ୍ରମ ହୁଏ । ତଟିନୀର ଯଦି ବନ୍ଧୁର ପଥରେ ଅନ୍ୟଗତି ହୁଏ ? ମୁଁ ତାଙ୍କୁ ପଚାରିଥିଲି ।

 

ଯାହାହେଲେ ବି, ତା’ର ପରିସମାପ୍ତି ସାଗର ବକ୍ଷରେ । ଯେତେ ବନ୍ଧୁର ପଥ ଆସୁନା କାହିଁକି, ସେ ନିଶ୍ଚୟ ସାଗରକୁ ଭେଟିବ ।

 

ତାଙ୍କଠୁଁ ଏପରି କଥାଶୁଣି ମୋ ମନ ଆନନ୍ଦରେ ପୂରିଗଲା । ଭାବିଲି, ସେ ମୋ ମନର କଥା ଠିକ୍‌ଭାବେ ବୁଝି ପାରିଛନ୍ତି । ତାଙ୍କ ପ୍ରତି ମୋ ମନରେ ଜାଗି ଉଠୁଥିବା ଅବିଶ୍ଵାସର ସେ ପିରାମିଡ଼୍‍ଟା ଭାଙ୍ଗିଗଲା । ଭାବିଲି– ସତରେ, ସେ କେଡ଼େ ମହାନ୍‌, କେତେ ଖୋଲା ହୃଦୟ ତାଙ୍କର ମୋତେ ସେ ଖୁବ୍‌ ଭଲ ପାଆନ୍ତି । ସେଦିନ ସୁରମା ଦିଦି ତାଙ୍କୁ ମୋ ବିଷୟରେ ପଚାରୁଥାନ୍ତି । ମୁଁ ଖାଇବାକୁ ଆଣୁ ଆଣୁ ଅଟକି ଗଲି ଦ୍ଵାର ପାଖରେ ।

 

ସୁରମା ଦିଦି ତାଙ୍କୁ ମୋ ବିଷୟରେ ପଚାରୁଥିଲେ, କହୁଥିଲେ– ତଟିନୀ, ତୁମକୁ ଖୁବ୍‌ ଭଲପାଏ ନା ସାଗରବାବୁ ! ତେଣୁ ତୁମେ ତାକୁ ଏ ହସ୍‌ପିଟାଲ ଛାଡ଼ିବା ପୂର୍ବରୁ ଗ୍ରହଣ କର ।

 

ସୁରମା ଦିଦିଙ୍କର ଏ ପ୍ରକାର କଥାଶୁଣି ସେ ଚମକି ପଡ଼ିଥିଲେ । କହିଥିଲେ– ତଟିନୀ ପରି ଏକ ଲକ୍ଷ୍ମୀ ପ୍ରତିମାକୁ ନିଜର କରିପାରିବା ଭଳି ସୌଭାଗ୍ୟ ମୋର ନାହିଁ, ମୋତେ କ୍ଷମାକର ଦିଦି !

 

ସୁରମା ଦିଦି ପୁଣି ପଚାରିଥିଲେ– କିନ୍ତୁ ସେ ତୁମକୁ ଭଲପାଏ । ତୁମରି ଭଲ ପାଇଁ ସେ ନିଜର ସବୁକିଛିକୁ ତ୍ୟାଗକରି ତୁମରି ସେବାରେ ନିଜକୁ ନିୟୋଜିତ କରିଛି, ତାକୁ ତୁମେ ଗ୍ରହଣ କର ।

 

ହଠାତ୍‌ ସେ କହିଲେ– ବଡ଼ଦିଦି, ମୋତେ କିଛି ସମୟ ଭାବିବାକୁ ଦିଅ, ମୁଁ ତୁମକୁ ପଛରେ ଠିକ୍‌ କରି କହିବି ।

 

ଠିକ୍‌ ସେତିକିବେଳେ ମୁଁ କୋଠରୀ ଭିତରକୁ ପଶିଯାଇଥିଲି । ଫଳରେ ଆଲୋଚନା ତାଙ୍କର ଅଧା ରହିଲା ।

 

ସେଦିନ ସେମାନଙ୍କର ସେ ଆଲୋଚନାକୁ ଏତେଟା ମୁଁ ଜୋର ଦେଇ ନଥିଲି । କାରଣ ବିବାହ ଭଳି ଗୋଟାଏ ଜିନିଷକୁ ମୁକ୍ତ କଣ୍ଠରେ ସାଗର ବୋଧହୁଏ ସ୍ଵୀକାର କରିପାରୁନଥିଲେ । ସେଇଥିପାଇଁ ସେ ବୋଧହୁଏ ସମୟ ମାଗିଥିଲେ ।

 

କ୍ରମଶଃ ସେ ଭଲ ହେବାକୁ ଲାଗିଲେ । ତାଙ୍କୁ ଦେଖିବାକୁ ଓଡ଼ିଶାରେ ଥିବା ତାଙ୍କ ପରିବାରର ଲୋକମାନେ ପ୍ରତ୍ୟେକ ମାସରେ ଆସନ୍ତି । ତାଙ୍କ ପରିବାରର ସମସ୍ତ ଲୋକମାନେ ମୋତେ ମଧ୍ୟ ଖୁବ୍‌ ଭଲ ପାଆନ୍ତି । ମୋ ଯୋଗୁଁ ସେ ଯେ ଏଠାରେ ଭଲରେ ଅଛନ୍ତି, ଏହା ଶୁଣି ମୋତେ ସେମାନେ ଖୁବ୍‌ ଆଦର କରନ୍ତି ।

 

ଗତ ସପ୍ତାହରେ ତାଙ୍କ ପରିବାରର ସମସ୍ତେ ବୋଧହୁଏ ଆସିଥିଲେ । ସାଗରଙ୍କ ସହ ସେମାନେ ମଧ୍ୟ ମୋତେ ବହୁତ ସ୍ଥାନକୁ ବୁଲାଇବା ପାଇଁ ନେଇଥିଲେ, ସେମାନଙ୍କର ଏ ପ୍ରକାର ଆବିର୍ଭାବ ଓ ଚାଲିଚଳନରୁ ମୁଁ ଅନୁମାନ କରିଥିଲି ଯେ, ତାଙ୍କ ପରିବାରର ସମସ୍ତ ଲୋକଙ୍କର ମୁଁ ପସନ୍ଦ ହୋଇଛି ।

 

ହଠାତ୍‌ ସେଦିନ ମୁଁ ହସ୍‌ପିଟାଲକୁ ଆସି ଉପସ୍ଥାନ ବହିରେ ଦସ୍ତଖତ କରୁ କରୁ ଗୋଟାଏ ଅର୍ଡର ପାଇଲି । ସେଥିରେ ଲେଖାଥିଲା– ମୋତେ ଚାରିଦିନ ବାଧ୍ୟତାମୂଳକ ଛୁଟି ଦିଆଯିବ । କାରଣ ମୁଁ କୁଆଡ଼େ ରାତିଦିନ ପରିଶ୍ରମ କରୁଛି । ହସ୍‌ପିଟାଲର ସ୍ପେଶିଆଲିଷ୍ଟମାନେ ଆଶଙ୍କା କରନ୍ତି କି, ଏତେ ପରିଶ୍ରମ ଯୋଗୁଁ ମୋର କୁଆଡ଼େ ସ୍ଵାସ୍ଥ୍ୟ ଭଗ୍ନ ହୋଇପାରେ । ଆଉ ସେଇଥିପାଇଁ ମୋତେ ବାଧ୍ୟତାମୂଳକଭାବେ ଚାରିଦିନ ଛୁଟି ଦିଆଗଲା ବିଶ୍ରାମ ନେବା ପାଇଁ ।

 

ମନେମନେ ମଧ୍ୟ ଖୁସି ହୋଇଥିଲି । କାରଣ ମୋ ପକ୍ଷରେ ବିଶ୍ରାମ ନେବାଟା ଯେତେ ଜରୁରୀ ନଥିଲା, ଛୁଟି ମିଳିଲେ ସାଗରଙ୍କ ସହ ଏକାନ୍ତରେ ମିଶିବା ପାଇଁ କିମ୍ବା ବିବାହର ନିମନ୍ତ୍ରଣ ତଥା ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ସମୟର ଆବଶ୍ୟକତା ଥିଲା ।

 

ମୋର ଏ ଖୁସି ଖବରଟା ପ୍ରଥମେ ମୁଁ ସାଗରଙ୍କୁ ଜଣାଇଥିଲି । ସେ ମଧ୍ୟ ଖୁବ୍‌ ଖୁସି ହୋଇଥିଲେ, କହିଥିଲେ– ତୁମେ ବହୁତ ପରିଶ୍ରମ କରିଛ, ଯାଅ କେଉଁଆଡ଼େ ଟିକେ ବୁଲିଆସି ମାଇଣ୍ଡ ଚେଞ୍ଜ୍‌ କରିନିଅ । ତୁମେ ଛୁଟିରୁ ଫେରିଲେ, ମୋର ଓଡ଼ିଶା ଫେରିଯିବାର ବ୍ୟବସ୍ଥା କରାହେବ ।

 

–ଜୀବନର ବନ୍ଧୁ କୁହ, ଆତ୍ମୀୟ କୁହ ମୋର କେହି ନଥିଲେ । ପରିବାର ବା ସଂସାର ବୋଲି ମୋର କିଛି ନଥିଲା । ସମସ୍ତେ ମୋତେ ଗୋଟିକ ପରେ ଗୋଟିଏ ଛାଡ଼ି ଚାଲିଯାଇଥିଲେ । ଦିନେ ମୋର ସମସ୍ତେ ଥିଲେ, କିନ୍ତୁ ଆଜି ଆଉ କେହିନାହାଁନ୍ତି ।

 

ମୋତେ ଯେତେବେଳେ ମାତ୍ର ଚାରିବର୍ଷ, ସେତିକିବେଳେ ବାପା ମୋତେ ଛାଡ଼ି ଚାଲିଗଲେ । ଏଣିକି ପରିବାର ବୋଇଲେ ବୋଉ ଏବଂ ମୁଁ, ମୁଁ ଥିଲି ଏକୋଇର ବଳା ବିଶିକେଶନ-

 

ବୋଉ ମୋତେ ତା’ର ସମସ୍ତ ସଞ୍ଚିତ ସ୍ନେହ ଏବଂ ମମତା ଦେଇ ଗଢ଼ିଥିଲା । ତା’ର ସେଇ ଅନାବିଳ ସ୍ନେହ ଓ ମମତା ପାଇ ମୁଁ ବାପାଙ୍କୁ ଭୁଲିଯାଇଥିଲି ।

 

ମୁଁ କିପରି ପାଠ ପଢ଼ି ସମାଜରେ ପ୍ରତିଷ୍ଠିତ ହୋଇ ବାହାରିବି, ଏହାଥିଲା ମା’ଙ୍କର ଏକାନ୍ତ ଲକ୍ଷ୍ୟ । ବେଳେବେଳେ ସେ ସେଇଥିପାଇଁ କହନ୍ତି– ତଟିନୀ, ତୋ ଉପରେ କେତେ ଭରସା ରଖିଛି । ତୁ ଜଣେ ମଣିଷ ଭଳି ମଣିଷ ହୋଇ ବାହାରିବୁ । କେହି ଯେପରି ଖୁଣ୍ଟା ନ ଦିଅନ୍ତି ଯେ ଚୌଧୁରୀ ଦେବେନ୍ଦ୍ର ନାଥ ଦାସର ଝିଅ ତା ବାପ ମଲାପରେ ମଣିଷ ହୋଇ ପାରିଲା ନାହିଁ ।

 

ଆମ ଘର ସେତେ ଧନୀଘର ନଥିଲେ ମଧ୍ୟ ମଧ୍ୟବିତ୍ତ, ପରିବାର ଥିଲା । ବାପାଙ୍କ ବାପା ଜମିଦାର ଥିଲେ । କିନ୍ତୁ ସେତେବେଳକୁ ଜମିଦାରୀ ପ୍ରଥା ଲୋପ ପାଇ ଯାଇଥିଲା ମାନ ସମ୍ମାନ ଯାଇନଥିଲା । ସେଇଥିପାଇଁ ମା’ ମୋତେ ଉଚ୍ଚଶିକ୍ଷିତ କରାଇବା ପାଇଁ ଚାହୁଁଥିଲେ । ମୁଁ ମଧ୍ୟ ଭଲ ପଢ଼ୁଥିଲି ।

 

କିନ୍ତୁ ସବୁଦିନ ସମାନ ଯାଏନାହିଁ କିମ୍ବା ମଣିଷ ଯାହା ଇଚ୍ଛାକରେ ସବୁ ଇଚ୍ଛା ତା’ର ପୂରଣ ହୁଏନାହିଁ ।

 

ଦିନେ ରାତିରେ ଆମ ଘରେ ଚୋର ପଶିଲେ । ଘରେ କେବଳ ମା’ ଏବଂ ମୁଁ । ଉପାୟ ନଥିଲା । ସେମାନେ ଟ୍ରେଜେରୀର ଚାବି ମା’ଙ୍କୁ ମାଗିଲେ । ମା’ ଏକେତ ନାରୀ, ପୁଣି ଏକୁଟିଆ ତେଣୁ ସେ ପ୍ରତିବାଦ କରିବାକୁ ସାହାସ କିପରି କରିଥାନ୍ତେ ?

 

ତଥାପି ସେ ପ୍ରତିବାଦ କରିଥିଲେ । ଆଉ ସେ ପ୍ରତିବାଦର ଫଳସ୍ଵରୂପ ତା’ ତଳି ପେଟରେ ଛ’ଇଞ୍ଚର ଗୋଟିଏ ଛୁରୀ ବିଦ୍ଧ ହୋଇଯାଇଥିଲା ଏବଂ ମୋର ଜୀବନ ସର୍ବସ୍ଵ ମା ସେଇଠାରେ ଟଳି ପଡ଼ିଥିଲେ ।

 

କାୟତମାନେ ଟ୍ରେଜେରୀରୁ ସବୁ କିଛିକୁ ନେଇ ଯାଇଥିଲେ । ଘରେ କାଣି କଉଡ଼ିଟିଏ ମଧ୍ୟ ନଥିଲା ।

 

ମୋ ମା’ଙ୍କର ଏବଂ ମୋ ମନର ଜାଗ୍ରତ ଥିବା ସମସ୍ତ ଆଶାର ସ୍ଵପ୍ନ ସେଇ ମୁହୂର୍ତ୍ତରେ ମାଟିରେ ମିଶିଗଲା ।

 

କୌଣସି ପ୍ରକାରରେ ମା’ଙ୍କର ଶେଷକୃତ୍ୟ ସଂପନ୍ନ କଲି । ସେତେବେଳେ ମୁଁ କ’ଣ କରୁଥିଲି, ମୁଁ ନିଜେ ତାହା ଜାଣିପାରୁ ନଥିଲି । ସେତେବେଳେ ମନୋରମା ମୋ ପାଖରେ ଥାଏ ।

 

ଆଶ୍ୱାସନା ଦେଇ ମନୋରମା ମୋତେ ସେଦିନ କହିଥିଲା– ତଟିନୀ, ତୁ ଏପରି ଭାଙ୍ଗି ପଡ଼ିଲେ ଚଳିବ, ଜୀବନର ସୁଦୀର୍ଘ ପଥରେ ଏମିତି କେତେ ଝଡ଼ ଆସିବ । ମୁଁ ଉଚ୍ଚଶିଷିତ ହେବି, ମଣିଷ ହେବି, ସମାଜର ଅନ୍ୟମାନଙ୍କ ଭଳି ମୁଁ ବି ଜଣେ ହୋଇ ବାହାରିବି । ଏ ଆଶା ମୋର ଚିରଦିନ ପାଇଁ ମଉଳିଗଲା । ତେଣୁ ମୁଁ ବାଧ୍ୟହୋଇ ନର୍ସିଂ ଟ୍ରେନିଂ ଗଲି । କାରଣ ଆଉ କୌଣସି ପନ୍ଥା ମୋ ଆଗରେ ନଥିଲା । ବଞ୍ଚିବିତ ! ବିଞ୍ଚିବା ପାଇଁ ଯେଉଁ ନ୍ୟୁନତମ ମୂଲ୍ୟବୋଧ ଦରକାର ସେତିକି ପାଇଁ ମୁଁ ପଦାକୁ ଗୋଡ଼ କାଢ଼ିଥିଲି ।

 

ଅନେକ ସମୟରେ କିଛିଟା ପାଇବାକୁ ହେଲେ କିଛିଟା ହରାଇବାକୁ ମଧ୍ୟ ପଡ଼େ ।

 

ମୋ ଜୀବନର ଶୈଶବାବସ୍ଥା ଏବଂ କୈଶୋରବସ୍ଥା ଖୁବ୍‌ ଖୁସିରେ କଟିଥିଲା । ଯୌବନର ପ୍ରଥମ ପାଦରେ ମୁଁ ହାରିଯାଇଥିଲି । ଦୁଃଖ କ’ଣ ମୁଁ ତାକୁ ଉପଲବ୍‌ଧି କଲି ।

 

ମାଟ୍ରିକ୍‌ ପାସ୍‍ ପରେ ମନୋରମା କଲେଜରେ ପଢ଼ିଲା, କିନ୍ତୁ ସମ୍ବଳ ଅଭାବରୁ ମୁଁ ପାରି ନଥିଲି । ମୋ ପାଠ ପେଡ଼ିରେ ସେତିକିର ଡୋର ବନ୍ଧା ଯାଇଥିଲା ।

 

ନର୍ସିଂ ଟ୍ରେନିଂରେ ମୁ ପଙ୍କଜିନୀ ଭଳି ବାନ୍ଧବୀ ପାଇଥିଲି । ମୋତେ ମଧ୍ୟ ସେ ପାଇ ଖୁବ୍‌ ଖୁସି ହୋଇଥିଲା । ଦୁହେଁ ଖୁବ୍‌ ଖୁସି ହୋଇଥିଲୁ । ହଷ୍ଟେଲରେ ଗୋଟିଏ ରୁମ୍‌ରେ ପଙ୍କଜିନୀ ଓ ମୁଁ ରହୁଥିଲୁ ।

 

ଏମିତି ଅନେକ ରାତିରେ ସେ ତା’ର ସେ ବେଦନାନ୍ତ ଇତିହାସ ମୋ ଆଗରେ ବଖାଣି ବସେ । କେମିତି ତା ସ୍ଵାମୀ ତାକୁ ଡାଇଭୋର୍ସ କଲେ, ସେ କିପରି ତା ଜୀବନରେ ପୁଲକଙ୍କୁ ଭଲ ପାଇଥିଲା, କିନ୍ତୁ ବାପାଙ୍କ ନାଲି ଆଖିରୁ ସେ ବର୍ତ୍ତିଯାଇ ପାରିଲା ନାହିଁ, ବାଧ୍ୟ ହୋଇ ବାପାଙ୍କ ଇଚ୍ଛାରେ ସେ ବିବାହ କଲା । ଏମିତି ତା ଜୀବନର କେତେ ଅଶ୍ରୁଳ ଇତିହାସ ।

 

ବାନ୍ଧବୀ କହିଲେ ସ୍ଵତଃ ଯେଉଁ କେତେଜଣଙ୍କ ନାଁ ମୋ ମନକୁ ଆପେ ଆପେ ଚାଲିଆସେ, ସେମାନେ ହେଉଛନ୍ତି ପଙ୍କଜିନୀ ଏବଂ ମନୋରମା । ଅନ୍ୟମାନଙ୍କ କଥା ତ ଭିନ୍ନ । ତେଣୁ ପ୍ରଥମେ ଏ ଦୁଇ ଜଣଙ୍କୁ ମୋର ଏ ଶୁଭ ଖବରଟା ଜଣାଇ ମୋ ନିକଟରେ ସେମାନଙ୍କର ଉପସ୍ଥିତପାଇଁ ଅନୁରୋଧ କରିବା ପାଇଁ ସ୍ଥିର କଲି ।

 

ପଙ୍କଜିନୀ ବର୍ତ୍ତମାନ ପୁଲକଙ୍କୁ ବିବାହ କରି ସୁଖରେ ଚଳୁଛି । ପ୍ରଥମେ ତା’ନିକଟକୁ ଯିବାପାଇଁ ସ୍ଥିର କଲି ।

 

ହସ୍‌ପିଟାଲରୁ ସିଧା ଘରକୁ ଫେରି ଆସିଲି । ମନ ମୋର ଆନନ୍ଦରେ ମାତି ଉଠିଲା । ନିଜକୁ ଅଭିସାରିକାରୂପେ ସଜାଇ ନେଲି ଏବଂ ସିଧା ପଙ୍କଜିନୀ ଘରକୁ ଚାଲିଯାଇଥିଲି ।

ପଙ୍କଜିନୀ ଏ ସୁଖବର ଶୁଣି ଖୁବ୍‌ ଆନନ୍ଦିତ ହୋଇଥିଲା ଏବଂ କହିଥିଲା– ତଟିନୀ ଲୋ, ତୁ ଜିତିଗଲୁ । ତୁ ଜୀବନ ଯୁଦ୍ଧରେ ଜିତିଗଲୁ । ଏପରି ସୌଭଗ୍ୟ ଖୁବ୍‌ କମ୍‌ ସଂଖ୍ୟକ ନାରୀଙ୍କ ଜୀବନରେ ଆସିଥାଏ । ନାରୀ ତା’ ଜୀବନକାଳରେ ଯେଉଁ ଟିକକ ପାଇଁ ବଞ୍ଚିରହେ, ଯାହାକୁ ଆଶ୍ରାକରି ପଥଚାଲେ । ସେଇ ସମୟ ଆଜି ତୋର ଉପସ୍ଥିତ ।

ମୁଁ ଜାଣିଥିଲି ଲୋ ତଟିନୀ– ଯେଉଁଦିନ ତୁ ମୋତେ ପ୍ରଥମେ ତୋ ମନର ପୁରୁଷ ସାଗରଙ୍କ କଥା କହିଥିଲୁ, ତୋର ସେ ଦିନର କଥା ମନେ ଅଛି କି ନାହିଁ ମୁଁ କହି ପାରିବିନି, କିନ୍ତୁ ମୋର ସେ ଦିନର କଥା ଠିକ୍‌ ମନେ ଅଛି । ସେଦିନ ମୁଁ ତୋତେ କହିଥିଲି– ଭଲ କରି ଧରିଥା ଲୋ ତଟିନୀ, ନହେଲେ ଠକି ଯିବୁ । ଠିକ୍‌ ମୁଁ ଯେପରି ହାରିଗଲି ।

କିନ୍ତୁ ମୁଁ ଠିକ୍‌ ଜାଣିଥିଲି, ତୁ କେବେ ହାରି ଯିବୁନି । ତୁ ଠିକ୍‌ ପାରିବୁ । ଆଜି ତୋଠାରୁ ତୋର ବିବାହର ନିମନ୍ତ୍ରଣ ପାଇ ମୁଁ ଯେ କେତେ ଖୁସି ତାହା ମୁଁ ପ୍ରକାଶ କରିପାରୁନି ।

ତଟିନୀ ଲୋ– ଏମିତି କେତେ ନାରୀ ଅଛନ୍ତି, ଯେଉମାନେକି କି ଭଲ ପାଇ ନିଜର ମନର ପୁରୁଷକୁ ନିଜର କରି ପାରନ୍ତି ?

ହେଲେ ତୋ’ର ଆଜି ଏ ଶୁଭ ଦିନରେ ମୋର ସେଇ ପରମ ପ୍ରେମମୟ ଭଗବାନଙ୍କ ନିକଟରେ ମାତ୍ର ଏତିକି ପ୍ରାର୍ଥନା ଯେ ସେ ତୋର ଦାମ୍ପତ୍ୟ ଜୀବନକୁ ସୁଖମୟ କରନ୍ତୁ ।

ମୁଁ ଜାଣିଥିଲି– ପଙ୍କଜିନୀ ମୋର ଏ ଶୁଭ ଖବରଟା ଶୁଣି ନିଶ୍ଚିତଭାବେ ଖୁସି ହେବ । କାରଣ ଯେଉଁଦିନ ପ୍ରଥମ କରି ମୋର ଏ ସିଦ୍ଧାନ୍ତ ମୁଁ ତାକୁ ଶୁଣାଇ ଥିଲି ସେ ଆନନ୍ଦିତ ହୋଇ ଉଠିଥିଲା ଏବଂ କହିଥିଲା– ମୋର ଆଶା, ତୁ ଯେଉଁ ପଥରେ ଆଗେଇଛୁ ତାହା ସଫଳ ହେବ ।

ଦିନ ଯାଇ ରାତି ଏବଂ ରାତି ପରେ ଦିନ ଏଇପରି କିପରି ଯେ ଚାରିଦିନ କଟିଗଲା ମୁଁ ଜାଣିପାରିଲି ନାହିଁ ।

ସବୁଦିନ ଭଳି ମୁଁ ମୋର ସମସ୍ତ ନିତ୍ୟକର୍ମ ସାରି ହସ୍‌ପିଟାଲକୁ ଡିଉଟି କରିବା ପାଇଁ ଚାଲି ଆସିଲି । ହସ୍‌ପିଟାଲରେ ଡିଉଟି କରିବା ମୋର ଯେତିକି ଇଚ୍ଛା ନଥିଲା, ମୋର ପ୍ରିୟ ଅନ୍ତରର ସାଗରଙ୍କୁ ଥରେ ଦେଖିବାକୁ ମୋ ମନ କାହିଁକି ବ୍ୟାକୁଳିତ ହୋଇ ଉଠିଥିଲା । ଚାରିଦିନ ହେଲା ତାଙ୍କ ସହ ମୋର ସାକ୍ଷାତ ହୋଇନି ।

ହେଲେ ସେଦିନ..... ।

ସେଦିନଟି ମୋ ଜୀବନର ଏକ ସ୍ମାରକୀ ଦିବସ ହୋଇ ରହିଗଲା ।

ସାଗରଙ୍କୁ ଭେଟିବାର ପ୍ରବଳ ଆଶା ନେଇ ମୁଁ ଚାରି ନମ୍ବର ରୁମ୍‌କୁ ପଶିଗଲି କିନ୍ତୁ ଏ କ’ଣ ?

ରୁମ୍‌ରେ ଯେ କେହି ନାହାଁନ୍ତି ? ଘଟଣାଟା କ’ଣ କିଛି ଜାଣିପାରିଲି ନାହିଁ । ସେଠାରେ ଝାଡ଼ୁ କରୁଥିବା ବେହେରାକୁ ପଚାରିଲି ମାତ୍ର ସେ ମଧ୍ୟ କିଛି ସନ୍ତୋଷଜନକ ଉତ୍ତର ଦେଇପାରିଲା ନାହିଁ । କେବଳ କହିଲା– ‘ସେ ବାବୁ ଜଣକ ଏ କୋଠରୀରୁ ଆଜିକୁ ଚାରି ଦିନ ହେବ ଚାଲିଯାଇଛନ୍ତି-

 

ପ୍ରକୃତ ଘଟଣାଟା କ’ଣ ଜାଣିବାପାଇଁ ମୁଁ ହସ୍‌ପିଟାଲର ସୁପରିନ୍‌ଟେଣ୍ଡେଣ୍ଟଙ୍କ ନିକଟକୁ ଧାଇଁ ଯାଇଥିଲି ।

 

ହସ୍‌ପିଟାଲର ସୁପରିନ୍‌ଟେଣ୍ଡେଣ୍ଟ ମୋ ହାତକୁ ଗୋଟିଏ ଲଫାପା ବଢ଼ାଇ ଦେଉ ଦେଉ କହିଲେ–ଏ ଚିଠିଟି ଆଜି ଆପଣଙ୍କର ଆସିଛି । ହଁ, ଚାରିନମ୍ବର ରୋଗୀ ସାଗର ଦାସ ଆଜିକୁ ଚାରି ଦିନ ହେବ ଡିସ୍‌ଚାର୍ଜ ହୋଇ ଯାଇଛନ୍ତି । ସେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରି ସାରିଥିଲେ । ହସ୍‌ପିଟାଲର ସୁପରିନ୍‌ଟେଣ୍ଡେଣ୍ଟଙ୍କ କଥା ଶୁଣି ମୋ ମୁଣ୍ଡ ଚକ୍‌କର ଖାଇଗଲା । କ’ଣ ଯେ କରିବି ମୁଁ କିଛି ଠିକ୍‌ କରିପାରିଲି ନାହିଁ । ମାତ୍ର ଚାରି ଦିନ ଭିତରେ ମୋ ଜୀବନର ସବୁ କିଛି ବଦଳି ଗଲା !

 

ଲଫାପାକୁ ଚାହିଁଲି । ମୋ ନିକଟକୁ ଦେଇଛନ୍ତି ସାଗର ଦାସ ସୁଦୂର ଓଡିଶାରୁ । ସେ ବୋଧହୁଏ ସେଇ ସାଗର ଦାସ । ଯାହାଙ୍କ ସହ ମୋର ଦୀର୍ଘ ଦୁଇ ବର୍ଷର ସମ୍ପର୍କ ।

 

ହସ୍‌ପିଟାଲର ଏଇ କୋଳାହଳ ଭିତରେ ଚିଠିଟିକୁ ପଢ଼ିବାକୁ ମୋର ବିଲକୁଲ ଇଚ୍ଛା ହେଲା ନାହିଁ । ମନର ମଣିଷଙ୍କର ଚିଠିକୁ କ’ଣ ହଠାତ୍‌ ଏମିତି ଯେଉଁଠି ଯେ କୌଣସି ପରିସ୍ଥିତିରେ ପଢ଼ିହୁଏ ?

 

ଭାବିଲି, ସାଗର ବୋଧହୁଏ ଓଡ଼ିଶା ଫେରିଯାଇଁ ମୋ ସହ ତାଙ୍କର ବିବାହ ପ୍ରସଙ୍ଗ ନେଇ ମୋ ନିକଟକୁ ଚିଠି ଦେଇଛନ୍ତି । ପୂର୍ବରୁ ସେ ଓଡ଼ିଶା ଫେରିଯାଇଁ ତାଙ୍କ ବିବାହର ସମସ୍ତ ଆୟୋଜନ ସେ ନିଶ୍ଚିତଭାବେ କରିଥିବେ ।

 

ମନଟା ମୋର ବିଭିନ୍ନ ଆଶଙ୍କାରେ ବ୍ୟାକୁଳିତ ହୋଇ ଉଠିଲା । ତଥାପି ଚିଠିଟିକୁ ବ୍ଲାଉଜ ଭିତରେ ଲୁଚାଇ ରଖିଲି ଏବଂ ଡିଉଟିରେ ମନଦେଲି ।

 

ଠିକ୍‌ ନିର୍ଦ୍ଦିଷ୍ଟ ସମୟରେ ମୋର ଡିଉଟି ଶେଷ ହେଲା । ଅନ୍ୟାନ୍ୟ ଦିନମାନଙ୍କ ଭଳି ମୁଁ ମୋ ଡିଉଟି ଶେଷପରେ ମୋର ବାନ୍ଧବୀମାନଙ୍କ ସହ କିଛି ସମୟ ହସ ଖୁସରେ କଟାଇବାକୁ ରହିପାରିଲି ନାହିଁ । ମନଟା ମୋର ଆପେ ଆପେ ମୋ ବସା ଘରକୁ ଦୌଡ଼ି ଯାଇଥିଲା । ବାଧ୍ୟ ହୋଇ ମୁଁ ବସାକୁ ଫେରି ଆସିଲି ।

 

ଘରକୁ ଫେରି ପ୍ରଥମେ ମୁଁ ଘରର ଦ୍ଵାରଟା ବନ୍ଦକରି ଦେଇଥିଲି । କାରଣ କେହିହେଲେ ଜଣେ ନିଶ୍ଚୟ ଆସି ମୋ ଚିଠି ପଢ଼ିବାରେ ବ୍ୟାଘାତ ସୃଷ୍ଟି କରିବ ।

 

ମନେ ମନେ ଭାବିଲି– ସାଗର ନିଶ୍ଚୟ ତାଙ୍କ ଚିଠିରେ ଲେଖିଥିବେ ତଟିନୀ, ତୁମ ଆଗରେ ମୁଁ ଯାହା ମୁହଁ ଖୋଲି କହି ପାରି ନଥିଲି, ତାହା ଏଇ ଚିଠିରେ ଲେଖୁଛି । ମୋ ରାଣ, ତୁମେ କେବେହେଲେ ମୋତେ ପର ଭାବିବ ନାହିଁ । ତୁମେ ଭାବୁଛ କି ? ତୁମେ ଛୁଟିରେ ଥିଲାବେଳେ ମୁଁ ଓଡ଼ିଶା ଫେରି ଆସିଲି ତୁମକୁ ଛାଡ଼ି ? ମୁଁ ସିନା ଓଡ଼ିଶା ଫେରି ଆସିଲି, ହେଲେ ମୋ ମନଟା ତୁମ ପାଖରେ । ତୁମକୁ ନଦେଖି ଖୁବ୍‌ ଅଧୈର୍ଯ୍ୟ ହୋଇ ପଡ଼ୁଚି ।

 

ଏମିତି କେତେ କ’ଣ ଭାବିଗଲି । କିନ୍ତୁ ଚିଠିଟି ଖୋଲି ନଥିଲି । ମୋର ବହୁ ପ୍ରତିକ୍ଷିତ ଆଶାର ସେଇ ଚିଠିଟି ଖୋଲିଲି । ସାଗର ଲେଖିଥିଲେ ।

ଆପଣାର ତଟିନୀ !

ହଠାତ୍‌ ମୋଠାରୁ ମୋ ହାତ ଲେଖା ଚିଠି ପାଇ ତୁମେ ଯେତିକି ଆଶ୍ଚର୍ଯ୍ୟ ହେବ, ତା’ର ଦ୍ଵିଗୁଣ ଆଶଙ୍କା ତୁମ ମନରେ ନିଶ୍ଚିତଭାବେ ଜାତହେବ । ଏ ଚିଠି ତୁମ ପାଖକୁ ଲେଖିବାକୁ ଆରମ୍ଭ କଲାବେଳେ, ତୁମ ପାଖକୁ ଏ ଚିଠି ଲେଖିବି କି ନାହିଁ, ସେ ବିଷୟରେ ବହୁତ ଭାବିଚି । ଦ୍ଵନ୍ଦରେ ପଡ଼ିଛି ମଧ୍ୟ ।

ତୁମକୁ ସାକ୍ଷାତ ନକରି, ତୁମ ମନରେ ଆଘାତ ଦେଇ, ମୁଁ ଯେ ଦୂରେଇ ଗଲି ଏଥିପାଇଁ ତୁମେ ମୋତେ ଶଠ, ଲମ୍ଫଟ, ସ୍ଵାର୍ଥପର ବୋଲି ନିଶ୍ଚୟ ଭାବୁଥିବ କିନ୍ତୁ ମୁଁ ତୁମରାଣ ଖାଇ କହୁଛି, ମୁଁ ସ୍ଵାର୍ଥପର ନୁହେଁ କିମ୍ବା ବିଶ୍ଵାସଘାତକ ନୁହେଁ । ପ୍ରକୃତରେ ମୁଁ ତୁମକୁ ଭଲ ପାଇଥିଲି । ପ୍ରାଣଠାରୁ ଅଧିକ ମୁଁ ତୁମକୁ ଭଲ ପାଇଥିଲି । ତୁମ ପ୍ରତି ମୋର ସମସ୍ତ ସ୍ନେହ ପ୍ରେମ କେବେହେଲେ ମିଥ୍ୟା ହୋଇପାରେନା ଏବଂ ଏକଥା ମଧ୍ୟ କହି ରଖୁଚି ଯେତେଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଏ ପୃଥିବୀରେ କିରଣ ବିକିରଣ କରୁଥିବେ, ସେତେଦିନ ପର୍ଯ୍ୟନ୍ତ ଆମ ସମ୍ପର୍କ ଅତୁଟ ରହିବ । ଏହା ମୋ ମନର, ହୃଦୟର କଥା, ଏହା ଛଳନା ନୁହଁ ।

ତେବେ ମୁଁ ତୁମକୁ ଛାଡ଼ିଲି କାହିଁକି ?

ଏ ପ୍ରଶ୍ନ ତୁମ ମନରେ ନିଶ୍ଚିତ ଉଙ୍କି ମାରୁଥିବ, ନୁହେଁ ?

ତୁମେ ମୋତେ ଭଲପାଇଥିଲ । ମୋ ଭିତରେ ତୁମେ ହଜିଯିବାକୁ ଚେଷ୍ଟା କରୁଥିଲ, ଏକଥା ମୁଁ ଭଲଭାବେ ଜାଣେ । ଏହାକୁ ତୁମେ କେବେହେଲେ ଅସ୍ଵୀକାର କରିପାରିବ ନାହିଁ । କିନ୍ତୁ ତୁମେ କେବେହେଲେ ମୋ କଥା ଚିନ୍ତା କରିନାହିଁ କିମ୍ବା ଭାବିବାକୁ ମଧ୍ୟ ଚେଷ୍ଟା କରିନାହିଁ ।

ମୁଁ କିଏ ? କାହିଁକି ମୋର ମସ୍ତିଷ୍କ ବିକୃତି ଘଟିଲା, ଏକଥା ତୁମେ କେବେ ଜାଣିବାକୁ ଇଚ୍ଛା କରିଛ ତଟିନୀ ? କେବେହେଲେ ତୁମେ ମୋତେ ମୋ ନିଜ ବିଷୟରେ ପଚାରିଛ ? କିମ୍ବା ଯଦି ମୁଁ କେବେ କୌଣସି ଦିନ ମୋ ଆଡ଼ୁ ମୋ ଅତୀତର ଇତିହାସ ଆରମ୍ଭ କରେ ତେବେ ତୁମେ ସେ କଥାକୁ ଭୁଲାଇ ମୋତେ ଅନ୍ୟ କଥା ଆଡ଼କୁ ନେଇଯାଅ । ତା’ର କାରଣ ହେଲା, କାଳେ ମୋର ଅତୀତରେ ଘଟଣାବଳୀ ମର୍ମନ୍ତୁଦ ହୋଇଥିବ ଏବଂ ସେଇଥିପାଇଁ ମୋର ମସ୍ତିଷ୍କ ବିକୃତ ଘଟିଥିବ, ଏଇ ଆଶଙ୍କା କରି ତୁମେ କେବେହେଲେ ମୋ ଅତୀତର ଘଟଣାବଳୀ ଜଣେଇବାକୁ ଦେଇନାହଁ ।

ମୋ ବିଷୟରେ କିଛି ନ ଜାଣି, ମୋର ଅତୀତ ଇତିହାସକୁ ତୁମେ ନଶୁଣି, ମୋ ଅନ୍ତରର ବେଦନାକୁ ଉପଲବ୍‌ଧି ନକରି ତୁମେ ମୋତେ ଭଲ ପାଇ ବସିଲ, ଏକଥା ମୁଁ ଜାଣେ ତଟିନୀ, ଆଜି ସେ ସମୟ ଆସିଛି । ମୁଁ ତୁମକୁ ମୋ ମନର କଥା ଖୋଲି କହୁଛି ।

ମୋ ଘର ଓଡ଼ିଶା ପ୍ରଦେଶର ରାଜଧାନୀ ଭୁବନେଶ୍ୱରରେ । ମୁଁ ଓଡ଼ିଶା ସରକାରଙ୍କର ଜଣେ ଉଚ୍ଚପଦସ୍ଥ ଅଫିସରଙ୍କର ଜ୍ୟେଷ୍ଠପୁତ୍ର । ମୋର ସମସ୍ତ ଆନୁସଙ୍ଗିକ ପାଠ ପଢ଼ା ଶେଷରେ ମୋର ପିତା ମୋତେ ମୋ ଅଜାଣତରେ ଗୋଟିଏ ଝିଅସହ ବିବାହ ବନ୍ଧନରେ ଛନ୍ଦି ଦେଲେ । ଯେହେତୁ ସେ ମୋର ବାପା, ବିନା ଦ୍ଵିଧାରେ ତାଙ୍କର ସେ ସମ୍ମତିକୁ ମୁଁ ଗ୍ରହଣ କରି ନେଇଥିଲି ।

 

କବିସମ୍ରାଟଙ୍କ ଲାବଣ୍ୟବତୀ ଠାରୁ ଆହୁରି ସୁନ୍ଦର ଥିଲା ମୋର ସ୍ତ୍ରୀ । ସତେ ଯେପରି ପୃଥିବୀର ସମସ୍ତରୂପ ତା’ ଦେହରେ ଠୁଳ ହୋଇଥିଲା, ନାଁ ତା’ର ମାନସୀ । ମାନସୀ ଉଚ୍ଚଶିକ୍ଷିତା ନଥିଲେ ମଧ୍ୟ ଅଶିକ୍ଷିତା ନଥିଲା, ଆଇ: ଏ ପାସ୍‍ କରିଥିଲା ।

 

ପ୍ରକୃତରେ ମୁଁ ମାନସୀକୁ ପାଇ ଖୁସି ହୋଇଥିଲି । ସେ ମଧ୍ୟ ତା’ର ସବୁକିଛିକୁ ମୋରି ଭିତରେ ହଜାଇ ଦେଇ ମୋ ସହ ମିଶି ଯାଉଥିଲା । ମୁଁ କିପରି ଖୁସିରେ ରହିବି, ସବୁବେଳେ ହସିବି, ଏହାହିଁ ଥିଲା ତା’ର ପ୍ରଥମ ଲକ୍ଷ୍ୟ ।

 

ପରିବାର ବୋଇଲେ ଆମର କିଛି ନଥିଲା ତଟିନୀ, ପିଲାଟି ଦିନରୁ ବୋଉ ମୋତେ ଛାଡ଼ି ଚାଲି ଯାଇଥିଲା । କାଳେ ମୁଁ ହଇରାଣ ହେବି, ସାବତ ମା’ ଆସିଲେ ମୋତେ ହଇରାଣ କରିବ, ଏଇ ଆଶା ପୋଷଣକରି ବାପା ପୁନଃ ବିବାହ କରିନଥିଲେ । କେବଳ ସେଇଥିପାଇଁ ସେ ମୋତେ ଶୀଘ୍ର ବିବାହ କରି ଦେଇଥିଲେ ।

 

ମାନସୀକୁ ବିବାହ କରି ପ୍ରକୃତରେ ମୁଁ ଖୁସି ହୋଇଥିଲି । ତା’ର ଅନାବିଳ ସ୍ନେହ, ଅକୁଣ୍ଠିତ ପ୍ରେମ ମୋତେ ପାଗଳ କରିଥିଲା ।

 

ବିବାହର ପ୍ରଥମ କେତେଟା ମାସ ଖୁବ୍‌ ଖୁସିରେ କଟିଗଲା ।

 

ଭାବିଥିଲି ବୋଧହୁଏ ସାରା ଜୀବନଟା ମୋର ଖୁସିରେ କଟିଯିବ । କିନ୍ତୁ ମଣିଷ ଯାହା ଚାହେଁ, ତାହା ସବୁବେଳେ ପୂରଣ ହୁଏ ନାହିଁ ।

 

ବିବାହର ଛ’ମାସ ପରେ ମୁଁ ବମ୍ବେକୁ ବିଜିନେସ୍‌ ମ୍ୟାନେଜ୍‌ମେଣ୍ଟରେ ଅଧିକ ପଢ଼ିବା ପାଇଁ ଆସିଲି । ଘରେ ବାପାଙ୍କୁ ଏକୁଟିଆ ଛାଡ଼ି ମୋର ନବ-ବିବାହିତା ପତ୍ନୀଙ୍କୁ ସାଙ୍ଗରେ ଆଣିବାକୁ ମୁଁ ଉଚିତ ମନେକଲି ନାହିଁ । ତେଣୁ ମୁଁ ମାନସୀକୁ ବାପାଙ୍କ ନିକଟରେ ରହିବାକୁ ଦେଇ ଏକୁଟିଆ ବମ୍ବେ ଚାଲିଆସିଲି ।

 

ମାନସୀ ପାଖରୁ ବିଦାୟ ନେଇ ଆସିଲା ଦିନ ସେ କହିଥିଲା– ତୁମେ କ’ଣ ସତରେ ମୋତେ ଏକୁଟିଆ ଏଠାରେ ଛାଡ଼ି ଚାଲିଯିବ ? ମୁଁ ତାକୁ ବୁଝାଇ ଦେଇ କହିଥିଲି– ମାନସୀ, ତୁମକୁ ଏକୁଟିଆ ବମ୍ବେ ସହରରେ ଛାଡ଼ି ରହିବା ଉଚିତ ନୁହେଁ । ତା’ପରେ ବର୍ତ୍ତମାନ ସମୟରେ ବାପା ଏକୁଟିଆ ରହିଲେ ଭାଙ୍ଗି ପଡ଼ିବେ । ତେଣୁ ତୁମେ ମାତ୍ର ଦୁଇବର୍ଷ କଷ୍ଟକର । କଷ୍ଟ ନଥିଲେ ଆନନ୍ଦ ମିଳେନାହିଁ । ତା’ପରେ ମୁଁ ସିନା ପଢ଼ିବା ପାଇଁ ବମ୍ବେ ଚାଲିଯାଉଛି, କିନ୍ତୁ ମନଟା ମୋର ତୁମରି ପାଖରେ ରଖିଦେଇ ଯାଉଛି ମାନସୀ ।

 

ସେ ମୋତେ ଆନନ୍ଦରେ ବିଦାୟ ଦେଇଥିଲା । ବମ୍ବେଠାରେ ଆସି ମୁଁ ମଧ୍ୟ ପଢ଼ାରେ ମନୋନିବେଶ କଲି । ମଝିରେ ମଝିରେ ମାନସୀ ମୋପାଖକୁ ଚିଠି ଦିଏ । ତା’ ବିଷୟରେ ଲେଖିଥାଏ ଏବଂ ମୁଁ ଠିକ୍‌ ସମୟରେ ଖାଉଛି କି ନାହିଁ, ମୋର ଦେହ ଭଲ ଅଛି କି ନାହିଁ, ପଢ଼ାପଢ଼ି ଭଲ କରୁଛି କି ନାହିଁ, ଦେହକୁ ଜଗି ଚଳିବି । ଏଇପରି ଅନେକ ଉପଦେଶାତ୍ମକ ତଥ୍ୟ ସେଥିରେ ଭରି ରହିଥାଏ ।

 

ବାପାଙ୍କଠାରୁ ମୁଁ ମଧ୍ୟ ବହୁ ସମୟରେ ଚିଠି ପାଉଥାଏ । ତେଣୁ ମୋତେ ଆଉ ବେଶୀ ଭାବିବାକୁ ପଡ଼େନାହିଁ କିମ୍ବା ମାନସୀର ବିଚ୍ଛେଦ ମୋତେ ସେତେ ଅଧୀର କରି ପାରିଲା ନାହିଁ । ମୁଁ ପାଠ ପଢ଼ାରେ ମନ ଦେଲି ।

 

ବମ୍ବେରେ ରହିବାର ଚାରିମାସ ପରେ ହଠାତ୍‌ ଗୋଟିଏ ଅଘଟଣ ଘଟିଲା । ସବୁଦିନ ପରି ସେଦିନ ମଧ୍ୟ ମାନସୀଠାରୁ ମୁଁ ଗୋଟାଏ ଚିଠି ପାଇଲି । ଭାବିଥିଲି, ପ୍ରତ୍ୟେକ ଚିଠିପରି ଏ ଚିଠିରେ ମଧ୍ୟ ସେ ମୋତେ, ପାଠପଢ଼ା, ସ୍ଵାସ୍ଥ୍ୟ ତଥା ଭଲମନ୍ଦ କଥା ଲେଖିଥିବ, କିନ୍ତୁ ଓଲଟା ଲେଖାଥିଲା ।

 

ସେ ଲେଖିଥିଲା– “ଏ ଚିଠି ପାଇଲାମାତ୍ରେ ତୁମେ ଏଠାକୁ ଆସିବ । ତୁମକୁ ମୋ ରାଣ, ତୁମେ ଏଠାକୁ ଆସି ଯେତେ ଶୀଘ୍ର ପାର ମୋତେ ତୁମେ ତୁମ ପାଖକୁ ନେଇଯାଅ । ତୁମ ବିନା ମୁଁ ଏଠାରେ ବଞ୍ଚି ପାରିବି ନାହିଁ । ଏଠାର ଏ ପରିବେଶ ମୋତେ ପଙ୍ଗୁ କରିଦଉଛି । ଶୀଘ୍ର ଏଠାକୁ ଆସ ।

 

ତା ଚିଠି ପଢ଼ି ପ୍ରଥମେ ସେ ଚିଠି ପ୍ରତି ମୁଁ ବିଶେଷଭାବେ ଗୁରୁତ୍ଵ ଦେଇ ନଥିଲି, କାରଣ ଚାରିମାସ ହେଲା ମୁଁ ଘରକୁ ଯାଇ ନଥିଲି । ତା’ପରେ ଘରେ ପାରିବାରିକ ଅଶାନ୍ତି ନିଶ୍ଚୟ କିଛି ନା କିଛି ଥିବ, ସେଇଥିପାଇଁ ବୋଧହୁଏ ସାମୟିକଭାବେ ସେ କ’ଣ ଲେଖି ଦେଇଛି । ତେଣୁ ସେ ଚିଠି ପ୍ରତି କିଛି ଗୁରୁତ୍ଵ ଦେଲି ନାହିଁ ।

 

ପ୍ରଥମ ଚିଠି ପାଇବାର ଠିକ୍‌ ପନ୍ଦର ଦିନ ପରେ ପୁଣି ମାନସୀଠାରୁ ଗୋଟାଏ ଚିଠି ପାଇଲି । ସେ ଚିଠିରେ ଅନ୍ୟକିଛି ଲେଖା ନଥିଲା । କେବଳ ଲେଖାଥିଲା ଏ ଚିଠି ପାଇଲାମାତ୍ରେ, ବସିଲା ଯାଗାରୁ ଉଠି ଆସିବା ଭଳି ଚାଲି ଆସିବ । ତୁମକୁ ଦେଖିବାକୁ ମୋର ଖୁବ୍‌ ଇଚ୍ଛା ହେଉଛି-। ପୂର୍ବରୁ ଲେଖିଥିଲି ଏଠାକୁ ଆସିବାପାଇଁ, ତୁମେ କିନ୍ତୁ ମୋ କଥା ରଖିଲ ନାହିଁ, ତୁମ ଆସିବା ବାଟକୁ ଚାହିଁ ଚାହିଁ ପନ୍ଦର ଦିନ କଟିଗଲା । ତୁମେ କ’ଣ ସତରେ ମୋତେ ଭଲ ପାଅନାହିଁ-

 

ସାଗର ! ପ୍ରକୃତରେ ଯଦି ତୁମେ ତୁମର ସେଇ ଅତି ଆପଣାର ମାନସୀକୁ ଭଲ ପାଉଥାଅ, ତାହେଲେ ନିଶ୍ଚୟ ଆସିବ । ଏଠାକୁ ଆସି ତୁମ ପାଖକୁ ମୋତେ ନେଇଯାଅ । ସେଠାରେ ଯେତେ ଅସୁବିଧା ହେଲେ ବି ମୁଁ ଶାନ୍ତିରେ ରହିପାରିବି । ତୁମକୁ ମୋ ରାଣ, ତୁମେ ନିଶ୍ଚିତ ଆସିବ ।

 

ତଟିନୀ, ମାନସୀ ଚିଠିର ଉତ୍ତର ମୁଁ ସାଥେ ସାଥେ ଦେଇଥିଲି, ଲେଖିଥିଲି– ଘର କରିବାକୁ ହେଲେ କେତେ ଅଭାବ ଅସୁବିଧା, ଘାତପ୍ରତିଘାତ, ସୁଖ-ଦୁଃଖ ସହିବାକୁ ପଡ଼ିବ । କଷ୍ଟ ବିନା ଯେଉଁ ଜୀବନ, ତାହା ଜୀବନ ନୁହେଁ, ତେଣୁ ମୋର ଭଲ ପାଇଁ ମୋର ଭବିଷ୍ୟତକୁ ଉଜ୍ଵଳମୟ କରିବା ପାଇଁ ତୁମେ କ’ଣ ସେଇଠି ଆଉ ମାତ୍ର ଦେଢ଼ବର୍ଷ ରହିପାରିବ ନାହିଁ ।

 

ମୁଁ ଜାଣେ ମାନସୀ, ତୁମ ହୃଦୟର କଥା । ମୁଁ ପଥର ନୁହେଁ ପୁରୁଷ । ତୁମ ହୃଦୟର ବ୍ୟଥା, ମୁଁ ଠିକ୍‌ ବୁଝି ପାରିଚି, ହେଲେ ମୁଁ ବା ବର୍ତ୍ତମାନ କ’ଣ କରିବି । ତୁମେ କୁହତ ଟ୍ରେନିଂ ସମୟର ସ୍ଵଳ୍ପ ଦରମାରେ ତୁମକୁ ଏଠାକୁ ଆଣି ବମ୍ବେ ଭଳି ଏକ ସହରରେ ଚଳିବା କ’ଣ ସହଜ କଥା ?

 

ମାନସୀ ତୁମକୁ ମୋର ଅନୁରୋଧ, ମୋତେ ଭୁଲ ବୁଝିବ ନାହିଁ । ତୁମ ପ୍ରତି ମୋର ପ୍ରେମ, ସ୍ନେହ, ମମତା ସବୁବେଳେ ପୂରି ରହିଛି ଏବଂ ରହିବ ମଧ୍ୟ । ତେଣୁ ଏପରି ଏକ ଚିଠି ତୁମକୁ କାହିଁକି ଲେଖୁଛି, ତୁମେ ଠିକ୍‌ ବୁଝିବ । ମୋ ମନର କଥା, ହୃଦୟର କଥା, ତୁମେ ନିଶ୍ଚୟ ବୁଝିବ ।

 

ସବୁକଥା ମାନସୀପାଖକୁ ଲେଖି ଜଣେଇ ଥିଲି । ଭାବିଥିଲି, ସେ ନିଶ୍ଚୟ ମୋ ମନକଥା ବୁଝିବ । କେତେ ଆଶା କରିଥିଲି, କିନ୍ତୁ ସବୁ କିଛି ଗୋଳମାଳ ହୋଇଗଲା ।

 

ଏ ଚିଠି ତାକୁ ଦେବାର ଠିକ୍‌ କୋଡ଼ିଏ ଦିନପରେ ହଠାତ୍‌ ମୁଁ ଗୋଟାଏ ଟେଲିଗ୍ରାମ୍‌ ପାଇଲି ।

 

ଟେଲିଗ୍ରାମ୍‌ରେ ଲେଖାଥିଲା– ‘‘ଯଦି ଏ ଦୁଇଦିନ ମଧ୍ୟରେ ତୁମେ ଏଠାକୁ ନଆସ, ତାହାଲେ ତୁମର ଅତି ପ୍ରିୟ ମାନସୀକୁ ଆଉ ଦେଖି ପାରିବ ନାହିଁ, ଦେଖିବ ତା’ ଶବକୁ” ।

 

ହଠାତ୍‌ ତା’ଠାରୁ ଏପରି ଏକ ଟେଲଗ୍ରାମ୍‌ ପାଇ ମୁଁ ବିଚଳିତ ହୋଇ ଉଠିଲି । ପ୍ରକୃତ ଘଟଣା କ’ଣ ଜାଣିବା ପାଇଁ ମୁଁ ବ୍ୟଗ୍ର ହୋଇ ଉଠିଲି । ହଠାତ୍‌ ତାର ଏ ସିଦ୍ଧାନ୍ତରେ ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି ।

 

କାରଣ ମୁଁ ଜାଣିଥିଲି, ଦୁଃଖ ବୋଲି ତା’ର କିଛି ନଥିଲା । ତଥାପି, ତା’ର ଦୁଃଖ କ’ଣ ଥିଲା, ମୁଁ ଜାଣିପାରିଲି ନାହିଁ ।

 

ସେ ଦିନ ସଂଧ୍ୟାରେ ମୁଁ ବମ୍ବେ ଛାଡ଼ିଲି ।

 

ଘରେ ପହଞ୍ଚି ମାନସୀଠାରୁ ମୁଁ ଯାହା ଶୁଣିଲି, ତାକୁ ମୁଁ ବିଶ୍ଵାସ କରିପାରିଲି ନାହିଁ । ତା’ର କଥା ସବୁ ମୋତେ ଆରବୀୟ କାହାଣୀ ଭଳି ଜଣା ପଡ଼ିଲା ।

 

ଏ ସବୁ କଥା କହିବାକୁ ତୁମକୁ ଖୁବ୍‌ ଖରାପ ଲାଗୁଛି । ସେ ସବୁ ଏକାନ୍ତ, ନିଜସ୍ଵ କଥା ।

 

ତଟିନୀ, ପୃଥିବୀରେ ଏମିତି ପୁଣି ଅନେକ ପୁରୁଷ ଅଛନ୍ତି । ଯେଉଁମାନେ ନିଜର ନିଜତ୍ଵକୁ ମଧ୍ୟ କାମନାର ବହ୍ନିରେ ଆହୁତି ଦିଅନ୍ତି ।

 

ମୁଁ ତ ପ୍ରଥମରୁ ତୁମକୁ କହିଛି ତଟିନୀ, ମାନସୀ ଦେଖିବାକୁ ଅତୀତ ସୁନ୍ଦର । ଭଗବାନଙ୍କ ସୌନ୍ଦର୍ଯ୍ୟର ଏକ ଗନ୍ତାଘରରୂପେ ତାକୁ ଗଢ଼ିଥିଲେ । ତଟିନୀ, ପ୍ରକୃତରେ ନାରୀର ଗର୍ବ ହିଁ କେବଳ ସୌନ୍ଦର୍ଯ୍ୟ । ରୁପ ବିନା ନାରୀ ସବୁବେଳେ ଅବହେଳିତ ।

 

କେବଳ ନାରୀର ରୂପଯୋଗୁଁ କେତେ ସୃଷ୍ଟିର ବିଲୟ ଘଟି ନୂତନ ସୃଷ୍ଟିର ଅଭ୍ୟୁତ୍‌ଥାନ ଘଟିଛି ।

 

ମାନସୀ ମୋତେ କ’ଣ କହିଥିଲା ଶୁଣିବ, –ମୁଁ ବମ୍ବେ ଯିବାର ଅଳ୍ପ ଦିନ ପରେ ସେ ଅନୁଭବ କଲା– ତା’ର ଶୟନ କକ୍ଷରେ ନିଶାର୍ଦ୍ଧରେ କେହି ଜଣେ ବିଚରଣ କରୁଛି । ଏ କଥା ସେ ବାବାଙ୍କୁ ମଧ୍ୟ କହିଥିଲା, କିନ୍ତୁ ବାବା ଏସବୁ ବିଷୟରେ ସେତେ ଦୃଷ୍ଟି ଦେଇ ନଥିଲେ ।

 

କିନ୍ତୁ କ୍ରମେ କ୍ରମେ ଏ ଘଟଣାର ପୁନରାବୃତ୍ତି ଘଟୁଥିଲା । ଦିନେ ସେ ଶୋଇଲା ବେଳେ କବାଟ ଲକ୍‌ କରି ଶୋଇଥିଲା । ସେଦିନ କେଜାଣି କାହିଁକି ତାକୁ ନିଦ ମଧ୍ୟ ହୋଇ ନଥିଲା ।

 

ହଠାତ୍‌ ତା’ ଶୟନ କକ୍ଷର ଦ୍ଵାର ଖୋଲିଗଲା । ମାନସୀ ଆଶ୍ଚର୍ଯ୍ୟ ହୋଇଥିଲା, ତଥାପି ମାନସୀ ଧୈର୍ଯ୍ୟର ସହ ଘଟିଯାଉଥିବା ଘଟଣାକୁ ଅପେକ୍ଷା କରି ରହିଲା ।

 

ଜଣେ କେହି ତା’ ଭିତରକୁ ପଶି ଆସି ମାନସୀର ବେଡ୍‌ ଉପରେ ନଇଁ ପଡ଼ିଥିଲେ । ହଠାତ୍‌ ମାନସୀ ଭୟରେ ଚିତ୍କାର କରି ଉଠି ବେଡ୍‌ ସୁଇଚ୍‌ ଅନ୍‌ କରିଦେଲା ।

 

ଉଦ୍‌ଭାସିତ ଆଲୋକରେ ସେ ଯାହାଙ୍କୁ ଦେଖିଲା, ସେ ପ୍ରଥମେ ମଧ୍ୟ ନିଜ ଆଖିକୁ ବିଶ୍ଵାସ କରି ପାରୁନଥିଲା, ସେ ଥିଲେ କିଏ ଜାଣ ? ସେ ଥିଲେ ମୋର ବାପା !!! ଖୁବ୍‌ଶୀଘ୍ର ସେ ଶୟନ କକ୍ଷ ଭିତରୁ ଚାଲିଯାଉଥିଲେ ।

 

କେବଳ ସେଇଦିନ ନୁହଁ, ବାରମ୍ବାର ଏପରି କରିବା ଦ୍ଵାରା ମାନସୀ ଅତିଷ୍ଠ ହୋଇ ଉଠି ମୋ ନିକଟକୁ ଚାଲିଯିବା ପାଇଁ ବାରମ୍ବାର ଚିଠି ଲେଖୁଥିଲା ।

 

ଦିନେ ମୋର ବାପା ମାନସୀର ଶୟନ କକ୍ଷ ଭିତରେ ନିଶାର୍ଦ୍ଧରେ ପ୍ରବେଶ କରି ମାନସୀକୁ ତାଙ୍କ ଛାତିରେ ଚାପି ଧରିଲେ । ମାନସୀର ନିଦ ଭାଙ୍ଗିଗଲା, ମାନସୀ ନିଜକୁ ତାଙ୍କ କବଳରୁ ମୁକ୍ତ କରି ଦେଖିଲା ବେଳକୁ, ସେ ହେଉଛନ୍ତି ମୋ ବାପା !

 

ସେଇଥିପାଇଁ ମାନସୀ ମୋ ନିକଟକୁ ଟେଲିଗ୍ରାମ କରିଥିଲା ମୋ ନିକଟକୁ ଚାଲିଯିବା ପାଇଁ ।

 

ତା’ଠାରୁ ସେ ରାତିରେ ବିସ୍ତୃତ ଇତିହାସ ଶୁଣି ମୁଁ ହଠାତ୍‌ ପାଗଳ ହୋଇ ଯାଇଥିଲି, ସେଇ ସମୟଠାରୁ ମୋର ମସ୍ତିଷ୍କ ବିକୃତି ଘଟିଥିଲା ।

 

ଯେଉଁ ଘରେ ନିଜର ବାପା ତାର ବୋହୂ ପ୍ରତି ଅତ୍ୟାଚାର କରିବାକୁ ଧାଇଁଯାଏ, ସେ ଘରେ ରହିବାକୁ ମୁଁ ଉଚିତ ମନେକଲି ନାହିଁ । ସେଦିନ ସେଇ ରାତିରେ ସମସ୍ତଙ୍କ ଅଜାଣତରେ ଘର ଛାଡ଼ିଲି ଏବଂ ବମ୍ବେରେ ପହଞ୍ଚି ସିଧା ବମ୍ବେ ମେଣ୍ଟାଲ ହସ୍‌ପିଟାଲରେ ପହଞ୍ଚିଲି ।

 

ଆଉ ତା’ପରର ଘଟଣା ସବୁ ତୁମେ ଜାଣିଛ ।

 

ମୁଁ ଜାଣେ ତଟିନୀ, ମୋ ପ୍ରତି ତୁମର ଏକ ଅହେତୁକ ମମତା ଭରି ରହିଥିଲା । ମୋର ଏ ବିକାର ଗ୍ରସ୍ତ ଆତ୍ମାରେ ଏକ ନୂତନ ଜୀବନର ସ୍ଵାଦ ଭରି ଦେଇଥିଲ ତୁମେ, ମୋ ମନରେ ଥିବା ଏ ସମାଜର ସମସ୍ତ ସକୀର୍ଣ୍ଣତାକୁ ତୁମେ ତୁମର ମମତା ଦେଇ ମୋ ମନରୁ ଘୁଞ୍ଚାଇ ଦେଇଥିଲ ।

 

ତୁମକୁ ମୁଁ ସେଦିନ ପ୍ରଥମ କରି ଭଲ ପାଇଥିଲି । ହେଲେ ସତ କହୁଛି ତଟିନୀ, ମୋର ସେ ଭଲପାଇବା ଅନ୍ତରାଳରେ କୌଣସି କୁତ୍ସିତ କାମନା ଜାଗ୍ରତ ହୋଇ ନଥିଲା, କାରଣ ମୁଁ ବିବାହିତ, ବିବାହିତ ଜୀବନର ସ୍ଵାଦ ଏକ ବର୍ଷ ଧରି ଉପଭୋଗ କରି ଆସିଛି ।

 

ବିବାହର ସଂକୀର୍ଣ୍ଣତା ଭିତରେ ଏ ଅପରୂପ ସୁଷମାକୁ ଆହୁତି ଦେବା ପାଇଁ ମୁଁ କେବେ ଚିନ୍ତା କରି ନଥିଲି । ତୁମକୁ କେବଳ ଦୂରରୁ ଦେଖିବାକୁ ମୁଁ ଚାହୁଁଥିଲି । ବିବାହ ଜୀବନର ଲୁଣ୍ଠନତା ଭିତରେ ତୁମର ଏ ଅପରୂପ ସୌନ୍ଦର୍ଯ୍ୟକୁ ଶୋଷି ନଷ୍ଟ କରିଦେବା ମୋର କେବେ ଲକ୍ଷ୍ୟ ନଥିଲା, ତୁମର ସେ ଭଲପାଇବା ଭିତରେ ମୁଁ ନିଜକୁ ହଜାଇ ଦେବାକୁ ଚାହୁଁଥିଲି ।

 

ହେଲେ ତୁମେ କିନ୍ତୁ ଏ କଥା ବୁଝିଲନି, କିମ୍ବା କେହି ବି ବୁଝିଲେନି । ସେଦିନ ସୁରମା ଦିଦି ତୁମ ସହ ମୋ ବିବାହର ପ୍ରଶ୍ନ ଉତ୍‌ଥାପନ କରିଥିଲେ । ମୁଁ ତ ତାଙ୍କୁ ସବୁ କଥା ବୁଝାଇ ଦେଇଥିଲି, କିନ୍ତୁ ତୁମେ ଭଲପାଇ ବିବାହ କରିବାର ଗତାନୁଗତିକତାରେ ହଜିଯିବାକୁ ଚାହୁଁଥିଲ ।

 

ତଟିନୀ, ମୁଁ ଜଣେ ବିବାହିତ ପୁରୁଷ ବୋଲି, ତୁମକୁ ଏ କଥା କହିବାକୁ ଅନେକ ଥର ନିଜକୁ ପ୍ରସ୍ତୁତ କରିଛି । କିନ୍ତୁ ତୁମେ ମୋତେ ଏକଥା କହିବାକୁ ଜମା ସମୟ ଦିଅନା । କୌଣସି ନା କୌଣସି କଥା କହି ମୋତେ ଭୁଲେଇ ଦିଅ । ଆମର ସମ୍ପର୍କ ମୋ ଆଖିରେ ଥିଲା, ଏକ ଆକୁଳ ଆବେଦନର ସମ୍ପର୍କ । ମମତା, ସ୍ନେହର ପାରାବାରରେ ମୁଁ ହଜି ଯାଇଥିଲି । ମୋର ମନେ ହେଉଥିଲା ତୁମ ସହ ଏକାତ୍ମ ହୋଇ ଏକାକାର ହୋଇ ତୁମ ଭିତରେ ବିଲୀନ ହୋଇ ଯାଆନ୍ତି କି-?

 

କିନ୍ତୁ ଆମ ଦୁହିଁଙ୍କ ଚିନ୍ତାଥିଲା ଭିନ୍ନ । ତୁମେ ବିବାହ ଚାହୁଁଥିଲ, ବନ୍ଧନ ଚାହୁଁଥିଲ । ଆମ ସମ୍ପର୍କର ସାମାଜିକ ସ୍ଵୀକୃତି ଚାହୁଁଥିଲ–ଅଥଚ ମୁଁ ଚାହୁଁଥିଲି, କଣିକାଏ ମମତା, ଟିକିଏ ସ୍ନେହ.... ତୁମ ମନର, ତୁମ ହୃଦୟର, ତୁମ ଆତ୍ମାର, କିନ୍ତୁ ତୁମ ଦେହର ନୁହଁ ।

 

କିନ୍ତୁ ତୁମେ ଏ ସରଳ ସତ୍ୟକୁ କେବେହେଲେ ବୁଝିବାକୁ ଚେଷ୍ଟା କଲ ନାହିଁ ।

 

ଯଦି ତୁମେ ଏକଥା ଥରକ ପାଇଁ ବୁଝିବାକୁ ଚେଷ୍ଟା କରିଥାନ୍ତ, ତାହେଲେ ଏପରି ଏକ ଅଧ୍ୟାୟର ସୃଷ୍ଟି ହୋଇ ନଥାନ୍ତା ।

 

ତଟିନୀ ତୁମେ କ’ଣ ଭାବୁଛ ଯେ, ତୁମ ଅନୁପସ୍ଥିତିର ସୁଯୋଗ ନେଇ ଜଣେ ପଳାତକଭାବେ ତୁମ ନିକଟରୁ ପଳାଇ ଆସି ତୁମ ସହ ମୁଁ ପ୍ରତାରଣା କରିଛି ବୋଲି । ତା’ ଯଦି ତୁମେ ଭାବୁଥାଅ, ତାହେଲେ କ’ଣ ଦେଖାଇ ତୁମର ସେ ଅବିଶ୍ଵାସକୁ ଫେଡ଼ି ପାରିବି । ‘ଭଲ ପାଇବା’ ଯଦି ଦେଖାଇ ହୋଇ ପାରୁଥାନ୍ତା, ଭା’ ହେଲେ ମୁଁ ଦେଖେଇ ଦିଅନ୍ତି ।

 

.....କିନ୍ତୁ ଏତିକି କହିବି, ଯଦି ତୁମେ ଏ କଥା ସ୍ଵୀକାର କର ଯେ, ଅତୀତରେ ମୁଁ ତୁମକୁ ଭଲ ପାଇଥିଲି, ତେବେ ତା’ରି ଦ୍ଵାହି ଦେଇ ମୁଁ ତୁମକୁ କହିବି ଯେ ମୁଁ ତୁମକୁ ଏବେବି ଭଲପାଏ । ସେ ଭଲପାଇବା କାମନାର ନୁହଁ, ଆମର ଏ ଭଲ ପାଇବା ପବିତ୍ର, ମହାନ୍‌, ତାହା କେବଳ କାମନା ଭଳି ଏକ ସଂକୀର୍ଣ୍ଣ ପରିବେଷ୍ଟନୀରେ ବାନ୍ଧିହୋଇ ରହି ପାରିବନି ।

 

....ଶେଷରେ ତଟିନୀ, ତୁମ ପାଇଁ ମୋର ଏକ କ୍ଷୁଦ୍ର ତଥା ବିନମ୍ର ନିବେଦନ ରହିଛି । ମୋର ଆଶା, ତୁମେ ଏଇ ଅନୁରୋଧ ଟିକକ ନିଶ୍ଚୟ ରଖିବ । ସେ ଭରସା ତୁମ ପ୍ରତି ମୋର ଅଛି-

 

କେଉଁ ଏକ ଦୃଷ୍ଟ ରାତ୍ରୀର ସ୍ଵପ୍ନ ଭଳି ମୋତେ ତୁମେ ଭୁଲିଯାଅ ଏବଂ ଅନ୍ୟତ୍ର ବିବାହ କର । ମୋତେ ଯଦି ତୁମେ ଏକାନ୍ତ ଭଲପାଅ, ତେବେ ମୋ ରାଣ, ତୁମେ ବିବାହ କର । ଉପଯୁକ୍ତ ବହୁ ପାତ୍ର ତୁମକୁ ନିଶ୍ଚିତଭାବେ ମିଳିବେ । ନାରୀ ଜୀବନ ଘର ସଂସାର ବିନା ନିରର୍ଥକ ଏବଂ ତୁମ ବୟସର ଯୁବତୀ ପାଇଁ ନିସଙ୍ଗ ଜୀବନ ନୀରାପଦ ନୁହେଁ । ନାରୀ ଜୀବନ ଝଡ଼-ଝଞ୍ଜାର ଜୀବନ, ସେ ଝଡ଼କୁ ଏକା ଏକା ସମ୍ଭାଳି ନେବା ଭଳି ଶକ୍ତି ତୁମର ନାହିଁ । ତୁମେ ଅନ୍ୟତ୍ର ବିବାହ କଲେ ମୋ ପ୍ରତି ତୁମର ଅନୁରାଗ ଯେ ଛଳନା ଏକଥା ମୁଁ ମଧ୍ୟ କେବେ ହେଲେ ଭାବିବି ନାହିଁ ।

 

ଯଦି ମନ ସହ ଅନ୍ୟ ଏକ ମନର ପ୍ରକୃତ ମିଳନ ଘଟେ ତେବେ ସେ ମିଳନ କେବେ ତୁଟିବାର ନୁହେଁ, ବରଂ ଦେହର ମିଳନ ତୁଟିଯାଏ । ସେଦିନ ତୁମ ଅନୁପସ୍ଥିତିର ସୁଯୋଗ ନେଇ ମୁଁ ଭୀରୁ କାପୁରୁଷ ଭଳି ହସ୍‌ପିଟାଲ ଛାଡ଼ି ଚାଲି ଆସିଲି । କ’ଣ କରିବି କିଛି ଉପାୟ ନଥିଲା । ହସ୍‌ପିଟାଲ କର୍ତ୍ତୃପକ୍ଷ ସେଇଦିନ ମୋତେ ହସ୍‌ପିଟାଲ ଛାଡ଼ିବାକୁ ବାଧ୍ୟ କଲେ । ଆଉ କେବଳ ସେଇଥିପାଇଁ ସେ ତୁମକୁ ଚାରିଦିନ ବାଧ୍ୟତାମୂଳକ ଛୁଟି ଦେଇଥିଲେ । ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କ ସେ ଆଦେଶକୁ ଅମାନ୍ୟ କରିବାକୁ ଶକ୍ତି ମୋର ନଥିଲା । ସେଇଥିପାଇଁ ମୁଁ ତୁମ ଅନୁପସ୍ଥିତିରେ ହସ୍‌ପିଟାଲ ଛାଡ଼ି ଓଡିଶା ଚାଲି ଆସିଲି ।

 

ଆଉ କେବଳ ଏଇ ସବୁ କଥା ଜଣାଇବାପାଇଁ ଏଠାରେ ପହଞ୍ଚି ପ୍ରଥମେ ମୁଁ ତୁମ ପାଖକୁ ଚିଠି ଲେଖୁଛି । ମୋତେ କେବେ ହେଲେ କୌଣସି ଦିନ ଭୁଲ ବୁଝିବନି ।

 

ରହିଲି । ଯଦି ତୁମ ନିକଟରେ କେବେ କୌଣସି ଦିନ କିଛି ଅନ୍ୟାୟ ବା ଅପରାଧ କରିଥାଏ । ତାହେଲେ ମୋତେ କ୍ଷମ । ଦେବ.... ।

 

ଚିଠିଟିକୁ ବାରମ୍ବାର ପଢ଼ୁଥିଲି ମୁଁ । ଯେତେ ଥର ଚିଠିଟି ମୁଁ ପଢୁଥାଏ, ମୋତେ ସେତେ ନୂଆ ଲାଗୁଥାଏ । ମୁଁ ନିଜକୁ ମଧ୍ୟ ବିଶ୍ଵାସ କରି ପାରୁନଥାଏ । ମୋ ଧମନୀର ସମସ୍ତ ରକ୍ତ କଣିକା ମୋ ଆଖିର ଲୋତକ ହୋଇ ବହିଯାଉଥାଏ । ଥରେ ଚିଠିଟିକୁ ପଢୁଥାଏ, ପୁଣି ତାକୁ ବୁକୁରେ ଚାପି ଧରି କଇଁ କଇଁ ହୋଇ କାନ୍ଦି ଉଠୁଥାଏ । ଆଉ ଏ ଚିଠି ବିଷୟରେ କେତେ କ’ଣ ଆକାଶ ପାତାଳ ଭାବିଯାଉଥାଏ ।

 

ପିଞ୍ଜରା ଦୋହଲାଇ ଏକ ଦୀର୍ଘଶ୍ଵାସ ମୋ ଭିତରୁ ବାହାରିଗଲା ।

 

ସାଗର, ମୋତେ ନୀତିବାଣୀ ଶୁଣାଇ ଚିଠି ଲେଖିଛନ୍ତି ପୁନଃବିବାହ କରି ସୁଖରେ ରହିବାକୁ । ଯୁବତୀ ଜୀବନରେ ନିଃସଙ୍ଗ ରହିବା ନିରାପଦ ନୁହେଁ । ତୁମକୁ ତ ଭଲ ପାଉଥିଲି । ତୁମେ ତ ଠକିଦେଇ ଚାଲିଗଲ । ପୁଣି ଆଉ କାହାକୁ ଆପଣାର କରିବି । ସେ ଯଦି ପୁଣି ମୋତେ ଠକି ଦେବ ତୁମ ଭଳି ?

 

ମୁଁ ଠକିଗଲି ସାଗର, ତୁମେ ମୋତେ ଠକି ଦେଲ । ମୁଁ ଠକି ଯାଇଛି, ଜୀବନର ପ୍ରଥମ ପାହାଚରେ ମୁଁ ଠକି ଗଲି । ମୁଁ ଭୁଲ କରିଛି, ମେଣ୍ଟାଲ ହସ୍‌ପିଟାଲର ସାମାନ୍ୟ ଜଣେ ସେବିକା ହୋଇ ମୁଁ ମହାଭୁଲ କରି ବସିଛି । ମୁଁ ଠିକ୍‌ ଜାଣିଥିଲି, ସମଗ୍ର ପୁରୁଷ ଜାତିଟା ଏଇଆ । ସ୍ଵାର୍ଥପର ସେମାନେ । ନିଜର ସ୍ଵାର୍ଥପାଇଁ ସେମାନେ ସବୁ କିଛି କରି ପାରନ୍ତି ।

 

ଶେଷକୁ ତୁମେ ଏଇଆ କଲ ସାଗର । ଗୋଟାଏ ନାରୀ ଜୀବନକୁ ତିଳ ତିଳ କରି ଜାଳି ପୋଡ଼ି ଛାରଖାର କରିଦେଇ ତୁମେ ଚାଲିଗଲ । କ’ଣ ଲାଭ ପାଇଲ । ମୁଁ ତୁମ ନିକଟରେ କି ଦୋଷ କରିଥିଲି ।

 

ତୁମେ ସିନା ଛାଡ଼ି ଚାଲିଗଲ ଏବଂ ରହିପାରିଲ, ହେଲେ ମୁଁ.... । ମୁଁ କ’ଣ ତୁମକୁ ଛାଡ଼ି ରହିପାରିବି । ହିନ୍ଦୁ ନାରୀ ମୁଁ । ମନ ଭିତରେ ପ୍ରଥମେ ଯାହାର ଛବି ପୂଜା ପାଇଛି, ତା’ ଭିନ୍ନ ଅନ୍ୟ କାହାର ଛବି ପୂଜା ପାଇପାରେନା ।

 

ହଁ, ହଁ ମୁଁ ଠକି ଯାଇଛି । ମୋ ପାପର ପ୍ରାୟଶ୍ଚିତ ମୁଁ କରିବି । ଚମତ୍କାର ଅଭିନୟ ତୁମେ କରିଗଲ ସାଗର । ମୁଁ ପୁଣି ବିବାହ କରିବି; ସୁଖରେ ରହିବି । ଯୁବତୀ ଜୀବନରେ ନିଃସଙ୍ଗତା ନିରାପଦ ନୁହେଁ, ହାଃ ହାଃ ହାଃ ।

 

ଠିକ୍‌ ଏଇ ସମୟରେ ବାହାର କବାଟରେ ଆଘାତ ସୃଷ୍ଟି ହେଲା । ବୋଧହୁଏ ପଙ୍କଜିନୀ ଆସିଯାଇଥିଲା । ମୋ ବିବାହ ଉତ୍ସବରେ ଯୋଗ ଦେବାକୁ ସେ ନିଜକୁ ପ୍ରସ୍ତୁତ କରି ଆସିଥିଲା । ବାଃ ରେ ପଙ୍କଜିନୀ ।

 

ପଙ୍କଜିନୀ କବାଟ ବାଡ଼େଇ ଚାଲିଥିଲା ।

 

ତା’ପରେ କ’ଣ ହେଲା ମୁଁ ଜାଣିନି ।

 

ନିଜକୁ ମେଣ୍ଟାଲ ହସ୍‌ପିଟାଲର ଚାରି ନମ୍ବର କୋଠରୀରେ ଆବିଷ୍କାର କଲି । ମୁଁ କୁଆଡ଼େ ପାଗଳ ! ମୋର ମସ୍ତିଷ୍କ ବିକୃତି ଘଟିଛି । ସେଇଥିପାଇଁ ମୁଁ ଏ ହସ୍‌ପିଟାଲରେ ଚିକିତ୍ସିତ ହେବାପାଇଁ ଆଡ଼ମିଶନ ହୋଇଛି ।

 

ମେଣ୍ଟାଲ ହସ୍‌ପିଟାଲର ନର୍ସ ତଟିନୀ, ଆଜି ସେଇ ହସ୍‌ପିଟାଲରେ ଚିକିତ୍ସିତ । ମୋର ମସ୍ତିଷ୍କ ବିକୃତି ଘଟିଛି । ମୁଁ ପାଗଳ, ହଁ, ହଁ ମୁଁ ପାଗଳ ।

 

କିନ୍ତୁ ପାଗଳ କାହିଁକି ହେଲି । କିଏ ମୋତେ ପାଗଳ କରିଦେଲା । ମୋର ଏ ପ୍ରଶ୍ନର ଉତ୍ତର କିଏ ଦେବ ? କିଏ ଦେବ ?

 

ଅମାବାସ୍ୟାର ବର୍ଷଣ ମୁଖର ରାତ୍ରୀ ।

 

ନୀରନ୍ଧ୍ର ଅନ୍ଧକାର ।

 

ଦି ବମ୍ବେ ମେଣ୍ଟାଲ ହସ୍‌ପିଟାଲର ରୁମ୍‌ନମ୍ବର ଚାରି ।

 

ମୁଁ ପାଗଳୀ ।

 

ମରଣର ଦ୍ଵାର ଦେଶରେ ମୁଁ.... ।

 

ତଥାପି ତ ମୁଁ ମୋ ଅତୀତକୁ ଭୁଲିପାରୁନି । ଏ ଯାବତ୍‌ ମଧ୍ୟ ସାଗରଙ୍କର ସେ ଅଭୁଲା ପ୍ରେମ ମୋ ମାନସ ପଟରୁ ଲିଭି ପାରିଲାନି ।

 

ଜୀବନର ସବୁ ସରସତା ମୋର ଆଜି ଶେଷ ହୋଇଯାଇଛି । ଯୌବନର ଉଦ୍ଦୀପନା ଆଜି ମୋ ଦେହରୁ ଲିଭିଯାଇଛି । ଏ ସମାଜ ଆଜି ମୋ ଆଗରେ ପଙ୍ଗୁ । ଏ ଜୀବନ ମୋ ଲାଗି ଆଜି ନିରର୍ଥକ, ଅବହେଳିତ । ଦୀର୍ଘ ଦୁଇ ବର୍ଷ ଧରି ମୁଁ କେବଳ ପାଗଳୀରୂପେ ପରିଗଣିତ ହୋଇଆସିଛି । ମୁଁ ସାଗରଙ୍କୁ ପାଇନାହିଁ, ତଥାପି ମୁଁ ତାଙ୍କୁ ଭୁଲି ପାରିନାହିଁ ।

 

ନିଶାର୍ଦ୍ଧ, ବର୍ଷଣ ମୁଖର ରାତ୍ରୀ । ଏ ରାତି ଖୁବ୍‌ ଭୟଙ୍କର । ବାହାରେ କେବଳ ବର୍ଷା । ପ୍ରବଳରୁ ପ୍ରବଳତ୍ତର ବର୍ଷାର ଛିଟା ଘର ଭିତରେ ଆସି ପଡ଼ୁଛି ।

 

ମୋ କୋଠରୀର ବେଡ୍‌ରେ ମୁଁ ଏବଂ ରାତି ଡିଉଟିରେ ଥିବା ସେବିକା । ବିଚାରୀ ଅତ୍ୟଧିକ ପରିଶ୍ରମ କରି ସେ ଶାନ୍ତିରେ ଶୋଇଯାଇଛି ଏ ବର୍ଷଣ ମୁଖର ରାତିରେ ।

ବୋଧହୁଏ ଆଖି ବୁଜି ସେ ମୋରି ଭଳି ତା’ ଜୀବନର କେଉଁ ଏକ ପୁରୁଷକୁ ସ୍ଵପ୍ନ ଦେଖି, ନୀଡ଼ ରଚନା କରୁଥିବ । ଦ୍ଵାରଟା ଭିତରୁ ଦେଇ ଦେବାକୁ ବୋଧହୁଏ ସେ ଭୁଲିଯାଇଛି ।

ସେଦିନ ମୋର ସ୍ପଷ୍ଟ ମନେ ପଡ଼ୁଛି, ପଙ୍କଜିନୀ ଏବଂ ପୁଲକଙ୍କ ବିବାହ କଥା । ଦୁହେଁଯାକ ଅର୍କେଷ୍ଟ୍ରାର ମ୍ୟୁଜିକ୍‌ ଶୁଣିବାକୁ ଯାଇଁ ପୁଲକଙ୍କୁ ପାଇଥିଲୁ ।

ମୋରି ଘରେ ପଙ୍କଜିନୀ ଏବଂ ପୁଲକଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବାସର ରାତି ଦିନ ନିଜ ହାତରେ ମୁଁ ପଙ୍କଜିନୀକୁ ସଜାଇଥିଲି । ମୋ ମନର ସବୁ ସ୍ଵପ୍ନର ରଙ୍ଗ ଦେଇ ତାକୁ ମୁଁ ଅଭିସାରିକା ବେଶରେ ସଜାଇଥିଲି । ସେଦିନ ପୁଲକ ଖୁବ୍‌ ଲାଜେଇ ଯାଇଥିଲେ । ଗୋଟିଏ ଘରେ ଦୁହିଁଙ୍କୁ ଛାଡ଼ି ଦେଇଥିଲି । ଗୋଟିଏ ପିଞ୍ଜରାରେ ପକ୍ଷୀ ଓ ପକ୍ଷିଣୀଙ୍କୁ ନୀଡ଼ ରଚନା ପାଇଁ ଛାଡ଼ି ଦେଇଥିଲି ।

ପଙ୍କଜିନୀର ତପସ୍ୟା ସଫଳ ହୋଇଥିଲା । ତା’ର ଆଶା ପୁରଣ ହୋଇଥିଲା । ସେ ଯାହା ଚାହିଁଥିଲା ତାହା ପାଇଲା– କିନ୍ତୁ ମୁଁ ? ଏ ଦୁନିଆରୁ ମୁଁ କ’ଣ ପାଇଲି ?

ମୋ ଜୀବନଟା କେବଳ କାନ୍ଦି କାନ୍ଦି କଟିଗଲା ।

ପଙ୍କଜିନୀ– ପୁଲକଙ୍କୁ ବିବାହ କରି ସୁଖୀ ହେଲା ।

ମେଣ୍ଟାଲ ହସ୍‌ପିଟାଲର ନର୍ସରୁ ଦୂରେଇ ଯାଇ ଏକ ସୁଖୀ ସମୃଦ୍ଧ ସଂସାର ଗଠନ କରିଥିଲା ।

ମନୋରମା ଏବଂ ସୁରେଶ ଏ ଗଳିତ ପଙ୍କିଳ ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଗଲେ ।

ନାରୀ ଯେ କେବଳ ଦୈହିକ ତୃପ୍ତି ପାଇଁ ନୁହେଁ, ଏକଥା ମନୋରମା ପ୍ରମାଣ କରିଦେଲା ।

କିନ୍ତୁ ମୁଁ.... ? କ’ଣ ପାଇଲି ? କ’ଣ ବା ମୋତେ ଦେଲେ ସାଗର ? କାୟିକ ବା ମାନସିକ– କେଉଁଟା ଅବା ସେ ମୋତେ ଦେଲେ ? ଅକୁଣ୍ଠିତ ଭାବରେ ତାଙ୍କ ପାଦତଳେ ମୋ ନିଜତ୍ଵକୁ ସମର୍ପି ଦେଇଥିଲି । ଫଳରେ ସାରା ଜୀବନ କେବଳ ଝୁରି ଝୁରି ମରିବା ସାର ହେଲା ।

ରାତ୍ରୀ ବଢ଼ି ବଢ଼ି ଚାଲିଥିଲା ।

ବର୍ଷାସାଙ୍ଗକୁ ଝଡ଼ ମଧ୍ୟ ଖୁବ୍‌ ଜୋରରେ ହେଉଥିଲା ।

ମୋ ମନରେ ଝଡ଼ ମଧ୍ୟ ସୃଷ୍ଟି ହୋଇଥିଲା ।

ଏଇ କେତେଦିନ ହେବ ମୁଁ ଭୀଷଣ ରୋଗାକ୍ରାନ୍ତ । ମୋ ପାଇଁ କେତେକ ଆବଶ୍ୟକୀୟ ବିଶ୍ରାମ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । କାଲି ସୁରମା ଦିଦି କହୁଥିଲେ– ତଟିନୀ, ଏତେ ଭାବୁଛ କାହିଁକି ? ମୋ ସୁନାଟା ପରା, ପଛ କଥା ସବୁ ମନରୁ ପୋଛି ଦିଅ ।

 

ହେଲେ କ’ଣ ପାରୁଛି ? ଯେତେଥର ଭାବିଛି, ପଛକଥା ଭୁଲିଯିବି, କିନ୍ତୁ ପାରୁନି । ବରଂ ବେଶୀ ଅତୀତର ସ୍ମୃତି ସବୁ ମୋ ମାନସ ପଟରେ ନାଚି ଯାଉଛନ୍ତି ।

 

ବହୁ କଷ୍ଟରେ ବିଛଣାରୁ ଉଠି ବସିଲି । ଧୀରେ ଉଠିଆସି ଝରକାର ରେଲିଂକୁ ଭରା ଦେଇ ଠିଆ ହେବା ପାଇଁ ଚେଷ୍ଟା କଲି । ଡ୍ୟୁଟିରେ ଥିବା ସେବିକାକୁ ଅଯଥା ବିରକ୍ତ କରିବାକୁ ଇଚ୍ଛା ହେଲାନି । ବରଂ ସେ ଶାନ୍ତିରେ ଶୋଉ । କ୍ଳାନ୍ତି ପରେ ପ୍ରଶାନ୍ତିର ତନ୍ଦ୍ରା ତାକୁ ଘାରିଛି, ସେ ଶୋଉ । ମୋ ପାଇଁ ପୂରା ରାତି ଅନିଦ୍ରା ହେବା ଦରକାର ନାହିଁ ।

 

ଝରକା ଦେଇ ବାହାରକୁ ଚାହିଁଲି, ବାହାରେ ନୀଳାକାଶର ବ୍ୟାପ୍ତି । ସେଇ ନୀଳ ଆକାଶର ନୀଳିମାରେ ମୁଁ ଚକୋରୀର ବ୍ୟାକୁଳତା ନେଇ ସାଗରଙ୍କୁ ଖୋଜି ଚାଲିଥିଲି । ସତେ କ’ଣ ସେ ମୋତେ ମିଳିବେ ?

 

ଏକ ସଫଳ ସତ୍ୟର ଅଲୋକରେ ମୋ ମନ କ୍ଷଣକ ପାଇଁ ଆଲୋକିତ ହୋଇ ଉଠିଲା-। ସତେ ଯେପରି ସାଗର ଆସୁଛନ୍ତି ।

 

କିନ୍ତୁ କାହାନ୍ତି ? ବାହାରେ କେବଳ ନୀରନ୍ଧ୍ର ଅନ୍ଧକାର ।

 

ସାଇଁ ସାଇଁ ନିଶା ଗର୍ଜୁଛି ।

 

ଏକ ଅଜଣା ଶିହରଣରେ ମୋ କପାଳରେ ବିନ୍ଦୁ ବିନ୍ଦୁ ସ୍ଵେଦ କଣିକା ଜମି ଯାଇଥିଲା । ଏ ବର୍ଷାରେ ମଧ୍ୟ ସେ ସ୍ଵେଦ କଣିକା ଜମି ଯାଇଥିଲା । ଏ ବର୍ଷାରେ ମଧ୍ୟ ସେ ସ୍ଵେଦ ଶୁଖିପାରୁନି । ଏ ରାତି ଆଜି ମୋତେ ଉପହାସ କରୁଛି । ମୋତେ ବିଦ୍ରୂପ କରି କହୁଛି– ଯାହାକୁ ଅତୀତରେ ତୁ ପାଇନାହୁଁ, ତାଙ୍କୁ ବର୍ତ୍ତମାନ ମଧ୍ୟ ତୁ ପାଇ ପାରିବୁ ନାହିଁ । ତୋ ଜୀବନର ଇପ୍‌ସିତ ବସ୍ତୁକୁ ଖୋଜି ଖୋଜି ତୁ ଏ ଦୁନିଆଁରୁ ହଜିଯିବୁ । ଜୀବନ ନଦୀର ପ୍ରତିଘାଟରେ ତୁ ତାଙ୍କୁ ଖୋଜିବୁ । ହେଲେ ପାଇବୁ ନାହିଁ । ତୋ ଆଶା କେବଳ ଆଶାରେ ହିଁ ରହିଯିବ ।

 

ଥରେ ସୁରମା ଦିଦି କହିଥିଲେ– ପର୍ବତ ଉପରେ ସମସ୍ତଙ୍କ ପାଇଁ ପଦ୍ମଫୁଲ ଫୁଟେ ନାହିଁ, ତଟିନୀ । ଫୁଟେ କେବଳ ଜଣକ ପାଇଁ– ଯାହାର ମନରେ ପର୍ବତ ଚଢ଼ିବାର ଦୃଢ଼ତା ଥାଏ । ଜୀବନକୁ ବାଜି ଲଗେଇବାର ନିଷ୍ଠାଥାଏ ।

 

କିନ୍ତୁ କାହିଁ ସୁରମା ଦିଦିଙ୍କ କଥା ତ ସତ ହେଲା ନାହିଁ ? ମୁଁ କ’ଣ ଜୀବନକୁ ବାଜି ଲଗେଇ ନାହିଁ । ପାହାଡ଼ ଚଢ଼ିବାର ଦୃଢ଼ତା କ’ଣ ମନରେ ଆଣିନାହିଁ । ସଂସାରର ସମସ୍ତ ପାର୍ଥିବ ସୁଖକୁ ପାଦରେ ଦଳିଦେଇ ସଳିତା ପରି ଆଜି ଖାଲି ମୁଁ ଜଳୁଛି ।

 

ମୋ ମନ ଆଜି କାନ୍ଦୁଛି । ଯିଏ ଆଉ ଫେରିବ ନାହିଁ, ସେ ତା’ରି ପାଇଁ କାନ୍ଦୁଛି । ଯିଏ କିଛି ଦେବ ନାହିଁ, କିଛି ଦେଇ ଜାଣେ ନାହିଁ, ଆଉ ମଧ୍ୟ କିଛି ବି ଦେଇପାରିବ ନାହିଁ, ତା’ର ପାଇଁ ଏ ମନ ଆଜି ଗୁମୁରି ଗୁମୁରି କାନ୍ଦୁଛି ।

 

ସାଗର ! ଜୀବନରେ ସ୍ଵାମୀର ସୁଖ ତ ମୋତେ ଦେଲ ନାହିଁ– ବନ୍ଧୁ ବି ହୋଇ ରହିପାରିଲ ନାହିଁ ! ତୁମେ ଭୀରୁ, ତୁମେ ଦୁର୍ବଳ, ତୁମେ ଇତର, କାପୁରୁଷ ତୁମେ !

 

ତଥାପି କେଜାଣି କାହିଁକି ତୁମଠାରୁ ଏତେ ଆଘାତ ପାଇ ମଧ୍ୟ ମୁଁ ତୁମକୁ ଭଲପାଏ । ତୁମକୁ ମୋ ମନ ଏତେ ଝୁରୁଚି କାହିଁକି ? ମୁଁ ଜାଣେନା ?

 

ହେ ପ୍ରିୟତମ ! ତୁମେ ଥରେ ଆସ ! ମୋତେ ଥରେ ଦେଖିଯାଅ । ହସି କରି ପଦେ କଥା କହିଯାଅ । ମୋ ଜ୍ଵଳନ୍ତ ମନରେ ବୁନ୍ଦାଏ ଜଳ ସିଞ୍ଚିଦିଅ । ମୁଁ କେବଳ ତୁମଠାରୁ ସେତିକି ଚାହେଁ, ଏ ସମୟରେ ତୁମକୁ ଦେଖିବା ବ୍ୟତୀତ, ତୁମଠାରୁ ଆଉ ମୁଁ କିଛି ଚାହେଁନା ।

 

ତଥାପି ତୁମେ କ’ଣ ଆସିବ ନାହିଁ ?

 

ତୁମେ ଏତେ ନିଷ୍ଠୁର ! ମୁଁ ଆଉ ପାରୁନାହିଁ । ମୋର ବୁକୁ ବିଦୀର୍ଣ୍ଣ ହୋଇଯାଉଛି । ହେ ସାଗର, ତୁମେ ଥରେ ଆସ, ତୁମ ବୁକୁରେ ମୋତେ ହଜାଇ, ମଜାଇ, ଜଡ଼ାଇ ନିଶ୍ଚିହ୍ନ କରିଦିଅ । ତୁମରି ଭିତରେ ମୁଁ ମିଶିଯାଏ । ତୁମରି ଭିତରେ ମୁଁ ଲିଭିଯାଏ, ତୁମରି ଭିତରେ ମୁଁ ଛପିଯାଏ..... ।

 

ତୁମପାଇଁ ମୁଁ ଆଜି ପାଗଳୀ ସାଜିଛି । ତଥାପି ତୁମକୁ ଭୁଲିପାରିଲି ନାହିଁ । ତୁମ ବ୍ୟତୀତ ମନ ମୋର କେଉଁଠି ଲୟ ହୋଇପାରିଲା ନାହିଁ । ଯେତେଥର ଚେଷ୍ଟା କରିଛି ତୁମକୁ ଭୁଲିଯିବା ପାଇଁ, ସେତେ ଅଧିକ ତୁମେ ମୋର ବେଶୀ ବେଶୀ ମନେପଡ଼ିଛ ।

 

ମୋ ଅତୀତ କେବଳ ମୋ ନିକଟରେ ସୀମାବଦ୍ଧ ହୋଇ ରହିଗଲା । ଏଇ ଅବହେଳିତ ପ୍ରଣୟର ବ୍ୟଥା–ବତୁରା ସ୍ମୃତିକୁ ହୃଦୟରେ ଧରି ମୁଁ ଯେ କେତେ ସାଧନା କରୁଚି, ତା କେବଳ ମୁଁ ଜାଣେ ।

 

ଆଉ ଯଦି କିଏ ଜାଣିଥାନ୍ତା, ସିଏ ହେଉଛ ତୁମେ । ହେଲେ ତୁମେ କିନ୍ତୁ ଜମାରୁ ବୁଝିଲ ନାହିଁ । ବୁଝିଥିଲେ କ’ଣ ଦୁଇ ବର୍ଷ ଧରି ମୋତେ ଛାଡ଼ି ରହିପାରନ୍ତ ! ତୁମେ ନିଷ୍ଠୁର, ତୁମେ ପଥର-। ତୁମେ କେବଳ କନ୍ଦାଇ ଜାଣ ! ଅନ୍ୟ ଜଣେ କାନ୍ଦିଲେ ତୁମକୁ ଭଲଲାଗେ ।

 

ହେ ମୋର ମନର ମନ, ପ୍ରାଣର ପ୍ରାଣ, ହୃଦୟର ହୃଦୟ ସାଗର ! ଏବେ ବି ମୁଁ ତୁମକୁ ଆତୁର ଚାହାଣୀରେ ଚାହିଁ ରହିଛି । ଥରେ ହେଲେ ଆସ । ଏ ଅଭାଗିନୀକୁ ଦେଖାଦିଅ । ମୋ ହାତରେ ହାତ ମିଳାଅ । ସ୍ଵାମୀତ୍ଵ ବା ସନ୍ତାନ ନଦେଲେ ନାହିଁ, ଥରେ ତୁମ ଦେହରେ ହଜିଯିବାର ସୌଭାଗ୍ୟ ମୋତେ ଦିଅ ।

 

...ସେମିତି ନୀଳାକାଶକୁ ଚାହିଁ ସାଗରଙ୍କୁ ମୋ ମନର ନିବେଦନ ଜଣାଉଥିଲି । ମୋତେ ଜଣାଗଲା, ସତେ ଯେପରି ସାଗର ଆସିଛନ୍ତି । ମୋତେ ହାତ ଠାରି ଡାକୁଛନ୍ତି । କହୁଛନ୍ତି– ତଟିନୀ, ଆସ, ତୁମକୁ ମୁଁ ଏଠାରେ ଅପେକ୍ଷା କରିଛି । ଏକ ଅବ୍ୟକ୍ତ ମଧୁରତାରେ ମୋ ଅନ୍ତର ପୂରିଗଲା । ମୁଁ ଆତ୍ମବିସ୍ମୃତ ହୋଇ ଉଠି ଦ୍ଵାର ଖୋଲି ସାଗରଙ୍କ ନିକଟକୁ ଛୁଟିଗଲି ।

 

ଏତେଦିନ ପରେ ମୋ କଥା ତୁମର ମନେପଡ଼ିଲା ପ୍ରିୟ । ଆଜିପର୍ଯ୍ୟନ୍ତ ତୁମେ କେଉଁଠି ଥିଲ ? କ’ଣ କରୁଥିଲ ? ଏତେ ନିବିଡ଼ତା ଭିତରେ ତୁମେ ମୋତେ ଭୁଲି ଯାଇପାରିଲ । ମୁଁ ଠିକ୍‌ ଜାଣେ ତୁମେ କେବେହେଲେ ମୋତେ ଛାଡ଼ି ରହି ପାରିବନି, ନିଶ୍ଚୟ ଦିନେ ନା ଦିନେ ମୋ ପାଖକୁ ଫେରି ଆସିବ । ଆଉ ସେଇଥିପାଇଁ ତ ତୁମ ପାଇଁ ମୁଁ ଦିପାଳୀ ଜାଳି ଉଜାଗରଭାବେ ବସି ରହିଛି-

 

ହେ ମୋର ସାଧନାର ସିଦ୍ଧି ସାଗର । ତୁମେ ଆଜି ମୋ ନିକଟକୁ ଫେରି ଆସିଛ । ସେତିକି ହିଁ ମୋ ପାଇଁ ଯଥେଷ୍ଟ । ସେଇଠି ମୁଁ ପାଇଛି ସ୍ଵର୍ଗ ।

 

ତଟିନୀ, ସାଗର ସହ ମିଳିତ ହେବାପାଇଁ ଖୁବ୍‌ ବେଗରେ ଧାଇଁଥିଲା । ପଛରେ ପଡ଼ି ରହିଥିଲା ହସ୍‌ପିଟାଲ ।

 

ଆଜିର ଏ ନିଶାନ୍ତ ପ୍ରହରରେ ପୃଥିବୀର କେଉଁ କୋଣରେ ରହି ଯାଇଛନ୍ତି, ପଙ୍କଜିନୀ, ମନୋରମା, ସୁରମା ଦିଦି । ଆଜି ସେମାନେ କିଏ କେଉଁଠି ? ଆଖିକୁ ଦେଖା ଯାଉନାହାଁନ୍ତି ।

 

ଏ କ’ଣ ସାଗର ! ତୁମେ କ’ଣ ମୋତେ ଦୂରକୁ ଦୂରକୁ ନେଇ ଯାଉଛ । ଓଃ, ମୁଁ ଜାଣେ, ତୁମେ ମୋତେ ଏମିତି ଗୋଟାଏ ଯାଗାକୁ ନେଇ ଯିବାକୁ ସ୍ଥିର କରିଛ, ଯେଉଁଠି ଏ ପଙ୍ଗୁ ସମାଜର ନିର୍ଜୀବ ନୀତି ନଥିବ ।

 

ସତରେ ସାଗର ତୁମେ କେଡ଼େ ମହାନ୍‌ !

 

ସତରେ ତୁମ ହୃଦୟ କେଡ଼େ ବିଶାଳ !

 

କେତେ ଅମୃତମୟ ତୁମର ମନ !!!

 

ହେ ମୋର ପ୍ରିୟତମ ସାଗର, ତୁମେ ଆଜି ଆସିଛ । ଆଜି ଠିକ୍‌ ବେଳରେ ତୁମେ ମୋ ନିକଟକୁ ଚାଲିଆସିଛ । ତୁମକୁ ପ୍ରେମ କରି ସିନା ଆପଣାର କରିପାରିଲି ନାହିଁ, ହେଲେ ତୁମ ଶାଶ୍ଵତ ପ୍ରେମରେ ମୁଁ ହଜିଯିବାକୁ ଚାହେଁ ।

 

ସାଗର ଏବଂ ମୁଁ..... ।

 

ମୁଁ ଏବଂ ସାଗର..... ।

 

ଓଃ ସାଗର ! ତୁମେ ଏତେ ଦିନ ପରେ ଆସିଛ ? ମୋର ତାପିତ ହୃଦୟରେ ଶୀତଳ ପରଶ ଦେବାକୁ ଫେରି ଆସିଲ । ଛିଃ, ତୁମେ କେତେ ଦୁଷ୍ଟ । କାହିଁକି ଜୀବନସାରା ମୋତେ କନ୍ଦାଉଥିଲ ? ତୁମକୁ ଦେଖି ମୋର ପ୍ରାଣ ଯେ ଆଜି ପୁଲକରେ ଭରିଯାଉଛି । ୟା’ଠାରୁ ବଳି ଅଧିକ ପାଇବା ଆଉ କ’ଣ ଅଛି ? ଏଇ ପାଇବାରେ ଆଉ ଯେ ହରାଇବାର ପ୍ରଶ୍ନ ନାହିଁ । ଏ ମିଳନରେ ଆଉ ଯେ ବିଚ୍ଛେଦ ନାହିଁ । ଏ ପ୍ରାପ୍ତି ମୋ ପାଇଁ ଯେ ଚରମ ପ୍ରାପ୍ତି ।

 

ତଟିନୀ ଧାଇଁ ଥିଲା ପ୍ରଖର ଗତିରେ ସାଗର ସହ ମିଶିବା ପାଇଁ ଦୂରରୁ ନୀଳ ସମୁଦ୍ରର ଗର୍ଜନ ଶୁଭୁଥିଲା, ଉତ୍ତାଳ ତରଙ୍ଗମାଳା । ତଟିନୀ ପାଟିକରି ଡାକି ଡାକି ଚାଲିଥିଲା– ସାଗର ! ଟିକିଏ ରୁହ, ମୁଁ ତୁମକୁ ପାଇଛି, ମନପୂରାଇ ଥରେ ତୁମକୁ ଦେଖିନିଏ, ସାଗର ।

 

ତଟିନୀ ସାଗରଙ୍କୁ ଡାକି ଡାକି ଖୁବ୍‌ ବେଗରେ ଧାଇଁଥିଲା । ନୀଳ ସମୁଦ୍ରର ଗର୍ଜନ ଭିତରେ ତଟିନୀର ସେ ଡାକ ହଜି ଯାଉଥିଲା । ତା ସହ ତଟିନୀ ମଧ୍ୟ ।

 

ଦୂର ଗୀର୍ଜାରୁ ମାଙ୍ଗଳିକ ସଙ୍ଗୀତ ଶୁଭୁଥିଲା ।

 

ପୂର୍ବାକାଶରେ ଅରୁଣ ଉଦିତ ହେଉଥିଲେ ।

Image